ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ହାତରୁ ଯିବ ଅସୀମ କ୍ଷମତା

କଲମ୍ବୋ: ଭୋକରେ ପୂରା ଶ୍ରୀଲଙ୍କା ଛଟପଟ ହେଉଥିବା ବେଳେ ଜଳୁଛି ନିଆଁ । ଭୋକ ବିକଳରେ ତ୍ରାହୀ ତ୍ରାହୀ ଡାକୁଛନ୍ତି ଲୋକେ । ସୁନାର ଲଙ୍କା ଆଜି କାଙ୍ଗାଳ । ଏଥିପାଇଁ କେବଳ ଆଉ କେବଳ ଦାୟୀ ଶ୍ରୀଲଙ୍କାର ପରିବାର କେନ୍ଦ୍ରୀକ କ୍ଷମତା ଓ ଭାରତ ବିରୋଧୀ ମନୋଭାବ । ରାଷ୍ଟ୍ରପତିଙ୍କ ଅସୀମ କ୍ଷମତା ତାଙ୍କ ପରିବାରକୁ ଶ୍ରୀଲଙ୍କର ଭାଗ୍ୟ ବିଧାତା କରିଦେବା ସହ ଚୀନ ପ୍ରଲୋଭନରେ ଫସି ଭାରତ ବିରୋଧରେ ଯିବା ଦେଶବାସୀଙ୍କ ପାଇଁ ସଜ୍ଜା ପାଲଟିଛି । ତଥାପି ଭାରତ ପଡୋଶୀ ଶ୍ରୀଲଙ୍କାକୁ ଉଦ୍ଧାର କରିବାକୁ ସହାୟତା ଯୋଗାଇ ଆସୁଛି । ଯେଉଁ କ୍ଷମତା ପାଇଁ ଆଜି ଶ୍ରୀଲଙ୍କାର ଏହି ସ୍ଥିତି, ତାହା କମିବାକୁ ଯାଉଛି ।

ଏବେ ରାଷ୍ଟ୍ରପତି ହାତରେ ଥିବା ଅସୀମ କ୍ଷମତା କମିବ । ଏଥିପାଇଁ ସମ୍ବିଧାନରେ କରାଯିବ ସଂଶୋଧନ । ଏନେଇ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ ଭେଟିଛନ୍ତି ଶ୍ରୀଲଙ୍କାର ଅଧିକାଂଶ ଦଳର ନେତା । ୨୧ତମ ସମ୍ବିଧାନ ସଂଶୋଧନ ଜରିଆରେ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ସହମତି ପ୍ରକାଶ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ୨୦ତମ ସମ୍ବିଧାନ ସଂଶୋଧନ ଜରିଆରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ନିଜ ହାତରେ ବିପୁଳ କ୍ଷମତା ଠୁଳ କରିବାରେ ସକ୍ଷମ ହୋଇଥିଲେ । ମାତ୍ର ୨୧ତମ ସଂଶୋଧନ ହେବା ପରେ ତାଙ୍କ କ୍ଷମତା ହ୍ରାସ ପାଇବ । ଅଧିକାଂଶ ଦଳର ଦାବି ପରେ ସରକାର ବାଧ୍ୟ ହୋଇ ଏହି ସଂଶୋଧନ ଆଣିବା ନିଶ୍ଚିତ ହୋଇଛି । ଏହି ପ୍ରସଙ୍ଗରେ ଆସନ୍ତା ଜୁନ ୩ ତାରିଖରେ ଚୂଡ଼ାନ୍ତ ବୈଠକ ବସିବ । ସମ୍ବିଧାନ ସଂଶୋଧନ ପ୍ରସଙ୍ଗରେ କ୍ଷେତ୍ର ପ୍ରସ୍ତୁତ କରିବା ଲାଗି ଆଇନମନ୍ତ୍ରୀ ଓ୍ବିଜଦାସା ରାଜପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ମେ’ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ରାନିଲ ଦାୟିତ୍ବ ନେବା ପରେ ଏହି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ଦେଶରେ ଦେଖା ଦେଇଥିବା ଅଶାନ୍ତି ପରିପ୍ରେକ୍ଷୀରେ ସମ୍ବିଧାନ ସଂଶୋଧନ ଲାଗି ଆନ୍ଦୋଳନକାରୀ ଦାବି କରି ଆସୁଛନ୍ତି । ସେପଟେ ଦୁର୍ଦ୍ଦିନ କାଳରେ ଭାରତର ସହାୟତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ।