spot_img
Home Blog Page 4417

ଏହି ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ ନହେଲେ…

• ମେଷ – ସ୍ବ-ଗୃହସ୍ଥ ରାହୁ ଏବଂ ସପ୍ତମସ୍ଥ କେତୁ
– ଦାମ୍ପତ୍ୟ ଏବଂ ପ୍ରେମ କରୁଥିବା ଜୀବନ, ବାଣିଜ୍ୟ ବ୍ୟବସାୟ, ରୋଜଗାର ଏବଂ ରାଜନିତି ଜୀବନ ରେ କୁ-ପ୍ରଭାବ ରହିବ ।

• ବୃଷ – ଦ୍ବାଦଶ(ବ୍ୟୟ ବାଦବିବାଦ) ଗୃହସ୍ଥ ରାହୁ ଏବଂ ୬ଷ୍ଠସ୍ଥ କେତୁ
– ସ୍ବ-ପରିଜନ ରେ ଏବଂ କର୍ମକ୍ଷେତ୍ରରେ ଅସହଯୋଗ ମିଳିବ, ବ୍ୟୟଭାର ବଢିବ, ସଂକ୍ରାମକ ରୋଗରେ ପିଡିତ ହେବେ, କଳହ ସ୍ଥିତି ଉପୁଜିବ ମାତ୍ର ରୋଜଗାର ବୃଦ୍ଧି ସହିତ ପଦୋନ୍ନତି ଏବଂ ରାଜନିତିରେ ସଫଳତା ।

• ମିଥୁନ – ଏକଅଦଶ ଲାଭଗୃହସ୍ଥ ରାହୁ ଏବଂ ପଞ୍ଚମ ଗୃହସ୍ଥ କେତୁ
– ପ୍ରତି କାର୍ଯ୍ଯରେ ପରିଶ୍ରମ ଅନୁଯାୟୀ ସଫଳତା, ସମସ୍ୟା ରୁ ମୁକ୍ତି, ବିବାହାଦି ଶୁଭକର୍ମ, ରୋଜଗାର ଆଶାଜନକ ବୃଦ୍ଧି, ସନ୍ତାନ ମାନଙ୍କୁ ସଫଳତା ପ୍ରାପ୍ତି ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ସହିତ ନିଜର ସ୍ବାସ୍ଥ୍ୟ ପ୍ରଭାବିତ ହେବ ।
• କର୍କଟ – ଶୁଭ ଦଶମ ଗୃହସ୍ଥ ରାହୁ ଏବଂ ଚତୁର୍ଥ ଗୃହସ୍ଥ କେତୁ
– କର୍ମକ୍ଷେତ୍ର ଏବଂ ରୋଜଗାର ରେ ଆଶାତିତ ଉର୍ଣ୍ଣତି, ଭୂମି ଯାନବାହାନ କଳକବଜା ଗୃହନିର୍ମାଣ ମାତୃ ସ୍ଥାନିୟାଙ୍କ ଦ୍ବାରା ଲାଭ ଇତ୍ୟାଦି ଶୁଭଫଳ ପ୍ରାପ୍ତି ଯୋଗ ରହିବ । ଛୋଟମୋଟ ଦୁର୍ଘଟଣା ସ୍ଥିତି ଘଟିବ ।

• ସିଂହ – ନବମ ଗୃହସ୍ଥ ରାହୁ ଏବଂ ତୃତୀୟ ଗୃହସ୍ଥ କେତୁ
– ଆଧ୍ୟାତ୍ମୀକତା ପ୍ରତି ଅଗ୍ରହ ବୃଦ୍ଧି, ବିଦେଶ ଯାତ୍ରା ଓ ବୈଦେଶିକ ବ୍ୟାପାର ରେ ସଫଳତା । ଚୋରି ଭୟ ରହିଛି, ଭାଇଭଉଣି ସଂପର୍କରେ ତିକ୍ତତା ।

• କନ୍ୟା – ଅଶୁଭ ୮ମସ୍ଥ ରାହୁ ଏବଂ ୨ସ୍ଥ କେତୁ
– ସ୍ବାସ୍ଥ୍ୟ, ଯାନବାହାନ ଚଳାଚଳ, ପାରିବାରିକ ତଥା ଜନସଂପର୍କ ଏବଂ କର୍ମକ୍ଷେତ୍ର ମଧ୍ୟ ସତର୍କ ରହିବାକୁ ପଡ଼ିବ । ମାତ୍ର ଆଷାଢ ମାସରୁ ଚୈତ୍ର ମାସ ସ୍ଥିତି କିଛି ଅଂଶରେ ଶୁଭଙ୍କର ରହିବ ।
• ତୁଳା – ସପ୍ତମ ଗୃହସ୍ଥ ରାହୁ ଏବଂ ସ୍ବ-ଗୃହ ତୁଳାସ୍ଥ କେତୁ
–  ସଂକ୍ରାମକ ବ୍ୟାଧି, ଦାମ୍ପତ୍ୟ ତଥା ପ୍ରେମ ଜୀବନରେ ଫାଟ ଏବଂ ସ୍ବାସ୍ଥ୍ୟକୁ ନେଇ ବ୍ୟୟ ବୃଦ୍ଧି, ବାଣିଜ୍ୟ ବ୍ୟବସାୟରେ, ଭାଗିଦାରି ବ୍ୟବସାୟରେ ଫାଟ, ବିବାହାଦି ଶୁଭକର୍ମରେ ବିଭ୍ରାଟ ଆଦି ଅଶୁଭ ପ୍ରଭାବ ରହିବ ।

