spot_img
Home Blog Page 4282

ଭୟଙ୍କର ଘୂର୍ଣ୍ଣିଝଡ଼ରେ ଉଡ଼ିଲା ଘର, ଗଛ, ଗାଡ଼ି

ନୂଆଦିଲ୍ଲୀ: କିଛି ନଥିଲା, ହଠାତ ଆସିଲା ଝଡ଼, ଆଉ ବାଟରେ ଯାହା ପାଇଲା ସବୁ ଉଡେଇ ଛାରଖାର କରିଦେଲା । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଭିଡିଓଟି ହେଉଛି ଆମେରିକା କାନସାସର । ଭିଡିଓରେ ଦେଖାଯାଉଛି ଯେ, ହଠାତ ଏକ ଘୂର୍ଣ୍ଣିଝଡ଼ ଆସୁଛି । ଝଡ଼ରେ ଘର, ଗାଡ଼ି, ଗଛ ସବୁ ଉଡୁଛି । ଭୟଙ୍କର ଦେଖାଯାଉଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଗତ ଶୁକ୍ରବାର ସନ୍ଧ୍ୟାରେ କାନସାସରେ ଏହି ଭୟଙ୍କର ଘୂର୍ଣ୍ଣିଝଡ଼ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ । ଏହା ଏତେ ଶକ୍ତିଶାଳୀ ଥିଲା ଯେ, ଆଖି ପିଛୁଳାକେ ଶହଶହ ଘର ସାଙ୍ଗକୁ ବଡ଼ ବଡ଼ ଗଛ ବି ଭାଙ୍ଗି ଉଡ଼େଇ ନେଇଥିଲା ।

ସୂଚନା ଅନୁସାରେ ଏହି ଝଡ଼ରେ ୧୫ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାଯୋଗୁ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଛି । ବିଜୁଳି ସେବା ଛିନ୍ନ ହେବା ସହ ବିଭିନ୍ନ ସ୍ଥାନରେ ୩ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ସୋସିଆଲ ମିଡିଆ ସାଇଟ୍ ଟ୍ବିଟରରେ ଏହି ଏହି ଭିଡିଓ ସେୟାର କରାଯାଇଛି । ଏହାକୁ ବର୍ତ୍ତମାନ ଯାଏ ୨୮ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

ଅକ୍ଷୟ ତୃତୀୟା ପୂର୍ବରୁ ଅନ୍ନଦାତାଙ୍କୁ କେନ୍ଦ୍ରର ଝଟକା

ଭୁବନେଶ୍ବର: ଦେଶର ଅନ୍ନଦାତାଙ୍କୁ କେନ୍ଦ୍ର ସରକାର କଲେ ପୁଣି ହତାଦର । ତାହା ପୁଣି ଅକ୍ଷୟ ତୃତୀୟା ଦିନକ ପୂର୍ବରୁ । ଯାହା ଖରିଫ ଆରମ୍ଭରୁ ଚାଷୀ ମୁଣ୍ଡରେ ଚଡ଼କ ବୋଲି କହିଲେ ଭୁଲ ହେବନି । କାରଣ କେନ୍ଦ୍ର ସରକାର ପୋଟାସିୟମ ସାର ଦର ୬୫୦ ଟଙ୍କା ବୃଦ୍ଧି କରିଦେଇଛନ୍ତି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ ।

ତେଲ ବଢିଲା, ବଢିଲା ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର । ଏବେ ଚାଷୀ ପେଟକୁ ସିଧା ଲାତ । ଚାଷୀଙ୍କ ପାଇଁ ଚିତ୍କାର କରୁଥିବା କେନ୍ଦ୍ର ସରକାର ବଢାଇଛନ୍ତି ପୋଟାସିୟମ ସାର ଦର । କରୋନାରେ କଲବଲ ହେଉଥିବା ଚାଷୀଙ୍କୁ ରିହାତି ଦେବେ କ’ଣ ଓଲଟା ସାର ଦରରେ ବୃଦ୍ଧି କରି ମୌସୁମୀ ପୂର୍ବରୁ ଦେଇଛନ୍ତି ଝଟକା ।

ରାତି ପାହିଲେ ଅକ୍ଷୟ ତୃତୀୟା । କ୍ଷେତ ପ୍ରସ୍ତୁତ କରି ଅଖିମୁଠି ଅନୁକୂଳ କରିବ ଚାଷୀ । ହେଲେ ପଟାସ ସାରରେ ଦର ବୃଦ୍ଧି ଦେଖି ହତାଶ ଚାଷୀ । ଭଲ ଉତ୍ପାଦନ ପାଇଁ ଜମି ପ୍ରସ୍ତୁତି ସମୟରେ ଲାଗୁଥିବା ପୋଟାସିୟମ ସାରର ମୂଲ୍ୟରେ ୬୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଗତବର୍ଷ ପୋଟାସିୟମ ବା ଏମ୍ଓପି ୫୦ କିଲୋ ବ୍ୟାଗର ମୂଲ୍ୟ ଥିଲା ୧୦୫୦ ଟଙ୍କା । ଏବେ ଦର ବୃଦ୍ଧି ଯୋଗୁ ବ୍ୟାଗ୍ ପିଛା ଚାଷୀ ଗଣିବ ୧୭୦୦ ଟଙ୍କା । କିପରି ନିଜ କ୍ଷେତକୁ ଧାନ ଚାଷ ପାଇଁ ପ୍ରସ୍ତୁତ କରିବା ସେ ନେଇ ଚିନ୍ତାରେ ପଡ଼ିଛି ଚାଷୀ ।

