ଓଡ଼ିଶା ପାଇବ ପ୍ରଥମ ମହିଳା ବାଚସ୍ପତି, ସଂଧ୍ୟାରେ ନାଁ ଘୋଷଣା..

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ରାଜନୀତିରେ ଲେଖା ହେବାକୁ ଯାଉଛି ନୂଆ ଇତିହାସ  । ବିଧାନସଭାର ମୁଖିଆ ହୋଇପାରନ୍ତି  ଜଣେ ମହିଳା  ।  ଅର୍ଥାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷରେ ପରିବର୍ତ୍ତନ ହେବାକୁ ଯାଉଛି ମନ୍ତ୍ରୀମଣ୍ଡଳ  ।  ଆଉ ମନ୍ତ୍ରୀମଣ୍ଡଳରେ ମହିଳାକୁ ମିଳିବାକୁ ଯାଉଛି ଗୁରୁ ଦାୟିତ୍ୱ  । ସେପଟେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ପ୍ରଦାନ କରିଛନ୍ତି  । ତେବେ ଏକଥା ସ୍ପଷ୍ଟ ଯେ, ବିଧାନସଭାରେ ନୂଆ ବାଚସ୍ପତି ହେବାକୁ ଯାଉଛନ୍ତି । ତାହା ପୁଣି ଜଣେ ମହିଳାଙ୍କୁ  ଏହି ଗୁରୁ ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଛି  ।

ଓଡିଶା ରାଜନୈତିକ ଇତିହାସରେ ଆଜି ପର୍ଯ୍ୟନ୍ତ ବାଚସ୍ପତି ଭାବେ କୈଣସି ମହିଳାଙ୍କୁ ସୁଯୋଗ ମିଳିପାରିନାହିଁ  । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଇତିହାସରେ ଗାର ଟାଣିବାକୁ ଯାଉଛନ୍ତି  । ଦଳର ଜଣେ ବରିଷ୍ଠ ମହିଳା ବିଧାୟକଙ୍କୁ ଦେବାକୁ ଯାଉଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ  । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଉଥିବାବେଳେ ୩୩ ପ୍ରତିଶତ ମହିଳାଙ୍କୁ ରାଜନୀତିରେ ସଂରକ୍ଷଣ  ଦେବାକୁ ନେଇ ବାରମ୍ବାର ଦାବି ଉପସ୍ଥାପନ କରିଛନ୍ତି  ।

ଉଚ୍ଚ ସଦନ ଠାରୁ ନିମ୍ନ ସଦନ ପର୍ଯ୍ୟନ୍ତ ଏହି ପ୍ରସଙ୍ଗ ଉଠାଇ ଆସିଛି ବିଜୁ ଜନତା ଦଳ  । ତେବେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ସୁପ୍ରିମୋ ମହିଳାଙ୍କୁ ୩୩ ପ୍ରତିଶତ ଆସନରେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିଲେ  । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସରକାରରେ ପରିବର୍ତ୍ତନ କରିବାକୁ ଯାଉଥିବାବେଳେ  ଜଣେ ବରିଷ୍ଠ ମହିଳାଙ୍କୁ ବାଚସ୍ପତି ଆସନ ଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି  । ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ,ଦଳର ଜଣେ ବରିଷ୍ଠ ବିଧାୟିକାଙ୍କ ନାମରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ  । ନବୀନ ପଟ୍ଟନାୟକ ସରକାର ପ୍ରଥମ ଥର ପାଇଁ ମନ୍ତ୍ରୀମଣ୍ଡଳର ସମୁହ ଇସ୍ତଫା ଦେଇଥିବାବେଳେ ରବିବାର ଶପଥ ଗ୍ରହଣ କରିବେ ନୂତନ ମନ୍ତ୍ରୀ  ।