spot_img
Home Blog Page 4281

ସୁବାସଙ୍କ ଲାଞ୍ଚ ଅଭିଯୋଗ ମିଛ: ବୃନ୍ଦାବତୀ

ଦେବଗଡ଼: ଗିରଫ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ତିଲେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇଙ୍କ ବିରୋଧରେ ଆଣିଥିବା ଲାଞ୍ଚ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୋଇ । ବିଧାୟକ ମିଛ ଅଭିଯୋଗ କରୁଛନ୍ତି ବୋଲି ସେ କହିଛନ୍ତି । କାମ ଆରମ୍ଭ ହୋଇନଥିବା ବେଳେ ଦୁର୍ନୀତି କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଦୁର୍ନୀତି ବିଷୟରେ ବିଧାୟକ ଜାଣିଥିବେ ବୋଲି କହିଛନ୍ତି ବୃନ୍ଦାବତୀ । ବିଧାୟକଙ୍କୁ ଗିରଫ ସହ ବିଡିଓଙ୍କ ସୁରକ୍ଷା ଦାବି କରିଥିଲେ ବ୍ଲକ ଅଧ୍ୟକ୍ଷା । ବିଡିଓଙ୍କ ଉପରେ ଆକ୍ରମଣ ପରେ ବିଧାୟକଙ୍କ ଗୁଣ୍ଡାଗିରିକୁ ସମାଲୋଚନା କରିଥିଲେ ବ୍ଲକ ଅଧ୍ୟକ୍ଷା । ଏହାସହ ବିଧାୟକଙ୍କ ଗିରଫ ଓ ବିଡିଓଙ୍କ ସୁରକ୍ଷା ଦାବି କରିଥିଲେ ।

ବଦଳିବେ କି ବିଜେପିର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

ବେଙ୍ଗାଲୁରୁ: କିଛି ବିଜେପି ରାଜ୍ୟ ଭଳି କର୍ଣ୍ଣାଟକରେ ବି ମୁଖ୍ୟମନ୍ତ୍ରୀ ବଦଳିବେ କି ? କର୍ଣ୍ଣାଟକ ରାଜନୀତିରେ ବର୍ତ୍ତମାନ ଏହି ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ବିଜେପି ହଟାଇ ପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ରାଜ୍ୟରେ କୌଣସି ନାଟକୀୟ ପରିବର୍ତ୍ତନ କେବଳ ଗୁଜବ ବୋଲି କହି ପ୍ରସଙ୍ଗକୁ ଏଡାଇବାକୁ ଚେଷ୍ଟା କରିଛି ବିଜେପି ।

ରାଜ୍ୟ ବିଜେପିରେ ପରିବର୍ତ୍ତନ ପାଇଁ କେନ୍ଦ୍ରୀୟ ନେତୃତ୍ବ ସମର୍ଥ ବୋଲି ଦଳର ଜାତୀୟ ସାଂଗଠନିକ ସଚିବ ବି.ଏଲ. ସନ୍ତୋଷ ନିକଟରେ ମନ୍ତବ୍ୟ ଦେଇଥିଲେ । ସନ୍ତୋଷଙ୍କ ଏହି ମନ୍ତବ୍ୟ ପରେ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଏସବୁ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବେଙ୍ଗାଳୁରୁ ଗସ୍ତ କରିଛନ୍ତି । ଏଣେ ବୋମ୍ମାଇ ଆସନ୍ତା କିଛିଦିନ ମଧ୍ୟରେ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡୁଛି ।

ଦୋନେସ୍କ ଓ ଖାରକିଭରେ ଋଷର ଏୟାରଷ୍ଟ୍ରାଇକ୍

କିଭ୍: ୬୮ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ବନ୍ଦ ହେଉଛି ଶାନ୍ତିର ବାଟ । ୟୁକ୍ରେନର ଦୋନେସ୍କ ଓ ଖାରକିବରେ ପୁଣି ଋଷ କରିଛି ବଡ଼ ଧରଣର ଏୟାରଷ୍ଟ୍ରାଇକ । ଆକ୍ରମଣରେ ୮ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହାସହ ପୂର୍ବ ୟୁକ୍ରେନରେ ଆକ୍ରମଣକୁ ଅଧିକ ଜୋରଦାର କରିଛି ଋଷ । ଖାରକିବରେ ୟୁକ୍ରେନ ସୈନ୍ୟ ପଛକୁ ହଟିଛନ୍ତି । ଦୋନବାସରେ ଅଧିକାଂଶ ଅଞ୍ଚଳକୁ ଋଷ କବଜା କରିଥିବା ନେଇ ମିଳିଛି ସୂଚନା । ବୋରୋଦ୍ୟାଙ୍କା ଓ ବେରସ୍ୟାଙ୍କାରେ ବି ଜୋରଦାର ହୋଇଛି ଆକ୍ରମଣ ।

