ଡାକ୍ତରୀ ବିଜ୍ଞାନ ପାଇଁ ଖୁସି ଖବର, ମେଡିସିନ ଖାଇ ସୁସ୍ଥ ହେଲେ କ୍ୟାନସର ରୋଗୀ

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱ ଡାକ୍ତରୀ ବିଜ୍ଞାନ ପାଇଁ ଏକ ଖୁସି ଖବର , ଯାହା କି ଲକ୍ଷ ଲକ୍ଷ ଲୋକଙ୍କ ମୁହଁରେ ହସ ଫୁଟାଇପାରେ । କାରଣ ଏମିତି ଏକ ଅବିଶ୍ୱସନୀୟ ଚମତ୍କାର ହୋଇଛି, ଯାହା କି କ୍ୟାନସର ରୋଗୀଙ୍କ ମନୋବଳ ବୃଦ୍ଧି କରିବ । ନ୍ୟୁୟର୍କରେ ରେକ୍ଟାଲ କ୍ୟାନସରରେ ପୀଡିତ କିଛି ରୋଗୀଙ୍କ ଉପରେ ପରୀକ୍ଷାମୂଳକ ଭାବେ ଏକ ଔଷଧର ପ୍ରୟୋଗ କରାଯାଇଥିଲା । ୧୮ ଜଣ ରେକ୍ଟାଲ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଦିଆଯାଇଥିଲା ସେହି ଏକା ଏକା ଔଷଧ । ଚିକିତ୍ସା ଥିଲା ପରୀକ୍ଷାମୂଳକ । କିନ୍ତୁ ୬ ମାସର ଚିକିତ୍ସା ପରେ ଏହାର ଫଳାଫଳ ଥିଲା ଅତି ଚମତ୍କାର ହୋଇଛି । ସବୁ ରୋଗୀ କ୍ୟାନସରମୁକ୍ତ ହୋଇଥିବା ଜଣା ପଡିଛି ।

ସୂଚନା ମୁତାବକ ସେମାନଙ୍କୁ ଦିଆଯାଇଥିଲା ଦୋସ୍ତାରଲିମାବ ନାମକ ଏକ ଔଷଧ । ଆଉ ୬ ମାସ ପରେ ସବୁ ରୋଗୀଙ୍କ ଟ୍ୟୁମର ଉଭେଇଯାଇଥିଲା । ଏହା ଥିଲା ଏକ ଛୋଟ କ୍ଲିନିକାଲ ଟ୍ରାଏଲ୍ । ଦୋସ୍ତାରଲିମାବ ହେଉଛି ଏକ ପରୀକ୍ଷାଗାର ପ୍ରସ୍ତୁତ ଔଷଧ କଣିକା ଯାହା, ମାନବ ଶରୀରରେ ଆଂଟିବଡି ଭାବେ କାମ କରେ । ଏହି ଔଷଧ ପ୍ରୟୋଗ ଦ୍ବାରା ସବୁ ରୋଗୀ ସୁସ୍ଥ ହୋଇଯାଇଥିଲେ । କ୍ୟାନସର ରୋଗର ଇତିହାସରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଛି ବୋଲି ନ୍ୟୁୟର୍କର ମେମୋରିଆଲ ସ୍ଲୋଆନ କେଟେରିଙ୍ଗ କ୍ୟାନସର ସେଣ୍ଟରର ଡକ୍ଟର ଲୁଇସ ଏ. ଡିଆଜ କହିଛନ୍ତି ।

ନ୍ୟୁୟର୍କ ଟାଇମସ ରିପୋର୍ଟ ଅନୁସାରେ କ୍ଲିନିକାଲ ଡ୍ରଗ ଟ୍ରାଏଲର ସମ୍ମୁଖୀନ ହୋଇଥିବା ରୋଗୀମାନେ ପୂର୍ବରୁ କେମୋଥେରାପି, ରାଡିଏସନ ଓ ସର୍ଜରୀର ସହାୟତା ନେଇଥିଲେ ମଧ୍ୟ ଆରୋଗ୍ୟ ହୋଇ ନ ଥିଲେ । ଆଉ ସେମାନଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । କ୍ୟାନସର ଏକ ମାରାତ୍ମକ ବ୍ୟାଧି । ପ୍ରତିବର୍ଷ କ୍ୟାନସରରେ କୋଟିଏରୁ ଅଧିକ ଲୋକ ପ୍ରାଣ ହରାଇଥାଆନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ୨୦୨୦ରେ ବ୍ରେଷ୍ଟ କ୍ୟାନସର, ଫୁସଫୁସ କୋଲୋନ ଓ ରେକ୍ଟମ, ପ୍ରୋଷ୍ଟେଟ୍ , ଚର୍ମ ଓ ପାକସ୍ଥଳୀ କ୍ୟାନସରରେ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ । ଫୁସଫୁସ , କୋଲନ ଏବଂ ରେକ୍ଟମ କ୍ୟାନସରରେ ପୀଡିତଙ୍କ ମୃତ୍ୟୁ ସଂଖ୍ୟା ଅଧିକ ଥିଲା ।