୨୦୨୨ ଖରିଫ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧ ଲକ୍ଷ ମେଟ୍ରିକ୍ ଟନ୍ ଏମ୍ଓପି ଆବଣ୍ଟନ କରିଛନ୍ତି । ଏପ୍ରିଲ ସୁଦ୍ଧା କେନ୍ଦ୍ର ପଠାଇଛି ମାତ୍ର ୭ ହଜାର ୧୧୧ ମେଟ୍ରିକ୍ ଟନ୍ । ଏବେ ପୋଟାସିୟମ ସାର ଦରରେ ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ । ୨୦୨୨ ଖରିଫ ବର୍ଷ ପାଇଁ ଚାଷୀଙ୍କୁ ସାର ଉପରେ ୬ ମାସ ପାଇଁ ୬୦ ହଜାର ୯୩୯ କୋଟି ସବସିଡି ଦେବା ପାଇଁ ଘୋଷଣା କରିଛି କେନ୍ଦ୍ର । ହେଲେ ପଟାସ ସାରରେ ସବସିଡି ଯିବା ପରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ଦରବୃଦ୍ଧି ପ୍ରତ୍ୟେକ ବର୍ଗର ଚାଷୀଙ୍କୁ ବାଧିବ । କେନ୍ଦ୍ର ସରକାର ଏପରି କରି ଚାଷୀଙ୍କ ପ୍ରତି ଉପହାସ କରିଛନ୍ତି, ବୋଲି ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ।

ଏକର ପିଛା ଚାଷୀକୁ ଆବଶ୍ୟକ ୪୦ କେଜି ପୋଟାସିୟମ ସାର । ବିଲ ପ୍ରସ୍ତୁତ ବେଳେ ପ୍ରଥମେ ୨୦ କିଲୋ ପ୍ରୟୋଗ ହୋଇଥାଏ । ଧାନ ଥୋଡ଼ ଓ କ୍ଷୀର ଢୋକିବା ବେଳେ ବାକି ୧୦ କିଲୋ ଲେଖାଏଁ ପୋଟାସିୟମ ଆବଶ୍ୟକ ପଡ଼ିଥାଏ । ତେବେ ମାଟି ପରୀକ୍ଷା କରି ଅନୁମୋଦିତ ସାର ଚାଷୀ ବ୍ୟବହାର କରିବା ଦରକାର । ପୋଟାସିୟମ ସାର ଧାନ ଗଛର ମୂଳ ମଜବୁତ ହେବା ସହ ରୋଗପୋକ ବିରୋଧରେ ଲଢ଼ିବା ପାଇଁ ପ୍ରତିଷେଧକ ଭଳି କାମ କରିଥାଏ । ଏହାସହିତ ମାଟିର ଉର୍ବରତା ବଢ଼ିଥାଏ । ବର୍ଷା ଅଭାବରୁ ମରୁଡ଼ି ସ୍ଥିତି ସୃଷ୍ଟି ହେଲେ ବି ଧାନ ଗଛ ଜଳ ଧାରଣ କରିବା ପାଇଁ ସମର୍ଥ ହୋଇଥାଏ । ଦରବୃଦ୍ଧି ଯୋଗୁଁ ଅଧିକାଂଶ ଚାଷୀ ପୋଟାସିୟମ କିଣିବାକୁ ଅସମର୍ଥ ହୋଇପାରନ୍ତି । ଯାହାକି ଉତ୍ପାଦନକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

ଅକ୍ଷୟ ତୃତୀୟାରେ ଚାଷୀଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଉଛନ୍ତି କାଳିଆ ସହାୟତା ଭେଟି । ହେଲେ ସାର ଦର ବୃଦ୍ଧି କରି ଚାଷୀଙ୍କ ଅଣ୍ଟା ଭାଙ୍ଗିବା ଭଳି କାମ କରିଛି କେନ୍ଦ୍ର । ଚାଷୀଙ୍କ ପାଇଁ କେନ୍ଦ୍ରର ଦୋମୁହାଁ ନୀତିକୁ ସବୁ ମହଲରେ ନିନ୍ଦା କରାଯାଇଛି ।

ଶ୍ରୀଲଙ୍କାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

ଅସ୍ଥିରତା ବଳୟରେ ଶ୍ରୀଲଙ୍କା । ଖୋଲୁନି ସମାଧାନର ବାଟ । ଦିନକୁ ଦିନ ସ୍ଥିତି ହେଉଛି ଜଟିଳ । ଆସନ୍ତା ବୁଧବାରଠାରୁ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ବିରୋଧୀ କରିଛନ୍ତି ମେଳି । ସେପଟେ ଦେଶରେ ସାନି ନିର୍ବାଚନ କରିବାକୁ ଦାବି କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ମୈଥ୍ରୀପାଳ ସିରିସେନା ।