ଅନ୍ୟପକ୍ଷରେ କିଭ୍ ଗସ୍ତରେ ଆସି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିବା ସହ ଯୁଦ୍ଧରେ ୟୁକ୍ରେନକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଆମେରିକା ବାଚସ୍ପତି ନାନସି ପାଲୋସି ଘୋଷଣା କରିଛନ୍ତି । ତେଣେ ୟୁକ୍ରେନକୁ M777-155 ମିମି କମାଣ ଯୋଗାଇବା ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଞ୍ଜୁରୀ ଦେଇଛନ୍ତି । ଏହି ଶକ୍ତିଶାଳୀ ତଥା ହାତରେ ଅପରେଟ କରାଯାଇପାରୁଥିବା କମାଣ ଋଷ ଲାଗି ବିପଦ ସାବ୍ୟସ୍ତ ହେବ । ପ୍ରାୟ 40 କିଲୋମିଟର ଦୂରରୁ ଗୋଳାବର୍ଷଣ କରିବା କ୍ଷମତା ରହିଛି ହାଓଜିର । ସେହିପରି ୟୁକ୍ରେନକୁ M777-155 ମିମି କମାଣ ଯୋଗାଇବା ଲାଗି ଘୋଷଣା କରିଛି ଅଷ୍ଟ୍ରେଲିଆ । ୟୁକ୍ରେନକୁ ଆର୍ଥିକ ଓ ସାମରିକ ସହାୟତା ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛି ଜର୍ମାନୀ । ଯୁଦ୍ଧ ପ୍ରତି ଶାନ୍ତିପୂର୍ଣ୍ଣ ମନୋଭାବ ପୁରୁଣାକାଳିଆ ହେଲାଣି ବୋଲି ଜର୍ମାନୀ ଚାନସେଲର ଓଲାଫ୍ ସ୍କଲଜ କହିଛନ୍ତି । ସେ ଶାନ୍ତି ସପକ୍ଷରେ ଅଛନ୍ତି । କିନ୍ତୁ ଭ୍ଲାଦିମିର ପୁଟିନଙ୍କ ୟୁକ୍ରେନ ଆକ୍ରମଣକୁ ବିନା ଅସ୍ତ୍ରରେ ସମ୍ମୁଖୀନ ହେବା ସମ୍ଭବ ନୁହେଁ ବୋଲି ମଧ୍ୟ କହିଛନ୍ତି ।

ସେପଟେ ରେଡକ୍ରସର ଅନ୍ତର୍ଜାତୀୟ କମିଟି ଜରିଆରେ ମାରିୟୁପୋଲସ୍ଥିତ ଆଜୋଭସ୍ତଲ ଷ୍ଟିଲ ପ୍ଲାଣ୍ଟରୁ ବିପନ୍ନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ପ୍ରାୟ୧୦୦ ବିପନ୍ନଙ୍କୁ ପ୍ଲାଣ୍ଟରୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କୁ ବସ୍ ଯୋଗେ ବେଜିମେନିୟକୁ ସ୍ଥାନାନ୍ତର କରାଯାଇଛି । ପ୍ଲାଣ୍ଟ ଭିତରେ ଫସିଥିବା ଲୋକଙ୍କ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି । ଗତ ଏପ୍ରିଲ ୨୬ ତାରିଖରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ଅନୁସାରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ୟୁକ୍ରେନ-ଋଷିଆ ଯୁଦ୍ଧରେ କେହି ବିଜେତା ହେବେନି: ମୋଦି

ନୂଆଦିଲ୍ଲୀ: ୟୁକ୍ରେନ-ଋଷିଆ ଯୁଦ୍ଧରେ କେହି ବିଜେତା ରହିପାରିବେ ନାହିଁ । ଭାରତ ସର୍ବଦା ଶାନ୍ତି ସପକ୍ଷରେ ରହିଆସିଛି । ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷିଆ-ୟୁକ୍ରେନ ବାବଦରେ ଏହି ମନ୍ତବ୍ୟ ଦେଇଛନ୍ତି । ଏହାସହ ଯୁଦ୍ଧ ତୁରନ୍ତ ବନ୍ଦ ହେଉ ବୋଲି ଅପିଲ କରିଛନ୍ତି ।

ଯୁଦ୍ଧ ନେଇ ଭାରତର ଆଭିମୁଖ୍ୟକୁ କିଛି ପାଶ୍ଚାତ୍ୟ ଦେଶ ସମାଲୋଚନା କରିଥିବା ବେଳେ ଜର୍ମାନୀରେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ବେଶ୍ ଗୁରୁତ୍ବ ବହନ କରୁଛି । ଆଜି ୟୁରୋପ ଗସ୍ତର ପ୍ରଥମ ପର୍ଯ୍ୟାୟ ଜର୍ମାନୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ବର୍ଲିନରେ ଜର୍ମାନୀ ଚାନସେଲର ଓଲାଫ ସ୍କଲଜଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବାଣିଜ୍ୟ ଓ ସାଂସ୍କୃତିକ ସଂପର୍କ ନିବିଡ କରିବା ଉପରେ ଦୁଇ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ଦ୍ବିପାକ୍ଷିକ ଆଲୋଚନାରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିଲା । ପରେ ପ୍ରଧାନମନ୍ତ୍ରୀ ମୋଦି ଓ ଜର୍ମାନ ଚାନସେଲର ସ୍କଲଜ ଇଣ୍ଟର ଗଭର୍ଣ୍ଣମେଂଟାଲ୍ କାଉନସିଲ ବୈଠକରେ ଯୋଗ ଦେଇଥିଲେ ।

କମିବ ତେଲ ଦର, ବଜାରକୁ ଆସିବ ଏମ୍-୧୫ ଫୁଏଲ୍!

ନୂଆଦିଲ୍ଲୀ: ଗାଡ଼ିରେ ତେଲ ପକାଇଲାବେଳେ ସମସ୍ତଙ୍କୁ ଏହାର ଦର ବାଧୁଥିବ ନିଶ୍ଚୟ । ତେଲ ଦର ବଢ଼ିବା ସହ ଅନ୍ୟ ସବୁ ସାମଗ୍ରୀର ଦର ବି ବଢ଼ୁଛି । ଏହା ସହ ଲୋକଙ୍କ ଚିନ୍ତା ବି ବଢ଼ୁଛି । ଆପଣ ଯଦି ତେଲ ଦର ବଢ଼ିବା ନେଇ ଚିନ୍ତାରେ ଥାଆନ୍ତି ତାହାଲେ ଆଉ ଚିନ୍ତା କରନ୍ତୁ ନାହିଁ । କାରଣ ଦେଶରେ ଖୁବ୍ ଶୀଘ୍ର ଶସ୍ତା ହୋଇପାରେ ତେଲ ଦର ।

ଲୋକଙ୍କୁ ମହଙ୍ଗାମାଡ଼ରୁ ରକ୍ଷା କରିବା ପାଇଁ ପେଟ୍ରୋଲରେ ମିଶାଯିବ ଏମ୍- ୧୫ । ଅର୍ଥାତ ପେଟ୍ରୋଲରେ ୧୫ ପ୍ରତିଶତ ମିଥାନେଲ ମିଶାଯିବ । ଏହାର ଟ୍ରାଏଲ ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲରେ ୧୫ ପ୍ରତିଶତ ମିଥାନେଲ ମିଶାଯାଇ ଟ୍ରାଏଲ୍ କରାଯାଉଛି । ଆଉ ଏହି ମିଶ୍ରିତ ତେଲକୁ କୁହାଯାଉଛି ଏମ୍-୧୫  ଫୁଏଲ୍ ।

ଏହି ଟ୍ରାଏଲ ଯଦି ସଫଳ ହୁଏ ତାହାଲେ ଦେଶରେ ଖୁବ୍ କମ୍ ଦିନରେ ଶସ୍ତାରେ ମିଳିବ ଗାଡ଼ି ତେଲ । ଏଥିଯୋଗୁ ଚାଳକ ଲାଭବାନ ହେବା ସହ ବିଭିନ୍ନ ସାମଗ୍ରୀ ଆଉ ମହଙ୍ଗା ହେବନାହିଁ ।

ଏହା ପେଟ୍ରୋଲକୁ ରିପ୍ଲେସ କରିପାରିବ । ଏହି ତେଲ ଗାଡ଼ରେ ପଡ଼ିଲେ ପ୍ରଦୂଷଣ ମଧ୍ୟ କମ୍ ହୁଏ । ଡିଜେଲ ବଦଳରେ ଏବେ ମିଥାନେଲକୁ ପୁରାପୁରି ରିପ୍ଲେସ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଗୋଟିଏ ଲିଟର ତେଲ ପାଇଁ ୩୬ ଟଙ୍କା ଖର୍ଚ୍ଚ ହେଉଥିଲାବେଳେ ମିଥାନେଲ ପାଇଁ ଖର୍ଚ୍ଚ ହୋଇଥାଏ ମାତ୍ର ୨୦ ଟଙ୍କା । ତେଣୁ ଏହାକୁ ବ୍ୟବହାର କଲେ ପେଟ୍ରୋଲ ଦର କମିବା ସହ ସାଧାରଣ ଲୋକଙ୍କର ଖର୍ଚ୍ଚ କିଛିଟା କମିବ ।

