ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶରେ ବୈପ୍ଲବିକ ପରିବର୍ତ୍ତନ

1 min read
How Naveen Make Changes In School And Health System

ଭୁବନେଶ୍ୱର: ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଦକ୍ଷତା ବିକାଶରେ ଘଟିଛି ବୈପ୍ଲବିକ ପରିବର୍ତ୍ତନ । ଗୁଣାତ୍ମକ ଶିକ୍ଷା ପାଇଁ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅନେକ ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏସବୁ ସ୍କୁଲରେ ଅତ୍ୟାଧୁନିକ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସ୍ମାର୍ଟ ଲାଇବ୍ରେରୀ ସୁବିଧା ସହ, ସ୍ମାର୍ଟ କ୍ଲାସ ରୁମ୍‌, ସ୍ମାର୍ଟ ଲାବୋରେଟରୀ ବ୍ୟବସ୍ଥା ଉପଲବ୍ଧ କରାଯାଇଛି । କେବଳ ସେତିକି ନୁହେଁ, ବିଏସକେୱାଇ ସ୍ମାର୍ଟ କାର୍ଡ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାରେ ଏକ ଯୁଗାନ୍ତକାରୀ ଯୋଜନା । ଉପକୃତ ହେଉଛନ୍ତି ସାଢେ ୩ କୋଟି ହିତାଧିକାରୀ । ଡେବିଟ କାର୍ଡ ଭଳି ହିତାଧିକାରୀ ସ୍ୱାଇପ୍ କରି ରାଜ୍ୟ ଭିତରେ ଓ ବାହାରେ ଅନୁବନ୍ଧିତ ବଡ଼ ବଡ଼ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇପାରୁଛନ୍ତି ।

‘ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ନୂଆ ନୂଆ ଟେକ୍ନୋଲୋଜି ବାବଦରେ ଜାଣନ୍ତୁ । ବଡ଼ ବଡ଼ ସପ୍ନ ଦେଖନ୍ତୁ ଓ ଜୀବନର ସବୁ ଆହ୍ୱାନକୁ ସାମନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢନ୍ତୁ ।’ ଓଡ଼ିଆଙ୍କୁ ନିଜ ପରିବାର ମାନୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ହୃଦୟର କଥା… ନିଜ ରାଜ୍ୟର ପ୍ରତ୍ୟେକ ପିଲାଙ୍କୁ ଜ୍ଞାନଦୀପ୍ତିରେ ଦ୍ୱିପ୍ତୀମନ୍ତ କରିବାକୁ ସେ ଆଣିଛନ୍ତି ‘ମୋ ସ୍କୁଲ’ ବ୍ୟବସ୍ଥା । ଯାହା ଅଧୀନରେ 5T ଜରିଆରେ ଏଯାS ୨୦୦୦ରୁ ଅଧିକ ସ୍କୁଲ ରୂପାନ୍ତରିତ ହୋଇପାରିଛି । ଦୂର ହୋଇଛି ସହର ଏବଂ ଗାଁର ସ୍କୁଲ୍ ଭିତରେ ଥିବା ଫରକ । ସ୍ମାର୍ଟ କ୍ଲାସ ରୁମ୍, ଇ-ପାଠଶାଳା, କମ୍ପ୍ୟୁଟର ଲ୍ୟାବ୍, ଆଧୁନିକ ପରୀକ୍ଷାଗାରରେ ପାଠ ପଢୁଛନ୍ତି ପିଲା । ସ୍କୁଲରେ ହୋଇଛି ବିଶୁଦ୍ଧ ପାନୀୟ ଜଳ ସାଙ୍ଗକୁ ଉତ୍ତମ ପରିମଳ ବ୍ୟବସ୍ଥା ।

How Naveen Make Changes In School And Health System

ବିଦ୍ୟାଳୟର ବଦଲଥିବା ଚିତ୍ର ପାଇଁ ବେଶ୍ ମାନସମନ୍ଥନ ହୋଇଥିଲା । ସ୍କୁଲ ବିକାଶ ସହିତ ଜଡ଼ିତ ୯୦୦୦ ବ୍ୟକ୍ତି ବିଶେଷଙ୍କ ସହ 5T ସଚିବଙ୍କ ୭୦୦୦ ମିନିଟ୍ ଭିଡିଓ କନଫରେନ୍ସିଂ ପରେ ଯୋଜନାକୁ ମିଳିଥିଲା ଚୂଡ଼ାନ୍ତ ରୂପ । ସେପଟେ ସ୍କୁଲ ଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଥିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ଘୋଷ ଆହ୍ୱାନ । ରୂପାନ୍ତରଣର ଏ ଧାରାରେ ଯୋଡ଼ି ହୋଇ ଯାଇଥିଲେ ଅନେକ ବ୍ୟକ୍ତି ବିଶେଷ । ଜଣେ ବ୍ୟକ୍ତି ଚାହିଁଲେ ସର୍ବାଧିକ ୩ଟି ସ୍କୁଲକୁ ପୋଷ୍ୟ ଗ୍ରହଣ କରି ପାରିବେ । ବିଦ୍ୟାଳୟ ଗୁଡ଼ିକର ଏ ରୂପାନ୍ତରଣ ପ୍ରକ୍ରିୟାରେ ସ୍କୁଲର ପୂର୍ବତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ସଂଗଠକମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । 5Tର ସଫଳ ପ୍ରୟୋଗର ସବୁଠୁ ବଡ଼ ଉଦାହାରଣ ପାଲଟିଛି ମୋ-ସ୍କୁଲ କାର୍ଯ୍ୟକ୍ରମ ।

