ମୃତ ଛୁଆକୁ ଶୁଣ୍ଢରେ ଧରି ବୁଲୁଛି ମାଆ ହାତୀ

କୋଲକାତା: ମାଆ ପାଇଁ ନିଜ ପିଲା କେତେ ପ୍ରିୟ ସବୁ ଜାଣନ୍ତି । ଆମ ଭଳି ମଣିଷ ହେଉ କି କୌଣସି ଜୀବ, ନିଜ ଛୁଆ ପାଇଁ ବଡରୁ ବଡ ବିପଦ ଆଗରେ ଛିଡା ହୋଇଯାଇଥାନ୍ତି । ଏମିତି ବି ହୋଇଛି ପିଲାର ମୃତ୍ୟୁ ପରେ ବି ମାଆ ତା’ର ମୃତଦେହ ଛାଡି ନଯିବାର ବହୁ ଉଦାହରଣ ରହିଛି । ଏମିତି କିଛି ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ଏକ ହାତୀ ନିଜ ମଲା ଛୁଆକୁ ଶୁଣ୍ଢରେ ଧରି ପ୍ରାୟ ଏକ କିମି ଚାଲିବା ନଜରକୁ ଆସିଛି ।

ଘଟଣାଟି ପଶ୍ଚିମବଙ୍ଗ ଜଲପାଇଗୁଡିର । ବାନାର ଘାଟିରେ ଏକ ହାତୀ ନିଜ ମଲା ଛୁଆକୁ ଶୁଣ୍ଢରେ ଟେକି ବୁଲୁଥିବା ଦେଖିବାକୁ ମିଳିଛି । ପିଲାଟିକୁ ଧରି ମାଆ ହାତୀଟି ଘାଟି ଜଙ୍ଗଲରେ ଏଣେ ତେଣେ ବୁଲୁଥିବା ବେଳେ ତାକୁ ଜଗ ରହିଛନ୍ତି ଦଳର ଅନ୍ୟ ୩୫ ହାତୀ । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ମୃତ ହାତୀ ଛୁଆକୁ ଉଦ୍ଧାର କରିବାକୁ ସକ୍ଷମ ହୋଇପାରିନାହିଁ । ଛୁଆ ବଞ୍ଚିଥିବା ଆଶାରେ ମାଆ ହାତୀ ଓ ଦଳର ଅନ୍ୟ ହାତୀ ତାକୁ ଛାଡି ଯାଉ ନଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ମାଆ ହାତୀଟି ଛୁଆକୁ ଛାଡିବାକୁ ନାରାଜ ଥିବାରୁ ବନ କର୍ମଚାରୀ ଉଦ୍ଧାର କରିପାରୁନାହାନ୍ତି ।

ଘଟଣାର ଭିଡିଓ ପଦାକୁ ଆସିବା ପରେ ଯିଏ ଦେଖୁଛନ୍ତି, ସେମାନଙ୍କ ଆଖିରେ ଲୁହ ଆସିଯାଉଛି । ପିଲା ଜୀବିତ ଥାଉ କି ମୃତ, ମାଆର ମମତା ଓ ଭଲ ପାଇବା କେବେ କମିନଥାଏ  । ଯାହାର ଏହା ଏକ ଜ୍ବଳନ୍ତ ଉଦାହରଣ ।