 

ଓଡ଼ିଶା ଉପକୂଳରେ ହିଟ୍ କରିବ ବାତ୍ୟା ଆସାନୀ

ଭୁବନେଶ୍ବର: ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ପଡ଼ିପାରେ ସମ୍ଭାବ୍ୟ ବାତ୍ୟା ‘ଆସାନୀ’ର ମୂଳଦୁଆ । ଲଘୁଚାପ ହେବା ନେଇ ନିଶ୍ଚିତ ହୋଇଛି ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ବାତ୍ୟା ରୂପରେଖ ନେଇ ଏଯାଏଁ ସ୍ପଷ୍ଟ ହୋଇନି ଚିତ୍ର । ୫ ତାରିଖରୁ ବଙ୍ଗୋପସାଗରରେ ବଦଳିବ ପାଗ । ଲଘୁଚାପ ପରେ ଜଣାପଡ଼ିବ ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ ଡେଷ୍ଟିନେସନ । ଅଧିକାଂଶ ମଡେଲର ଆକଳନ କହୁଛି, ଓଡ଼ିଶା ଉପକୂଳରେ କରିବ ହିଟ୍‌ ।

ବାତ୍ୟା ପାଇଁ ଅନୁକୂଳ ହେଉଛି ପାଗ । ବଙ୍ଗୋପସାଗରରେ ଏକାଠି ହେଉଛି ମେଘଖଣ୍ଡ । ସାଟେଲାଇଟ୍‌ରୁ ମିଳିଲା ଚିତ୍ର । ଦିନକ ପରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ । ସାମ୍ଭାବ୍ୟ ବାତ୍ୟା ନେଇ ଆଇଏମ୍‌ଡିର ଘନଘନ ବୈଠକ । ସିଷ୍ଟମ୍ ଉପରେ ତୀକ୍ଷ୍ନ ନଜର । ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ନିଶ୍ଚିତ ହୋଇଛି । ଏହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଏବଂ ବାତ୍ୟାରେ ପରିଣତ ହେବାର ଅଧିକ ଆଶଙ୍କା ଦେଖାଦେଇଛି । ପାଣିପାଗ ମଡେଲ ଓ୍ବିଣ୍ଡି ପକ୍ଷରୁ ଜାରି ହୋଇଥିବା ଗ୍ରାଫିକ୍ସ ଅନୁସାରେ ବାତ୍ୟାଟି ଅତି ତ୍ରୀବ୍ର ବେଗରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ । କିନ୍ତୁ ଲଘୁଚାପ ପରେ ଏହାର ଗତିପଥ ଏବଂ ତୀବ୍ରତା ଜଣାପଡ଼ିବ । ସେପଟେ ସାମ୍ଭାବ୍ୟ ଲଘୁଚାପ ସୃଷ୍ଟି ପରେ ବାତ୍ୟା ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି କହିଛନ୍ତି ।

ସେପଟେ ବାତ୍ୟା ପାଇଁ ପାଗ ଅନୁକୁଳ ଥିବା କହିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଦୁଇ ତିଦି ଦିନ ମଧ୍ୟରେ ବାତ୍ୟାର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ । ଏପ୍ରିଲରେ ଦାନା ବାନ୍ଧି ମେ’ ୫ ତାରିଖରେ ସ୍ଥଳଭାଗ ଛୁଇଁଥିବା ବାତ୍ୟା ଫନିର ଉତ୍ପତ୍ତି ଏବଂ ଆସାନୀର ଉତ୍ପତି ସ୍ଥଳ ଭିନ୍ନ ଭିନ୍ନ ହୋଇପାରେ । ତେଣୁ ଆସାନୀ ସେତେ ପ୍ରଭାବୀ ହୋଇ ନପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ବାତ୍ୟା ସମୟରେ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ଅନ୍ୟପଟେ ଓଡ଼ିଶାରେ ଆଜି ସାମାନ୍ୟ ତାତି ବଢିଥିବା ବେଳେ ଲୋକ ଅସହ୍ୟ ଗୁଳୁଗୁଳୁରେ ସନ୍ତୁଳି ହେଉଛନ୍ତି । ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି ।

ଯଦି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ତେବେ ତା’ର ପ୍ରଭାବ ଉପକୂଳ ଓଡ଼ିଶାରେ ପଡିବ । ବିଶେଷକରି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜରେ ବର୍ଷା ଓ ପବନ ହେବ ।