• ବିଛା – ଶୁଭ ୬ଷ୍ଠ ଗୃହସ୍ଥ ରାହୁ ଏବଂ ୧୨ଶ ସ୍ଥ କେତୁ
– ଶୁଭ ଫଳ ଅନେକ କ୍ଷେତ୍ରରେ ପ୍ରାପ୍ତ କରିବେ, ବ୍ଯୟ ବୃଦ୍ଧି ହେବ ମାତ୍ର ଆୟ ପରିମାଣ ଅଧିକ ରହିବ, ବିବାହାଦି ଶୁଭକର୍ମ ହେବ । ଚଳନର ଶେଷଭାଗରେ ଆଇନ ଅଦାଲତର ସ୍ଥିତି ଉପୁଜିବ କିଛିକିଛି ସମସ୍ୟା ଆସିବ ।

• ଧନୁ – ୫ମସ୍ଥ ରାହୁ ଏବଂ ଅତିଶୁଭ ଏକାଦଶ ଲାଭ ଗୃହସ୍ଥ କେତୁ
– ବ୍ୟବସାୟିକ ଅଧିକ ସଫଳ ହେବ, ରୋଜଗାର ବୃଦ୍ଧି ହେବ, କର୍ମକ୍ଷେତ୍ର ରେ ସ୍ଥାୟିତ୍ବ ଆସିବ, ସନ୍ତାନ ମାନଙ୍କର ସର୍ବୋପରି ଉର୍ଣ୍ଣତି ଘଟିବ, ଚଳନର ଶେଷଭାଗ ଅଧିକ ସଫଳତା ପୂର୍ଣ୍ଣ ରହିବ ।
• ମକର – ୪ର୍ଥସ୍ଥ ରାହୁ ଏବଂ ୧୦ମସ୍ଥ କେତୁ
– ଶୁଭାଶୁଭ ମିଶ୍ରଫଳ ରହିବ, କର୍ମକ୍ଷେତ୍ର ସଫଳତା ପୂର୍ଣ୍ଣ ରହିବ, ଘରପରିବାର ଜ୍ଞାତିକୁଟୁମ୍ବ ଏବଂ ସହଭାଗି ମାନଙ୍କର ସହଯୋଗ ବଳରେ ବଳିୟାନ ହେବେ, ଆର୍ଥିକସ୍ଥିତି ସୁଦୃଢ ହେବ । ଗୃହନିର୍ମାଣ ଏବଂ ଭୂମି କ୍ରୟରେ ବାଧା ରହିବ ।

• କୁମ୍ଭ – ୩ୟସ୍ଥ ଶୁଭ ରାହୁ ଏବଂ ୯ମସ୍ଥ କେତୁ
– ସମ୍ପର୍କ ବୃଦ୍ଧି, ସାହାର୍ଯ୍ୟ ସହଯୋଗ ଏବଂ ଭାଇଭଉଣି ସହୋଦର ସମ୍ପର୍କରେ ଉର୍ଣ୍ଣତି, ବ୍ୟବସାୟ ଚାକିରିରେ ସଫଳ,ବିବାହାଦି ଶୁଭକର୍ମ ସମ୍ପର୍ଣ୍ଣ ହେବ, ରୋଜଗାର ବୃଦ୍ଧି । ଦୁର୍ଘଟଣା ଏବଂ ଚୋରିଭୟ ରହିବ ।

ମୀନ – ୨ୟସ୍ଥ ରାହୁ ଏବଂ ୮ମସ୍ଥ କେତୁ
– ରୋଜଗାରରେ ଅବନତି, ବ୍ୟବସାୟରେ କ୍ଷତି, ଚାକିରିରେ ଅପମାନ ଏବଂ ସ୍ଥାନାନ୍ତର ସ୍ଥିତି ଏବଂ ବାଦବିବାଦ ସ୍ଥିତି ସହଜରେ ଉପୁଯିବ, ସ୍ବାସ୍ଥ୍ୟହାନି ଘଟିବ, ଅଭାବି ସ୍ଥିତି ଲାଗିରହିବ, ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢିବ ।

