ସାଇବର ଠକେଇର ଶିକାର ହେଲେ ବୋନି କପୁର; ଲୁଟିନେଲେ ୩ଲକ୍ଷ ୮୨ହଜାର ଟଙ୍କା

ମୁମ୍ୱାଇ: ସାଇବର ଠକେଇର ଶିକାର ହେଲେ ବଲିଉଡ୍ ଫିଲ୍ମ ନିର୍ମାତା ବୋନି କପୁର । ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ଲକ୍ଷାଧିକ ଟଙ୍କା । ବୋନି କପୁରଙ୍କ ଆକାଉଣ୍ଟରୁ ପ୍ରାୟ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଏ ନେଇ ମୁମ୍ୱାଇ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଖବର ସାମ୍ନାକୁ ଆସିଛି । ଅମ୍ୱୋଲି ପୋଲିସରେ ବୁଧବାର ଏ ନେଇ ମାମଲା ରୁଜୁ ହୋଇଛି ।

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସ୍ୱାମୀ ତଥା ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ବାପା ବୋନି କପୁରଙ୍କ ଅଭିଯୋଗ ହେଉଛି ଯେ, କେହି ଜଣେ ଦୁର୍ବୃତ୍ତ ତାଙ୍କ କ୍ରେଡିଟ୍‌ କାର୍ଡରୁ  ଟଙ୍କା କାଢ଼ି ନେଇଛନ୍ତି । ପାଞ୍ଚ ଥର ଟ୍ରାଞ୍ଜେକସନ କରି ୩ ଲକ୍ଷ ୮୨ ହଜାର ଟଙ୍କା ଲୁଟି ନେଇଛନ୍ତି । ତାଙ୍କୁ କ୍ରେଡିଟ୍‌ କାର୍ଡ ନେଇ କେହି କୌଣସି ତଥ୍ୟ କିମ୍ୱା ଓଟିପି ମଗାଯାଇନଥିଲା ।

ଟଙ୍କା କଟିବା ସମ୍ପର୍କରେ ଜାଣିବା ପରେ ସେ ବ୍ୟାଙ୍କ ସହିତ ଏ ନେଇ କଥା ହୋଇଥିଲେ । ଏହା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତେବେ ବୋନି କପୁର କାର୍ଡ ବ୍ୟବହାର କରୁଥିବା ବେଳେ କେହି ଜଣେ ତାଙ୍କ ତଥ୍ୟ ବାହାର କରିଛନ୍ତି । ଏବଂ ପରେ ଏଥିରୁ ଟଙ୍କା ବାହାର କରିଥିବା ପୋଲିସ ସନ୍ଦେହ କରୁଛି । ପ୍ରାଥମିକ ତଦନ୍ତ  ମିଳିଥିବା ତଥ୍ୟ ମୁତାବକ ବୋନି କପୁରଙ୍କ ଆକାଉଣ୍ଟରୁ ଗୁରୁଗ୍ରାମର ଏକ କମ୍ପାନୀର ଆକାଉଣ୍ଟକୁ ଟଙ୍କା ଯାଇଛି । ଏ ନେଇ ଅଧିକ ତଦନ୍ତ ଚାଲିଛି ।

ବଲିଉଡର ଜଣେ ଜଣାଶୁଣା ସିନେ ନିର୍ମାତା ହେଉଛନ୍ତି ବୋନି କପୁର । ସେ ‘ମିଷ୍ଟର ଇଣ୍ଡିଆ’, ‘ନୋ ଏଣ୍ଟ୍ରି’, ‘ଜୁଦାଇ’, ‘ୱାଣ୍ଟେଡ୍‌’ ଓ ‘ମମ୍‌’ ଭଳି ଅନେକ ସୁପରହିଟ୍‌ ଫିଲ୍ମରେ ପ୍ରଯୋଜନା ଦେଇସାରିଛନ୍ତି। ସେ ଶୀଘ୍ର ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ତିଆରି ଫିଲ୍ମରେ ନଜର ଆସିବେ। ରଣବୀର କପୁର ଅଭିନୀତ ଏହି ଫିଲ୍ମରେ ତାଙ୍କୁ ବାପା ଭୂମିକାରେ ଦେଖିବାକୁ ମିଳିବ। ଏହା ବୋନିଙ୍କ ଜଣେ ଅଭିନେତା ଭାବେ ବଲିଉଡ ଡେବ୍ୟୁ ଫିଲ୍ମ ହେବ। ଏଥିରେ ଫିମେଲ ଲିଡ୍‌ ଭାବେ ଶ୍ରଦ୍ଧା କପୁର ମଧ୍ୟ ନଜର ଆସିବେ ।

ଏଥିସହିତ ପଢ଼ନ୍ତୁ: ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଭୁଶୁଡ଼ିଲା କୋଠା; ୩ବର୍ଷର ଶିଶୁ ସମେତ ୪ମୃତ