ଆମେରିକା ରାଷ୍ଟ୍ରପତିଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା ହେବେ ଆରତୀ

1 min read

ନୂଆଦିଲ୍ଲୀ: ପୁଣି ଅନ୍ତର୍ଜାତୀୟ ସ୍ତରରେ ଭାରତୀୟଙ୍କୁ ମିଳିବ ବଡ ଦାୟିତ୍ୱ । ୬୩ ବର୍ଷୀୟା ଭାରତରେ ଜନ୍ମିତ ଡ. ଆରତୀଙ୍କୁ ଆମେରିକା ସରକାରରେ ବିଜ୍ଞାନ କ୍ଷେତ୍ରରେ ଗୁରୁଦାୟିତ୍ବ ମିଳିପାରେ। ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆମେରିକା ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା ପଦରେ ନିଯୁକ୍ତି ପାଇବେ ଇଣ୍ଡୋ-ଆମେରିକୀୟ ଡକ୍ଟର ଆରତୀ ପ୍ରଭାକର  ।

ଆରତୀ ପ୍ରଭାକରଙ୍କ ନାଁକୁ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା ମନୋନୀତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ। ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ଏହି ନିଷ୍ପତ୍ତିକୁ ହ୍ବାଇଟ୍ ହାଉସ୍ ଏବଂ ଇଣ୍ଡୋ-ଆମେରିକୀୟ ସମ୍ପ୍ରଦାୟ ପ୍ରଶଂସା କରିବା ସହ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି  । ଯଦି ଆମେରିକାନ ସିନେଟ ପକ୍ଷରୁ ମଞ୍ଜୁରୀ ମିଳେ ତେବେ ପ୍ରଥମ ମହିଳା, ପ୍ରବାସୀ ଭାବେ ସେ ଇତିହାସ ରଚିବେ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ନୀତି ବିଭାଗର ନିଦ୍ଦେଶକ ମୁଖ୍ୟ ଭାବେ ସେ ଦାୟିତ୍ବ ତୁଲାଇବେ  ।

ବାଇଡେନ ମଙ୍ଗଳବାର ତାଙ୍କ ନାଁ ମନୋନୀତ କରିବା ସହ କହିଛନ୍ତି ଡ. ପ୍ରଭାକର ହେଉଛନ୍ତି ଜଣେ ବିଚକ୍ଷଣ, ଦକ୍ଷ ଓ ଅତ୍ୟନ୍ତ ସମ୍ମାନୀୟ ପଦାର୍ଥବିଜ୍ଞାନି  । ସେ ଏହି ବିଭାଗ ଦାୟିତ୍ବର ସହ ନିର୍ବାହ କରିବେ  । ସରକାରଙ୍କ ଯୋଜନାର ସଫଳ ରୂପାୟନ କରିବେ । ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାର ଦକ୍ଷତା ରଖନ୍ତି  ପ୍ରଭାକର । ଯଦି ସିନେଟର ମୋହର ବାଜେ ତେବେ ସେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ଯା କ୍ଷେତ୍ରରେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ରହିବେ । ତାଙ୍କର ନେତୃତ୍ବରେ ଆମେରିକାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବଡ ସଫଳତା ହାସଲ କରିବ  ।

ସୂଚନାଥାଉକି, ଡ. ଆରତୀ ପ୍ରଥମ ମହିଳା ଭାବେ କାର୍ଲିଫୋନିଆ ବିଶ୍ବବିଦ୍ୟାଳୟରୁ ପ୍ରୟୋଗାତ୍ମକ ପଦାର୍ଥ ବିଜ୍ଞାନରେ ପିଏଚଡି ସମ୍ମାନ ଅର୍ଜନ କରିଛନ୍ତି । ବାଇଡେନ ସବୁବେଳେ ଭାରତ-ଆମେରିକୀୟଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି  । ଉପରାଷ୍ଟ୍ରପତି ଭାବେ କମଲା ହାରିଶ ନିର୍ବାଚିତ ହେବା ପରେ ଭାରତୀୟଙ୍କ ଦବଦବା ଆମେରିକାରେ ବଢିଯାଇଛି  । ନିକଟରେ ୫ ଜଣ ଭାରତୀୟ ମୂଳ ଲୋକଙ୍କୁ ସେ ବିଭିନ୍ନ ଦାୟିତ୍ବରେ ନିଯୁକ୍ତି ଦେଇଛନ୍ତି  ।