କନ୍ଧମାଳରେ ଆରମ୍ଭ ହୋଇଛି ଦଣ୍ଡ ଉପାସନା 

କନ୍ଧମାଳ: ଜିଲ୍ଲାରେ ଆରମ୍ଭ ହୋଇଛି ଦଣ୍ଡ ଉପାସନା  । ଦଣ୍ଡ ଉପାସନା କରି ଭକ୍ତ ମାନେ ମାଆଙ୍କ ଆଶିଷ ଲାଭ କରନ୍ତି  । କାହିଁ କେଉଁ କାଳରୁ ଏହି ପରମ୍ପରା ଆଦିବାସୀ ମାନେ ପାଳି ଆସୁଛନ୍ତି ଏହି ଉପାସନା କରିବାକୁ ହେଲେ ଦଣ୍ଡରେ ଥିବା ଗୁହାରିଆ ମାନେ 14 ଦିନ କାଳ ବାହାରେ ବୁଲି ଦିନକୁ ଗୋଟଏ ବେଳେ ପଣା ପାଣି ପିଇ ଏହି ଉପାସନା କରନ୍ତି । ଏହି 14 ଦିନ ରେ ବାହରେ ବୁଲି ଧୂଳି ଦଣ୍ଡ କରନ୍ତି  । ଗୁମାଗଡ଼ର ବହୁ ପୁରାତନ ଦଣ୍ଡ ହେଲା ଅଗ୍ନି ଦଣ୍ଡ । ଏହି ଦଣ୍ଡରେ ମାଙ୍କ ଆଦେଶରେ 120 ଗୁହାରିଆ ପ୍ରତେକ ଦିନ ଧୂଳି ଦଣ୍ଡ ବେଳେ ନିଆଁ ରେ ଚାଲନ୍ତି ।

ବିଶ୍ୱାସ ରହିଛି ମାଆଙ୍କ ସ୍ୱପ୍ନ ହେବାପରେ ଦଣ୍ଡରେ ଥିବା ସବୁ ଗୁହାରୀଆ ନିଆଁରେ ଚାଲିବା ବାଧ୍ୟତାମୂଳକ । ମାର୍ଚ୍ଚ ୨୮ରୁ ବାହାରି ଏପ୍ରିଲ ୧୪ ତାରିଖ ପଣା ସଂକ୍ରାନ୍ତି ଯାଏ ଏହି ଯାତ୍ରା ଚାଲିବ । ମାନସିକ ରଖିଲେ ମା ପୂରଣ କରନ୍ତି ବୋଲି ଭକ୍ତଙ୍କ ବିଶ୍ବାସ ରହିଛି  । ତେଣୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏହିଠାରେ ପହଁଚିଥାନ୍ତି  । ଆବାହନ କାଳରୁ ରହିଆସିଥିବା ଏହି ପରମ୍ପରାକୁ ନିଷ୍ଠାର ସହ ପାଳନ କରିଆସନ୍ତି ଦଣ୍ଡ ଉପାସକ  ।

୧୪ ଦିନରେ ୧୨ ଥର ବଢିଲାଣି ପେଟ୍ରୋଲ, ମାଲକାନଗିରିରେ ଦର ୧୧୬ ଟଙ୍କା

ଭୁବନେଶ୍ୱର: ଆଜି ପୁଣି ବଢିଲା ତେଲ ଦର । ୧୪ ଦିନରେ ୧୨ ଥର ବଢିଲାଣି ଦର । ଦିଲ୍ଲୀରେ ୪୦ ପଇସା ଲେଖାଏ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୮୧ ପଇସା ହୋଇଥିବା ବେଳେ, ଡିଜେଲ ଲିଟର ୯୫ଟଙ୍କା ୭ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୪ ପଇସା ବଢି ୧୧୮ଟଙ୍କା ୮୩ ପଇସା ହୋଇଥିବା ବେଳେ, ଡିଜେଲ ଦର ୪୩ ପଇସା ବଢି ୧୦୩ଟଙ୍କା ୭ ପଇସାରେ ପହଞ୍ଚିଛି ।  ସେହିପରି ମାଲକାନଗିରିରେ ପେଟ୍ରୋଲ ଦର ୧୧୬ ଟଙ୍କା ଟପିଛି ।

ଭାରତ ବୟୋଟେକର କୋଭିଡ ଟିକା କୋଭାକ୍ସିନ୍ ଉପରେ କଟକଣା ଲଗାଇଲା WHO

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନର ଯୋଗାଣ ଉପରେ କଟକଣା ଲଗାଇଛି । ଜାତିସଂଘର ବିଭିନ୍ନ ଏଜେନ୍ସି ଜରିଆରେ କୋଭାକ୍ସିନର ଯୋଗାଣ ଉପରେ ରୋକ୍ ଲଗାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାଦ୍ୱାରା ଭାରତ ବାୟୋଟେକ ଟିକା ପ୍ରସ୍ତୁତ ପାଇଁ ଥିବା ବ୍ୟବସ୍ଥାକୁ ଅପଗ୍ରେଡ୍ କରି ତ୍ରୁଟିବିଚ୍ୟୁତି ଦୂର କରିପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି  । ତେବେ କୋଭାକ୍ସିନ ପ୍ରଭାବୀ ଟିକା  ।

ଏଥିରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  । କୋଭାକ୍ସିନ ଟିକା ଗ୍ରହଣ କରୁଥିବା ଦେଶଗୁଡିକ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସଂଗଠନ କହିଛି  । ମାର୍ଚ୍ଚ ୧୪ରୁ ୨୨ ଯାଏଁ ପୋଷ୍ଟ ଇମରଜେନସୀ ୟୁଜ୍ ଲିଷ୍ଟିଂ- ଇୟୁଏଲ ତଦାରଖ ପରେ କୋଭାକ୍ସିନ ଯୋଗାଣ ସ୍ଥଗିତ ରଖିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଷ୍ପତ୍ତି ନେଇଛି  । ଏଣେ ଟିକାର ଗୁଣାତ୍ମକ ମାନ ସହ କୌଣସି ସାଲିସ କରାଯାଇନାହିଁ ବୋଲି ଭାରତ ବାୟୋଟେକ କହିଛି  ।

