ଦୁଇ ଜଣଙ୍କ ଝଗଡ଼ା ପାଇଁ ଥାନାରେ ଅଟକ ରହିଲା ଗାଈ

ଭୁବନେଶ୍ୱର: ଦୁଇ ଜଣଙ୍କ ଝଗଡ଼ା ପାଇଁ ଥାନାରେ ଅଟକ ରହିଲା ଗାଈ । ସମସ୍ୟା ସମାଧାନ ନହେବାରୁ ଧଉଳି ଥାନାରେ ଅଟକ ରହିଛି ଗାଇ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଅଞ୍ଚଳରେ । ସୂଚନା ଅନୁସାରେ ୫ ଦିନ ପୂର୍ବରୁ ଖଟୁଆପଡ଼ାର ଜଣଙ୍କ ଗାଈ ହଜିଯାଇଥିଲା । ସେହି ଗାଈ ନଖାଉରପାଟଣାର ଜଣେ ମହିଳାଙ୍କ ଗୁହାଳରେ ଥିଲା । ତେବେ ହଜିଯାଇଥିବା ଗାଈର ମାଲିକ ଉକ୍ତ ମହିଳାଙ୍କ ଗୁହାଳକୁ ଯାଇ ଗାଈ ଫିଟାଇ ନେଇଥିଲେ । ଯାହା ପରେ ଆରମ୍ଭ ହୋଇଥିଲା ବିବାଦ । ଗୋଟିଏ ଗାଈକୁ ଦୁଇ ଜଣ ନିଜର ବୋଲି ଦାବି କରୁଛନ୍ତି । ତେବେ ଏହି ସମସ୍ୟା ସମାଧାନ ନହେବାରୁ ମାମଲା ଥାନାକୁ ଯାଇଛି । ଅନ୍ୟପକ୍ଷରେ ଗାଈର ପ୍ରକୃତ ମାଲିକ କିଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।