ଘନୀଭୂତ ହେବାରେ ଲାଗିଛି ଶ୍ରୀଲଙ୍କା ସଂକଟ । ଦିନକୁ ଦିନ ଅସ୍ଥିରତା ଭିତରକୁ ଠେଲି ହୋଇଯାଉଛି ଦ୍ୱୀପଦେଶ । ଆକାଶଛୁଆଁ ଦରବୃଦ୍ଧି, ଖାଦ୍ୟ, ଇନ୍ଧନ, ମେଡିସିନ ଅଭାବ ଭିତରେ ଦୁର୍ଦ୍ଦଶା ପହଞ୍ଚିଛି ଚରମ ସୀମାରେ । ସାରା ଦେଶରେ ସରକାର ବିରୋଧୀ ଆନ୍ଦୋଳନ ବି ଜାରି ରହିଛି । ଆନ୍ଦୋଳନ ନ କରି ଦେଶ ସମସ୍ୟାର ସମାଧାନ ଲାଗି ଏକାଠି ହେବା ଲାଗି ସମସ୍ତ ରାଜନୈତିକ ଦଳଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ । ସେପଟେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସଂସଦ ଅଧିବେଶନ ।

ତେବେ ଅଧିବେଶନରେ ଆର୍ଥିକ ସଂକଟ ଟାଳିବା ନେଇ ଆଲୋଚନା ବଦଳରେ ରାଜନୈତିକ ଝଡ଼ ଉଠିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ବିରୋଧୀ କରିଛନ୍ତି ମେଳି । ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆଣିବା ସମ୍ପର୍କରେ ଘୋଷଣା କରିଥିଲେ ଶ୍ରୀଲଙ୍କା ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା । ବୁଧବାର ଉପବାଚସ୍ପତି ନିର୍ବାଚନ କରାଯିବ କାରଣ ଗତ ଏପ୍ରିଲ ୩୦ରେ ଉପବାଚସ୍ପତି ରଣଜିତ ସିୟାମ୍ପାଲପିତ୍ୟା ଇସ୍ତଫା ଦେଇଥିଲେ । ତେଣେ ଦେଶରେ ସାନି ନିର୍ବାଚନ କରିବାକୁ ଦାବି କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ମୈଥ୍ରୀପାଳ ସିରିସେନା । ଦେଶର ପ୍ରାୟ ୩ ଲକ୍ଷ ଲୋକ ଭୋକ ଉପାସରେ ରହିଛନ୍ତି ବୋଲି ସେ କହିଛନ୍ତି ।

୧୯୪୮ରେ ସ୍ୱାଧୀନତା ପରଠାରୁ ସବୁଠାରୁ ବଡ଼ ଅର୍ଥନୈତିକ ସମସ୍ୟାରେ ପଡିଥିବା ଶ୍ରୀଲଙ୍ଗାରେ ଜାରି ରହିଛି ବିଜୁଳିକାଟ । ୫୧ ବିଲିୟନ ଡଲାର ଋଣ ଭାରରେ ସଢୁଥିବା ଶ୍ରୀଲଙ୍କା ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବାବେଳେ ଗତ ଏପ୍ରିଲ ୧୨ରେ ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷିତ କରିବାକୁ ବାଧ୍ୟ ହୋଇଥିଲା । ସରକାରଙ୍କ ଇସ୍ତଫା ଦାବିରେ ଗତ ଗୁରୁବାର ପ୍ରାୟ ୧୦୦୦ ଟ୍ରେଡ ୟୁନିଅନ କରିଥିଲେ ଦିନିକିଆ ଧର୍ମଘଟ । ତେବେ ଆନ୍ଦୋଳନ ସତ୍ତ୍ୱେ ଇସ୍ତଫା ଦେବାକୁ ଅଗ୍ରାହ୍ୟ କରିଆସୁଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ।

ଗାଳି କରି ଭାଇରାଲ ହେଉଛନ୍ତି କ୍ରିକେଟର ଗମ୍ଭୀର

ନୂଆଦିଲ୍ଲୀ: ଆଇପିଏଲର ୪୫ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରିଛି । ଏହା ସହ ପ୍ଲେ ଅଫରେ ପହଞ୍ଚିବା ପାଇଁ ନିଜର ଦାବିକୁ ସୁଦୃଢ଼ କରିଛି। କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ସୁପର ଜିଆଣ୍ଟସ୍ ଚଳିତ ସିଜନରେ ଖେଳାଯାଇଥିବା ୧୦ଟି ମ୍ୟାଚ୍ ମଧ୍ୟରୁ ୭ଟି ଜିତି ପଏଣ୍ଟ୍ ଟେବୁଲରେ ୧୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହି ମ୍ୟାଚର ଶେଷ ମୁହୂର୍ତ୍ତରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ପରାମର୍ଶଦାତା ଗୌତମ ଗମ୍ଭୀର ତାଙ୍କ ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ। ତାଙ୍କ ପାଟିରୁ ବାହାରିଥିବା କଥା କ୍ୟାମେରାରେ କଏଦ ହେଇଯାଇଥିଲା। ଗମ୍ଭୀରଙ୍କ ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।

ବାସ୍ତବରେ, ଦିଲ୍ଲୀ କ୍ୟାପିଟାଲ୍ସ ଜିତିବା ପାଇଁ ଶେଷ ଓଭରରେ ୨୨ ରନ୍ ଆବଶ୍ୟକ କରୁଥିଲା ​​| ଦିଲ୍ଲୀ ପାଇଁ କ୍ରିଜରେ କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲ ଥିଲେ। ଲକ୍ଷ୍ନୌ ସୁପର ଜିଆଣ୍ଟସରୁ ମାର୍କସ ଷ୍ଟୋୟନିସ ମ୍ୟାଚର ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ।

ଷ୍ଟୋନିସ୍ ଓଭରର ପ୍ରଥମ ବଲରେ କୁଲଦୀପ ଗୋଟିଏ ଛକା ମାରିଥିଲେ । ଦ୍ବିତୀୟ ବଲଟି ଓ୍ବାଇଡ ହୋଇଥିଲା । ପର ବଲରେ କୁଲଦୀପ ଏକ ରନ୍ ନେଇଥିଲେ । ଏହାପରେ ୩ଟି ବଲରେ ଅକ୍ଷର କୌଣସି ରନ୍ କରିପାରି ନଥିଲେ । ତେବେ ଶେଷ ବଲରେ ଅକ୍ଷର ଏକ ବିଶାଳ ଛକା ମାରିଥିଲେ । କିନ୍ତୁ ବିଜୟ ହାସଲ ପାଇଁ ତାହା ପର୍ଯ୍ୟାପ୍ତ ହୋଇନଥିଲା । ତେବେ ଜିଆଣ୍ଟସଙ୍କ ବିଜୟରେ ଗମ୍ଭୀର ପ୍ରତିକ୍ରିୟାଶୀଳ ହୋଇଯାଇଥିଲେ । ଏମିତିକି ସେ ସ୍ଥାନ, କାଳ ପାତ୍ର ଭୁଲି ଯାଇଥିଲେ । ତାଙ୍କ ପାଟିରୁ ବାହାରିଥିଲା ଅପମାନଜନକ ଶବ୍ଦ ।

ଆହୁରି ଦକ୍ଷ ହେବେ ଲାଇଫଗାର୍ଡ, ସମୁଦ୍ରରେ ବୁଡି ଯିବନି କାହା ଜୀବନ

ପୁରୀ: ପୁରୀ ସମୁଦ୍ରରେ ଯେମିତି କାହାର କୌଣସି ପର୍ଯ୍ୟଟକ ବୁଡି ଜୀବନ ହାରିବେନି, ସେଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରୟାସ । ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ଉପରେ ବିଭାଗର ଗୁରୁତ୍ବ । ସମୁଦ୍ରରେ କୌଣସି ଅଘଟଣ ଘଟିଲେ ତତକ୍ଷଣାତ୍ ଉଦ୍ଧାର ପାଇଁ ଲାଇଫଗାର୍ଡଙ୍କୁ ଦିଆଯାଉଛି ତାଲିମ । କାର୍ଯ୍ୟରତ ୩୦୦ ଗାର୍ଡଙ୍କୁ ୬ଟି ପର୍ଯ୍ୟାୟରେ ନେଉଛନ୍ତି ପ୍ରଶିକ୍ଷଣ । ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର ସହିତ ସେମାନଙ୍କୁ ଉତ୍ତମ ବ୍ୟବହାର ଉପରେ ଦିଆଯାଉଛି ଗୁରୁତ୍ବ ।

ସମୁଦ୍ରରେ ବୁଡ଼ି ଯାଉଥିଲେ କେମିତି କରାଯିବ ଉଦ୍ଧାର ? ପର୍ଯ୍ୟଟକଙ୍କୁ କିପରି କରାଯିବ ଉତ୍ତମ ବ୍ୟବହାର ? ଲୋକଙ୍କୁ ସଚେତନ ସହିତ ଆକସ୍ମିକ ଦୁର୍ଘଟଣାକୁ ଏଡ଼ାଇବାକୁ ପୁରୀରେ ଲାଇଫ ଗାର୍ଡଙ୍କୁ ଦିଆଯାଉଛି ସ୍ବତନ୍ତ୍ର ତାଲିମ । କାର୍ଯ୍ୟରତ 300 ଗାର୍ଡଙ୍କୁ 6ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେଉଛି ପର୍ଯ୍ୟଟନ ବିଭାଗ । ବିଶେଷ କରି ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର ଓ ତତକ୍ଷଣାତ୍ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯାଉଛି  । ପ୍ରଶିକ୍ଷଣ ଦ୍ବାରା ଲାଇଫଗାର୍ଡମାନେ ସ୍ବାବଲମ୍ବୀ ହେବା ସହିତ ବୁଡ଼ି ଯାଉଥିବା ଜୀବନ ମଧ୍ୟ ବଞ୍ଚିପାରିବ ।

ସମୁଦ୍ର ସ୍ନାନ ଏକ ଆନନ୍ଦଭରା ଅବିସ୍ମରଣୀୟ ସ୍ମୃତି । ମାତ୍ର ଅନେକ ସମୟରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ଅନେକ ପର୍ଯ୍ୟଟକ ବୁଡ଼ି ଯାଉଥିବା ଦେଖିବାକୁ ମିଳିଛି । ଉଦ୍ଧାର କରିବାକୁ ବେଳାଭୁମୀରେ ଲାଇଫଗାର୍ଡ ମହଜୁଦ ରହିଛନ୍ତି  । ଏବେ ସେମାନଙ୍କୁ ଆହୁରି ପ୍ରଶିକ୍ଷିତ କରି ଲୋକଙ୍କ ଜୀବନ ବଞ୍ଚାଇବାକୁ କର୍ମଶାଳାରେ ପ୍ରୟାସ କରୁଛି ପର୍ଯ୍ୟଟନ ବିଭାଗ । ଉଦ୍ଧାରର କଳାକୌଶଳ ସହିତ ପର୍ଯ୍ୟଟକଙ୍କୁ ଉପଯୁକ୍ତ ବ୍ୟବହାର ଓ ସଚେତନ କରିବାକୁ ତାଲିମ ଦିଆଯାଉଛି ।

