spot_img
Home Blog Page 4421

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ

ପୁରୀ: ବଦଳିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ସହ ପୂର୍ତ୍ତ ସଚିବ ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ ବୀର ବିକ୍ରମ ଯାଦବ ।

୧୯୯୬ ବ୍ୟାଚ୍ ଆଇଏଏସ୍ ହେଉଛନ୍ତି ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମିଳିଲା ଅତିରିକ୍ତ ଦାୟିତ୍ବ । ତାଙ୍କୁ ପୂର୍ତ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସଞ୍ଜୀବ ଚଢ଼ାଙ୍କୁ ସମବାୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । କୃଷି ବିଭାଗ ସ୍ବତନ୍ତ୍ର ସଚିବ ଅଛନ୍ତି ସଞ୍ଜୀବ ଚଢ଼ା । ସେହିପରି ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ହେଲେ ଶୁଭମ ସାକସେନା  । କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ନିକୁଞ୍ଜ କିଶୋର ସୁନ୍ଦରାୟ । ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଛି ।

ଆରମ୍ଭ ହେଲା ପୁରୀ ସ୍ବର୍ଗଦ୍ବାର ଶବ ସଂରକ୍ଷଣ ଫ୍ରିଜର

ପୁରୀ: ସ୍ଵର୍ଗଦ୍ଵାର ସେବା ସମିତି ଦ୍ବାରା ଉତ୍କଳ ଦିବସ ଅବସରରେ ପୁରୀ ସ୍ବର୍ଗଦ୍ବାର ଆରମ୍ଭ ହେଲା ଶବ ସଂରକ୍ଷଣ ଫ୍ରିଜର ସେବା । ଆଜି ପୁରୀ ରେଡକ୍ରସ ରୋଡ ନିବାସୀ ଲୀଳା ଶର୍ମା ନିଜ ସ୍ବର୍ଗତ ଶାଶୁଙ୍କ ଶବ ସଂରକ୍ଷଣ ପାଇଁ ସ୍ବର୍ଗଦ୍ବାର ସେବା କେନ୍ଦ୍ର ସହିତ ଯୋଗାଯୋଗ କରିଥିଲେ । ସ୍ବର୍ଗଦ୍ଵାର ତରଫରୁ ତାଙ୍କୁ ତୁରନ୍ତ ଏହି ସେବା ଯୋଗାଇ ଦିଆଯାଇଛି ।

ଏହା ଏକ ପ୍ରିପେଡ୍ ସେବା ହୋଇଥିବାରୁ ସମସ୍ତେ ଏହି ସୁବିଧା ପାଇପାରିବେ ବୋଲି ସମିତି ପକ୍ଷରୁ କୁହାଯାଇଛି । କୌଣସି ବ୍ୟକ୍ତି ଚାହିଁଲେ ୨୪ ଘଣ୍ଟାକୁ ଏକ ହଜାର ଟଙ୍କା ଦେଇ ଏହାର ସୁବିଧା ପାଇ ପାରିବେ । ଏହା ସହିତ ମୃତ ବ୍ୟକ୍ତିଙ୍କ ଶବ ଆଣିବା ପାଇଁ ସ୍ବର୍ଗଦ୍ବାର ସେବା ସମିତି ତରଫରୁ ସ୍ବର୍ଗ ରଥର ମଧ୍ୟ ବ୍ୟବସ୍ଥା କରାଯାଇଛି । ପୁରୀ ମ୍ୟୁନିସିପାଲିଟି ପରିସୀମା ମଧ୍ୟରେ ୭୫୦ ଟଙ୍କା ଓ ପୁରୀ ପୌରାଞ୍ଚଳଠାରୁ 10 କିମି ମଧ୍ୟରେ 12 ଶହ ଟଙ୍କା ଦେଇ ଲୋକେ ଏହାର ସୁବିଧା ପାଇପାରିବେ ।