ରାଜ୍ୟରେ ରେକର୍ଡ ପରିମାଣ ଜିଏସଟି ଆଦାୟ

ଭୁବନେଶ୍ବର: ରାଜ୍ୟରେ ବଢୁଛି ଜିଏସଟି ଆଦାୟ । ଏଥିରେ ଖଣିକ୍ଷେତ୍ରର ରହିଛି ସିଂହଭାଗ ଅବଦାନ । ଟିକସ ଫାଙ୍କି ଉପରେ ହେଉଛି ଜୋରଦାର ଚଢ଼ାଉ । ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ମାସରେ ରେକର୍ଡ ପରିମାଣର ଜିଏସଟି ଆଦାୟ ହୋଇଛି । ରାଜ୍ୟ ଜିଏସଟି ଗତବର୍ଷ ଏପ୍ରିଲ ତୁଳନାରେ ଏଥର ୫୨ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଏପ୍ରିଲ ମାସରେ ୧୧ଶହ ୨୬ କୋଟି ୬୭ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଏଥର ୫୨ ପ୍ରତିଶତ ବୃଦ୍ଧି ପାଇ ୧୭ ଶହ ୧୪ କୋଟି ୭୮ ଲକ୍ଷ ଟଙ୍କା ଆଦାୟ ହୋଇଛି ।

ସେହିପରି ଗ୍ରସ ଜିଏସଟି ୩୮୪୯ କୋଟି ୪୯ ଲକ୍ଷରୁ ୨୮ ପ୍ରତିଶତ ବୃଦ୍ଧି ପାଇ ୪ ହଜାର ୯୧୦ କୋଟି ୨୩ ଲକ୍ଷରେ ପହଞ୍ଚିଛି । କେନ୍ଦ୍ରୀୟ ଜିଏସଟି ଆଦାୟରେ ବି ୧୮ ପ୍ରତିଶତ ବୃଦ୍ଧି ହୋଇଛି । ନୂଆ ଖଣି ଲିଜ୍ ଏବଂ ଅଧିକ ଖଣି କାରବାର ଯୋଗୁଁ ମାଇନିଂ ସେକ୍ଟରର ରହିଛି ଅଧିକ ଅବଦାନ । ଜିଏସଟି କର୍ତ୍ତୃପକ୍ଷଙ୍କ ଉତ୍ତମ ପରିଚାଳନା, ଲଗାତାର ଚଢାଉ ସହ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଯୋଗୁଁ ଜିଏସଟି ଆଦାୟ ବଢ଼ିଛି ବୋଲି ଜିଏସଟି କମିଶନର କହିଛନ୍ତି ।

ଟିକସ ଫାଙ୍କିବାର ବାଟ ବନ୍ଦ ହେଉଛି । କିଏ କେତେ ବେପାର କରୁଛି, ଲୋକଙ୍କଠାରୁ ଟିକସ ନେଇ କିଏ ଜମା କରୁନାହିଁ, ବୈଷୟିକ ଜ୍ଞାନ କୌଶଳ ସାହାଯ୍ୟରେ ଏସବୁ ଆନାଲାଇଜ୍ କରାଯାଉଛି । ଯେଉଁଠି ବ୍ୟତିକ୍ରମ ହେଉଛି, ଜିଏସଟି କର୍ତ୍ତୃପକ୍ଷ ସେଠି ଯାଞ୍ଚ କରିବା ସହ ଜରିମାନା ଆଦାୟ କରୁଛନ୍ତି । ଲଗାତାର ଚଢାଉ ସହ ବ୍ୟବସାୟୀଙ୍କୁ ସବୁବେଳେ ସେଚେତନ କରାଯାଉଛି । ୨ ବର୍ଷ ତଳେ ୬୦ ପ୍ରତିଶତ ଟିକସ ଦାତା ଜିଏସଟି ପରିସରକୁ ଆସିଥିଲେ । ଏବେ ଏହି ସଂଖ୍ୟା ୯୦ ପ୍ରତିଶତରେ ପହଞ୍ଚିଲାଣି ।

ଜିଏସଟି ଆଦାୟ ରେକର୍ଡ ପରିମାଣର ବୃଦ୍ଧି ପାଇଁ ଖଣି କ୍ଷେତ୍ରର ଅବଦାନ ସବୁଠାରୁ ଅଧିକ । ଖଣି କାରବାରରୁ ଜିଏସଟି ଆଦାୟ ୧୭୯ ପ୍ରତିଶତ ବଢିଥିବା ବେଳେ ନିର୍ମାଣ କ୍ଷେତ୍ରରେ ୨୭୦ ପ୍ରତିଶତ ଏବଂ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ୧୦୫ ପ୍ରତିଶତ ବୃଦ୍ଧି ହୋଇଛି । ଫାଇଭ-ଟି ନୀତି ଆଧାରରେ ଅଭିଯୋଗ ସମାଧାନ ନିର୍ଦ୍ଦିଷ୍ଟ ସମୟ ସୀମାରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅସମ୍ଭାଳ ଖରା, ସମ୍ଭାବ୍ୟ ବାତ୍ୟା ଭୟ: ବଦଳିବ କି ଖରାଛୁଟି ନିର୍ଦ୍ଦେଶନାମା