ପୁରୀ ବେଳାଭୂମୀରେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କର ଭିଡ଼ ଜମୁଥିବା ବେଳେ  ଅନେକ ସମୟରେ ଅଘଟଣ ଘଟି କେତେକଙ୍କର ଜୀବନ ମଧ୍ୟ ଯାଉଛି । ଏଣୁ ବୁଡ଼ିଯାଉଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଲାଇଫଗାର୍ଡଙ୍କୁ ଦିଆଯାଉଛି ସ୍ବତନ୍ତ୍ର ତାଲିମ ।

ବାତ୍ୟା ମୁକାବିଲା ପ୍ରସ୍ତୁତି: ଫୋକସରେ ଜିରୋ କାଜୁଆଲିଟି

ଭୁବନେଶ୍ବର: ଆସୁଛି ସମ୍ଭାବ୍ୟ ବାତ୍ୟା ‘ଆସାନୀ’ । ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ପଡ଼ିବ ମୂଳଦୁଆ । ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ହୋଇଛି ବିଏମସି । ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସ୍ଥିତିର ସମୀକ୍ଷା ସହିତ ସମନ୍ବୟ ବୈଠକ କରିଛନ୍ତି ମେୟର । ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ଜିରୋ କାଜୁଆଲଟି ଉପରେ ଦିଆଯାଇଛି ଗୁରୁତ୍ବ ।

ବାତ୍ୟା ଆସିଲେ କେମିତି କରାଯିବ ମୁକାବିଲା ? ସମ୍ଭାବ୍ୟ ସାଇକ୍ଲୋନକୁ ନେଇ ସଜାଗ  ବିଏମସି । ଫୋକସରେ ଜିରୋ କାଜୁଆଲଟି । ପୂର୍ବ ଅନୁଭୂତି ଓ ଅଭିଜ୍ଞତା ଆଧାରରେ ନିଆଯିବ ପଦକ୍ଷେପ । ସମ୍ଭାବ୍ୟ ବାତ୍ୟାକୁ ନେଇ ୧୧ଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ଜାରି ହୋଇଛି ଆଲର୍ଟ । ଏହା ଭିତରେ ରହିଛି ଖୋର୍ଦ୍ଧା । ଯାହାକୁ ନେଇ ଆଗୁଆ ପ୍ରସ୍ତୁତି କରିଛି ବିଏମସି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ବୈଠକ କରି ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ରାଜଧାନୀରେ ୩୨ଟି ନାଳ ସମ୍ବେଦନଶୀଳ ଥିବା ବେଳେ ୭୨ଟି ଖାଲୁଆ ଅଞ୍ଚଳ ଚିହ୍ନଟ ହୋଇଛି । ଏହି ଅଞ୍ଚଳଗୁଡିକର ବର୍ଷା ଜଳ ନିଷ୍କାସନକୁ ଗୁରୁତ୍ବ ଦିଆଯାଇଛି । ଫନିରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଭୁବନେଶ୍ବର । ସେ ସମୟର ଅଭିଜ୍ଞତା ଆଧାରରେ ବାତ୍ୟା ମୁକାବିଲା ପାଇଁ ହୋଇଛି ପ୍ରସ୍ତୁତି ।

ଜରୁରୀ ବୈଠକରେ ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରି ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଫୋକସରେ ରହିଛି ଜିରୋ କାଜୁଆଲଟି । ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ସହିତ ପଶୁ ସମ୍ପଦଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି । ୨୪ଘଣ୍ଟିଆ କଣ୍ଟୋଲ ରୁମ୍ ଏବଂ ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖାଯିବ । ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଲେ ତୁରନ୍ତ ମରାମତି ପାଇଁ ହୋଇଛି ଆଲୋଚନା । ବାତ୍ୟା ପରବର୍ତ୍ତି ପୁନରୁଦ୍ଧାର କାର୍ଯ୍ୟ ସହିତ ପାନୀୟ ସମସ୍ୟାର ଦୂରିକରଣ ଓ ରିଲିଫ ପ୍ରଦାନକୁ ଗୁରୁତ୍ବ ଦିଆଯିବ । ସବୁ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ସଠିକ୍ ପରିଚାଳନା ଉପରେ ଫୋକସ କରିଛନ୍ତି ମେୟର ।

ସମ୍ଭାବ୍ୟ ବାତ୍ୟକୁ ଆହୁରି ସପ୍ତାହେରୁ ଅଧିକ ଦିନ ବାକି ରହିଛି । ତେବେ ଏବେଠାରୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି ।

