ଭୁବନେଶ୍ୱର: ଆଜି ପୁଣି ଗଡ଼ିବ ରୁକୁଣା ରଥ । ଆଜି ତିନି ମୁଣ୍ଡିଆ ଛକଠାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଟଣାଯିବ ରୁକୁଣା ରଥ । ଅପରାହ୍ନ ୩ଟାରେ ନୀତିକାନ୍ତି ଶେଷ ହେବା ପରେ ରଥ ଟଣା ଆରମ୍ଭ ହେବ । ଗତକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ତିନି ମୁଣ୍ଡିଆ ଛକ ଠାରେ ରଥ ଅଟକିଥିଲା । ରାତିରେ ମନ୍ଦିରରେ ଦୈନଦିନ ନୀତିକାନ୍ତି ସମ୍ପନ୍ନ ହେବା ସହ ସମାନ୍ତର ଭାବେ ରଥ ଉପରେ ଲିଙ୍ଗରାଜଙ୍କ ନୀତିକାନ୍ତି କରିଥିଲେ ସେବାୟତ । ତେବେ ଆଜି ବି ରଥ ଟଣା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ । ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ବଳବତ୍ତର ରହିଛି । କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ପରେ ରଥ ଟଣାରେ ସାମିଲ ହୋଇଛନ୍ତି ଭକ୍ତ । ମହାପ୍ରଭୁ ଲିଙ୍ଗରାଜଙ୍କୁ ରୁକୁଣା ରଥରେ ଦେଖି ଭାବବିହ୍ୱଳ ହୋଇଛନ୍ତି ଶ୍ରଦ୍ଧାଳୁ ।
ଭାରତୀୟ ପାଣିପାଗ ବିଭାଗର twitter ଆକାଉଣ୍ଟ ହ୍ୟାକ୍ ! ଠିକ୍ ହେବାକୁ ଲାଗିଲା…
ନୂଆଦିଲ୍ଲୀ: ପାଣିପାଗ ବିଭାଗର ଟ୍ୱିଟର ହ୍ୟାଣ୍ଡେଲକୁ ଠିକ୍ କରି ଦିଆଯାଇଛି । ଏହି ଟ୍ୱିଟର ହ୍ୟାଣ୍ଡେଲକୁ ୨ ଘଣ୍ଟାରୁ ଅଧିକ ସମୟ ଧରି ହ୍ୟାକ୍ କରାଯାଇଥିଲା । ତେବେ ଗତ ଶନିବାର ଦିନ ହ୍ୟାକର୍ସ ଏହାକୁ ହ୍ୟାକ୍ କରି ଏହା ଉପରେ NFT ଟ୍ରେଣ୍ଡିଂ ଆରମ୍ଭ କରିଦେଇଥିଲେ । ଏହି ଟ୍ୱିଟର ଆକାଉଣ୍ଟରେ ଏକ ପିନ୍ କରାଯାଇଥିବା ମାସେଜ ଦେଖାଯାଇଥିଲା ଯାହା କିଛି NFT ଟ୍ରେଣ୍ଡିଂ ସହ ଜଡିତ ଥିଲା | ହ୍ୟାକର୍ସ ପ୍ରଥମେ ଏହାର ପ୍ରୋଫାଇଲ୍ ଚିତ୍ର ପରିବର୍ତ୍ତନ କରିଥିଲେ, ଏବଂ ତା’ପରେ ପୁଣି ପ୍ରୋଫାଇଲ୍ ଚିତ୍ର ହଟାଇଦେଇଥିଲେ । ପାଣିପାଗ ବିଭାଗ ଏହି ଆକାଉଣ୍ଟକୁ ହ୍ୟାକର୍ସଙ୍କଠୁ ନିଜ ଅଧିନକୁ ଆଣିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା ।
India Meteorological Department's Twitter account hacked pic.twitter.com/3Z9cvXuyFf
— ANI (@ANI) April 9, 2022
ସୂଚନା ଅନୁସାରେ, ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଙ୍କ ଟ୍ୱିଟର ଆକାଉଣ୍ଟ ଶନିବାର ହ୍ୟାକ୍ ହୋଇଯାଇଥିଲା । ଆକାଉଣ୍ଟକୁ ହ୍ୟାକ କରି ହ୍ୟାକର୍ସ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି । ଏହା ସହିତ ଏକ ଜିଆଇଏଫ ମଧ୍ୟ ସେୟାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଇଏମଡିଙ୍କ ଟ୍ୱିଟର ଆକାଉଣ୍ଟରେ ଅଢେଇଲକ୍ଷରୁ ଅଧିକ ଫଲୋଅର ଅଛନ୍ତି। ବିଭାଗୀୟ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ସ୍ପଷ୍ଟ କରିଥିଲେ ।
Hello Everyone! IMD's Official account @Indiametdept got verified by twitter.