ସୁସ୍ଥ ଓ ନିରାମୟ ଓଡ଼ିଶା ନବୀନଙ୍କ ଅନ୍ୟତମ ଲକ୍ଷ୍ୟ । ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନ ପ୍ରଦାନ ଲାଗି ନବୀନଙ୍କ 5T ଟିମ୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ଓଡ଼ିଶା ଇତିହାସର ସବୁଠାରୁ ବଡ଼ ସଫଳତା । ଅସୁସ୍ଥ ଅସହାୟକୁ ହେଲଥ କାର୍ଡ ବଳ ଦେଉଛି । ସାଧାରଣ, ଗରିବ ଲୋକଙ୍କର ଚିକିତ୍ସା ଖର୍ଚ୍ଚ ଦୂର କରିଛି । ବିନା ଖର୍ଚ୍ଚରେ ରାଜ୍ୟ ତଥା ଦେଶର ଉତ୍ତମ ହସ୍ପିଟାଲରେ ଚିକିତ୍ସିତ ହୋଇପାରୁଛନ୍ତି ଲୋକେ । ରୋଗୀଟିଏ ହସ୍ପିଟାଲ ଗଲେ ସ୍ମାର୍ଟକାର୍ଡରେ ସମସ୍ତ ତଥ୍ୟ ରହୁଥିବାରୁ ତୁରନ୍ତ ମିଳିପାରୁଛି ଚିକିତ୍ସା । ହସ୍ପିଟାଲରେ ରାଜ୍ୟ ସରକାରଙ୍କ ପକ୍ଷରୁ ରହୁଥିବା ସ୍ୱାସ୍ଥ୍ୟ ମିତ୍ର ରୋଗୀଙ୍କୁ ସବୁ ସହଯୋଗ ଯୋଗାଇ ଦେଉଛନ୍ତି । ରାଜ୍ୟ ବାହାରେ ୬୫ଟି ବଡ଼ ବଡ଼ ହସ୍ପିଟାଲ ଏବଂ ରାଜ୍ୟ ଭିତରେ ୩୨୮ ହସ୍ପିଟାଲ ସମେତ ସମସ୍ତ ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ନିରନ୍ତର ଚିକିତ୍ସା ମିଳିପାରୁଛି ।

How Naveen Make Changes In School And Health System

ଏଯାବତ୍ ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ନିଜ ସହ ସାମିଲ କରିସାରିଛି ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ । ୨୦୨୧ ସେପ୍ଟେମ୍ବର ୧ରୁ କାର୍ଯ୍ୟକ୍ଷମ ହୋଇଥିଲା ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ । ଯେଉଁଥିରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳୁଛି । ବିଏସକେୱାଇରେ ବଢିଥିବା ଦୈନିକ ଖର୍ଚ୍ଚ ହିଁ ଯୋଜନାର ସଫଳତାକୁ ସୂଚାଉଛି । ଯୋଜନାରେ ୨୦୨୨ ଜାନୁଆରୀ ବେଳକୁ ଦୈନିକ ୧.୫୬ କୋଟି, ରାଜ୍ୟ ସରକାର ଖର୍ଚ୍ଚ କରୁଥିବା ବେଳେ ୨୦୨୨ ଏପ୍ରିଲ ବେଳକୁ ଦୈନିକ ଖର୍ଚ୍ଚ ୩.୧୨ କୋଟି ଛୁଇଁଛି । ଯୋଜନାର ଏ ବର୍ଦ୍ଧିତ ଖର୍ଚ୍ଚ ହିଁ ଏହାର ସଫଳତାର ବଡ଼ ପ୍ରମାଣ ।

ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ନେଇ ରାଜ୍ୟ ସରକାରଙ୍କ ରହିଛି ପଣ । ଏସସିବି ମେଡିକାଲରେ ଆଧୁନିକୀକରଣ ଦ୍ୱାରା ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ସୃଷ୍ଟି କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ସହଭାଗୀତାରେ ପ୍ରତିଷ୍ଠା ହୋଇଛି ୭ଟି ନୂଆ ମେଡିକାଲ କଲେଜ । ଖୁବଶୀଘ୍ର ଆଉ ୪ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବ । ଏଥିସହ ଏମ୍ସ ପରି ହଜାରେ ଶଯ୍ୟା ବିଶିଷ୍ଟ କଟକ ଏସସିବି ମେଡିକାଲ କଲେଜର ମଧ୍ୟ ସମ୍ପ୍ରସାରଣ କରାଯାଉଛି । ସେପଟେ ଯେମିତି ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିବନି ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ବହୁଳ ଜିଲ୍ଲାରେ ମଧ୍ୟ ଲୋକଙ୍କୁ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟସେବା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ବାୟୁ ସ୍ୱାସ୍ଥ୍ୟସେବା ଯୋଜନା । ସେହିଭଳି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନସର ରୋଗୀଙ୍କ ପାଇଁ କେମୋ ଥେରାପି ବ୍ୟବସ୍ଥା ଆରମ୍ଭ ହୋଇଛି ।

How Naveen Make Changes In School And Health System
FILE PIC

ନବୀନ କହିଛନ୍ତି ‘ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ସେ ଚାଷୀ ହେଉ ବା ମୂଲିଆ ଅବା ରିକ୍ସା ବାଲା ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ ।’ ନିଜର ପ୍ରିୟ ଓଡ଼ିଆଙ୍କୁ ସୁସ୍ଥ ଓ ସମୃଦ୍ଧ ଜୀବନ ଦେବାର ପ୍ରତିବଦ୍ଧତା ପାଇଁ ପ୍ରତିଟି ପାଦ ଆଗକୁ ବଢାଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।