ଭୁବନେଶ୍ବର: କରୋନା ପାଇଁ ଦୁଇ ବର୍ଷ ହେଲା ଠିକରେ ହେଇପାରିନି କ୍ଲାସରୁମ୍ ପାଠପଢା । ବଳକା କୋର୍ସ ସାରିବାକୁ ମେ’ ମାସ ଖରା ଛୁଟି ବାତିଲ କରାଯାଇ ଜୁନ୍ ୬ରୁ ୧୬ ଯାଏଁ ଘୋଷଣା କରାଯାଇଛି । ତେବେ ପ୍ରବଳ ଖରା ସାଙ୍ଗକୁ ସମ୍ଭାବ୍ୟ ବାତ୍ୟା ନେଇ ଖରା ଛୁଟିରେ ବଦଳିବା ସମ୍ଭାବନା ଦେଖାଦେଇଛି । ଆଜିଠୁ ଖରା ଯୋଗୁଁ ସକାଳ ୬ରୁ ୯ ଯାଏଁ କ୍ଲାସ ହେଉଛି । ଏହା ମେ’ ୧୬ ଯାଏଁ କରିବାକୁ ନିଷ୍ପତ୍ତି ହୋଇଛି । ହେଲେ ଖରା ଓ ଅସମ୍ଭାଳ ଗୁଳୁଗୁଳି ଯୋଗୁଁ ଛୁଟି କାଟ ନିଷ୍ପତ୍ତି କୋହଳ କରିବାକୁ ଚିନ୍ତା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ମେ’ ୧୭ରୁ ୩୦ ଯାଏଁ ଖରା ଛୁଟି କରାଯାଇପାରେ । ଏପରି ହେଲେ ଜୁନ୍ ମାସ ଖରା ଛୁଟି ବାତିଲ କରାଯାଇ ମେ ୩୧ରୁ ପାଠପଢା ଚାଲିବ । ତେବେ ତିନି ଦିନ ରଜ ଛୁଟି ପାଇବେ ଛାତ୍ରଛାତ୍ରୀ । ରାଜ୍ୟ ସରକାର ଯଦି ଖରା ଛୁଟି ସୂଚୀ ଏପରି ଭାବେ ପରିବର୍ତ୍ତନ କରନ୍ତି, କୋର୍ସ ସାରିବାକୁ ସମସ୍ୟା ହେବ ନାହିଁ ବୋଲି ଶିକ୍ଷକଙ୍କ ମହଲରୁ ମତ ପ୍ରକାଶ ପାଇଛି ।

ଖରା ଛୁଟି କାଟ ସମୟରୁ ହିଁ ଅଭିଭାବକମାନେ ସଂଶୋଧନ ଦାବି କରୁଥିଲେ । ମେ’ ମାସରେ ଖରା ପ୍ରଖର ଥିବାବେଳେ ଜୁନରେ ପାଗରେ ପରିବର୍ତ୍ତନ ଆସେ । ତେଣୁ ମେ’ ମାସରେ ଛୁଟି କରି ଜୁନରେ କ୍ଲାସ କରିବାକୁ ଦାବି କରିଥିଲେ ଅଭିଭାବକ ।

ମେ’ ମାସରେ ଛୁଟି ହେଲେ, ସେହି ସମୟ ଭିତରେ ସ୍ବତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କୋରନା ଯୋଗୁଁ ଦୁଇ ବର୍ଷରେ ଯେଉଁ ୩୦ ପ୍ରତିଶତ ପାଠ ବାଦ୍ ଦିଆଯାଇଥିଲା, ତାହା ଏହି ସ୍ବତନ୍ତ୍ର ପୁସ୍ତିକାରେ ପ୍ରକାଶ କରି ଛାତ୍ରଛାତ୍ରୀଙ୍କୁ ପଢା ଯାଇପାରିବ ।