ଏଥିସହିତ ପଢ଼ନ୍ତୁ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ବନ୍ଧୁକରେ ଗୁଳି ଫୁଟାଇ ପ୍ରାଣ ହାରିଲେ ଯୁବକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା କୁକୁଡ଼ାଖଣ୍ଡି ପେଟ୍ରୋଲ ପମ୍ପ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି  । ପାରିବାରିକ କଳହକୁ କେନ୍ଦ୍ରକରି ଯୁବକ ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି  । ବନ୍ଧୁକରେ ଗୁଳି ଫୁଟାଇ ପ୍ରାଣ ହାରିଲେ ଯୁବକ । ମୃତ ଯୁବକ ଜଣଙ୍କ ହେଲେ ଇ. ଜଗନ୍ନାଥ । ତାଙ୍କ ଘର ଗୋପୀନାଥପୁର ହୋଇଥିବା ବେଳେ ସେ କୁକୁଡ଼ାଖଣ୍ଡିରେ ଘର ଭଡ଼ା ନେଇ ରହୁଥିଲେ । ଘଟଣା ନିକଟରେ ଏକ ବନ୍ଧୁକ ପଡ଼ିରହିଥିବା ଦେଖିବାକୁ ମିଳିଛି  ।

ଏଥିସହିତ ପଢ଼ନ୍ତୁ: ଗ୍ରୀଷ୍ମ ତାତିଠୁ ବଢ଼ିଲାଣି ତେଲ ତାତି: ୧୧୦ ଟପିଲା ଦର

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ସାଙ୍ଗକୁ ବଢ଼ୁଛି ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ପାରା ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ ବଢ଼ିଛି । ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ. କୋରାପୁଟ, ଗଜପତି, ରାୟଗଡା ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ସେହିପରି କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ବାଲେଶ୍ୱର, ଭଦ୍ରକରେ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ଆଜି ରାଜ୍ୟର ୮ଟି ସହରରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ୪୧. ୬ ଡିଗ୍ରୀ ଟିଟିଲାଗଡ଼ ରହିଛି ସବୁଠାରୁ ଉତ୍ତପ୍ତ ସହର । ସେହିପରି ବଲାଙ୍ଗୀରରେ ୪୧.୫, ବୌଦ୍ଧରେ ୪୧.୫, ସମ୍ବଲପୁରରେ ୪୧.୧, ସୋନପୁରରେ ୪୧ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟପକ୍ଷରେ ୬ ଏପ୍ରିଲ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

ଏଥିସହିତ ପଢ଼ନ୍ତୁ: ତାତିରୁ ମିଳିବ ତ୍ରାହି, ୬ରେ ସୃଷ୍ଟି ହୋଇପାରେ ଲଘୁଚାପ

ଗ୍ରୀଷ୍ମ ତାତିଠୁ ବଢ଼ିଲାଣି ତେଲ ତାତି: ୧୧୦ ଟପିଲା ଦର

କୋଲକାତା: ଖାଉଟିଙ୍କ ଉପରେ ଚଡ଼କ । ପ୍ରତିଦିନ ବଢ଼ୁଛି ପେଟ୍ରୋଲ ଓ ଡିଜେଲ ଦର । ତେଲ ଦର ଏବେ ୧୧୦ ଟପିଲାଣି । ୧୩ ଦିନରେ ୮ ଟଙ୍କା ବଢ଼ିଲାଣି ତେଲ ଦର । ଫଳରେ ପ୍ରତିଟି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ହୋଇଛି । ଏନେଇ ଦେଶବାସୀଙ୍କ ମଧ୍ୟ ଅସନ୍ତୋଷର ବହ୍ମି ଜଳିଛି । ବିଭିନ୍ନ ସ୍ଥାନରେ ବିଦ୍ରୋହର ସ୍ୱର  ଉଠିଥିବା ଦେଖବାକୁ ମିଳିଛି ।

