ପୁରୀ: ରଥଯାତ୍ରା ଅବସରରେ ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । କିନ୍ତୁ ଏହା ପୂର୍ବରୁ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପଟେ ନିର୍ମିତ ମଡେଲ ପ୍ୟାଚ୍ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଦ୍ୱାର ନିକଟରେ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ନିର୍ମାଣ କାମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲି ଦେଖିବେ । ବରିଷ୍ଠ ଅଧିକାରୀ ମଧ୍ୟ ସାଙ୍ଗରେ ଉପସ୍ଥିତ ଅଛନ୍ତି । ସମ୍ପୂର୍ଣ୍ଣ ଉତ୍କଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍ ପଥରରେ କାମ ହୋଇଛି । ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିବା ଏହି ସ୍ଥାନ ସମସ୍ତଙ୍କୁ ବିମୋହିତ କରୁଛି । ସ୍ଥାନୀୟ ଲୋକ ମଧ୍ୟ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ନିଶ୍ଚିତ ଭାବେ ଚିତାକର୍ଷକ ହେବ ବୋଲି ସେମାନେ କହିଛନ୍ତି ।
ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ମୃତ୍ୟୁ
ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଆସିଛି ଏକ ଦୁଃଖଦ ଖବର । ପରଲୋକରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା । ଆଜି ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ୫୭ ବର୍ଷ ବୟସ ହୋଇଥିଲା । ଦୈନିକ ଖବର କାଗଜ ’ସମୟ’ ସହ ଦୀର୍ଘଦିନ ହେବ ଜଡ଼ିତ ଥିଲେ ଅଶୋକ ପଣ୍ଡା ।
ସୂଚନା ଅନୁସାରେ ରଥଯାତ୍ରା ଅବସରରେ ସେ ପୁରୀ ଯାଉଥିଲେ । ବାଇକରେ ପୁରୀ ଯାଉଥିବାବେଳେ ସାତଶଙ୍ଖ ନିକଟରେ ଅଜଣା ଗାଡ଼ି ଅଶୋକଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ହଠାତ ଅଶୋକ ପଣ୍ଡାଙ୍କ ଦେହାନ୍ତ ନେଇ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ପ୍ରଶାନ୍ତ ନନ୍ଦଙ୍କୁ ଆଦିକବି ସାରଳା ଦାସ ସମ୍ମାନ
ଭୁବନେଶ୍ବର: ବରିଷ୍ଠ ସିନେ ଅଭିନେତା, ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ପାଇଲେ ଆଦିକବି ସାରଳା ଦାସ ସମ୍ମାନ ୨୦୨୨ । ଚଳଚ୍ଚିତ୍ର କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ସାରଳା ଆର୍ଟ ଏକାଡେମୀ ଏବଂ ଶାରଳା ପ୍ରଡକ୍ସନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ୨୩ ତମ ଆଦିକବି ସାରଳା ଦାସ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ଯୁବ ନିର୍ଦ୍ଦେଶକ, ଲେଖକ, ସମାଜସେବୀ ଓ ସିନେ କଳାକାରଙ୍କୁ ମଧ୍ୟ ସାରଳା ଦାସ ସମ୍ମାନ ଓ ବାଣୀ କ୍ଷେତ୍ର ସମ୍ମାନ ପ୍ରଦାନ କରାଯାଇଛି । ବାଣୀ କ୍ଷେତ୍ରର ପ୍ରତିଷ୍ଠାତା ଅଶୋକ ମଲିକଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ଏହି ସମ୍ମାନ ପ୍ରଦାନ ଉତ୍ସବ । ଏଥିସହ ଉତ୍ସବରେ ବାଣୀ କ୍ଷେତ୍ର ପତ୍ରିକା ଉନ୍ମୋଚନ କରାଯାଇଛି ।
ଆରଟିଓ ଅଫିସରେ ହଠାତ ପହଞ୍ଚିଲେ ମନ୍ତ୍ରୀ
ଭୁବନେଶ୍ବର: ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଚାନକ ଭୁବନେଶ୍ବର ଆରଟିଓ ଓ୍ବାନ୍ ଅଫିସ ପରିଦର୍ଶନ । ମନ୍ତ୍ରୀ ପରିବହନ ସେବା ସଂକ୍ରାନ୍ତ ବିଭିନ୍ନ ଅନ୍ଲାଇନ୍ ସୁବିଧା ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ପରିବହନ ସେବା ଠିକ୍ ମିଳୁଛି କି ନାହିଁ ସେ ନେଇ ଲୋକଙ୍କୁ ପଚାରି ବୁଝିଥିଲେ ।
ପରିବହନ ବିଭାଗରେ ମୋ ସରକାର ଓ 5T ସଂସ୍କାର ଯୋଗୁଁ ସ୍ବଚ୍ଛତା ଆସିଛି । ଅନ୍ଲାଇନ୍ ପ୍ଲାଟ୍ଫର୍ମରେ ସବୁ ସୁବିଧା ମିଳୁଥିବାରୁ ଆର୍ଟିଓ ଅଫିସରେ ଭିଡ଼ ହ୍ରାସ ପାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସରକାରୀ କାର୍ଯ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପାଖକୁ ଯାଇଥିବା ଆର୍ଟିଓ ମନ୍ତ୍ରୀଙ୍କ ଗସ୍ତ ଖବର ଶୁଣି ତୁରନ୍ତ ଅଫିସ ଆସି ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।

