ଆରମ୍ଭ ହେଲା କ୍ୟାବିନେଟ୍ ମିଟିଂ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ିପାରନ୍ତି ଶିବସେନା ମୁଖ୍ୟ

1 min read

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ମହାନାଟକ । ସରକାରରେ ଶିବସେନା-ଏନସିପି-କଂଗ୍ରେସର ମେଣ୍ଟ ରହିବ ନା ସରକାର ଭଙ୍ଗ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହାରି ମଧ୍ୟ ଏହା ଚର୍ଚ୍ଚା ହେଉଛି କି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ବର୍ତ୍ତମାନ ଚାଲିଥିବା କ୍ୟାବିନେଟ ବୈଠକ ପରେ ଇସ୍ତଫା ଦେବେ ବୋଲି ସୂଚନା ମିଳୁଛି । ଅନ୍ୟପକ୍ଷରେ କ୍ୟାବିନେଟ ବୈଠକ ପୂର୍ବରୁ ଉଦ୍ଧବ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା କଂଗ୍ରେସ ଅବଜରଭର କମଲାନଥ ଦେଇଛନ୍ତି । ତେଣୁ ସେ ଚାଲିଥିବା କ୍ୟାବିନେଟ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଛନ୍ତି ।

ଅନ୍ୟପଟେ ମହାରାଷ୍ଟ୍ରରେ ଜାରି ରହିଥିବା ସଙ୍କଟ ମଧ୍ୟରେ ସଞ୍ଜୟ ରାଉତଙ୍କ ଏକ ଟ୍ୱିଟ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ ଟ୍ୱିଟ୍ କରି ଲେଖିଥିଲେ କି ମହାରାଷ୍ଟ୍ରରେ ଭଙ୍ଗ ହୋଇପାରେ ବିଧାନସଭା । ବିଧାନସଭା ଭଙ୍ଗ ନେଇ ସଙ୍କେତ ଦେଇଛନ୍ତି ସଞ୍ଜୟ ରାଉତ । ଦଳୀୟ ଅନ୍ତକନ୍ଦଳ ଓ ରାଜନୈତିକ ସଙ୍କଟକୁ ନେଇ ସ୍ବୀକାର କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ଦଳ ଭିତରେ ମତଭେଦ ରହିବା ସ୍ବାଭାବିକ, ତେବେ ଏହାର ସମାଧାନ ବାହାର କରାଯିବ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ସୂଚନା ଅନୁସାରେ, ମହାରାଷ୍ଟ୍ରରେ ଶିବସେନା ସରକାର ପ୍ରତି ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଏବଂ ଅନ୍ୟ ବିଧାୟକମାନେ ଆସାମର ଗୌହାଟିରେ ପହଞ୍ଚିଛନ୍ତି । ଏକନାଥ ସିନ୍ଧେଙ୍କ ପ୍ରତି ୪୦ରୁ ୫୬ ଜଣ ଶିବସେନା ବିଧାୟକଙ୍କ ସମର୍ଥନ ଥିବା ସେ ନିଜେ ଦାବି କରିଛନ୍ତି। ଏହା ଛଡ଼ା ୬ ଜଣ ସ୍ୱାଧୀନ ବିଧାକୟଙ୍କର ସମର୍ଥନ ତାଙ୍କ ପ୍ରତି ଥିବା କହିଛନ୍ତି ଏକନାଥ ସିନ୍ଧେ ।