Therefore, we have decided to move from this secondary account to IMD's official account. All of you are requested to follow us on @Indiametdept to continue to receive regular weather updates. pic.twitter.com/29fkLtoz7d
— IMD Weather (@IMDWeather) June 25, 2020
ତେବେ ଆଇଏମଡିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ପୂର୍ବରୁ ହ୍ୟାକରମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟର ମଧ୍ୟ ହ୍ୟାକ୍ କରିଥିଲେ । ଏ ନେଇ ଶନିବାର ସାଇବର କ୍ରାଇମ ଥାନାରେ ଅଜ୍ଞାତ ହ୍ୟାକରଙ୍କ ବିରୋଧରେ ଲିଖିତ ଏତଲା ମଧ୍ୟ ଦିଆଯାଇଛି। ମାମଲାର ପୋଲିସ ତଦନ୍ତ ଜାରିଥିବା ବେଳେ ହ୍ୟାକରଙ୍କ ସନ୍ଧାନ ଲାଗି ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯାଇଛି। ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟର ରିକୋଭର କରିଦିଆଯାଇଥିଲା ।
ଶ୍ରୀଲଙ୍କାରେ କେବେ ସୁଧୁରିବ ସ୍ଥିତି ? ରାଷ୍ଟ୍ରପତି ବିରୋଧରେ ଜୋରଦାର ହୋଇଛି ବିକ୍ଷୋଭ ଓ ପ୍ରତିବାଦ
କଲମ୍ବୋ: ସଂକଟ ଭିତରୁ କେବେ ମୁକୁଳିବ ଶ୍ରୀଲଙ୍କା । ଅର୍ଥନୈତିକ ସଂକଟ ମଧ୍ୟରେ ଦୁର୍ବିସହ ହୋଇପଡିଛି ସାଧାରଣ ଲୋକଙ୍କ ନିତିଦିନିଆ ଜୀବନ । ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହେବାରୁ ଲୋକେ ହନ୍ତସନ୍ତ ହେବାରେ ଲାଗିଛନ୍ତି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ବିରୋଧରେ ଜୋରଦାର ହୋଇଛି ବିକ୍ଷୋଭ ଓ ପ୍ରତିବାଦ । ଦିନକୁ ଦିନ ବଢିବାରେ ଲାଗିଛି ବିକ୍ଷୋଭକାରୀଙ୍କ ସଂଖ୍ୟା । ରାସ୍ତାଘାଟରେ ସରକାର ବିରୋଧୀ ସ୍ବର ।

ଅନ୍ୟପଟେ ଦେବାଳିଆ ସ୍ଥିତିରୁ ଉଦ୍ଧାର ପାଇଁ ଶ୍ରୀଲଙ୍କାକୁ ଅବିଳମ୍ବେ ବୈଦେଶିକ ସୂତ୍ରରୁ ୩୦୦ କୋଟି ଡଲାର ସହାୟତା ଆବଶ୍ୟକ ବୋଲି କୁହାଯାଉଛି । ଏହି ଅର୍ଥ ମିଳିଲେ ଅନ୍ତତଃ ଆଗାମୀ ୬ ମାସ ମଧ୍ୟରେ ଦେଶର ସ୍ଥିତି ସୁଧୁରିପାରେ । ଶନିବାର ଏଭଳି ମନ୍ତବ୍ୟ ରଖିଛନ୍ତି ଶ୍ରୀଲଙ୍କା ଅର୍ଥ ମନ୍ତ୍ରୀ ଅଲୀ ସାବରୀ । ଏହାଦ୍ବାରା ତୈଳ, ଔଷଧ, ଖାଦ୍ୟ ଓ ଜରୁରୀ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଣ ସୁଧୁରିବା ଆଶା ରହିଛି ବୋଲି ସେ କହିଛନ୍ତି । ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ସାବରୀ ଗଣମାଧ୍ୟମକୁ ପ୍ରଥମ ଥର ସମ୍ବୋଧନବେଳେ କହିଛନ୍ତି ଯେ ଏହି ଅର୍ଥ ସଂଗ୍ରହ କାଠିକର ପାଠ; ତଥାପି ଏ ସମ୍ପର୍କରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ସହ ଆଲୋଚନା କରାଯିବ । ଏ ନେଇ ଦେଶର ଅଧିକାରୀମାନେ ପ୍ରସ୍ତୁତ ହେଉଛନ୍ତି ଏବଂ ଆସନ୍ତା ୧୮ରେ ଆଲୋଚନା ଆରମ୍ଭ ହେବ ବୋଲି ସାବରୀ କହିଛନ୍ତି ।

ଶ୍ରୀଲଙ୍କା ସରକାର ଆନ୍ତର୍ଜାତିକ ସଭରେନ୍ ବଣ୍ଡ ବ୍ୟବସ୍ଥାର ପୁନର୍ଗଠନ କରିବା ସହ ଦେୟ ବ୍ୟବସ୍ଥା ନେଇ ପ୍ରତିଶ୍ରୁତିବଦ୍ଧତା ପାଳନ କରିବେ। ଏତଦ୍ ବ୍ୟତୀତ ସରକାର କିଛି କଠୋର ଆର୍ଥିକ ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ସେ କହିଛନ୍ତି। ଚଳିତ ସପ୍ତାହ ସୁଦ୍ଧା ଶ୍ରୀଲଙ୍କାର ଋଣ ପରିମାଣ ୭୦୦କୋଟି ଡଲାର ଥିବା ସେ କହିଛନ୍ତି।
ସ୍ଥିତି ସୁଧାରିବା ପାଇଁ ଯୋଗାଣ ବ୍ୟବସ୍ଥାକୁ ପ୍ରଥମେ ସ୍ବାଭାବିକ କରିବାକୁ ପଡ଼ିବ; ଯାହାଦ୍ବାରା ଲୋକଙ୍କ ସମସ୍ୟାର ସମାଧାନ ହେବ। ସେମାନେ ଆଉ ପ୍ରତିକ୍ରିୟାଶୀଳ ହେବେ ନାହିଁ ବୋଲି ସାବରୀ କହିଛନ୍ତି । ଲୋକେ ପ୍ରତିକ୍ରିୟାଶୀଳ ହେବା ସ୍ବାଭାବିକ; କିନ୍ତୁ ହିଂସାକାଣ୍ଡ ନ ଘଟିବା ଉଚିତ ବୋଲି ସେ ମତ ଦେଇଛନ୍ତି। ଅପରପକ୍ଷରେ ଶ୍ରୀଲଙ୍କାରେ ସରକାର ବିରୋଧୀ ବିକ୍ଷୋଭ ଅବ୍ୟାହତ ରହିଛି। ଜନତା ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଅଟଳ ଅଛନ୍ତି।
କେଉଁ ରାଶିର ଯୋଡ଼ି ବିବାହ କଲେ ସମ୍ପର୍କ ଭାଙ୍ଗିଯାଏ …
ଯୋଡ଼ି ସବୁବେଳେ ମନ ମୁତାବକ ହେବା ଉଚିତ୍ । ଏହାଦ୍ୱାରା ସମସ୍ତ ସମସ୍ୟା ଚଟକୀରେ ସମାଧାନ ହୋଇଯାଏ । ଆଉ ଯଦି ଯୋଡ଼ି ଭଲ ନଥାଏ ତେବେ ସାରା ଜୀବନ କଳି ଝଗଡ଼ା ମଧ୍ୟରେ ବିତିଥାଏ । ଶେଷକୁ ସମ୍ପର୍କରେ ଦୂରତା ଆସିଯାଏ ଏବଂ ସମ୍ପର୍କ ଭାଙ୍ଗି ମଧ୍ୟ ଯାଏ । ଏହା ହେବାର କାରଣ ଦୁଇଜଣଙ୍କ ବ୍ୟକ୍ତିତ୍ୱ ଭିନ୍ନ ଭିନ୍ନ ହୋଇଥାଏ । ତେବେ କେଉଁ ରାଶିର ଯୋଡ଼ିଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହୁଏ ଏବଂ ବ୍ରେକ ଅପ ହୋଇଯାଏ ଆସନ୍ତୁ ଆଲୋଚନା କରିବା ।

ମେଷ-କର୍କଟ: ଏହି ଦୁଇ ରାଶି ମଧ୍ୟରେ ସଂପର୍କ ଏତେ ଭଲ ରହେ ନାହିଁ । ଖୁବଶୀଘ୍ର ବ୍ରେକଅପ ହୋଇଯାଏ ।