ମେ’ ୩୧ରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ଭୁବନେଶ୍ବର: ବାଜିଲା ବ୍ରଜଗରାଜନଗର ବିଧାନସଭା ଉପନିର୍ବାଚନ ବିଗୁଲ । ମେ’ ୩୧ ତାରିଖରେ ନିର୍ବାଚନ । ମେ’ ୪ରେ ପ୍ରକାଶ ପାଇବ ବିଜ୍ଞାପନ । ସେହି ଦିନଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ମେ’ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ । ୧୨ରେ ଯାଞ୍ଚ ଓ ୧୬ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର । ଜୁନ ୩ ତାରିଖରେ ଭୋଟ ଗଣତି ।

ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କର ଗତବର୍ଷ ଡିସେମ୍ବର ୩୧ରେ ପରଲୋକ ପରଠାରୁ ଆସନ ଖାଲି ପଡ଼ିଛି । ନିର୍ବାଚନ ତାରିଖ ଘୋଷଣା ପରେ ରାଜେନୖତିକ ମହଲରେ ତତ୍ପରତା ଦେଖାଦେଇଛି । ଶାସକ ବିଜେଡି ଆସନଟିକୁ ନିଜ ହାତରେ ରଖିବା ପାଇଁ ରଣନୀତି ଆଗୁଆ ପ୍ରସ୍ତୁତ କରିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ପଛରେ ପଡି ନାହାନ୍ତି । ତାରିଖ ଘୋଷଣା ପରେ ତିନ ଦଳର ପ୍ରାର୍ଥୀ ଖୁବ୍ ଶୀଘ୍ର ଘୋଷଣା ହେବାର ସମ୍ଭାବନା ରହିଛି ।

ଏହାସହ କେରଳର ଥ୍ରୀକ୍କାକରା ଏବଂ ଉତ୍ତରାଖଣ୍ଡର ଚମ୍ପାଓ୍ବତରେ ସମାନ ତାରିଖରେ ଉପନିର୍ବାଚନ ହେବ । ଉତ୍ତରାଖଣ୍ଡରେ ନାମାଙ୍କନପତ୍ର ପ୍ରତ୍ୟାହାର ତାରିଖ ମେ’ ୧୭ ବଦଳରେ ମେ’ ୧୭ ରଖାଯାଇଛି । କାରଣ ମେ’ ୧୬ରେ ଉତ୍ତରାଖଣ୍ଡରେ ବୁଦ୍ଧ ପୂର୍ଣ୍ଣିମା ରହୁଛି ।

ତିନି ରାଜ୍ୟର ତିନି ବିଧାନସଭା ଆସନ ପାଇଁ କେନ୍ଦ୍ର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି ।

ରାଣା ଦମ୍ପତିଙ୍କ ଜାମିନ ଶୁଣାଣି ବୁଧବାରକୁ ଘୁଞ୍ଚିଲା

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ ରାଣା ଦମ୍ପତି ।  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ସାମ୍ନାରେ ହନୁମାନ ଚାଳିଶା ପଢିବାକୁ ନେଇ ଗିରଫ ହୋଇଥିବା ନିର୍ଦ୍ଧଳୀୟ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ପୁଣି ନିରାଶ ହୋଇଛନ୍ତି । ହନୁମାନ ଚାଳିଶା ବିବାଦରେ ଛନ୍ଦି ହୋଇ ଗିରଫ ହୋଇଥିଲେ ରାଣା ଦମ୍ପତି । ପରେ ୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ । ତେବେ ଆଜି ଅର୍ଥାତ ସୋମବାର ମାମଲାର ରାୟ ପ୍ରକାଶ କରିଥାନ୍ତେ କୋର୍ଟ । କିନ୍ତୁ ତାହାକୁ ବୁଧବାର ଯାଏଁ ଘୁଞ୍ଚାଇ ଦିଆଯାଇଛି । ଜାମିନ ଆବେଦନ ଉପରେ ଆସନ୍ତା ବୁଧବାର ଦିନ ରାୟ ଶୁଣାଇବେ ମାନ୍ୟବର କୋର୍ଟ ।

ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ହୋଇ ଜେଲରେ ଥିବା ରାଣା ଦମ୍ପତ୍ତିଙ୍କୁ ପୂର୍ବରୁ ମିଳିନଥିଲା ଜାମିନ । ଶନିବାର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ସୋମବାର ଅର୍ଥାତ ଆଜି ମାମଲାର ରାୟ ପ୍ରକାଶ କରାଯିବାର ଥିଲା । କିନ୍ତୁ ତାହାକୁ ଆସନ୍ତା ବୁଧବାରକୁ ଘୁଞ୍ଚାଇଛନ୍ତି କୋର୍ଟ । ଗତ ଶନିବାର ଦିନ ଘଟଣାର ଶୁଣାଣି ହୋଇଥିଲା । ଉଭୟ ପକ୍ଷର ଦଲିଲ୍‌ ଯାଞ୍ଚ କରିଥିଲେ କୋର୍ଟ । ପ୍ରାୟ ଅଢେଇ ଘଣ୍ଟା ଧରି କୋର୍ଟ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ ।

ଉଲ୍ଲେଖ ଥାଉ କି, ସାଂସଦ ନବନୀତ ରାଣା ଘୋଷଣା କରିଥିଲେ ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପାଠ କରିବେ । ଯାହାକୁ ନେଇ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଦେଖାଦେଇଥିଲା । ଅନ୍ୟପଟେ ନବନୀତ ରାଣାଙ୍କ ବାସଭବନ ଆଗରେ ମଧ୍ୟ ଶିବସେନା କର୍ମୀ ଏକାଠି ହୋଇ ବିଭିନ୍ନ ନାରା ଦେଇଥିଲେ । ଯାହା ପରେ ଅନୁମାନ ଚାଳିଶା ପଢିବେ ନାହିଁ ବୋଲି ସଫେଇ ଦେଇଥିଲେ ନବନୀତ ରାଣା ।

