ପାର୍ଥଙ୍କୁ ମନ୍ତ୍ରୀ ପଦରୁ ବିଦା କଲେ ମମତା

କୋଲକାତା: ଶିକ୍ଷକ ଭର୍ତ୍ତି ମହା ଘୋଟାଲାକୁ ନେଇ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆକ୍ସନ । ମନ୍ତ୍ରୀ ପଦରୁ ବିଦା କଲେ ମମତା । ଶିକ୍ଷାମନ୍ତ୍ରୀ ଥିବା ବେଳେ ହୋଇଥିବା ଦୁର୍ନୀତି ଅଭିଯୋଗରେ ପାର୍ଥଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ।

ସରକାରଙ୍କ ତରଫରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ପାର୍ଥ ଚାଟାର୍ଜୀଙ୍କୁ ଶିଳ୍ପମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ଏହାସହ ଅନ୍ୟ ସମସ୍ତ ପଦରୁ ମଧ୍ୟ ତାଙ୍କୁ ହଟାଇ ଦିଆଯାଇଛି । ଏଥିରେ ସୂଚନା ଓ ପ୍ରସାରଣ ବିଭାଗ, ସଂସଦୀୟ ମାମଲାର ବିଭାଗ ରହିଛି । ମହା ଘୋଟାଲାର ମହାରାଣୀ ଅର୍ପିତା ମୁଖାର୍ଜୀଙ୍କୁ ଇଡି ଧରିବା ପରେ ପାର୍ଥଙ୍କୁ ଗିରଫ କରାଯାଇଥିଲା । ପ୍ରଥମ ଚଢାଉରେ ଅର୍ପିତାଙ୍କ ଘରୁ ୨୧ କୋଟି ୯୦ ଲକ୍ଷ ନଗଦ ଟଙ୍କା ମିଳିଥିଲା । ବୁଧବାର ଅର୍ପିତାଙ୍କ ବେଲଘୋରିୟା ଫ୍ଲାଟରେ ଇଡି ଟିମ୍ ପୁଣି ଚଢ଼ାଉ କରିଥିଲା । ଏଠାରୁ ୨୭ କୋଟି ୯୦ ଲକ୍ଷ ଟଙ୍କା ନଗଦ କ୍ୟାସ୍ ଓ ୪ କୋଟି ଟଙ୍କାର ସୁନା ମିଳିଥିଲା ।

ଗତକାଲି ମିଳିଥିବା ସୁନାରେ ୬ କେଜି ସୁନା ( ଅଧ କେଜି ଲେଖାଏଁ ଓଜନର ୬ଟି ବାହୁଟି, ୩ କେଜି ସୁନା ବିସ୍କୁଟ୍) ଓ ସୁନା କଲମ ମିଳିଥିଲା ।

ଫ୍ଲାଟର ଯେଉଁ ସ୍ଥାନରେ ସବୁ ଟଙ୍କା ରଖା ଯାଇଥିଲା ସେ ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ । ଫ୍ଲାଟର ବେଡରୁମ୍, ଡ୍ରଇଂ ରୁମରେ ଥିଲା ପୁଳା ପୁଳା ଟଙ୍କା । ବାଥରୁମରୁ ମିଳିଥିଲା ସବୁଠାରୁ ଅଧିକ ଟଙ୍କା । ବାଥରୁମର ବେସିନ ତଳେ ଲକର କରାଯାଇ କଳାଟଙ୍କା ଲୁଚାଇ ରଖାଯାଇଥିଲା । ଇଡି କର୍ମଚାରୀଙ୍କ ପୂରା ରାତି ଟଙ୍କା ଗଣାରେ ବିତି ଯାଇଥିଲା । ଏଥିପାଇଁ ମେସିନର ବ୍ୟବହାର କରାଯାଇଥିଲା । ଟଙ୍କା ନେବା ଲାଗି ଏକ ଟ୍ରକରେ ୨୦ଟି ବକ୍ସ ମଗା ଯାଇଥିଲା । ଆଜି ସକାଳ ୪ଟାରେ ଟଙ୍କା ଗଣା ସରିବା ପରେ ଏହାକୁ ଉକ୍ତ ବକ୍ସରେ ଭରି ନିଆଯାଇଥିଲା ।