ବୃଷ-ସିଂହ: ଏହି ଦୁଇ ରାଶିର ବ୍ୟକ୍ତି ଖୁବ ରାଗି ହୋଇଥାନ୍ତି । ଏମାନଙ୍କ ସଂପର୍କରେ ଜିଦିଆ ଗୁଣ ଏବଂ ଗର୍ବ କାଳ ସାଜେ । ଦୁଇଜଣ କ୍ରୋଧ ସମୟରେ କେହି କାହାକୁ ବୁଝାଇ ପାରନ୍ତି ନାହିଁ ।
ମିଥୁନ-କନ୍ୟା: ଏମାନଙ୍କ ବ୍ୟକ୍ତିତ୍ୱ ପରସ୍ପରଠାରୁ ସଂପୂର୍ଣ୍ଣ ଭିନ୍ନ । କନ୍ୟା ରାଶିର ବ୍ୟକ୍ତି ସବୁ ନିଜ ଇଛାରେ ହେଉ ଚାହୁଁଥିବା ବେଳେ ମିଥୁନ ରାଶି ନିଜକୁ ଖୁବ ସ୍ୱାଧୀନ ରଖିବାକୁ ପସନ୍ଦ କରନ୍ତି । ତାଳମେଡ଼ ନପଡ଼ିବାରୁ ସଂପର୍କ ଖରାପ ହୋଇଯାଏ ।
କର୍କଟ-ତୁଳା: କର୍କଟ ରାଶିର ଲୋକ ଅନ୍ୟର ଯତ୍ନ ନେବାକୁ ଭଲ ପାଆନ୍ତି, କିନ୍ତୁ ତୁଳା ରାଶିର ଲୋକ ଏହାକୁ ଓଲଟା ଅର୍ଥରେ ନେଇଯାଆନ୍ତି ।
ମକର-ତୁଳା: ମକର ରାଶିର ବ୍ୟକ୍ତି ଫାଲତୁ କଥା ପସନ୍ଦ କରନ୍ତି ନାହିଁ । ତୁଳା ରାଶିର ଲୋକ ସବୁ ସମୟକୁ ଉପଭୋଗ କରିବାକୁ ଚାହାଁନ୍ତି । ତେଣୁ ଦୁଇ ଜଣଙ୍କ ମଧ୍ୟରେ ସମସ୍ୟା ଦେଖାଦିଏ ।
ଚିନ୍ତା ବଢ଼ାଇଲା କରୋନାର XE ଭାରିଆଣ୍ଟ, ମୁମ୍ବାଇରୁ ଦ୍ୱିତୀୟ ମାମଲା ଚିହ୍ନଟ
ମୁମ୍ବାଇ: ଓମିକ୍ରନର ସବ୍ ଭାରିଆଣ୍ଟ XEର ଦ୍ୱିତୀୟ ମାମଲା ମୁମ୍ବାଇରେ ଚିହ୍ନଟ ହୋଇଛି । ବିଏମସି ଏନେଇ ସୂଚନା ଦେଇଛି । ମୁମ୍ବାଇର ଶାନ୍ତାକ୍ରୁଜରେ ୬୭ ବର୍ଷୀୟ ବ୍ୟକ୍ତି XE ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । କୁହାଯାଉଛି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୧ରେ କାମ ପାଇଁ ବଡ଼ଦୋରା ଯାଇଥିଲେ । ଯେଉଁଠି ଏକ ବୈଠକରେ ସାମିଲ୍ ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଆଉ କୋଭିଡ୍ ଟେଷ୍ଟ ପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ବ୍ୟକ୍ତି ଜଣଙ୍କ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ସେ ମୁମ୍ବାଇ ଫେରି ଆସିଥିଲେ । ଆଉ ତାଙ୍କ ନମୁନା ଜିନୋମ ସିକ୍ୱେନ୍ସିଂ ପରେ ରିପୋର୍ଟ XE ଭାରିଆଣ୍ଟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବ୍ୟକ୍ତି ଜଣଙ୍କ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇଛନ୍ତି । ଏବେ ବ୍ୟକ୍ତି ଜଣଙ୍କ ଅବସ୍ଥା ସ୍ଥିର ରହିଛି ।