ଏଥିସହିତ ପଢ଼ନ୍ତୁ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ‘ଚୋର-ଚୋର’ ନାରା: ଗିରଫ ହୋଇପାରନ୍ତି ଇମ୍ରାନ

ଏମ୍ସରେ ପ୍ରଥମ: ୧୦ ଘଣ୍ଟା ଅପରେସନ ପରେ ଯୋଡ଼ା ହେଲା ସମ୍ପୂର୍ଣ୍ଣ କଟି ଯାଇଥିବା ଆଙ୍ଗୁଳି

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର । ଡାକ୍ତରୀ ଟିମଙ୍କ ୧୦ ଘଣ୍ଟାର ପରିଶ୍ରମ ପରେ ଯୋଡା ହେଲା ସମ୍ପୂର୍ଣ୍ଣ କଟି ଯାଇଥିବା ବାମ ହାତର ଆଙ୍ଗୁଳି । ଅସ୍ତ୍ରୋପଚାର ପରିଚାଳନା କରିଥିଲେ ପୋଡାଜଳା ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର  ଆସୋସିଏଟ ପ୍ରଫେସର ଡକ୍ତର ସଞ୍ଜୟ ଗିରି । ବ୍ୟକ୍ତି ଜଣଙ୍କ ସୁସ୍ଥ ଅଛନ୍ତି ଓ ଅସ୍ତ୍ରୋପଚାରର ୧୦ ଦିନ ପରେ ତାଙ୍କୁ ଡିସଚାର୍ଜ କରି ଦିଆଯାଇଥିବା ଡାକ୍ତର ଗିରି କହିଛନ୍ତି । ଏମ୍ସରେ ଏମିତି ଅସ୍ତ୍ରୋପଚାର ସଫଳତାର ସହ ପ୍ରଥମ ଥର ହୋଇଥିବା ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ୨୦ ଏପ୍ରିଲ ସକାଳେ ଖୋର୍ଦ୍ଧା ଚନ୍ଦେଶ୍ବରର ରବୀନ୍ଦ୍ର ମୁଦୁଲି (୫୪) ନାମକ ଜଣେ ବ୍ୟକ୍ତିଙ୍କ ବାମ ହାତର ବୁଢ଼ା ଆଙ୍ଗୁଳି ଏକ ମେସିନ କଟ୍ଟରରେ ସମ୍ପୂର୍ଣ୍ଣ କଟିଯାଇଥିଲା । ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ରବୀନ୍ଦଙ୍କୁ ଏମ୍ସକୁ ଅଣାଯାଇଥିବା ବେଳେ ସାଙ୍ଗରେ କଟି ଯାଇଥିବା ଆଙ୍ଗୁଳିଟି ମଧ୍ୟ ପରିବାର ଲୋକେ ଆଣିଥିଲେ । ତାଙ୍କୁ ଓଟିରେ ଭର୍ତ୍ତି କରାଯିବା ସହ କଟା ଆଙ୍ଗୁଳିକୁ କମ ତାପମାତ୍ରାରେ ସୁରକ୍ଷିତ ରଖାଯାଇଥିଲା ।

ସକାଳ ପ୍ରାୟ ୯ଟାରେ ରବୀନ୍ଦ୍ରଙ୍କୁ ଅସ୍ତ୍ରୋପଚାର ପାଇଁ ନିଆଯିବା ସହ ତାଙ୍କୁ ଆନେଥେସିଆ ଦିଆଯାଇଥିଲା । ଡକ୍ତର ଗିରିଙ୍କ ନେତୃତ୍ବରେ ଡକ୍ତର ସାନ୍ତନୁ ଶୁଭ, ଡାକ୍ତର କୌଶିଖ, ଡକ୍ତର ଆହାନା ଏବଂ ଡକ୍ତର ଗୋପିକାଙ୍କୁ ନେଇ ଟିମ୍ ରବୀନ୍ଦ୍ରଙ୍କ ଅପରେସନରେ କରିଥିଲେ । ଆନେଥେସିଆ ଟିମରେ ଡକ୍ତର ନିତିଶା ଏବଂ ଡକ୍ତର ପ୍ରେଗମାଂଶୁ ଥିଲେ ।

ମାଇକ୍ରୋସ୍କପ ଜରିଆରେ କଟି ଯାଇଥିବା ଧମନୀ, ଶିରା ଓ ଅନ୍ୟ ଅଂଶକୁ ଡିଜିଟାଲି ସଂଯୋଗ କରିବାକୁ ପ୍ରସ୍ତୁତ କରାଯାଇଥିଲା । ଏହାପରେ ସୁରକ୍ଷିତ ଭାବେ ଏହାକୁ ରବୀନ୍ଦ୍ରଙ୍କ ହାତରେ ଯୋଡା ଯାଇଥିଲା । ଏଥିପାଇଁ ଡାକ୍ତରୀ ଟିମଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା । ଅପରେସନ ପରେ ରବୀନ୍ଦ୍ରଙ୍କ କଟା ଆଙ୍ଗୁଳିକୁ ରକ୍ତ ସରବରାହ ଆରମ୍ଭ ହୋଇଥିଲା । ଏହାର ଅର୍ଥ ହେଉଛି ଅସ୍ତ୍ରୋପଚାର ସଫଳ ହୋଇଥିଲା । ପରେ ଫିଜିଓ ଥେରାପୀ ଜରିଆରେ ରବୀନ୍ଦ୍ରଙ୍କ ଆଙ୍ଗୁଳି କାମ କରିବା ଆରମ୍ଭ କରିଥିଲା ।

