ସ୍ମାର୍ଟ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ: କହିଲେ- ଏହା ପିଲାଙ୍କ ସ୍ବପ୍ନରେ ଡେଣା ଯୋଡିଛି

1 min read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୪୪୦ଟି ସ୍ମାର୍ଟ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ଏଥିରେ ଥିଲା କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା, ରାୟଗଡ଼ା ଓ ଦେବଗଡ଼ ଜିଲ୍ଲା । କେନ୍ଦୁଝର ଜିଲ୍ଲାର ୧୪୫, ସୁନ୍ଦରଗଡର ୧୮୦, ରାୟଗଡର ୭୦ ଓ ନୂଆପଡାର ୪୫ଟି ହାଇସ୍କୁଲ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ଆଲୋଚନାରେ ଭାଗ ନେଇ କେନ୍ଦୁଝରରୁ ଲକ୍ଷ୍ମୀ, ରାୟଗଡାରୁ କସ୍ତୁରୀ, ନୂଆପଡାରୁ ଶୁଭଶ୍ରୀ, ଓ ସୁନ୍ଦରଗଡରୁ ଦେବରାଜ ଆଦି ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତବ୍ୟରେ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣନା କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ । ସେ କହିଥିଲେ, ‘ପିଲାମାନେ ଆଜି ତୁମର ଆନନ୍ଦ ଓ ଉତ୍ସାହ ମୁଁ ଅନୁଭବ କରିପାରୁଛି । ତୁମ ସ୍କୁଲ ଆଜି ନୂଆ ରୂପ ନେଇଛି । କେବଳ ନୂଆ ରୂପ ନେଇ ନାହିଁ, ତୁମ ଭିତରେ ନୂଆ ଆଶା ଓ ସଙ୍କଳ୍ପ ସୃଷ୍ଟି କରିଛି । ତୁମମାନଙ୍କ ଏ ଖୁସିରେ ସାମିଲ ହୋଇ ମୁଁ ବି ବହୁତ ଖୁସି । ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡି ପାରିଛି । ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି ।  ତେଣୁ ଆତ୍ମବିଶ୍ୱାସର ସହ ଆଗକୁ ବଢ ।’

ସେ ଆଗକୁ କହିଥିଲେ, ‘ସ୍କୁଲ ହେଉଛି ଶ୍ରେଷ୍ଠ ସମୟ । ଏ ରୂପାନ୍ତର ତୁମମାନଙ୍କୁ ଶ୍ରେଷ୍ଠ କରି ଗଢିବା ପାଇଁ ସୁଯୋଗ ସୃଷ୍ଟି କରିଛି । ଗତବର୍ଷ ଅଗଷ୍ଟରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧ ହଜାର ୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତର ହୋଇଛି । ଏଥିରେ ୨୯୬୦ ସ୍କୁଲରେ ରୂପାନ୍ତର କାମ ଶେଷ ହେଲା । ମୁଁ ବହୁତ ଖୁସି ଯେ, ଆଜି କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା ଓ ରାୟଗଡ଼ା ଜିଲ୍ଲାର ୪୪୦ ସ୍କୁଲର ରୂପାନ୍ତର ହେଲା । ଏ ସ୍କୁଲ ଗୁଡିକ 5T କାର୍ଯ୍ୟକ୍ରମର ଉଦାହରଣ ।’

ପିଲାମାନଙ୍କୁ 5Tର ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ‘ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର ।  ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି ଟିମଓ୍ବାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି  ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି । ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି  ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି । ଏହି ସ୍ବଚ୍ଛତା ହେଉଛି 5T କାର୍ଯ୍ୟକ୍ରମର ବଡ ଶକ୍ତି ।’

ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଶିକ୍ଷା ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ’ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜ ପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କର ।’

କାର୍ଯ୍ୟକ୍ରମରେ ବିଧାୟକ ପ୍ରେମାନନ୍ଦ ନାୟକ,  ବିଧାୟକ ଜଗନ୍ନାଥ ସାରକା, ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ବିଧାୟକ ସାରଦା ପ୍ରସାଦ ନାୟକ ପ୍ରମୁଖ ଉଦବୋଧନ ଦେଇ ମାନବ ସମ୍ବଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦର୍ଶୀ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ ।