spot_img
Home Blog Page 4349

ରେକର୍ଡ ଭାଙ୍ଗୁଛି କରୋନା; ଦିନକରେ ଦେଶରୁ ୨୧୮୩ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କିଛିମାସର ବ୍ୟବଧାନ ପରେ ଉପରମୁହାଁ ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ଦୈନିକ ୨୧୮୩ ସଂକ୍ରମଣ ଚିହ୍ନଟ ହୋଇଛନ୍ତି।  ରବିବାର ୧୧ଶହ ୫୦ କେସ୍ ଚିହ୍ନଟ ହୋଇଥିବା ବେଳେ ସୋମବାର ଦିନ ୨୧ ଶହ ୮୩ ମାମଲା ଚିହ୍ନଟ ହୋଇଛି ।

ଦେଶରେ ଦିନକରେ ୨୧୮୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯୮୫ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଗୋଟିଏ ଦିନରେ ୨୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ସବୁଠୁ ଅଧିକ ମାମଲା ଦିଲ୍ଲୀ-ଏନସିଆରରେ ଦେଖାଯାଇଛି।  ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ସଂକ୍ରମଣ ହାର ଶୂନ ଦଶମିକ ୮୩ ରେ ପହଞ୍ଚିଛି । ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟାରେ ୫୧୭ କେସ୍ ସାମ୍ନାକୁ ଆସିଛି । ନୋଏଡାରେ ୬୫କେସ୍ ଚିହ୍ନଟ ହୋଇଛି । ଦିଲ୍ଲୀ ପରେ ଗୁରୁଗ୍ରାମରେ ସବୁଠୁ ଅଧିକ ୧୫୭ ମାମଲା ଠାବ ହୋଇଛି । ଫରିଦାବାଦରେ ୩୨ ଓ ଗାଜିଆବାଦରେ ୨୭ ନୂଆ କେସ୍ ଚିହ୍ନଟ ହୋଇଛି । ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣାରେ ବି ବଢୁଥିବା ସଂକ୍ରମଣ ଚିନ୍ତାର କାରଣ ପାଲଟିଛି ।

ଥାନାରେ ଅଭିଯୁକ୍ତଙ୍କ ମୃତ୍ୟୁ, ପତ୍ନୀ ଆଣିଲେ ହାଜତ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: ବଡଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ମୃତକ ହେଲେ କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ । ଗତକାଲି ରାତିରେ ସେ ରସୁଲଗଡରୁ ଘରକୁ ଫେରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଥିବା ଦେବେନ୍ଦ୍ରଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଥାନା ହାଜତରେ ସେ ତଳେ ପଡି ଗୁରୁତର ହେବା ପରେ ଦେବେନ୍ଦ୍ରଙ୍କୁ କ୍ଯାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମିଳିଥିବା ସୂଚନା ମୁତାବକ ଦେବେନ୍ଦ୍ରଙ୍କ ନାଁରେ ପୂର୍ବରୁ ଏକାଧିକ ଚୋରି ମାମଲା ରହିଛି । ଗତକାଲି ଚୋରି କରୁଥିବା ବେଳେ ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ସେ ପଡି ଯାଇଥିଲେ । ଥାନାକୁ ଆଣି ଜେରା ବେଳେ ତାଙ୍କ ସ୍ବାସ୍ଥ୍ୟ ଭଲ ନ ଥିବା ସେ କହିଥିଲେ । ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ହାଜତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ । ଥାନା ସିସିଟିଭିରେ ସବୁ ପ୍ରମାଣ ରହିଛି ବୋଲି କହିଛି ପୋଲିସ ।

ଲଖୀମପୁର ଖେରୀ ମାମଲା : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅର ଜାମିନ ରଦ୍ଦ

ନୂଆଦିଲ୍ଲୀ: ଲଖିମପୁର ଖିରି କାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ ମିଶ୍ରାଙ୍କୁ ପୁଣି ଜେଲ ଯିବାକୁ ପଡିବ । ସୁପ୍ରିମକୋର୍ଟ୍ ସୋମବାର ଦିନ ଆହ୍ଲାବାଦ ହାଇକୋର୍ଟଙ୍କ ପ୍ରଦତ୍ତ ଜାମିନକୁ ରଦ୍ଦ କରିଦେଇଛନ୍ତି । ଆଶୀଷଙ୍କ ଜାମିନକୁ ରଦ୍ଦ କରି ସୁପ୍ରିମ କୋର୍ଟ ତାଙ୍କୁ ଆଗାମୀ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଛନ୍ତି । ଜାମିନ ରଦ୍ଦ କରି ସୁପ୍ରିମ କୋର୍ଟ କହିଛନ୍ତି ଯେ, ଆହ୍ଲାବାଦ ହାଇକୋର୍ଟ୍ ଦ୍ୱାରା ଦିଆଯାଇଥିବା ଜାମିନ ତରବରିଆ ନିଷ୍ପତ୍ତି ଥିଲା । ହାଇକୋର୍ଟ ପୀଡିତ ପକ୍ଷକୁ ନଶୁଣି ଏକତରଫା ଜାମିନ ଦେଇଥିଲେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ପୀଡିତ ପକ୍ଷ ଓ ଅନ୍ୟ ବିନ୍ଦୁ ଉପରେ ବିଚାର କରି ସର୍ବୋଚ୍ଚ ଅଦାଲତ ତୁରନ୍ତ ଜାମିନ ରଦ୍ଦ କରିବାକୁ କହିଥିଲେ ।

ଆଶୀଷ ମିଶ୍ରାଙ୍କୁ ମଧ୍ୟ ମିଳିଲା ଆଶ୍ୱସ୍ତି
ତେବେ ଆଶୀଶ ମିଶ୍ରାଙ୍କ ପାଇଁ ଆଶ୍ୱସ୍ତିର ଖବର ହେଉଛି ଯେ, ସେ ପୁଣିଥରେ ଜାମିନ ପାଇଁ ଆବେଦନ କରିପାରିବେ । ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟରେ ପୁଣିଥରେ ଜାମିନ ଆବେଦନ କରିବାକୁ କହିଛନ୍ତି । ଅର୍ଥାତ ଆଶୀଷଙ୍କ ପାଇଁ ଏବେ ମଧ୍ୟ ଗୋଟିଏ ଦ୍ୱାରା ଖୋଲା ଅଛି ।

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ କହିଲେ ଟିକାଏତ
ଆଶୀଷଙ୍କ ଜାମିନ ଆବେଦନ ରଦ୍ଦ ସଂକ୍ରାନ୍ତୀୟ ଆଦେଶ ପାଇଁ ଚାଷୀ ନେତା ରାକେଶ ଟିକାଏତ ସୁପ୍ରମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଏକ ସଠିକ ନିଷ୍ପତ୍ତି ନେଇଥିବା ସୁପ୍ରିମକୋର୍ଟଙ୍କୁ ଆମେ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ । ସରକାରଙ୍କ ତରଫରୁ ନରମନୀତି ଆପଣାଯାଇଥିଲା । ସରକାର ମନ୍ତ୍ରୀଙ୍କ ସପକ୍ଷରେ ଛିଡା ହୋଇଛି ।
୧୨୯ ଦିନ ଥିଲେ ଜେଲରେ
ଆହ୍ଲାବାଦ ହାଇକୋର୍ଟ ଫେବ୍ରୁଆରୀ ୧୦ ତାରିଖରେ ଆଶୀଷଙ୍କୁ ଜାମିନ ଦେଇଥିଲେ । ଫେବ୍ରୁଆରି ୧୫ ତାରିଖରେ ଆଶୀଷ ୧୨୯ ଦିନ ଜେଲରେ ରହିବା ପରେ ବାହାରକୁ ଆସିଥିଲେ । ସୂଚନାଯୋଗ୍ୟ ଯେ, ଲଖିମପୁର ଖୀରିର ତିକୁନିଆରେ ଅକ୍ଟୋବର ୩ ତାରିଖ ଦିନ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢିଯାଇଥିଲା । ତିନୋଟି ଗାଡି ଚାଷୀଙ୍କ ଉପରକୁ ମାଡିଯାଇଥିଲା । ଏହି ଗାଡି ମଧ୍ୟରୁ ଗୋଟିକରେ ଆଶୀଷ ଥିଲେ । ଯେଉଁଥିର ୪ ଜଣ ଚାଷୀଙ୍କ ସହିତ ୮ ଜଣ ପ୍ରାଣ ହରାଇଥିଲେ ।

ମୟୂରଭଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ମାଡିଯିବାରୁ ୩ ଜଣଙ୍କ ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳର ନୂଆଗାଁ ଛକ ନିକଟରେ ଦୁର୍ଘଟଣା । ଟ୍ରକ ମାଡିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତର ଆହତଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଲୋକମାନେ ରାସ୍ତାକଡ଼ରେ ଛିଡ଼ା ହୋଇଥିବାଲା ବେଳେ ଟ୍ରକ ମାଡ଼ିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ବିଶୋଇ ପୋଲିସ ଘଟଣାର ତଦନ୍ତ କରୁଛି।

ଏମିତି ଏକ ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳକୁ ସ୍ତମ୍ଭୀଭୁତ କରିଦେଇଛି  । ସମସ୍ତଙ୍କ ଭିତରେ ଅସମ୍ଭବ ନୀରବତା  । ମୃତ୍ୟୁର ଯେମିତି ସମୟ-କାଳ ନଥାଏ, ତାହା ବାସ୍ତବରେ ମଧ୍ୟ ପ୍ରତିଫଳନ ହୋଇଛି  । ରାସ୍ତା କଡରେ ଠିଆ ହୋଇଥିବା  ବେଳେ ଅଚାନକ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ମାଡ଼ି ଯାଇଥିଲା  । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି  ।

ଯୁଗାବସାନ: ଲକ୍ଷେ ରାଜାର ମଉଡ଼ମଣିଙ୍କୁ ଝୁରୁଛି ରାଇଜ

ଭୁବନେଶ୍ୱର: ଆଉ ଶୁଭିବନି ସେ ପରିଚିତ ସ୍ବର । ଥମିଗଲା, ନିରବିଗଲା। ସବୁ ମାୟା ମୋହକୁ ପର କରିଦେଲେ। ବାହୁଡିଗଲେ କମଳ ଦେଶ ରାଜକୁମାର । ଆରପାରିକୁ ଚାଲିଗଲେ ଓଡିଆ ସଂଗୀତ ଆକାଶର ଚିକମିକ ଧ୍ରୁବତାରା ପ୍ରଫୁଲ୍ଲ କର। ସାରା ଓଡ଼ିଶା ତାଙ୍କୁ ଝୁରୁଛି, ବାହୁନୁଛି । ଯୁଗାବସାନ । ଓଡ଼ିଶାକୁ ଆଉ ନିଛକ ଓଡିଆପଣକୁ ବିଦେଶରେ ପରିଚିତ କରାଉଥିଲା ନିର୍ଭେଜାଲ ସ୍ବର। ସେ ସ୍ବରର ନାଁ ଥିଲା ପ୍ରଫୁଲ୍ଲ କର। ଓଡ଼ିଆ ସଂଗୀତର ମହାଦ୍ରୁମ । ସଂଗୀତ ଓ ସାହିତ୍ୟରେ ଧୂରୀଣ ଲକ୍ଷେ ରାଜାର ମଉଡ଼ମଣିଙ୍କୁ ପାଛୋଟି ନେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ସେଇଠି ଚାଲିବ ସଂଗୀତର ଦରବାର । ହାତରେ ପୁଷ୍ପ ଧନୁ ଧରିବେ ଏ ସଂଗୀତ ସମ୍ରାଟ ।

ଦିନେ ନୁହଁ କି ଦୁଇଦିନ । ଓଡ଼ିଆ ସଂଗୀତ ଦୁନିଆକୁ ୬ଦଶନ୍ଧି ହେବ ସେ ଆଚ୍ଛାଦିତ କରି ରଖିଥିଲେ । ସେ ଥିଲେ ଭିନ୍ନ ଆଉ ନିଆରା । ସାରା ଜୀବନରେ ସଫଳ ବ୍ୟକ୍ତି ମାନେ ଯେତିକି ସଫଳତା ପାଇନଥିବେ, ଅଧା ଜୀବନରେ ଢେର ଅଧିକ ସଫଳତା ପାଇଥିଲେ ଏ ସଂଗୀତ ପୁରୁଷ । ଜଣେ ଗୀତିକାର, ସଂଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀ ଭାବେ ତାଙ୍କର ଥିଲା ପରିଚୟ । ପ୍ରଶାନ୍ତ ନନ୍ଦ ଙ୍କ ଫିଲ୍ମ ମମତାରେ ସଂଗୀତ ନିର୍ଦେଶକ ଭାବେ ପାଦ ଦେଲେ । ଫିଲ୍ମର ୮ଟି ଯାକ ଗୀତ ହେଲା ସୁପରହିଟ। ପ୍ରଥମ ସିନେମାରୁ ଚହଳ ପଡ଼ିଲା ।

ଭଜନ, ଜଣାଣ, ଆଧୁନିକ ଆଉ ଶାସ୍ତ୍ରୀୟ ସଂଗୀତରେ ସେ ତିଆରି କରିଥିଲେ ନୂଆଧାରା । ସେ ଥିଲେ ଟ୍ରେଣ୍ଡସେଟର । ଓଡିଶୀ ସଂଗୀତକୁ ତାଙ୍କ ଅବଦାନ ଅତୁଳନୀୟ। ବହୁ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକଙ୍କ ପାଇଁ ସେ ମାଟିର ଦ୍ରୋଣ । କେବଳ ସଂଗୀତ ନୁହେଁ, ସ୍ତମ୍ଭକାର ଭାବେ ‘ସାଉଁଟା କାହାଣୀ’ ରେ ପାଠକଙ୍କୁ ବାନ୍ଧି ରଖୁଥିଲେ ପ୍ରଫୁଲ୍ଲ । ତାଙ୍କ ପରଲୋକରେ ଓଡିଶା ଜଣେ ଯୁଗପୁରୁଷଙ୍କୁ ହରାଇଲା । ସାରା ରାଜ୍ୟ ଆଉ ପ୍ରତିଟି ଓଡିଆ ତାଙ୍କ ବିୟୋଗରେ ମର୍ମାହତ । ସମସ୍ତେ ଜାଳୁଛନ୍ତି ଲୁହର ଦୀପାଳି । ଚିର ଅମର ପ୍ରଫୁଲ୍ଲ କର, ଅମର ସେଇ ଶବ୍ଦ ଆଉ ସ୍ବର । ପ୍ରଣାମ ଯୁଗପୁରୁଷ । କୋଟି ପ୍ରଣାମ ।

‘ମମତା’ ଦେଇଥିଲା ପରିଚୟ, ଆଜି ବି ‘ଭୁଲି ହୁଏନା’

ନନ୍ଦିଘୋଷ ବ୍ୟୁରୋ: ମମତାରୁ ଆରମ୍ଭ ହୋଇଥିଲା  ଶେଷ ଶ୍ରାବଣରେ ଭିଜିଥିଲା, ସିନ୍ଦୂର ବିନ୍ଦୁ, ବଳିଦାନ, ବନ୍ଧୁମହାନ୍ତି, ସତୀଅନସୂୟା, ଗୌରୀ, ରାମାୟଣ, ସୀତାଲବକୁଶ, ରାମ ରହିମ, ସ୍କୁଲମାଷ୍ଟର, ପୂଜା ଫୁଲ, ସମୟ ବଡ଼ ବଳବାନ, ଗୃହଲକ୍ଷ୍ମୀ, ତୁଣ୍ଡ ବାଇଦ, ଭୁଲି ହୁଏନା, ବସ୍ତ୍ର ହରଣ,ନାଗ ପଞ୍ଚମୀ ଆଦି ୭୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ  । ଓଡ଼ିଆ ସଂଗୀତରେ ତାଙ୍କ ମୃର୍ତ୍ତୀମନ୍ତ୍ର ଅବଦାନ ସର୍ବଦା ଅବିସ୍ମରଣୀୟ  ।

କମଳ ଦେଶ ରାଜକୁମାରରେ , ବହି ଯାଏ ରେ ଗଙ୍ଗା ଉଡ଼େ ତ୍ରିରଙ୍ଗା, ଆହେ ଦୟାମୟ ବିଶ୍ବବିହାରୀ, ତୁମ ଶାଢ଼ୀର ରଙ୍ଗ ନକଲି, ମଲେଇ ଖାଇ ମୋ ଓଲେଇ ବିଲେଇ,  ନୀଳଚକ୍ର ହେ ଦେଖ ଉଡ଼ୁଛି, ଆମେ ଦୁଇ ଭାଇ କାଶିଆ କପିଳା, କିଏ ସାତ କିଏ ସତର, କାଳୀ କପାଳି ନରମୁଣ୍ଡ ମାଳି, ଏ ରାତି ଏ ଜହ୍ନ ଏ ଫୁଲ ଏ ଫଗୁଣ…ଆଦି ଏମିତି ଅନେକ ଗୀତ ଭିଜାଏ କନ୍ଦାଏ ଓ ସଙ୍ଗୀତର ଆସରରେ ନିଜକୁ ହଜାଇଦିଏ  । ପ୍ରଫୁଲ୍ଲ କରଙ୍କ

ସେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସର୍ବାଧିକ ୬ ଥର ଏବଂ କଣ୍ଠଶିଳ୍ପୀ ଭାବେ ଥରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ  । ଓଡ଼ିଆ ଚଳଚ୍ଚିତ୍ରରେ ଜୀବନ ବ୍ୟାପି ଅବଦାନ ନିମନ୍ତେ ତାଙ୍କୁ ୨୦୦୪ରେ ସର୍ବୋଚ୍ଚ ସମ୍ମାନ  ଜୟଦେବ_ପୁରସ୍କାର ରେ ସମ୍ମାନିତ କରା ଯାଇଥିଲା  । ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ  । ବିଭିନ୍ନ ଓଡ଼ିଶୀ ନୃତ୍ୟ ଗୁରୁ ମାନଙ୍କ ସହ ମିଶି ସେ ବହୁ ଓଡ଼ିଶୀ ନୃତ୍ୟ ନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ  । ସଂଗୀତ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ କେନ୍ଦ୍ର ସରକାର ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ  ।

 

ୟୁକ୍ରେନ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

କିଏଭ: ୟୁକ୍ରେନ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ୟୁକ୍ରେନ ଯାଇ ଋଷ୍ କରିଥିବା କ୍ଷତିକୁ ନିଜ ଆଖିରେ ଦେଖିବେ ବାଇଡେନ୍ । ଏନେଇ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି । ଖାରକିଭରେ ଋଷ୍ ସେନା ଗତକାଲି ଆକ୍ରମଣ କରିବା ପରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାକୁ ଜେଲେନସ୍କି ନିନ୍ଦା କରିବା ସହ ପାଶ୍ଚାତ୍ୟ ଦେଶକୁ ଚୁପ୍ ନବସିବା ପାଇଁ ଅପିଲ୍ କରିଛନ୍ତି । ଏଥିସହ ବାଇଡେନଙ୍କୁ ୟୁକ୍ରେନ୍ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

ଏପଟେ ମାରିୟୁପୋଲକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଛି ଋଷିଆ । ଯୁକ୍ରେନ ସେନାର ପ୍ରବଳ ପ୍ରତିରୋଧ ସତ୍ତ୍ବେ ଏହି ସହର ଋଷିଆର ନିୟନ୍ତ୍ରଣକୁ ଯାଇଛି । ମାରିୟୁପୋଲରେ ଥିବା ୟୁକ୍ରେନର ସୈନ୍ୟଙ୍କୁ ଆତ୍ମସମର୍ପଣର ପ୍ରସ୍ତାବ ଦେଇଥିଲା ଋଷିଆ । କିନ୍ତୁ ତାଙ୍କ ଦେଶର ସୈନ୍ୟମାନେ ଆତ୍ମସମର୍ପଣ କରିବେ ନାହିଁ ବୋଲି ୟୁକ୍ରେନର ଜଣେ ସାଂସଦ କହିଛନ୍ତି । ସେମାନେ ଶେଷ ଯାଏଁ ଲଢେଇ କରିବେ ବୋଲି ସେ କହିଛନ୍ତି । ୟୁକ୍ରେନ୍ ସେନା ଏବେବି ସେଠାରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଛନ୍ତି । ମାରିୟୁପୋଲ କବଜା ପାଇଁ ଦୁଇ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଚାଲିଥିଲା । ସହରରେ ଥିବା ଯୁକ୍ରେନ ସୈନ୍ୟଙ୍କୁ ଯଦି ହତ୍ୟା କରାଯାଏ, ତାହାହେଲେ ଦୁଇ ପକ୍ଷ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆଉ ହୋଇପାରିବ ନାହିଁ ବୋଲି ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ।

ପ୍ରଫୁଲ୍ଲ କରଙ୍କ ବିୟୋଗରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ଶୋକପ୍ରକାଶ

ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ଜଗତର କିମ୍ବଦନ୍ତୀ ସଙ୍ଗୀତଜ୍ଞ ପ୍ରଦଶ୍ରୀ ପ୍ରଫୁଲ୍ଲ କରଙ୍କ ପରଲୋକରେ ରାଜ୍ୟପାଳ ଗଭୀର ଶୋକ ପ୍ରକାଶ କରିଛନ୍ତି । ଗାୟକ, ନିର୍ଦ୍ଦେଶକ ତଥା ଗୀତିକାର ଭାବରେ ତାଙ୍କର କୃତି କୀର୍ତ୍ତି ଚିର ସ୍ମରଣୀୟ ରହିବ ବୋଲି ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ ଓ ପ୍ରଫୁଲ୍ଲ ସଙ୍ଗୀତ ପ୍ରେମୀଙ୍କୁ ସମବେଦନା ଜଣାଇଛନ୍ତି ।

ସେହିପରି ଓଡ଼ିଶାର ସୁନାମଧନ୍ୟ ସଂଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ  ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି  । ଶ୍ରୀ କରଙ୍କ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ ହେବା ସହିତ ଓଡ଼ିଶାର ସଂଗୀତ ଓ କଳା କ୍ଷେତ୍ରରୁ ଏକ ଉଜ୍ଜଳ ନକ୍ଷତ୍ରର ଅବସାନ ଘଟିବା ବ୍ୟକ୍ତ କରିଛନ୍ତି  ।

ସ୍ବର୍ଗତ କର ଜୀବନବ୍ୟାପି ସଂଗୀତ ସାଧନା ପାଇଁ ଅନେକ ମାନ ସମ୍ମାନ ଓ ପୁରସ୍କାର ପାଇଥିଲେ  । ଏତଦବ୍ୟତୀତ କଳା କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ କେନ୍ଦ୍ର ସରକାରଙ୍କ ତରଫରୁ ସର୍ବୋଚ୍ଚ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ  । ରାଜ୍ୟପାଳ ପ୍ରସାଦ ହରିଚନ୍ଦନ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସ୍ବର୍ଗତ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି  ।

‘ଓଡ଼ିଆ ସଂଗୀତ ଓ ସଂସ୍କୃତି ପାଇଁ ପ୍ରଫୁଲ୍ଲ କରଙ୍କ ଯୋଗଦାନ ସ୍ମରଣୀୟ’