ଗ୍ରୀଷ୍ମ ତାତିଠୁ ବଳିଗଲାଣି ତେଲ ତାତି । ଅତିଷ୍ଠ ହେଲେଣି ଦେଶବାସୀ । ୧୩ ଦିନରେ ୮ ଟଙ୍କା ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ଆଜି ତେଲ ଦର ୮୦ ପଇସା ବୃଦ୍ଧି । ପେଟ୍ରୋଲ ଲିଟର ୧୦୩ ଟଙ୍କା ୪୧ ପଇସା ଓ ଡିଜେଲ ଲିଟର ୯୪ ଟଙ୍କା ୬୭ ପଇସାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ଦର ୮୪ ପଇସା ବଢି ୧୧୮ଟଙ୍କା ୪୧ ପଇସା ହୋଇଥିବା ବେଳେ, ଡିଜେଲ ଦର ୮୫ ପଇସା ବଢି ୧୦୨ଟଙ୍କା ୬୪ ପଇସାରେ ପହଞ୍ଚିଛି । ଓଡ଼ିଶାରେ ତେଲ ଦର ବୃଦ୍ଧି ନେଇ ଅସନ୍ତୋଷ ବଢୁଛି । ଭୁବନେଶ୍ୱରରେ ଆଜି ତେଲ ଦର ୮୫ ପଇସା ବଢିଛି । ଫଳରେ ପେଟ୍ରୋଲ ଦର ୧୧୦ ଟଙ୍କା ପାର କରିଛି । ସେହିଭଳି ଡିଜେଲ ଦର ୧୦୦ ଟପିଛି । ମାଲକାନଗିରିରେ ପେଟ୍ରୋଲ ଦର ୮୪ ପଇସା ବଢି ରାଜ୍ୟର ସର୍ବାଧିକ ୧୧୫ ଟଙ୍କା ୯୦ ପଇସାରେ ପହଞ୍ଚିଛି । ଡିଜେଲ ଦର ୫୮ ପଇସା ବୃଦ୍ଧି ପାଇ ୧୦୫ ଟଙ୍କା ୪୮ ପଇସା ହୋଇଛି ।

ପଶ୍ଚିମବଙ୍ଗରେ ବି ତେଲ ଦରରେ ନିଆଁ । କୋଲକାତାରେ ପେଟ୍ରୋଲ ଦର ୮୪ ପଇସା ବଢି ୧୧୩ ଟଙ୍କା ୩ପଇସା ହୋଇଥିବା ବେଳେ, ଡିଜେଲ ଦର ୮୦ ପଇସା ବଢି ୯୭ଟଙ୍କା ୮୨ ପଇସାରେ ପହଞ୍ଚିଛି । ଏହି ଦର ବୃଦ୍ଧି ବିରୋଧରେ ଅଭିନବ ବିକ୍ଷୋଭ କରିଛି ଟିଏମସି । ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳରେ ଗାଡିରେ ନିଆ ଲଗାଇ ବିରୋଧ ପ୍ରଦର୍ଶନ କରିଛନ୍ତି ନେତା ଓ ଜନତା । କେବଳ ପେଟ୍ରୋଲ, ଡିଜେଲ ନୁହଁ, ରନ୍ଧନ ଗ୍ୟାସ ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଵୃଦ୍ଧି ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏନେଇ ଏକ ବିରାଟ ଜନଆନ୍ଦୋଳନର ମୁଣ୍ଡ ଟେକିବା ସମ୍ଭାବନା ସୃଷ୍ଟି ହୋଇଛି ।

ଏଥିସହିତ ପଢ଼ନ୍ତୁ: କାଠରେ ମାଆ ତାରା ତାରିଣୀଙ୍କ ମନ୍ଦିର ନିର୍ମାଣ କଲେ ଦିଲ୍ଲୀପ

ବିଜେଡି ପକ୍ଷରୁ କାକରୁଦ୍ରପୁର ପଞ୍ଚାୟତରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବାଲିପାଟଣା: ବିଜୁ ଜନତା ଦଳ ପକ୍ଷରୁ କାକରୁଦ୍ରପୁର ପଞ୍ଚାୟତ କଲ୍ୟାଣମଣ୍ଡପ ଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବାଲିଅନ୍ତା ଏବଂ ବାଲିପାଟଣା ବ୍ଲକର ନବନିର୍ବାଚିତ ସରପଞ୍ଚ ସମିତି ସଭ୍ୟ ସଭ୍ୟାମାନଙ୍କୁ ନେଇ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଡକ୍ଟର ଅରବିନ୍ଦ ଢ଼ାଲି ଯୋଗଦେଇଥିଲେ ।

ନିବନିର୍ବାଚିତ ଜନପ୍ରତିନିଧିଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ । ସମସ୍ତ ନବନିର୍ବାଚିତ ଜନପ୍ରତିନିଧି ମାନେ କିଭଳି ଏକ ମନଭାବ ରଖି ଜୟଦେବ ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ କାର୍ଯ୍ୟ କରିବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର କାର୍ଯ୍ୟ ଶୈଳୀକୁ ଅନୁସରଣ କରି ଆଗାମୀ ଦିନରେ ପଞ୍ଚାୟତକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ସଂକଳ୍ପ ବଦ୍ଧ କରିଲେ ନବନିର୍ବାଚିତ ଜନପ୍ରତିନିଧି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶତାଧିକରେ ବିଜେଡି କର୍ମୀ ଯୋଗ ଦେବା ସହ ପୂର୍ବତନ ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।

ଏଥିସହିତ ପଢ଼ନ୍ତୁ: କାଠରେ ମାଆ ତାରା ତାରିଣୀଙ୍କ ମନ୍ଦିର ନିର୍ମାଣ କଲେ ଦିଲ୍ଲୀପ

ପାକିସ୍ତାନରେ କାର୍ଯ୍ୟକାଳ ପୂର୍ଣ୍ଣ ନକରି ପଦବୀ ଛାଡ଼ିଛନ୍ତି ୨୮ ପ୍ରଧାନମନ୍ତ୍ରୀ: ସେନା ଶାସନ କରିଛି ୨୮ବର୍ଷ