ଖରାଦିନେ ରାଜ୍ୟରେ ରହିବନି ପାଣି ସମସ୍ୟା

ଭୁବନେଶ୍ବର: ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏହାକୁ  ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ପିଡି ଡିଆର୍‌ଡିଏ, ବିଡିଓ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଲୋକେ ଯେପରି ପାନୀୟ ଜଳ ସମସ୍ୟାର ସମ୍ମୁଖିନ ନହେବେ, ସେଥିପ୍ରତି ଦୃଷ୍ଟିଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବୈଠକରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ସଚିବ ଅଶୋକ ମିନା, ପାନୀୟଜଳ ନିର୍ଦ୍ଦେଶକ ବି ପରମେଶ୍ବରନ୍, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆ, ଆର୍‌.ଡବ୍ଲୁ.ଏସ୍‌.ଏସ୍ ଯନ୍ତ୍ରୀମୁଖ୍ୟ ଅମୁଲ୍ୟ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଗ୍ରାମାଞ୍ଚଳରେ ଅଚଳ ନଳକୂପ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅଭିଯୋଗ ପାଇବା ମାତ୍ରେ ଭ୍ରାମ୍ୟମାଣ ମରାମତି ବ୍ୟବସ୍ଥା କରିବା, ମରାମତି ଅବସ୍ଥାରେ ନଥିଲେ ନୂତନ ନଳକୂପ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୌଣସି ଦୂଷିତ ଜଳ ବ୍ୟବହାର ନକରିବାକୁ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ସୋଲାର ନଳକୂପଗୁଡିକୁ ମଧ୍ୟ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ରକ୍ଷଣାବେକ୍ଷଣ କରାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଭାରତ-ନେପାଳ ସମ୍ପର୍କରେ ନୂଆ ଇତିହାସ

ନୂଆଦିଲ୍ଲୀ: ଉଦଘାଟିତ ହେଲା ଭାରତ ଓ ନେପାଳ ମଧ୍ୟରେ ପ୍ରଥମ ରେଳ ଲିଙ୍କ । ପତାକା ହଲାଇ ଏହାର ଉଦଘାଟନ କଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାରର ଜୟନଗର ଓ ନେପାଳର କୁର୍ଥା ମଧ୍ୟରେ ଚଳାଚଳ କରିବ ପାସେଞ୍ଜର ଟ୍ରେନ । ଏହି ପ୍ରକଳ୍ପ ହେଉଛି ୬୯ କିମି ଦୀର୍ଘ ଜୟନଗର-ବିଜଲପୁରା-ବାର୍ଦିଦାସ ରେଳ ଲିଙ୍କ ପ୍ରକଳ୍ପର ଅଂଶ ବିଶେଷ ।

ଭାରତ-ନେପାଳ ସୀମାନ୍ତରୁ ଜୟନଗରର ଦୂରତା ମାତ୍ର ୪ କିମି । ଏହାସହ ଉଭୟ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ରୁପେ ଡିଜିଟାଲ ପେମେଣ୍ଟ ଆପ୍ଲିକେସନର ମଧ୍ୟ ଶୁଭାରମ୍ଭ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଦ୍ବପାକ୍ଷିକ ସମ୍ପର୍କ ବୃଦ୍ଧି ଉପରେ କରିଛନ୍ତି ଗୁରୁତ୍ବାରୋପ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି- ଦେଓବା ଭାରତର ଜଣେ ପୁରୁଣା ବନ୍ଧୁ । ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଭାବ ବିନିମୟର ସଂସ୍କୃତି ଅନ୍ୟ କେଉଁଠି ଦେଖାଯାଏନାହିଁ ।

ତିନିଦିନିଆ ଭାରତ ଗସ୍ତରେ ଆସିଥିବା ଦେଓବା ଶକ୍ତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ହୋଇଥିବା ଆଲୋଚନାରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ଉପସ୍ଥିତ ଥିଲେ ଦୁଇ ଦେଶର ପ୍ରତିନିଧି ।

ତହସିଲଦାରଙ୍କୁ ମାଡ଼ ଘଟଣାରେ ଦୁଇ ଅଟକ

ପଟ୍ଟାମୁଣ୍ଡାଇ: ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ଼ ଘଟଣାରେ ଦୁଇ ଅଟକ । ତହସିଲଦାର ଦିଲ୍ଲୀପ ସେଠୀଙ୍କ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ମୋହନପୁର ପଞ୍ଚାୟତର ଏକାଧିକ ଚାଷୀ ନିଜ ଜମି ପାଖରେ ବେଆଇନ ଇଟାଭାଟି  ନିର୍ମାଣକୁ ବିରୋଧ କରିଥିଲେ । ଏହାକୁ ନେଇ ଚାଷୀମାନେ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । ତୁରନ୍ତ ଚାଷ ଜମି ପାଖରେ ଇଟାଭାଟି ବନ୍ଦ କରିବାକୁ ଦାବି କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତହସିଲଦାର ଧାରଣାରତ ଚାଷୀଙ୍କ ସହ ଆଲୋଚନା କରିବା ସହ ଇଟାଭାଟି ଉଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ତହସିଲଦାରଙ୍କ ପାଖରୁ ପ୍ରତିଶ୍ରୁତି ପାଇବା ପରେ ଚାଷୀମାନେ ଧାରଣାରୁ ଉଠି ଘରକୁ ଫେରିଥିଲେ ।

ତେବେ ଗତକାଲି ରାତିରେ ଇଟା ମାଫିଆମାନେ ଇଟାଭାଟିରେ ନିଆଁ ଳଗାଇ ଥିଲେ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଉତ୍ତ୍ୟକ୍ତ ଚାଷୀ ଆଜି ପୁଣି ତହସିଲ କାର୍ଯ୍ୟାଳୟକୁ ଆସି ଇଟା ଭାଟିରେ ନିଆଁ ଲାଗାଇବାକୁ ଇଟା ମାଫିଆଙ୍କୁ କେମିତି ଅନୁମତି ମିଳିଲା ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଚାଷୀ ଓ ତହସିଲଦାରଙ୍କ ମଧ୍ୟରେ ବଚସା ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ଚାଷୀ ତହସିଲଦାରଙ୍କ ସହ ଧସ୍ତାଧସ୍ତି କରିଥିଲେ । ଏହାସହ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଦୋଳ ଗୋବିନ୍ଦ ସାହୁ ଓ ଉଦୟ ଭାନୁ ସାହୁ ମିଳିତ ଭାବେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ ।

୨୦୩୬ରେ ସାରା ଦେଶକୁ ମାର୍ଗ ଦର୍ଶନ କରାଇବ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ୨୨ ବର୍ଷ ଧରି ସ୍ବଚ୍ଛ, ନିର୍ମଳ ଓ ଦୁର୍ନୀତିମୁକ୍ତ ଶାସନ ସାଙ୍ଗକୁ ସ୍ଥିର ସରକାର । ଗାନ୍ଧିଜୀଙ୍କ ନୀତି ଆଦର୍ଶ ସହ ଗରିବ କଲ୍ୟାଣ ଯୋଜନା । ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, କୃଷି ଓ ପର୍ଯ୍ୟଟନ ସାଙ୍ଗକୁ ଗମନାଗମନ । ସଫଳତାର ସହ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା । ସବୁଥିରେ ଜିରୋ କାଜୁଆଲଟିକୁ ଗୁରୁତ୍ବ । କୋଭିଡ୍‌ ମହାମାରୀ ବେଳେ ଜୀବନ ରକ୍ଷା ସହ ଜୀବିକାକୁ ଗୁରୁତ୍ବ । କୋଭିଡ୍‌ ସମୟରେ ସାରା ଦେଶକୁ ଅକ୍ସିଜେନ ଯୋଗାଇ ମହାମାରୀ ମୁକାବିଲା ପାଇଁ ବାଟ ଦେଖାଇବା ହେଉ ଅବା ବେକାରୀ ହ୍ରାସ, ସବୁଥିରେ ଓଡ଼ିଶା ଦେଶ ପାଇଁ ରୋଲ୍‌ ମଡେଲ୍‌ ସାଜିଛି । ଆଉ ୧୪ ବର୍ଷ ପରେ ସ୍ବତନ୍ତ୍ର ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ ।

୨୦୩୬ରେ ସାରା ଦେଶକୁ ମାର୍ଗ ଦର୍ଶନ କରାଇବ ଓଡ଼ିଶା । ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ପରେ ରାଜ୍ୟ ସରକାରଙ୍କ ଭିଜନ ଏବେ ଚର୍ଚ୍ଚାରେ । ବିକାଶ ପଥରେ ରାଜ୍ୟ ଯେପରି ଅଗ୍ରଗତି ହେଉଛି, ତାହା ୨୦୩୬ ଭିଜନକୁ ସଫଳ କରିବ ବୋଲି ବିଜେଡି କହିଛି । ନୂଆ ଓଡ଼ିଶା, ସଶକ୍ତ ଓ ସୁଖୀ ଓଡ଼ିଶା ଗଠନ ଲାଗି ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଓଡ଼ିଆଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା, ଏସଏଚଜି ଜରିଆରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା, କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସହଯୋଗ, ମେକ୍‌ ଇନ୍‌ ଓଡ଼ିଶା ଜରିଆରେ ଶିଳ୍ପାୟନ ସହ ବ୍ୟାପକ ନିଯକ୍ତି ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ବ୍ୟବସ୍ଥାରେ ଫାଇଭ-ଟି ଓ ମୋ ସରକାର ଜରିଆରେ ପ୍ରଶାସନକୁ ଲୋକଙ୍କ ନିକଟତର କରି ସାରା ଦେଶର ପ୍ରଶାସନ ବ୍ୟବସ୍ଥାକୁ ବାଟ ଦେଖାଇଛି ଓଡ଼ିଶା । ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ସଂଗୀତ ଓ କଳା ସମୃଦ୍ଧ ହୋଇଛି । ରାଜ୍ୟ ସରକାରଙ୍କ ଅନେକ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ରାଜ୍ୟରେ ନୂଆଯୁଗ ଆରମ୍ଭ ହୋଇଛି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ଚାକିରିରୁ ବିଦା କରାଯାଇଛି । ସଂଘୀୟ ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସାରା ଦେଶ ପାଇଁ ଏବେ ରୋଲ୍‌ ମଡେଲ୍‌ ହୋଇଛି । ଯାହାକୁ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ସଂସଦରେ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ପ୍ରଶଂସା କରିଛନ୍ତି ।

 

ରାସ୍ତାରେ ଦୁର୍ଘଟଣା ପାଇଁ ଜିଲ୍ଲାପାଳ ରହିବେ ଉତ୍ତରଦାୟୀ

ନୂଆଦିଲ୍ଲୀ: ସଡ଼କ ସୁରକ୍ଷାକୁ ସୁଦୃଢ କରିବା ସହ ଦୁର୍ଘଟଣାର ତଦାରଖ କରିବାର ଦାୟିତ୍ବ ଜିଲ୍ଲାପାଳଙ୍କର । ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ଏଭଳି ମର୍ମରେ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ରାଜ୍ୟ ସରକାର ଏହା ପୂର୍ବରୁ ଦୁର୍ଘଟଣା ରୋକିବା ପାଇଁ ସମ୍ପୂର୍ଣ୍ଣ ଯୋଜନା କରିଛନ୍ତି । ଜିଲ୍ଲାସ୍ତରରେ ସଡ଼କ ସୁରକ୍ଷା ପରିଷଦ ସହ ଆଲୋଚନା କରି ଦୁର୍ଘଟଣା ରୋକିବା ଉପରେ ପଦକ୍ଷେପ ନେବା ସହ ବେପରୁଆ ଗାଡ଼ି ଚାଳନା ପାଇଁ ଚଢାଉ ଜୋରଦାର କରିବାକୁ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ ।