ଭୁବନେଶ୍ୱର: ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା ସଂଗୀତ ଦୁନିଆର କିମ୍ବଦନ୍ତୀ ପୁରୁଷ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ ବୋଲି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଆ ସଂଗୀତ ଓ ସଂସ୍କୃତି ପାଇଁ ତାଙ୍କର ଅନନ୍ୟ ଯୋଗଦାନ ତାଙ୍କୁ ସ୍ମରଣୀୟ କରି ରଖିବ । ଶ୍ରୀଯୁକ୍ତ କର ଅନେକ ପ୍ରତିଭାର ଅଧିକାରୀ ଏବଂ ତାଙ୍କର ସୃଜନଶୀଳତା କାର୍ଯ୍ୟରେ ପ୍ରତିଫଳିତ ହୁଏ । ସେହିପରି ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଓଡ଼ିଶା ସଂଗୀତ ଜଗତ ପାଇଁ ପ୍ରଫୁଲ୍ଲ କରଙ୍କ ଅବଦାନ ସର୍ବଦା ଅବିସ୍ମରଣୀୟ  । ଓଡ଼ିଶାର କଳାକାରଙ୍କୁ ପ୍ରୋତ୍ସାହନ ଓ ଉତ୍ସାହିତ କରିବା ସହ ତାଙ୍କର ମର୍ମଭେଦୀ ସଂଗୀତ ନିର୍ଦ୍ଦେଶନା ଦର୍ଶକଙ୍କ ନିକଟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି  । ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତରେ ପ୍ରଫୁଲ ଥିଲେ ପ୍ରବୀଣ । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ସାଧନାରେ ନିମଗ୍ନ ରହିଥିଲେ । ୨୦୧୫ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ  । ମାତ୍ର ୨୧ ବର୍ଷ ବୟସରେ ଆକାଶବାଣୀର ସ୍ବିକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ ସେ । ଏହାପରେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ସାଧନାରେ ନିମଗ୍ନ ରହିଥିଲେ । ଗୀତ ରଚନାରେ ସେ ଯେତିକି ସିଦ୍ଧହସ୍ତ ଥିଲେ, ତାକୁ ସଙ୍ଗୀତରେ ସଜାଇ ଓଡ଼ିଆ ଶ୍ରୋତାଙ୍କୁ ଭେଟି ଦେଉଥିଲେ ଚମତ୍କାର ସଙ୍ଗୀତ ।

କଣ୍ଠଶିଳ୍ପୀ ଭାବେ ତାଙ୍କର ସ୍ବର ଶ୍ରୋତାଙ୍କ ମନରେ ନିଆରା ଛାପ ଛାଡିଥିଲା । ୨୦୧୬ ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ଲଗାତର୬ ଥର ସମେତ ସମୁଦାୟ ୮ ଥର ସେ ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ପ୍ରାପ୍ତ କରିଛନ୍ତି । ଥରେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଜୟଦେବ ପୁରସ୍କାର ସହ ଅନେକ ସମ୍ମାନ ପାଇଛନ୍ତି ପ୍ରଫୁଲ କର । ଶ୍ରୀ ପତିତପାବନ ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ସେ । ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମମତାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଜଗତରେ ପାଦ ଥାପିଥିଲେ ।

ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି  । କିମ୍ବଦନ୍ତୀ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଏକ ଯୁଗର ଅବସାନ  । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କରଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣ୍ଣନା  କରିଛନ୍ତି  । ଜଣେ ଗୀତିକାର ସଂଗୀତଜ୍ଞ ତଥା ସଂଗୀତ ନିର୍ଦେଶକ ଭାବରେ ସେ ଅନେକ ଗୌରବାମୟ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି  ।

ପ୍ରଫୁଲ୍ଲ କରଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି। ତାଙ୍କର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ଓ ନିର୍ଦେଶନା ଲୋକଙ୍କ ହୃଦୟରେ ତାଙ୍କୁ ସର୍ବଦା ଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ସେପଟେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି  । ସ୍ବର୍ଗତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  । ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ମନ୍ତ୍ରୀ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ଓଡ଼ିଆ ସଂଗୀତ ଓ ସଂସ୍କୃତିରେ ପ୍ରଫୁଲ୍ଲଙ୍କ ଅବଦାନ ଅବିସ୍ମରଣୀୟ