ନୂଆ ମନ୍ତ୍ରୀ ତାଲିକାରେ କାହାର ନାଁ ? ସମ୍ଭାବ୍ୟ ତାଲିକାକୁ ନେଇ ଧଡଧଡ଼

ନନ୍ଦିଘୋଷ ବ୍ୟୁରୋ : ନେତାଙ୍କ ଛାତି ଧଡଧଡ଼  । ସମୟ ପାଖେଇ ଆସୁଛି, ହୃଦ ସ୍ପନ୍ଦନ ବଢୁଛି  । ୨୦ ମନ୍ତ୍ରୀଙ୍କ ଇସ୍ତଫା ପରେ କାହାକୁ ମିଳିବ ସୁଯୋଗ  । କାହାକୁ କଲ କରିବେ ସୁପ୍ରିମୋ  । କାହାର ହେବ ଭାଗ୍ୟ ଉଦୟ  । ଏନେଇ ସମସ୍ତେ ଆଶା ବାନ୍ଧି ବସିଛନ୍ତି  । ତେବେ ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳିର ତୃତୀୟ ବର୍ଷରେ ପରିବର୍ତ୍ତନ କରିବାକୁ ଯାଉଥିବା ମନ୍ତ୍ରୀ ମଣ୍ଡଳରେ ଯୁବ ଓ ମହିଳାଙ୍କୁ ବିଶେଷ ପ୍ରାଧାନ୍ୟ ଦେବା ନେଇ ଚର୍ଚ୍ଚା ହେଉଛି  । ଏବଂ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ସମ୍ଭାବ୍ୟ ଯୁବ ମନ୍ତ୍ରୀଙ୍କ ନାମ  ।

ମୁଖ୍ୟମନ୍ତ୍ରୀ ଘୋଷଣା କରିବାକୁ ଯାଉଥିବା ମନ୍ତ୍ରୀ ତାଲିକା ଅର୍ଥାତ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଏହି ବିଧାୟତକଙ୍କ ନାମ ଥିବା ନେଇ ଆଲୋଚନା ହେଉଛି  । ସୂଚନା ମୁତାବକ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥି, ବଦ୍ରି ନାରାୟଣ ପାତ୍ର, ଅତୁନ ସବ୍ୟସାଚୀ ନାୟକ ଆଦିଙ୍କ ନାମ ନୂତନ ତାଲିକାରେ ସ୍ଥାନିତ ହେବା ନେଇ ଚର୍ଚ୍ଚା ହେଉଛି  । ସେହିପରି ଅନେକ ମହିଳା ଚେହେରାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିପାରନ୍ତି ନବୀନ  ।

ସେହିପରି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ସମ୍ବଲପୁର ବିଧାୟକ ରୋହିତ ପୂଜାରୀ, ବାସନ୍ତୀ ହେମ୍ବ୍ରମ, ପ୍ରତାପ ଦେବ, ଲତିକା ପ୍ରଧାନ, ପ୍ରଦୀପ ଅମୀତଙ୍କ ଭଳି ଅନେକ ନେତାଙ୍କ ନା ଆଲୋଚନା ହେଉଛି  । ତେବେ ରାଜ୍ୟପାଳ ପୁରୀ ଗସ୍ତରେ ଥିବାବେଳେ ସଂଧ୍ୟା ୮ରେ ପ୍ରତ୍ୟାବର୍ତ୍ତନ କରିବେ  । ଏହା ପରେ ରାଜ୍ୟପାଳଙ୍କ ନିକଟକୁ ନୂତନ ମନ୍ତ୍ରୀମଣ୍ଡଳର ତାଲିକା ପଠାଯିବ ଏବଂ ଏହା ପରେ ହିଁ ମନ୍ତ୍ରୀ ମାନଙ୍କ ନାମ ସ୍ପଷ୍ଟ ହୋଇପାରିବ  । ତେବେ ଦେଖିବାକୁ ବାକି ରହିଲା ନବୀନଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ କାହା ନାମରେ ବାଜୁଛି ମୋହର  ।

ମିଳିଥିବା ସୂଚନା ମୁତାବକ ସଂଧ୍ୟା ସାଢେ ୫ଟାରୁ ନବୀନ ନିବାସରୁ ନେତାଙ୍କ ନିକଟକୁ ଫୋନ କଲ ଯାଉଛି  । ଯେଉଁମାନେ ନୂତନ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ସେମାନଙ୍କୁ ରବିବାର ଲୋକସେବା ଭବନ କନଭେନସନ ହଲକୁ ନିମନ୍ତ୍ରଣ କରାଯାଉଛି  ।  ମନ୍ତ୍ରିମଣ୍ଡଳରେ ସେମାନଙ୍କ ନାମ ଥିବା ନେଇ ମଧ୍ୟ ସ୍ପଷ୍ଟ କରାଯାଉଥିବା ଚର୍ଚ୍ଚା ହେଉଛି  । ସେହିପରି ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଓଡିଶା ରାଜନୈତିକ ଇତିହାସରେ ଜଣେ ମହିଳାଙ୍କୁ ବିଧାନସଭାରେ ବାଚସ୍ପତି ଭାବେ ଅଭିଶିକ୍ତ କରିବାକୁ ଯାଉଥିବା କୁହାଯାଉଛି  ।