ଟିଏମସିରୁ ପାର୍ଥ ଚାଟାର୍ଜୀ ନିଲମ୍ବିତ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମହା ଘୋଟାଲାରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ପଦକ୍ଷେପ । ଘୋଟାଲାରେ ଫସି ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଦଳରୁ ନିଲମ୍ବନ କଲେ ମମତା ବାନାର୍ଜୀ । ଟିଏମସି ନେତା ଅଭିଶେଷ ବାନାର୍ଜୀ କହିଛନ୍ତି, ‘ପାର୍ଥ ଚାଟାର୍ଜୀଙ୍କୁ ଟିଏମସିରୁ ନିଲମ୍ବନ କରାଯାଇଛି । ମହାସଚିବ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସହ ବାକି ୩ଟି ପଦରୁ ତାଙ୍କୁ ହଟାଇ ଦିଆଯାଇଛି । ତଦନ୍ତ ସରିବା ପର୍ଯ୍ୟନ୍ତ ଏହି ନିଲମ୍ବନ ବଳବତ୍ତର ରହିବ । ଯଦି ସେ ନିର୍ଦ୍ଦୋଷରେ ଖଲାସ ହୁଅନ୍ତି, ଦଳକୁ ଫେରି ପାରିବେ ।’

ସୂଚନାଯୋଗ୍ୟ, ଏହା ପୂର୍ବରୁ ପାର୍ଥଙ୍କୁ ଶିଳ୍ପମନ୍ତ୍ରୀ ପଦରୁ ମମତା ବାନାର୍ଜୀ ହଟାଇ ଦେଇଥିଲେ । ଅପରାହ୍ଣରେ ପାର୍ଥ ମନ୍ତ୍ରୀପଦ ହରାଇ ଥିବା ବେଳେ ସନ୍ଧ୍ୟାରେ ଦଳରୁ ନିଲମ୍ବିତ ହୋଇଛନ୍ତି ।

ମହା ଘୋଟାଲାର ମହାରାଣୀ ଅର୍ପିତା ମୁଖାର୍ଜୀଙ୍କୁ ଇଡି ଧରିବା ପରେ ପାର୍ଥଙ୍କୁ ଗିରଫ କରାଯାଇଥିଲା । ପ୍ରଥମ ଚଢାଉରେ ଅର୍ପିତାଙ୍କ ଘରୁ ୨୧ କୋଟି ୯୦ ଲକ୍ଷ ନଗଦ ଟଙ୍କା ମିଳିଥିଲା । ବୁଧବାର ଅର୍ପିତାଙ୍କ ବେଲଘୋରିୟା ଫ୍ଲାଟରେ ଇଡି ଟିମ୍ ପୁଣି ଚଢ଼ାଉ କରିଥିଲା । ଏଠାରୁ ୨୭ କୋଟି ୯୦ ଲକ୍ଷ ଟଙ୍କା ନଗଦ କ୍ୟାସ୍ ଓ ୪ କୋଟି ଟଙ୍କାର ସୁନା ମିଳିଥିଲା ।

ଗତକାଲି ମିଳିଥିବା ସୁନାରେ ୬ କେଜି ସୁନା ( ଅଧ କେଜି ଲେଖାଏଁ ଓଜନର ୬ଟି ବାହୁଟି, ୩ କେଜି ସୁନା ବିସ୍କୁଟ୍) ଓ ସୁନା କଲମ ମିଳିଥିଲା ।

ଫ୍ଲାଟର ଯେଉଁ ସ୍ଥାନରେ ସବୁ ଟଙ୍କା ରଖା ଯାଇଥିଲା ସେ ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ । ଫ୍ଲାଟର ବେଡରୁମ୍, ଡ୍ରଇଂ ରୁମରେ ଥିଲା ପୁଳା ପୁଳା ଟଙ୍କା । ବାଥରୁମରୁ ମିଳିଥିଲା ସବୁଠାରୁ ଅଧିକ ଟଙ୍କା । ବାଥରୁମର ବେସିନ ତଳେ ଲକର କରାଯାଇ କଳାଟଙ୍କା ଲୁଚାଇ ରଖାