ଦିଅନ୍ତୁ ନାହିଁ ଆଧାରର ଫଟୋ କପି, ହୋଇପାରେ ଅପବ୍ୟବହାର

Don't share photocopy of Aadhaar card as it can be misused: Centre's advisory

ନୂଆଦିଲ୍ଲୀ: ସାରା ଦେଶରେ ଆଧାର କାର୍ଡକୁ ନେଇ ଠକେଇ ଓ ଜାଲିଆତି ବଢ଼ି ଚାଲିଥିବା ବେଳେ ଏନେଇ ଆଡଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର । କେବଳ ଆଧାର କାର୍ଡର ମାସ୍କଡ ଭର୍ସନ ବ୍ୟବହାର କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଧାର କାର୍ଡର ଅପବ୍ୟବହାର ଏହା ଜରିଆରେ ରୋକାଯାଇ ପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କୌଣସି ସଂଗଠନ ଯଦି ଆଧାର କାର୍ଡ ମାଗନ୍ତି ତେବେ ମୂଳ ଆଧାର କାର୍ଡ ନଦେଇ ମାସ୍କଡ କାର୍ଡକୁ ଦେବା ଲାଗି ପରାମର୍ଶ ଦିଆଯାଇଛି ।

ମାସ୍କଡ କାର୍ଡର ବିଶେଷତ୍ୱ ହେଉଛି ଏହାର ପ୍ରଥମ ୮ଟି ଡିଜିଟରେ ଛକ ଚିହ୍ନ ରହିବ । କେବଳ ଶେଷ ୪ଟି ନମ୍ବର କାର୍ଡରେ ପ୍ରଦର୍ଶିତ ହେବ । ସେହିପରି ଲାଇସେନ୍ସ ନଥିବା ବିଭିନ୍ନ ଘରୋଇ ସଂସ୍ଥା ଯଥା ହୋଟେଲ, ଫିଲ୍ମ ହଲ୍ କର୍ତ୍ତୃପକ୍ଷ ଲୋକଙ୍କଠାରୁ ଆଧାର କାର୍ଡ ସଂଗ୍ରହ କରିପାରିବେ ନାହିଁ କିମ୍ବା କାହାର ଆଧାର କାର୍ଡ ରଖିପାରିବେ ନାହିଁ । ଏନେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଦେଶର ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ବା ୟୁଆଇଏଡିଏଠାରୁ ୟୁଜର ଲାଇସେନ୍ସ ପାଇଥିବା ସଂସ୍ଥା ହିଁ ଲୋକଙ୍କ ଆଧାର କାର୍ଡ ବ୍ୟବହାର କରିପାରିବେ । ଏହା ସହ ନିଜର ଆଧାର କାର୍ଡ ଦେବା ପୂର୍ବରୁ ସେହି ସଂସ୍ଥାର ୟୁଆଇଡିଏଇ ଲାଇସେନ୍ସ ରହିଛି କି ନାହିଁ ଯାଞ୍ଚ କରିବା ଲାଗି କୁହାଯାଇଛି । ୟୁଆଇଡିଏଇ ୱେବସାଇଟରୁ ମାସ୍କଡ କାର୍ଡ ଡାଉନଲୋଡ କରିବା ଲାଗି ପରାମର୍ଶ ଦିଆଯାଇଛି ।