ରାଜ୍ୟରେ ଗ୍ରୀଷ୍ମ ପ୍ରବାହ, ଆହୁରି ୨ଦିନ ପଶ୍ଚିମ ଓଡ଼ିଶାରେ କରିବ କଲବଲ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆହୁରି ଦୁଇଦିନ ପଶ୍ଚିମ ଓଡ଼ିଶାରେ ତାତି ଅନୁଭୂତ ହେବ । ଏଥିପାଇଁ ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର ଓ ବୌଦ୍ଧ ଆଦି ୫ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣଂ ଜାରି କରାଯାଇଛି । ତାତି ସାରା ରାଜ୍ୟରେ ଏଭଳି ଲାଗି ରହିବ । ଉପକୂଳରେ ଆଭ୍ୟନ୍ତରୀଣ ଅପେକ୍ଷା ତାପମାତ୍ରା ସାମାନ୍ୟ କମ ରହିଛି ହେଲେ ଦିନରେ ଗୁଳୁଗୁଳି କଲବଲ କରୁଛି ।

ସେହିଭଳି ଆଜି ଓ ଆସନ୍ତାକାଲି କିଛି ଜିଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡା, ଢେଙ୍କାନାଳ, ମୟୁରଭଞ୍ଜରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି । ଅନ୍ୟ ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ଟାଣ ଖରା ଅନୁଭୂତ ହେବ।