ଆସନ୍ତାକାଲିଠୁ ତାତିରୁ ମିଳିବ ତ୍ରାହି, ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୨ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ବଦଳିବ ପାଣିପାଗ ମିଜାଜ, ତାତିରୁ ମିଳିବ ଆଶ୍ବସ୍ତି । ଆସନ୍ତାକାଲିଠୁ ରାଜ୍ୟରେ କମିବ ତାପମାତ୍ରା । ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା । ତେବେ ଆଜି ଆଭ୍ଯନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦେଖାଦେବ ଗ୍ରୀଷ୍ମ ପ୍ରକୋପ । ବିଶେଷ କରି ବରଗଡ଼ ଓ ସୋନପୁର ଜିଲ୍ଲାରେ ପ୍ରବଳ ଖରା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଉଭୟ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ।

ସେପଟେ ଉପକୂଳ ଓଡ଼ିଶାରେ ଗତକାଲିଠୁ ପାଗ ବଦଳିଛି ପାଗ । ଆକାଶ ମେଘାଚ୍ଛନ୍ନ ରହିବା ସହିତ ଗୁଳୁଗୁଳି କମିଛି । କିଛି ଜିଲ୍ଲାରେ ଝିପିଝିପି ବର୍ଷା ମଧ୍ୟ ହୋଇଛି । ଅନ୍ୟପଟେ ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ କାଳବୈଶାଖୀ ବର୍ଷା ନେଇ ୮ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ଜାରି ରହିବ ।