ଅସ୍ତ୍ରୋପଚାରକୁ ନେଇ ଡାକ୍ତର ଗିରି କହିଛନ୍ତି, ପ୍ରଥମ ୬ ଘଣ୍ଟା ବହୁତ ମହତ୍ବପୂର୍ଣ୍ଣ ଥିଲା । ଏମିତି ଘଟଣାରେ କଟି ଯାଇଥିବା ଅଂଶକୁ ପ୍ରଥମେ ଗଜ କପଡା, ଲୁଗାରେ ଗୁଡାଇ ଏକ ପଲିଥିନରେ ରଖାଯାଇଥାଏ । ଏହାପରେ ଉକ୍ତ ପଲିଥିନ ବ୍ୟାଗକୁ ଏକ ଆଇସ୍ ଚ୍ୟାମ୍ବରରେ ସୁରକ୍ଷିତ ରଖାଯାଇଥାଏ । ଯେମିତି ଏହା ବରଫ ସହ ସିଧାସଳଖ ସଂସ୍ପର୍ଶରେ ଆସି ନଥାଏ ।

କେନ୍ଦ୍ର ପାଖରେ ପଡି ରହିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ନବୀନ

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ଚତୁର୍ଥ ଦିନ । ଆଜି ନବୀନ କେନ୍ଦ୍ର ସରକାରଙ୍କ ପାଖରେ ପଡି ରହିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଂକରେ 5T ସଚିବ ଭିକେ ପାଣ୍ଡିଆନ, ଦିଲ୍ଲୀସ୍ଥିତ ରେସିଡେଣ୍ଟ କମିଶନର ରବିକାନ୍ତଙ୍କ ସମେତ  ଦିଲ୍ଲୀ ନୋଡାଲ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଅଗ୍ରଗତି ବିଷୟରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀଙ୍କର କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏଥିରେ ସେ ବକେୟା ପାଉଣା ସହ ପଡି ରହିଥିବା ପ୍ରକଳ୍ପ ବାବଦରେ ଦାବି ଉଠାଇବେ ।  ରିପୋର୍ଟ ଅନୁଯାୟୀ, କୋଇଲା ରୟାଲିଟି, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସମୁଦ୍ର ଉପକୂଳରେ ସ୍ଥାୟୀ ପ୍ରତିକାର, ରେଳବାଇ କ୍ଷେତ୍ରରେ ଚରମ ଅବହେଳା, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ, ଧାନ କିଣା ପାଇଁ ଅର୍ଥ ଠିକ୍ ସମୟରେ ନଦେବା, ବଳକା ଚାଉଳ ସଂଗ୍ରହ ନ କରିବା, ଚାଷୀଙ୍କ ବୀମା ରାଶି ନ ମିଳିବା, ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ସାମିଲ କରିବା ନେଇ ମୁଖ୍ୟମନ୍ତ୍ରୀ ଦାବି ଉଠାଇବେ । ପକ୍କାଘର ବ୍ୟବସ୍ଥାରେ ବି ଟାଳଟୁଳ ନୀତି ଆପାଣାଉଛନ୍ତି କେନ୍ଦ୍ର ସରକାର । ରାଜ୍ୟର କୋଟାକୁ କାଟିଦେବା, ବିଭିନ୍ନ ଆଳ କରି ଓଡ଼ିଶାର ହିତାଧିକାରୀଙ୍କୁ ପକ୍କାଘରରୁ ବଂଚିତ କରିବା ପ୍ରସଙ୍ଗରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ନବୀନ ।

ଏହା ବ୍ୟତୀତ ଗଞ୍ଜାମର ଗୋପାଳପୁରରୁ ବାଲେଶ୍ୱରର ଦୀଘା ପର୍ଯ୍ୟନ୍ତ ସମୁଦ୍ର କୂଳେ କୂଳେ କୋଷ୍ଟାଲ ହାଇୱେର ବାସ୍ତବ ରୂପ ନେଇ ମଧ୍ୟ ଆଲୋଚନା କରାଯାଇପାରେ । ଆଲୋଚନା ବେଳେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର କଥାକୁ ନବୀନ ଉପସ୍ଥପନା  କରିବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ଯୋଜନାରେ ଧାର୍ଯ୍ୟ ଟଙ୍କା ଦେଉନି କେନ୍ଦ୍ର । ଏପରିକି ୧୨ଟି ବିଭାଗର ୪ହଜାର ୬୨୫ କୋଟି ଟଙ୍କା ବାକି ପଡ଼ିଛି । ଏ ନେଇ ମଧ୍ୟ ନବୀନ ଧ୍ୟାନ ଆକର୍ଷଣ କରିପାରନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।