‘ଆର୍ଥିକ ପରିଚାଳନା ବେଳେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନିଅ’

1 min read

ଭୁବନେଶ୍ବର: ଦରଦାମ ବୃଦ୍ଧି ଦେଶରେ ବିକଟ ପରିସ୍ଥିତି ସୃଷ୍ଟି କରିଛି । ଶାଗଠାରୁ ମୁଗ ସବୁ ସାମଗ୍ରୀର ଦର ଆକାଶ ଛୁଆଁ । ଟଙ୍କା ୫୦୦ରେ ବି ପୁରୁନି ପରିବା ବ୍ୟାଗ୍ । ରାସନ୍ ସାମଗ୍ରୀ ଦର ଆକାଶ ଛୁଆଁ । ସାମାଗ୍ରୀ ମୁଲଚାଲ କଲେ ଦୋକାନୀ ଯେମିତି ତିରିଛା ନଜରରେ ଅନାଉଛନ୍ତି ଲାଗୁଛି ଯେମିତି କହିଦେଇ ଭୁଲ କରିଦେଲେ । ପେଟ୍ରୋଲ, ଡିଜେଲ ଦର ସମାନ୍ୟ କମିଥିଲେ ବି ଏବେ ବି ୧୦୦ ଉପରେ । ତେବେ ଏଥିପାଇଁ ଦାୟୀ କିଏ ? ଏହାର ଗୋଟିଏ ଉତ୍ତର, କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ମନ୍ତ୍ରୀ । ଏଥିପାଇଁ କେନ୍ଦ୍ରର ଭୁଲ ଆର୍ଥିକ ପରିଚାଳନାକୁ ଦାୟୀ କରିଛନ୍ତି । ଏହାସହ ଯେକୌଣସି ନିଷ୍ପତ୍ତି ନେବା ଆଗରୁ ରାଜ୍ୟ ସହ ଆଲୋଚନା କରିବା ଉଚିତ ବୋଲି ସେ କହିଛନ୍ତି । ଆର୍ଥିକ ପରିଚାଳନା ନେଇ କେନ୍ଦ୍ର କୌଣସି ନିଷ୍ପତ୍ତି ନେବା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

ସେପଟେ ଦରଦାମ୍ ବୃଦ୍ଧି ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ସାଧାରଣ ଲୋକ ଦରଦାମ୍ ବୃଦ୍ଧିରେ ଅତିଷ୍ଠ ହେଲେଣି l ପେଟ୍ରୋଲ ଡିଜେଲଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ଜିନିଷ ମୂଲ୍ୟ ବୃଦ୍ଧି ଲୋକଙ୍କ ପକେଟକୁ ବାଧୁଛି ।