ସ୍ନାନ ବେଦୀକୁ ଆସିବେ ଶ୍ରୀଜିଉ, ତିନି ଘଣ୍ଟା ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ଦେବସ୍ନାନ ପୂର୍ଣ୍ଣିମା । ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ବେଶ ଦେଖିବାକୁ ଭକ୍ତଙ୍କୁ ସ୍ନାନବେଦୀ ଉପରେ ତିନି ଘଣ୍ଟା ସମୟ ମିଳିବ । କିନ୍ତୁ ଶ୍ରୀବିଗ୍ରହ ମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ ଭକ୍ତ । ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୁଖ୍ୟତଃ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ଶେଷ କରିବା ନେଇ ଆଲୋଚନା ହୋଇଛି । ଜୁନ୍ ୧୪ରେ ହେବାକୁ ଥିବା ଦେବ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପରିଚାଳନା କମିଟି ବୈଠକରେ ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକୁ ସବକମିଟି ଚୁଡାନ୍ତ କରିଥିବା ବେଳେ ମୋହର ମାରିଛି ପରିଚାଳନା କମିଟି। ସ୍ନାନ ପୂର୍ଣ୍ଣିମା ଦିନ ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ। ଜୁନ୍ ୧୪ରେ ଭୋର ୪ଟାରେ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ। ସକାଳ ୯.୩୦ରୁ ୧୧.୩୦ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ୧୨.୧୫ ରେ ଛେରା ପହଁରା ଓ ୧୨.୩୦ରୁ ୨.୩୦ ମଧ୍ୟରେ ହାତୀବେଶ ଶେଷ କରାଯିବ। ସକାଳେ ପରିମାଣିକ ଟିକେଟ ଦର୍ଶନ ବ୍ୟବସ୍ଥା କରାଯିବାକୁ ବ୍ୟବସ୍ଥା କରାଯାଇଛି ।

ବିଶେଷ କରି ପ୍ରଭୁଙ୍କ ଜଳଲାଗିକୁ ଶୃଙ୍ଖଳିତ କରିବା ଓ ହାତୀବେଶ ଓଲାଗି ସମୟରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସମ୍ପୃକ୍ତ ସେବାୟତ ମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ଜଳଲାଗି ଓ ହାତୀବେଶ ସମୟରେ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଯେଭଳି କୈାଣସି ସେବାୟତ ଠିଆ ହୋଇ ବାଧା ସୃଷ୍ଟି କରିବେ ନାହିଁ ଏହା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ସ୍ନାନ ମଣ୍ଡପରେ ସିସିଟିଭି ଓ ଭିଡିଓ ରେକର୍ଡିଂ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ସବୁ ସେବାୟତଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ନୀତିକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରାଯିବ ବୋଲି ସେବାୟତ କହିଛନ୍ତି  ।