୩୫ କିଲୋ ଓଜନ କମ୍ କରି ପାଲଟିଲେ ଉଦାହରଣ

1 min read

ପଞ୍ଜାବ : ଆଜିକାଲି ଜିରୋ ସାଇଜର ଟ୍ରେଣ୍ଡ ଚାଲିଥିବା ବେଳେ ବର୍ତ୍ତମାନର ଯୁବପିଢ଼ି ଏହାକୁ ଅଧିକ ଅନୁସରଣ କରୁଥିବା ଦେଖାଯାଉଛି । ଏଥିପାଇଁ ଜିମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଉନାହାନ୍ତି । କିଏ ସର୍ଜରୀ କରି ଓଜନ କମାଉଛି ତ କି ଏ ବ୍ୟାୟାମ କରି । ମାତ୍ର, ଘରେ ବନୁଥିବା ଖାଇବା ଖାଇ ଦେଢ଼ ବର୍ଷରେ ନିଜର ୩୫ କିଲୋ ଓଜନ କମାଇଛନ୍ତି ପଞ୍ଜାବର ମହିଳା ସୁପ୍ରିତ୍ କୌର । ମା’ ହେବା ପରେ ମଧ୍ୟ ସେ ପୂରାପୂରି ଫିଟ୍ ଅଛନ୍ତି ।

ଭାରତର 30 ଟି ରାଜ୍ୟ ମଧ୍ୟରୁ ପଞ୍ଜାବ ଲୋକଙ୍କର ଖାଦ୍ୟପେୟ ଭିନ୍ନ । ଯାହା ଶରୀରର ଓଜନ ଖୁବ୍ ଶୀଘ୍ର ବଢ଼ାଇଥାଏ । ସୁପ୍ରିତ କହିଛନ୍ତି ଖୁବ୍ କମ୍ ପଞ୍ଜାବୀ ଲୋକ ଡାଏଟ କରିହାକୁ ପସନ୍ଦ କରନ୍ତି । ବିବାହ ପୂର୍ବରୁ ତାଙ୍କ ଓଜନ ୬୦ କିଲୋ ଥିବାବେଳେ ମା’ ହେବାପରେ ତାଙ୍କ ଓଜନ କ୍ରମଶଃ ବଢ଼ିବାକୁ ଲାଗିଲା । ସେ ଗର୍ଭବତୀ ଥିବା ସମୟରେ ଅନେକ ଚର୍ବି ଜାତୀୟ ଖାଦ୍ୟ ଘିଅ, ପରଟା, ଲସି ଆଦି ଖାଦ୍ୟ ଖାଇବା ଫଳରେ ଡେଲିଭରି ପରେ ତାଙ୍କ ଓଜନ ୬୦ କିଲୋରୁ ବଢ଼ି ୯୨ କିଲୋରେ ପହଞ୍ଚିଥିଲା । ଅତ୍ୟଧିକ ଓଜନ ବଢ଼ୁଥିବାର ଦେଖି ଶେଷରେ ଓଜନକୁ ଆୟତ୍ତରେ ଆଣିବାକୁ ସେ ସ୍ଥିର କଲେ । ମାତ୍ର, ନିଜ ପିଲାର ଯତ୍ନ ନେବା ସହ ନିଜ ଓଜନ କମାଇବା ଏହି ଦୁଇଟି କାମ ଏକାସାଙ୍ଗେ କରିବା କଷ୍ଟକର ହୋଇପଡ଼ିଥିଲା ।

ଜଣେ ବ୍ୟକ୍ତି ୧୦ରୁ ୧୨ କିଲୋ ଓଜନ କମ୍ କରିବା ସାଧାରଣ କଥା । ମାତ୍ର, ୩୫ କିଲୋ ଓଜନ କରିବା ଜଟିଳ । ଇଣ୍ଟରନେଟରେ ଓଜନ କମାଇବାର ଭିଡିଓ ଦେଖି ସେ ପ୍ରେରିତ ହୋଇଥିଲେ । ଏହା ପରେ ସେ ନିଜର ୬-୭ କିଲୋ ଓଜନ କମ୍ କରିଥିଲେ । ଏହାବାଦ୍ ଫେସବୁକର ଏକ ଫିଟନେସ୍ ଗ୍ରୁପରେ ମଧ୍ୟ ଜଏନ୍ କରିଥିଲେ । ଫିଟନେସର ଏକ ଚାର୍ଟ ପ୍ରସ୍ତୁତ କରି ଦୀର୍ଘ ଦେଢ଼ ବର୍ଷ ପରେ ସେ ନିଜର ୩୫ କିଲୋ ଓଜନ କମାଇବାରେ ସଫଳ ହେଲେ । ବର୍ତ୍ତମାନ ତାଙ୍କ ଓଜନ ୫୭ କିଲୋ । କେବଳ ଏତିକି ନୁହଁ ନିଜ ଖାଇବା ଉପରେ ମଧ୍ୟ ତାଙ୍କୁ ଧ୍ୟାନ ଦେବାକୁ ପଡ଼ୁଥିଲା । ସେ କେବଳ ଘରୋଇ ଖାଇବା ଖାଉଥିଲେ । ସକାଳେ ଅଣ୍ଡା ଅମଲେଟ୍ ଖାଉଥିବା ବେଳେ ମଧ୍ୟାହ୍ନରେ ଭାତ,ଡାଲି,ରୁଟି କିମ୍ୱା ସୋୟାବନ୍ ଖାଉଥିଲେ । ସନ୍ଧ୍ୟା ସମୟରେ ଚା’ ଏବଂ ଫଳ ଖାଆନ୍ତି । ଏଥିସହ ରାତିରେ ଭାତ, ଡାଲି ଖାଇଥାନ୍ତି । ତେଲ ଜାତୀୟ ଖାଦ୍ୟ କମ୍ ଖାଉଥିବା ବେଳେ ଅଧିକ ଫଳ ଖାଆନ୍ତି । ବିବାହ ପରେ କିମ୍ୱା ଗର୍ଭବତୀ ହେବା ପରେ ଅଧିକାଂଶ ମହିଳାଙ୍କ ଓଜନ ବଢ଼ିଥାଏ । ଅନେକ ମହିଳା ଏହାକୁ ଅଧିକ ଗୁରୁତ୍ୱ ଦେଇନଥାନ୍ତି । ଅନ୍ୟମାନଙ୍କ ଭଳି ଏହାକୁ ଅବହେଳା ନ କରି ସୁପ୍ରିତ ଅନେକ ମା’ଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।