ଇସ୍‌ଲାମାବାଦ୍: ପୁଣି ଥରେ ପାକିସ୍ତାନକୁ ଫେରିବ କି ସାମରିକ ଶାସନ ? ଏହି ପ୍ରଶ୍ନ ଉଠିବାର କାରଣ ହେଉଛି ଯେ, ପାକିସ୍ତାନକୁ ଏବେ ୭୫ ବର୍ଷ । ଆଉ ଏହି ୭୫ ବର୍ଷରୁ ସେନା ଶାସନ କରିଛି ୨୮ ବର୍ଷ । ରହିଛନ୍ତି ୧୭ ଜଣ ରାଷ୍ଟ୍ରପତି । କାର୍ଯ୍ୟକାଳ ପୂର୍ଣ୍ଣ ନକରି ପଦବୀ ଛାଡିଛନ୍ତି ୨୮ ପ୍ରଧାନମନ୍ତ୍ରୀ । ଅର୍ଥାତ କୌଣସି ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ପର୍ଯ୍ୟନ୍ତ ନିଜର ନିର୍ଦ୍ଧାରିତ କାର୍ଯ୍ୟକାଳ ପୂରଣ କରିପାରିନାହାଁନ୍ତି । ଇମ୍ରାନ ଖାନ ମଧ୍ୟ ୫ବର୍ଷର କାର୍ଯ୍ୟକାଳ ପୂରା କରି ନପାରି ୩ ବର୍ଷ ୯ ମାସରେ ପ୍ରଧାନମନ୍ତ୍ରୀ ଅଫିସରୁ ବିଦା ହୋଇଛନ୍ତି । ଶାସନରେ ପୂର୍ଣ୍ଣଛେଦ ଟାଣିଛନ୍ତି । ବର୍ତ୍ତମାନ ପାକିସ୍ତାନର ରାଜନୈତିକ ଅସ୍ଥିରତା ସେହି ଆଶଙ୍କାର କଥା କହୁଛି ।
କୁହାଯାଏ ଯେ, ସବୁ ଦେଶ ପାଖରେ ଗୋଟିଏ ସେନା ଥାଏ । କିନ୍ତୁ ପାକିସ୍ତାନ ବାବଦରେ ଏହା ମିଛ । କାରଣ ପାକିସ୍ତାନ ପାଖରେ ସେନା ନାହିଁ । ପାକିସ୍ତାନୀ ସେନା ପାଖରେ ଅଛି ଗୋଟିଏ ଦେଶ । ଏହି ବାକ୍ୟକୁ ଯଦି ତର୍ଜମା କରିବେ ତେବେ ଦେଖିବାକୁ ପାଇବେ ଗୋଟିଏ ସାଂଘାତିକ ସତ୍ୟ । ଯାହା କହୁଛି ପାକିସ୍ତାନୀ ସେନା ହେଉଛି ଦେଶ ଭିତରେ ଆଉ ଗୋଟିଏ ଦେଶ । ତେବେ ଏମିତି କାହିଁକି ହେଲା ? କିଛି କୁହନ୍ତି ଯେ, ଯଦି ୧୧ ସେପ୍ଟେମ୍ବର ୧୯୪୮ରେ ଗୋଟିଏ ଆମ୍ୱୁଲାନ୍ସର ପେଟ୍ରୋଲ ସରିନଥାନ୍ତା ତେବେ ପାକିସ୍ତାନରେ ମଧ୍ୟ ଗଣତାନ୍ତ୍ରିକ ସରକାର ଥା’ନ୍ତା । ପାକିସ୍ତାନୀ ସେନା ମଧ୍ୟ ସରକାର ଅଧିନରେ କାମ କରିଥାନ୍ତା ।

