ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରୁକ୍କୁଣୀ ବିବାହ ଉତ୍ସବ

ପୁରୀ: ଆଜି ଶ୍ରୀମନ୍ଦିରରେ ରୁକ୍କୁଣୀ ହରଣ ଏକାଦଶୀ ନୀତି । ବିଦର୍ଭର ରାଜା ଭିଷ୍ମକଙ୍କ କନ୍ୟା ରୁକ୍ମିଣୀଙ୍କୁ ଆଜି ବିବାହ କରିବେ ମହାପ୍ରଭୁ । ଏଥି ଲାଗି ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରା ଯାଇଥିବା ବେଳେ ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯାଇଛି । ସମ୍ପୂର୍ଣ୍ଣ ରଙ୍ଗ ବେରଙ୍ଗର ଫୁଲରେ ଶ୍ରୀମନ୍ଦିର ସିଂହଦ୍ବାରକୁ ସଜା ଯାଇଛି । ଗତକାଲି ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦଶମୀ ତିଥିରେ ସନ୍ଧ୍ୟା ଧୂପ ନୀତି ବଢ଼ିବା ପରେ ଶ୍ରୀମନ୍ଦିରରେ ଘଣ୍ଟ କାହାଳୀ, ମହୁରି ବାଜି ମହାପ୍ରଭୁଙ୍କ ଅଭିଷେକ ନୀତି ସମ୍ପନ୍ନ ହୋଇଛି । ଏହି ନୀତିକୁ ରାଜେନ୍ଦ୍ରାଭିଷେକ ନୀତି କୁହାଯାଏ । ଅନ୍ୟପଟେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀନହରଠାରୁ ଶ୍ରୀମନ୍ଦିର ସମ୍ମୁଖ ଅଞ୍ଚଳକୁ ଜିଗ ଜ୍ୟାଗ ବ୍ୟାରିକେଡ଼ କରାଯାଇଛି । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି ।

ସେହିପରି ସ୍ନାନପୂର୍ଣ୍ଣମୀ ପୂର୍ବରୁ ତିନି ରଥର ଚାରି ନାହାକା ଉଠିସାରିଛି । ଏବେ ପୋଲ ଗୟଳ, ଛନ୍ଦା ଗୟଳ ଓ ବଡ଼ ଗୟଳ ପଡ଼ି ଯୋଖା ବୁଲିବା ପରେ ପ୍ରଥମ ଭୂଇଁ ଉଠିବ । ପରେ ଦ୍ବିତୀୟ ଓ ତୃତୀୟ ଭୂଇଁ ସହ ତେର ପରସ୍ତ ପୋଟଳ ଉଠି ଉପରିଭାଗ କାର୍ଯ୍ୟ କରାଯିବ । ଏଥିପାଇଁ ଜାରି ରହିଛି ନିର୍ମାଣ କାମ । ତିନିରଥ ମହାରଣା ଭୋଇ ସେବକ ପାର୍ଶ୍ବ ଦଣ୍ଡା ମାନଙ୍କରେ ତିନୋଟି ଲେଖାଏଁ ଜଳଯନ୍ତ୍ର ଏବଂ ଦୁଇଟି ଲେଖାଏଁ କୋଣଗୁଜ ଖଞ୍ଜି ପାର୍ଶ୍ବ ଗୟଳ ପକାଇଛନ୍ତି । ନନ୍ଦିଘୋଷ ଏବଂ ଦେବଦଳନ ରଥର ବେଦି ପାଇଁ ୫ଟି ଜଗତ ପୃଷ୍ଠ ଶେଣୀର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ବଜ ରଥର ୩ ଗୋଟି ଜଗତ ପୃଷ୍ଠ ଶେଣୀର ଚଉପଟ କାର୍ଯ୍ୟ ଶେଷ ହୋଇଛି ।