ଭୟଙ୍କର ଘୂର୍ଣ୍ଣିଝଡ଼ରେ ଉଡ଼ିଲା ଘର, ଗଛ, ଗାଡ଼ି

ନୂଆଦିଲ୍ଲୀ: କିଛି ନଥିଲା, ହଠାତ ଆସିଲା ଝଡ଼, ଆଉ ବାଟରେ ଯାହା ପାଇଲା ସବୁ ଉଡେଇ ଛାରଖାର କରିଦେଲା । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଭିଡିଓଟି ହେଉଛି ଆମେରିକା କାନସାସର । ଭିଡିଓରେ ଦେଖାଯାଉଛି ଯେ, ହଠାତ ଏକ ଘୂର୍ଣ୍ଣିଝଡ଼ ଆସୁଛି । ଝଡ଼ରେ ଘର, ଗାଡ଼ି, ଗଛ ସବୁ ଉଡୁଛି । ଭୟଙ୍କର ଦେଖାଯାଉଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଗତ ଶୁକ୍ରବାର ସନ୍ଧ୍ୟାରେ କାନସାସରେ ଏହି ଭୟଙ୍କର ଘୂର୍ଣ୍ଣିଝଡ଼ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ । ଏହା ଏତେ ଶକ୍ତିଶାଳୀ ଥିଲା ଯେ, ଆଖି ପିଛୁଳାକେ ଶହଶହ ଘର ସାଙ୍ଗକୁ ବଡ଼ ବଡ଼ ଗଛ ବି ଭାଙ୍ଗି ଉଡ଼େଇ ନେଇଥିଲା ।

ସୂଚନା ଅନୁସାରେ ଏହି ଝଡ଼ରେ ୧୫ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାଯୋଗୁ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଛି । ବିଜୁଳି ସେବା ଛିନ୍ନ ହେବା ସହ ବିଭିନ୍ନ ସ୍ଥାନରେ ୩ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ସୋସିଆଲ ମିଡିଆ ସାଇଟ୍ ଟ୍ବିଟରରେ ଏହି ଏହି ଭିଡିଓ ସେୟାର କରାଯାଇଛି । ଏହାକୁ ବର୍ତ୍ତମାନ ଯାଏ ୨୮ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

ଅକ୍ଷୟ ତୃତୀୟା ପୂର୍ବରୁ ଅନ୍ନଦାତାଙ୍କୁ କେନ୍ଦ୍ରର ଝଟକା

ଭୁବନେଶ୍ବର: ଦେଶର ଅନ୍ନଦାତାଙ୍କୁ କେନ୍ଦ୍ର ସରକାର କଲେ ପୁଣି ହତାଦର । ତାହା ପୁଣି ଅକ୍ଷୟ ତୃତୀୟା ଦିନକ ପୂର୍ବରୁ । ଯାହା ଖରିଫ ଆରମ୍ଭରୁ ଚାଷୀ ମୁଣ୍ଡରେ ଚଡ଼କ ବୋଲି କହିଲେ ଭୁଲ ହେବନି । କାରଣ କେନ୍ଦ୍ର ସରକାର ପୋଟାସିୟମ ସାର ଦର ୬୫୦ ଟଙ୍କା ବୃଦ୍ଧି କରିଦେଇଛନ୍ତି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ ।

ତେଲ ବଢିଲା, ବଢିଲା ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର । ଏବେ ଚାଷୀ ପେଟକୁ ସିଧା ଲାତ । ଚାଷୀଙ୍କ ପାଇଁ ଚିତ୍କାର କରୁଥିବା କେନ୍ଦ୍ର ସରକାର ବଢାଇଛନ୍ତି ପୋଟାସିୟମ ସାର ଦର । କରୋନାରେ କଲବଲ ହେଉଥିବା ଚାଷୀଙ୍କୁ ରିହାତି ଦେବେ କ’ଣ ଓଲଟା ସାର ଦରରେ ବୃଦ୍ଧି କରି ମୌସୁମୀ ପୂର୍ବରୁ ଦେଇଛନ୍ତି ଝଟକା ।

ରାତି ପାହିଲେ ଅକ୍ଷୟ ତୃତୀୟା । କ୍ଷେତ ପ୍ରସ୍ତୁତ କରି ଅଖିମୁଠି ଅନୁକୂଳ କରିବ ଚାଷୀ । ହେଲେ ପଟାସ ସାରରେ ଦର ବୃଦ୍ଧି ଦେଖି ହତାଶ ଚାଷୀ । ଭଲ ଉତ୍ପାଦନ ପାଇଁ ଜମି ପ୍ରସ୍ତୁତି ସମୟରେ ଲାଗୁଥିବା ପୋଟାସିୟମ ସାରର ମୂଲ୍ୟରେ ୬୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଗତବର୍ଷ ପୋଟାସିୟମ ବା ଏମ୍ଓପି ୫୦ କିଲୋ ବ୍ୟାଗର ମୂଲ୍ୟ ଥିଲା ୧୦୫୦ ଟଙ୍କା । ଏବେ ଦର ବୃଦ୍ଧି ଯୋଗୁ ବ୍ୟାଗ୍ ପିଛା ଚାଷୀ ଗଣିବ ୧୭୦୦ ଟଙ୍କା । କିପରି ନିଜ କ୍ଷେତକୁ ଧାନ ଚାଷ ପାଇଁ ପ୍ରସ୍ତୁତ କରିବା ସେ ନେଇ ଚିନ୍ତାରେ ପଡ଼ିଛି ଚାଷୀ ।