୨୦୨୦ ତୁଳନାରେ ୨୦୨୧ରେ ରାଜ୍ୟରେ ୭ ପ୍ରତିଶତ ବଢିଛି ଦୁର୍ଘଟଣା । ଦୁର୍ଘଟଣା ରୋକିବାକୁ ରାସ୍ତାରେ ହେବ ଜୋରଦାର ଚଢାଉ । ବେପରୁଆ ଚାଳକଙ୍କୁ ସାବାଡ଼ କରିବେ ପୋଲିସ, ଆରଟିଓ ଏବଂ ଜିଲ୍ଲା ପ୍ରଶାସନ । ଲଗାତାର ମାସେ ଧରି ଏନଫୋର୍ସମେଣ୍ଟ ଜାରି ରଖିବାକୁ ସଚିବଙ୍କ ନିର୍ଦ୍ଦେଶ । ୨୦୨୧ରେ ରାଜ୍ୟରେ ୧୦ ହଜାର ୯୮୪ ଦୁର୍ଘଟଣା ଘଟିଥିବା ବେଳେ ୫ ହଜାର ୮୧ଜଣ ପ୍ରାଣ ହରାଇଛନ୍ତି । ୯ ହଜାର ୭୮୨ ଜଣ ଆହତ ହୋଇଛନ୍ତି । ଗତବର୍ଷ ଅପେକ୍ଷା ଏଥର ଦୁର୍ଘଟଣା ୭.୨୪ ପ୍ରତିଶତ ବୃଦ୍ଧି ହୋଇଛି । ମଦ ପିଇ ଗାଡ଼ି ଚଳାଇବା, ବିନା ହେଲମେଟ, ଦୁଇ ଚକିଆରେ ୨ ଜଣ ବଦଳରେ ୩ ଜଣ ଯିବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା ବି ଦୁର୍ଘଟଣାର ପ୍ରମୁଖ କାରଣ । ଏସବୁକୁ ରୋକିବା ପାଇଁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରିବାକୁ ସବୁ ଜିଲ୍ଲାପାଳ, ଏସପି, ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ସଚିବ ବିଷ୍ଣୁପଦ ସେଠୀ । ନିର୍ବାଚନ ପାଇଁ ରାସ୍ତାରେ ଚେକିଂ ଟିକେ ଧୀମା ପଡ଼ିଥିବା ବେଳେ ଏବେ ଲଗାତାର ମାସେ ଧରି ଚାଲିବ ଚଢାଉ ।

ଗଜପତି, ଝାରୁସୁଗୁଡ଼ା, ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ଅଧିକ ବଢିବା ସହ ମୃତକଙ୍କ ସଂଖ୍ୟା ବି ବଢିଛି । ଜିଲ୍ଲାସ୍ତରରେ ଥିବା ସଡ଼କ ସୁରକ୍ଷା ପରିଷଦ ସହ ବିସ୍ତୃତ ଆଲୋଚନା କରି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ଏନଫୋର୍ସମେଣ୍ଟକୁ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି । ଟେକ୍ନୋଲୋଜିର ବିନିଯୋଗ କରି ସଚେତନ ସହ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରିବା ସହ ସଡ଼କ ନିରାପତ୍ତା ପାଇଁ ଯୋଜନା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟରେ ମାନବ ସମ୍ବଳ ଓ ଭିତ୍ତିଭୂମିର ଅଭାବ ଯୋଗୁଁ ଅନେକ ଟ୍ରାଫିକ ଉଲ୍ଲଙ୍ଘନକାରୀ ଖସିଯିବାକୁ ସକ୍ଷମ ହେଉଛନ୍ତି । ଏହା ଉପରେ ସରକାର ଗରୁତ୍ବ ଦେବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଆଇନ ଉଲଘଂନକାରୀଙ୍କୁ ଉପରେ ଚଢାଉର ଦୈନନ୍ଦିନ ରିପୋର୍ଟ ଜିଲ୍ଲାରୁ ରାଜ୍ୟକୁ ଏବଂ ରାଜ୍ୟକୁ କେନ୍ଦ୍ର ସଡ଼କ ସୁରକ୍ଷା ପରିଷଦକୁ ପଠାଇବାର ବ୍ୟବସ୍ଥା ରହିଛି । ସ୍ଥିତିକୁ ଅନୁଧ୍ୟାନ କରି ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଠୋସ୍ ପଦକ୍ଷେପ ନେଇପାରିବେ ।

୨୩ ରନରେ ପରାସ୍ତ ମୁମ୍ବାଇ ଇଣ୍ଡିଆନସ, ଭାରି ପଡ଼ିଲା ପୋଲାର୍ଡଙ୍କ ବ୍ୟାଟିଂ

ମୁମ୍ବାଇ: ଆଇପିଏଲ ସିଜନ -୧୫ରେ ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲସ, ମୁମ୍ବାଇ ଇଣ୍ଡିଆନସକୁ ୨୩ ରନରେ ହରାଇଛି । ରାଜସ୍ଥାନ ରୟାଲସ ଦ୍ବାରା ଧାର୍ଯ୍ୟ ୧୯୪ ରନର ଟାର୍ଗେଟ ପିଚ୍ଛା କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ମାତ୍ର ୧୭୦ ରନ୍ ହିଁ କରିପାରିଥିଲା ।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଜସ୍ ବଟଲରଙ୍କ ଶତକ ବଳରେ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୯୩ ରନ୍ କରିଥିଲା । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ଓ ଟି. ମିଲସ୍ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଆଜିର ଦ୍ବିତୀୟ ମ୍ୟାଚ୍ ଗୁଜରାଟ ଟାଇଟାନ୍ସ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଖେଳାଯାଉଛି ।

ସେପଟେ ମୁମ୍ବାଇ ହାରିବାର ବଡ଼ କାରଣ ପାଲଟିଛନ୍ତି କୀରନ ପୋଲାର୍ଡ । ପୋଲାର୍ଡ଼ କେବଳ ୨୪ଟି ବଲରେ ୨୨ ରନ୍ ସଂଗ୍ରହ କରିଥିଲେ  । ସେପଟେ ପୋଲାର୍ଡ ୧୩ ତମ ଓଭରରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିଲେ  । ଯେଉଁ ସମୟରେ ଟିମ ସ୍କୋର ୧୨୧/୩ ରହିଥିଲା ଏବଂ ମୁମ୍ବାଇର ପୋଜିସନ ଭଲ ରହିଥିଲା  ।

ଗୋଡ଼ ମୋଡ଼ି ହେଉ ବା ରକା, ଔଷଧ ଭଳି ବ୍ୟବହାର କରନ୍ତୁ ତେଜପତ୍ର

ତେଜପତ୍ରକୁ ତ ରୋଷେଇରେ ବ୍ୟବହାରକରାଯାଏ କିନ୍ତୁ ଏହାକୁ ଔଷଧ ଭାବରେ ମଧ୍ୟ ଆପଣ ବ୍ୟବହାର କରିପାରିବେ । ଯେପରିକି କାଶ ହେଉଥିଲେ ତେଜପତ୍ରକୁ ମିଶ୍ରି ସହିତ ଫୁଟାଇ ପିଇବା ଦ୍ୱାରା କାଶ ଭଲ ହୋଇଯାଏ । ଠିକ୍‌ ସେହିଭଳି ଏଥିରୁ ଆପଣ ଏକ ତେଲ ପ୍ରସ୍ତୁତ କରିପାରିବେ ଯାହା ଆଂଟି ବ୍ୟାକ୍ଟେରିଆଲ, ଆଂଟି ଫଙ୍ଗଲ, ଆଂଟି ଇମଫ୍ଲାମେଂଟ୍ରି ଏବଂ ପେନ୍‌ ରିଲିଭିଙ୍ଗ ଔଷଧ ଭାବରେ କାମ କରେ । ତେବେ କିଭଳି ଏହାକୁ ବ୍ୟବହାର କରିବେ ଏବଂ କେଉଁ ସମସ୍ୟା ପାଇଁ ବ୍ୟବହାର କରିବେ  ଆସନ୍ତୁ ଆଲୋଚନା କରିବା ।