୩ ଦିନ ତଳେ ମୁମ୍ବାଇର ଜଣେ ମହିଳା XE ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା କୁହାଯାଇଥିଲା । ସୂଚନା ଅନୁସାରେ ମହିଳା ଜଣଙ୍କ ଗତ ଫେବ୍ରୁଆରୀ ୧୦ରେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ଦକ୍ଷିଣ ଆଫ୍ରିକା ଛଡ଼ା ତାଙ୍କର ଅନ୍ୟ କୌଣସି ଗସ୍ତ ବିବରଣୀ ନାହିଁ । ବିଦେଶରୁ ଫେରିବା ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ପ୍ରଥମେ ରିପୋର୍ଟ ନେଗେଟିଭ୍ ଆସିଥିଲା । ପୁଣି ଥରେ ୨ ମାର୍ଚ୍ଚରେ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଲା । ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ୩ ତାରିଖରେ ପୁଣି ଟେଷ୍ଟ କରିବାରୁ ରିପୋର୍ଟ ନେଗେଟିଭ୍ ଆସିଥିଲା ।
ପୁଣି ଘୁଞ୍ଚିଲା ଭୋଟିଂ, ପାକିସ୍ତାନ ସଂସଦ ରାତି ୧୦ଟା ପର୍ଯ୍ୟନ୍ତ ସ୍ଥଗିତ
ଇସଲାମବାଦ: ପାକିସ୍ତାନ ରାଜନୀତିରେ ବଢୁଛି ସସ୍ପେନ୍ସ। ପାକିସ୍ତାନର ସଂସଦ ରାତି ୧୦ଟା ପର୍ଯ୍ୟନ୍ତ ସ୍ଥଗିତ। ସାଢେ ୮ଟାରେ ହେବାର ଥିଲା ଭୋଟିଂ। ଅବିଶ୍ବାସ ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ ପୂର୍ବରୁ ଗୃହ ସ୍ଥଗିତ ହୋଇଛି। ଆଜି ସକାଳ ୧୦ଟାରେ ଭୋଟ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ବାକ୍ବିତଣ୍ଡା ଯୋଗୁ ଘୁଞ୍ଚିବାରେ ଲାଗିଛି ସମୟ। ଇମ୍ରାନ ଖାନଙ୍କ ଦଳ ବିଭିନ୍ନ ବାହାନା ନେଇ ଭୋଟ ଗ୍ରହଣ ବିଳମ୍ବ କରିଛନ୍ତି।
ତେବେ ରାତି ୧୦ଟା ପରେ ଭୋଟିଂ ହେବା ନେଇ ପାକିସ୍ତାନ ମିଡିଆରେ ଚର୍ଚ୍ଚା ହେଉଛି । ହେଲେ ଏହା ପୂର୍ବରୁ ନିଜ ସରକାର ବଞ୍ଚାଇବା ପାଇଁ ପିଟିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁର୍ନବିଚାର ଆବେଦନ କରାଯାଇଛି। ଗତକାଲି ଅନାସ୍ଥା ପ୍ରସ୍ତାବ ଭୋଟ୍ ପୂର୍ବରୁ ଇମ୍ରାନ୍ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ। ଲଢ଼େଇ ପାଇଁ ସବୁ ଅସ୍ତ୍ର ଫେଲ ମାରିବା ସତ୍ତ୍ୱେ ଇସ୍ତଫା ଦେବା ଦେବାକୁ ମନା କରିଦେଇଛନ୍ତି ଇମ୍ରାନ୍। ।
ତେବେ ଆଉ କିଛି ସମୟ ପରେ ଇମ୍ରାନ୍ ଖାନ୍ ତାଙ୍କ ବାସଭବନରେ କ୍ୟାବିନେଟ ବୈଠକ କରିବେ। ରାତି ୧୦ରୁ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିପାରେ ପାକିସ୍ତାନ ସଂସଦ। ଏପଟେ ଭୋଟିଂ ପୂର୍ବରୁ ବଡ଼ ବୟାନ ଦେଲେ ଇମ୍ରାନ୍ ଖାନ୍ । ପାକିସ୍ତାନରେ ଅନ୍ୟ ଦେଶର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।