୨୦୨୨ ଖରିଫ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧ ଲକ୍ଷ ମେଟ୍ରିକ୍ ଟନ୍ ଏମ୍ଓପି ଆବଣ୍ଟନ କରିଛନ୍ତି । ଏପ୍ରିଲ ସୁଦ୍ଧା କେନ୍ଦ୍ର ପଠାଇଛି ମାତ୍ର ୭ ହଜାର ୧୧୧ ମେଟ୍ରିକ୍ ଟନ୍ । ଏବେ ପୋଟାସିୟମ ସାର ଦରରେ ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ । ୨୦୨୨ ଖରିଫ ବର୍ଷ ପାଇଁ ଚାଷୀଙ୍କୁ ସାର ଉପରେ ୬ ମାସ ପାଇଁ ୬୦ ହଜାର ୯୩୯ କୋଟି ସବସିଡି ଦେବା ପାଇଁ ଘୋଷଣା କରିଛି କେନ୍ଦ୍ର । ହେଲେ ପଟାସ ସାରରେ ସବସିଡି ଯିବା ପରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ଦରବୃଦ୍ଧି ପ୍ରତ୍ୟେକ ବର୍ଗର ଚାଷୀଙ୍କୁ ବାଧିବ । କେନ୍ଦ୍ର ସରକାର ଏପରି କରି ଚାଷୀଙ୍କ ପ୍ରତି ଉପହାସ କରିଛନ୍ତି, ବୋଲି ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ।

ଏକର ପିଛା ଚାଷୀକୁ ଆବଶ୍ୟକ ୪୦ କେଜି ପୋଟାସିୟମ ସାର । ବିଲ ପ୍ରସ୍ତୁତ ବେଳେ ପ୍ରଥମେ ୨୦ କିଲୋ ପ୍ରୟୋଗ ହୋଇଥାଏ । ଧାନ ଥୋଡ଼ ଓ କ୍ଷୀର ଢୋକିବା ବେଳେ ବାକି ୧୦ କିଲୋ ଲେଖାଏଁ ପୋଟାସିୟମ ଆବଶ୍ୟକ ପଡ଼ିଥାଏ । ତେବେ ମାଟି ପରୀକ୍ଷା କରି ଅନୁମୋଦିତ ସାର ଚାଷୀ ବ୍ୟବହାର କରିବା ଦରକାର । ପୋଟାସିୟମ ସାର ଧାନ ଗଛର ମୂଳ ମଜବୁତ ହେବା ସହ ରୋଗପୋକ ବିରୋଧରେ ଲଢ଼ିବା ପାଇଁ ପ୍ରତିଷେଧକ ଭଳି କାମ କରିଥାଏ । ଏହାସହିତ ମାଟିର ଉର୍ବରତା ବଢ଼ିଥାଏ । ବର୍ଷା ଅଭାବରୁ ମରୁଡ଼ି ସ୍ଥିତି ସୃଷ୍ଟି ହେଲେ ବି ଧାନ ଗଛ ଜଳ ଧାରଣ କରିବା ପାଇଁ ସମର୍ଥ ହୋଇଥାଏ । ଦରବୃଦ୍ଧି ଯୋଗୁଁ ଅଧିକାଂଶ ଚାଷୀ ପୋଟାସିୟମ କିଣିବାକୁ ଅସମର୍ଥ ହୋଇପାରନ୍ତି । ଯାହାକି ଉତ୍ପାଦନକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

ଅକ୍ଷୟ ତୃତୀୟାରେ ଚାଷୀଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଉଛନ୍ତି କାଳିଆ ସହାୟତା ଭେଟି । ହେଲେ ସାର ଦର ବୃଦ୍ଧି କରି ଚାଷୀଙ୍କ ଅଣ୍ଟା ଭାଙ୍ଗିବା ଭଳି କାମ କରିଛି କେନ୍ଦ୍ର । ଚାଷୀଙ୍କ ପାଇଁ କେନ୍ଦ୍ରର ଦୋମୁହାଁ ନୀତିକୁ ସବୁ ମହଲରେ ନିନ୍ଦା କରାଯାଇଛି ।