ସରିଲା ରାଜ୍ୟସଭା ନିର୍ବାଚନ: ନିର୍ମଳା ସୀତାରମଣ, ସଞ୍ଜୟ ରାଉତ, ରଣଦୀପ ସୁରଜେଓ୍ୱାଲ ବିଜୟୀ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସରିଥିବା ବେଳେ ଗଣତିରେ ହେଉଛି ବିଳମ୍ବ । ୪ଟି ରାଜ୍ୟ ୧୬ଟି ଆସନରେ ଫୋକ୍‌ସରେ ଥିବା ବେଳେ ରାଜସ୍ଥାନର ୩ଟି ଆସନରେ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସର ପ୍ରମୋଦ ତିଓ୍ୱାରୀ , ମୁକୁଲ ୱାଶନିକ, ରଣଦୀପ ସୁରଜେଓ୍ୱାଲ ବିଜୟୀ ହୋଇଥିବା ବେଳେ ଗୋଟିଏ ଆସନରେ ବିଜେପିର ଘନଶ୍ୟାମ ତିଓ୍ବାରୀ ବିଜୟୀ ହୋଇଛନ୍ତି ।

ରାଜସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସୁବାଷ ଚନ୍ଦ୍ରା ପରାଜିତ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରୁ ସଞ୍ଜୟ ରାଉତଙ୍କ ବିଜୟ ହୋଇଛି । ବିଜେପିର ନିର୍ମଳା ସୀତାରମଣ ଏବଂ କଂଗ୍ରେସର ଜୟରାମ ରମେଶ କର୍ଣ୍ଣାଟକରୁ ବିଜୟ ହୋଇଛନ୍ତି । କିଛି ସ୍ଥାନରେ ଭୋଟିଂରେ ଅନିୟମିତତା ହୋଇଥିବା ଅଭିଯୋଗ କରି କଂଗ୍ରେସ ଓ ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛନ୍ତି । ଆଜି ସକାଳ ୯ଟାରୁ ଭୋଟିଂ ଆରମ୍ଭ ହୋଇଥିଲା ।

ହରିୟାଣା, ରାଜସ୍ଥାନ , ମହାରାଷ୍ଟ୍ର ଓ କର୍ଣ୍ଣାଟକର ୧୬ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ରାଜସ୍ଥାନ ଓ କର୍ଣ୍ଣାଟକରେ କ୍ରସ ଭୋଟିଂ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ୧୫ ରାଜ୍ୟର ମୋଟ ୫୭ ରାଜ୍ୟସଭା ଆସନରୁ ୪୧ ଜଣ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହୋଇସାରିଛନ୍ତି । ବାକି ୧୬ଟି ଆସନରେ ଆଜି ଭୋଟିଂ ହୋଇଥିଲା । ମହାରାଷ୍ଟ୍ରର ୬, ରାଜସ୍ଥାନ ଓ କର୍ଣ୍ଣାଟକର ୪ଟି ଲେଖାଏଁ ଆସନ ଓ ହରିୟାଣାର ୨ଟି ରାଜ୍ୟସଭା ଆସନ ପାଇଁ ଭୋଟିଂ ହୋଇଥିଲା ।