୧୧ ସେପ୍ଟେମ୍ବର ୧୯୪୮ ମସିହା । ହଠାତ ଅସୁସ୍ଥ ହୋଇପଡନ୍ତି ପାକିସ୍ତାନ ନିର୍ମାତା ମହମ୍ମଦ ଅଲ୍ଲୀ ଜିନ୍ନା । ସେନା ହେଲିକପ୍ଟରରେ କ୍ୱେଟାରୁ କରାଚୀ ଆସୁଥାନ୍ତି । ବାରମ୍ବାର ଅକ୍ସିଜେନର ଆବଶ୍ୟକତା ପଡୁଥାଏ । ବିମାନବନ୍ଦରରେ ଅବତରଣ ପରେ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଏ । ପଛେ ପଛେ ବ୍ୟକ୍ତିଗତ ଡାକ୍ତର, ନର୍ସ, ପ୍ରାଇଭେଟ ସେକ୍ରେଟେରୀ ଏବଂ ପାକିସ୍ତାନର ସେନାର ଅନେକ ବରିଷ୍ଠ ଅଧିକାରୀଙ୍କ ଗାଡ଼ି ବାହାରି ଯାଇଥାଏ । ସେପଟେ ହସ୍ପିଟାଲରେ ପହଁଚିବାକୁ ମାତ୍ର ୬ କିମି ବାକି ରହିଥିବାବେଳେ ଆମ୍ବୁଲାନ୍ସରୁ ପେଟ୍ରୋଲ ସରିଗଲା । ଆମ୍ବୁଲାନ୍ସକୁ ଠିକ୍ କରିବାକୁ ଲାଗିଯାଏ ୨୦ ମିନିଟ । ଏହାରି ଭିତରେ ରାସ୍ତାରେ ଟ୍ରାଫିକ ଜାମ ହୋଇଯାଇଥାଏ । ଆଉ ଗୁରୁତର ମହମ୍ମଦ ଅଲ୍ଲି ଜିନ୍ନାଙ୍କ ମୃତ୍ୟୁ ହୋଇଯାଇଥାଏ । ତେବେ ଜିନ୍ନାଙ୍କ ମୃତ୍ୟୁ ପରେ ପାକିସ୍ତାନ ରାଜନୀତିରେ ଦେଖାଯାଏ ଅସ୍ଥିରବସ୍ଥା । ଏଭଳି ଘଟଣାକ୍ରମ ଭିତରେ ପାକିସ୍ତାନ ସେନା ଜାରି କରେ ସାମରିକ ଶାସନ । ଯାହା ସ୍ୱାଧୀନ ପାକିସ୍ତାନରେ ପ୍ରଥମ ସାମରିକ ଶାସନ । ତେବେ ଯଦି ସେଦିନ ଜିନାଙ୍କ ମୃତ୍ୟୁ ନହୋଇଥାନ୍ତା ତେବେ ପାକିସ୍ତାନ ସେନା ଶାସନରୁ ବିରତ ରହିଥାନ୍ତା କି ?
ଏହି ଦେଶର ରାଜନୀତି ଆହୁରି ମଧ୍ୟ ଦେଖିଛି କ୍ଷମତାଧାରୀଙ୍କ ମନଗହନରେ ମଥା ଟେକୁଥିବା ଅତ୍ୟନ୍ତ ତୀବ୍ର ଅସୁରକ୍ଷାର ଭାବ । ଯାହା ସେଠାକାର ରାଜନୀତିକୁ ପ୍ରକାରାନ୍ତରେ ଏକ ‘ସାପ ଶିଡି’ ଖେଳରେ ପରିଣତ କରିଥାଏ। ଏମିତି ମଧ୍ୟ ସେଠାରେ ସେନା କରିପାରେ ଖେଳ । ୧୯୭୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କୁ ସାମରିକ ଶାସକ ଜେନେରାଲ ଜିଆ ଉଲ୍ ହକ୍ ବନ୍ଦୀ କରନ୍ତି । ଏକ ପ୍ରାୟୋଜିତ ମାମଲାରେ ଦୋଷୀ ସାବ୍ୟସ୍ତ ମଧ୍ୟ କରାନ୍ତି । ପରବର୍ତ୍ତୀ ସମୟରେ ଫାଶୀରେ ଝୁଲାଇ ଦେବା ଭଳି ଦୁଃସାହାସ ମଧ୍ୟ କରନ୍ତି । ଆଉ ଏହା ପରେ ୧୦ ବର୍ଷ କାଳ ନିରଙ୍କୁଶ ଏକଛତ୍ରବାଦୀ ଶାସନ ଚଳାଏ ପାକିସ୍ତାନ । ସେହିପରି ୧୯୮୫ ମସିହାରେ ପାକିସ୍ତାନରେ ନିର୍ବାଚନ ଆୟୋଜନ ହୁଏ । ଯେଉଁଥିରେ ମହମ୍ମଦ ଖାଁ ଜୁନେଜୋ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଏହା ପରେ ଜିଆ ଉଲ୍ ହକ୍‌ଙ୍କ ମନରେ ରହିଥିବା ଅସୁରକ୍ଷାର ଭାବନା ଏଭଳି ବୃଦ୍ଧି ପାଇଥିଲା ଯେ ସେ ସମ୍ବିଧାନରେ ଅଷ୍ଟମ ସ˚ଶୋଧନ ଆଣି ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାରୁ ଅପସାରଣ କରିବାର ନିରଙ୍କୁଶ କ୍ଷମତା ରାଷ୍ଟ୍ରପତିଙ୍କୁ ଅର୍ଥାତ୍ ନିଜକୁ ଅର୍ପଣ କରିଥିଲେ।
୧୯୯୯ ମସିହାରେ ଘଟଣାକ୍ରମରେ କିପରି ପାକିସ୍ତାନ ସେନାଧୢକ୍ଷ ପରଭେଜ ମୁସାରଫ ଏକ ସାମରିକ ବିଦ୍ରୋହ ନଵାଜ ସରିଫଙ୍କୁ ଗାଦିଚ୍ୟୁତ କରି ନିଜେ ପଦବୀରେ ଅଭିଶିକ୍ତ ହୋଇଥିଲେ ତାହା ସମସ୍ତଙ୍କୁ ଜଣା । ଜିଆ କିମ୍ବା ମୁଶାରଫ ଆଗରେ କ୍ଷମତା ଦଖଲର ପୁରୁଣଆ ଉଦାହରଣ ଥିଲା । ଜେନରାଲ ଆୟୁବ ଖାନ୍ ହୁଅନ୍ତୁ କିମ୍ବା ୟାହିଆ ଖାନ ସମସ୍ତେ ଆଗରୁ ଗଣତାନ୍ତ୍ରିକ ସରକାରକୁ କ୍ଷମତାରୁ ବେଦଖଲ କରି ନିଜ ଶାସନ ପ୍ରତିଷ୍ଠା କରିଥିଲେ । ତେଣୁ ଏବେ ଯଦି ପୁଣିଥରେ ପାକିସ୍ତାନରେ ସାମରିକ ଶାସନ ଆରମ୍ଭ ହୁଏ ତେବେ ସେଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ଅବଶ୍ୟ ପାକିସ୍ତାନୀ ନିର୍ବାଚିତ ସରକାର ସମ୍ବିଧାନ କମ ସେନା ଆଗରେ ଅଧିକ ଉତ୍ତରଦାୟୀ ହୋଇଥାଏ । ସରକାର କେବଳ ସେନାର ମୁଖା,ତେଣୁ ସରକାରରେ ଯିଏ ବସିଲେ ବି ସେନା କ୍ଷମତା ଉପରେ କିଛି ମଧ୍ୟ ପ୍ରଭାବ ପଡେନାହିଁ ।