ତେଜପତ୍ରରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ସେଲେନିୟମ ଓ ଆଇରନ ପ୍ରଚୁର ମାତ୍ରାରେ ଥାଏ । ଏଥିରେ ଥିବା ଆଂଟି ଅକ୍ସିଡାଂଟ କର୍କଟ, ବ୍ଲଡ କ୍ଲଟିଙ୍ଗ ଏବଂ ହୃଦୟ ସମ୍ବଦ୍ଧିତ ରୋଗରୁ ବଂଚିବାରେ ସହାୟକ ହୋଇଥାଏ ।

ତେବେ କିଭଳି ତେଜପତ୍ରରୁ ତେଲ ପ୍ରସ୍ତୁତ କରିବେ…

ପ୍ରଥମେ ୧୦ ଗ୍ରାମ ଜୁଆଣି, ୧୦ ଗ୍ରାମ ମେଥି ଓ ୧୦ ଗ୍ରାମ ତେଜପତ୍ରକୁ ବାଟନ୍ତୁ । ଏବେ ଏହାକୁ ପାଣିରେ ପକାଇ ଫୁଟାନ୍ତୁ । ଯେବେ ଏହି ପାଣି ୧୦୦ ବା ୧୫୦ ଗ୍ରାମ ହୋଇଯିବ ବାହାର କରି ଥଣ୍ଡା ହେବାକୁ ଦିଅନ୍ତୁ । ଏହାକୁ ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ଅଂଟାରେ କଷ୍ଟ ହେବା କମ ହୋଇଯାଏ । ଗୋଡ଼ ଆଦି ମୋଡ଼ି ହୋଇ ଯାଇଥିଲେ ବା କୌଣସି ସ୍ଥାନରେ ରକା ହୋଇ ଯାଇଥିଲେ ଭଲ ହୋଇଯିବ । ଶିରାପ୍ରଶିରାରେ ଦରଜ ହେଲେ ଶରୀର ମଧ୍ୟ ଅସୁସ୍ଥ ଲାଗେ, ତେଣୁ ଏହାକୁ ପିଇବା ଦ୍ୱାରା କଷ୍ଟ କମ ହୋଇଯାଏ । କେବେ କେବେ ଖେଳକୁଦ ଆଦି କରି ବା କାମ କରି ଶରୀରରେ ଯନ୍ତ୍ରଣା ହେଉଥିଲେ ତେଜପତ୍ର, ଲବଙ୍ଗ ଏବଂ ଡାଳଚିନିକୁ ବାଟି ଦିଅନ୍ତୁ ଏବଂ କଷ୍ଟ ହେଉଥିବା ସ୍ଥାନରେ ଲଗାନ୍ତୁ, ଏହା ବାମ୍‌ ଭଳି କାମ କରେ ।

କଂଗ୍ରେସ ନେତା ଦିଲ୍ଲୀ ଦୌଡ଼ି ଦୌଡ଼ି ସଫା: ଏବେ ପାଳି ବିଜେପିର

ଭୁବନେଶ୍ବର: କଂଗ୍ରେସ ଯେଉଁ ଭୁଲ କରିଛି, ଏବେ ସେଇ ରାସ୍ତାରେ ରାଜ୍ୟ ବିଜେପି ଯାଉଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଅନ୍ତର୍ଦ୍ବନ୍ଦ୍ବ ଉଗ୍ର ହୋଇଛି । ଦଳର ବହୁ ନେତା ଦିଲ୍ଲୀରେ ଡେରା ପକାଇ ପରସ୍ପର ବିରୋଧରେ ବୟାନବାଜି କରୁଛନ୍ତି । କଂଗ୍ରେସ ନେତା ଦିଲ୍ଲୀ ଦୌଡ଼ି ଦୌଡ଼ି ଓଡ଼ିଶାରେ ସଫା ହୋଇଯିବା ପରି ସ୍ଥିତି ରାଜ୍ୟ ବିଜେପିର ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁରଙ୍କ ଏହି କଟାକ୍ଷଭରା ବୟାନ ଏବେ ରାଜ୍ୟ ରାଜନୀତିକୁ ରୋଚକ ମୋଡ଼କୁ ନେଇଛି ।

