ନୀଳାମ୍ବୁ ଚିଲିକାରେ ଚାଲିବ ’ଗରୁଡ଼’: ପାଣିରେ ବିତିବ ରାତି, ମିଳିବ ଫାଇଭ୍ ଷ୍ଟାର ସୁବିଧା..

ନନ୍ଦିଘୋଷ ବ୍ୟୁରୋ: ଏବେ ଚିଲିକା ମଝିରେ ହେବ ସେଲିବ୍ରେସନ  । ଜନ୍ମଦିନ, ରିଙ୍ଗ ସେରମୋନି, ବିବାହ ବାର୍ଷିକୀ ପାଳନ, ରାତ୍ରି ଯାପନ ବ୍ୟାବସ୍ଥା ସହ ଇତ୍ୟାଦିର ମଜା ନେଇ ପାରିବେ ପର୍ଯ୍ୟଟକ । ଚିଲିକାରେ ଚାଲିବ ହାଉସବୋଟ । ରାଜ୍ୟରେ ପ୍ରଥମ ଥର ପାଇଁ ପାଣି ଭିତରେ ମିଳିବ ଲକ୍ଜୁରିୟସ ସୁବିଧା । ପାଣିରେ କଟିବ ରାତି, ମିଳିବ ରେଷ୍ଟୁରାଣ୍ଟ ଖାଦ୍ୟ  ।  ପର୍ଯ୍ୟଟନର ଶ୍ରୀବୃଦ୍ଧି କରିବାକୁ ରାଜ୍ୟ ସରକାର ନୀଳାମ୍ବୁ ଚିଲିକାରେ ଭସାଇବାକୁ ଯାଉଛନ୍ତି ଗରୁଡ  । ଜୁନ ୯ ତାରିଖରେ ଏହି ହାଇ ଫ୍ୟାସିଲିଟ ହାଉସବୋଟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ  । ଏନେଇ ସୂଚନା ଦେଇଛି ପରିଚାଳନା ଦାୟିତ୍ୱ ନେଇଥିବା ବିକାଶ ଇକୋ ରିସୋର୍ଟସ  ।

ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ମୂଲ୍ୟ ଧାର୍ଯ୍ୟ କରାଯିବ । ପର୍ଯ୍ୟଟକଙ୍କ ଖୁସି ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ ସହ ସବୁ ପ୍ରକାରର ସୁବିଧା ବୋଟରେ ଉପଲବ୍ଧ ରହିଛି । ଡବଲ୍ ଇଞ୍ଜିନ୍ ବିଶିଷ୍ଟ ଏହି ବୋଟର ଲମ୍ବା ୧୦୫ଫୁଟ୍, ଓସାର ୨୨ଫୁଟ୍ ରହିଛି । ଚିଲିକାର ଜଳବାୟୁ ଓ ପରିବେଶ ଅନୁଯାୟୀ ଏହାର ଡିଜାଇନ୍ କରାଯାଇଛି । ବୋଟ୍ର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର୍ ସହିତ ଲାଉଞ୍ଜ ଅଛି ।

୩୦ଜଣ ଲୋକ ଏକାଠି ହୋଇପାରିବେ । ସୁସ୍ୱାଦୁ ମଧ୍ୟାହ୍ନଭୋଜନ, ହାଇ ଟି, ରାତ୍ରିଭୋଜନ ଓ ସକାଳ ଜଳଖିଆ ମିଳିବ । ବୋଟରେ ଥିବା ପ୍ରାଇଭେଟ୍ ଲାଉଞ୍ଜରେ ୪ଟି ପ୍ରିମିୟମ ରୁମ୍ ରହିଛି । ଦୁଇଟି ସୁଟ୍ ରୁମରେ ନୀଳାମ୍ବୁ ଚିଲାକାର ମନୋରମ ଦୃଶ୍ୟକୁ ୧୮୦ଡିଗ୍ରୀରୁ ଉପଭୋଗ କରିପାରିବେ । ତା’ ସାଙ୍ଗକୁ କିଙ୍ଗ ସାଇଜ୍ ବେଡ୍, ବସିବା ଲାଗି ରାଜକୀୟ ସୋଫାର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ବେଳାଭୁମି କୂଳରେ ଛୋଟ ପିଲାମାନେ ବିଭିନ୍ନ ପ୍ରକାରର ଖେଳ ଖେଳିପାରିବେ । ବଡ଼ମାନେ ସନ୍‌ବାଥ୍‌ ଓ ମସାଜ୍‌, ଦୁଃସାହସିକ କ୍ରୀଡ଼ା, ବେଳାଭୂମି କ୍ରୀଡ଼ା, ମାଛ ଧରିବା, ପାଣିରେ ଦୋଳି ଖେଳିବା, ସମୁଦ୍ର କୂଳରେ ତମ୍ବୁଟାଣି କିଛି ସମୟ କଟାଇବାର ମଜା ନେବେ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବୋଟ୍‌ରେ ଜୀବନ ସୁରକ୍ଷା ଉପକରଣ ରହିବ । ଜରୁରୀକାଳିନ ସ୍ଥାନାନ୍ତର ଲାଗି ବ୍ୟାକ୍‌ଅପ୍‌ ବୋଟ୍‌ ସୁବିଧା, ସେଫ୍ଟି ସେନ୍‌ସର୍ସ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବ । ପରିବେଶ ସୁରକ୍ଷା ଲାଗି ବୋଟ୍‌ ଚାଲିବା ଦ୍ୱାରା ପ୍ରଦୂଷଣ ଓ ବର୍ଯ୍ୟବସ୍ତୁ ପରିଚାଳନାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।