କାଠରେ ମାଆ ତାରା ତାରିଣୀଙ୍କ ମନ୍ଦିର ନିର୍ମାଣ କଲେ ଦିଲ୍ଲୀପ

ପୁରୁଷୋତ୍ତମପୁର: କାଠରେ ସୂକ୍ଷ୍ମ କଳାକୃତି । ତିଆରି ହୋଇଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର । ଏହି କ୍ଷୁଦ୍ରତମ ଅବିକଳ କଳାକୃତିକୁ ତିଆରି କରିଛନ୍ତି ବ୍ରହ୍ମପୁରର ଶିଳ୍ପୀ ଦିଲ୍ଲୀପ ମହାରାରଣା । ପୂର୍ବରୁ ଶ୍ରୀମନ୍ଦିର, ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ମୁଖା, ନନ୍ଦିଘୋଷ ରଥ ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡ ଓ ଏସିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ଏବେ ଚୈତ୍ର ମେଳା ଅବସରରେ ମା’ ତାରାତାରିଣୀଙ୍କ ମନ୍ଦିର ତିଆରି କରି ପୁଣି ଚର୍ଚ୍ଚାରେ ଦିଲ୍ଲୀପ ।

କାଠରେ ଗଞ୍ଜାମ ଅଧିଷ୍ଟାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର । ମାତ୍ର ୪ ଇଞ୍ଚରେ କଳାକୃତିରେ ମୁଖ୍ୟ ମନ୍ଦିର ସମେତ ଜଗମୋହନ, ନାଟ ମଣ୍ଡପ ସାଙ୍ଗକୁ ପଞ୍ଚୁ ଦେବଦେବୀଙ୍କ ଜଜ୍ଞବେଦୀ । ଅତି ନିଖୁଣ ଭାବେ ଖୋଦିତ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି ବ୍ରହ୍ମପୁର ଶିଳ୍ପୀ ଦିଲ୍ଲୀପ ମହାରଣା । ଏହାକୁ ତିଆରି କରିବାକୁ ଦିଲ୍ଲୀପଙ୍କୁ ୭ ଦିନ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କର ପ୍ରୟାସରୁ ତାରାତାରିଣୀ ମନ୍ଦିର ବିଶ୍ୱସ୍ତରୀୟ ଭାସ୍କର୍ଯ୍ୟର ମାନ୍ୟତା ଲାଭ କରିବା ସହ ଏଠାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିଛି । ତେଣୁ ମନ୍ଦିରର ଏହି ପ୍ରତିକୃତିକୁ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହାତରେ ଉପହାର ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଦିଲ୍ଲୀପ ।

ଏହି କଳାକୃତି ତିଆରିରେ ଦିଲ୍ଲୀପଙ୍କ ତାଙ୍କ ବାପା, ମାମୁ, ଭାଇ ଓ ପରିବାର ଲୋକେ ସହଯୋଗ କରିଛନ୍ତି । ଏଥିପାଇଁ ତାରାତାରିଣୀ ମନ୍ଦିରର ସେବକ ସଂଘ ତାଙ୍କୁ ତଥ୍ୟ ପ୍ରଦାନ କରିଥିଲେ । ଦିଲୀପଙ୍କ ଏପରି କାର୍ଯ୍ୟକୁ ଅଞ୍ଚଳରେ ଲୋକେ ପ୍ରଶଂସା କରିଛନ୍ତି । ପୂର୍ବରୁ ଶ୍ରୀମନ୍ଦିର, ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ମୁଖା, ନନ୍ଦିଘୋଷ ରଥ ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡ ଓ ଏସିଆ ବୁକ ଅଫ୍ ରେକର୍ଡରେ ଗ୍ରାଣ୍ଡମାଷ୍ଟର ସହ ଏକ୍ସକ୍ଲୁସିଭ ଓ୍ବାଲ୍ଡ ରେକର୍ଡ୍ସରେ ନିଜକୁ ସ୍ଥାନିତ କରିବାରେ ସଫଳ ହୋଇଥିଲେ ।

ଏଥିସହିତ ପଢ଼ନ୍ତୁ: ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