ଦିଲ୍ଲୀ ନିଶା ରାଜ୍ୟ ରାଜନୀତିକୁ କାଳ । ଯେଉଁ ଦଳର ନେତା ଯେତେ ଦିଲ୍ଲୀ ଯିବେ, ରାଜ୍ୟରେ ସେ ଦଳ ସେତେ ସଫା ହେବ । ନେତୃତ୍ବ ଓ ନେତାଙ୍କ ମଧ୍ୟରେ କଳି ତୀବ୍ର ହେଲେ ଦଳକୁ କ୍ଷତି । କଂଗ୍ରେସ ନେତା ଦିଲ୍ଲୀ ଦୌଡ଼ି ଦୌଡ଼ି ନିଜେ ସଫା ହୋଇଯାଇଛନ୍ତି । ନେତୃତ୍ବର ମୋହ ଦଳକୁ ରସାତଳକୁ ନେଇଛି । ସର୍ବପୁରାତନ ଦଳ କଂଗ୍ରେସ ଏବେ ରାଜ୍ୟରେ ନିଜର ପରିଚୟ ଖୋଜୁଛି । ଏବେ ସେହି ରାସ୍ତାରେ ରାଜ୍ୟ ବିଜେପି । କଂଗ୍ରେସର ବିପର୍ଯ୍ୟୟରୁ ବିଜେପି ନେତା କିଛି ନଶିଖିଲେ ସାମାନ ସ୍ଥିତି ହେବ । ପଞ୍ଚାୟତ ଓ ପୌର ନିର୍ବାଚନରେ ପରାଜୟ ପରେ ବିଜେପି ନେତାଙ୍କ ଦିଲ୍ଲୀ ଗସ୍ତକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏପରି କାଟାକ୍ଷ କରିଛନ୍ତି । ଯାହାକୁ ନେଇ ଦୁଇ ଜାତୀୟ ଦଳ ଏବେ ମୁହାମୁହିଁ । ଆଉ ଦୁଇ ବିରୋଧୀଙ୍କୁ ତେରେଛା ବାଣ ମାରିଛି ବିଜେଡି ।

ସେପଟେ ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନର ସ୍ବର ତୀବ୍ର ହୋଇଛି । ପିସିସିଠାରୁ ତୃଣମୂଳ ଯାଏଁ ସଂଗଠନ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ହାଇକମାଣ୍ଡ ରାଜ୍ୟ ସଂଗଠନ ସମ୍ପର୍କରେ ଅବଗତ ଅଛନ୍ତି, ଠିକ ସମୟରେ ନେତୃତ୍ବ ପରିବତ୍ତର୍ନ କରିବେ ବୋଲି ସେ କହିଛନ୍ତି ।

ପଞ୍ଚାୟତ ଓ ପୌର ନିର୍ବାଚନରେ ଲୋକଙ୍କ ଦ୍ବାରା ଦୁଇ ଜାତୀୟ ଦଳ ପ୍ରତ୍ୟାଖ୍ୟାତ ହେବା ପରେ ଦୁଇ ବିରୋଧୀ ଦଳଙ୍କୁ ୨୦୨୪ର ଚିନ୍ତା ଘାରିଛି । ବିଭିନ୍ନ ନେତା ପରସ୍ପରକୁ ଦୋଷ ଦେବା ବିରୋଧୀ ସଂଗଠନକୁ ଦୋହଲା ଦେଇଇଛି ।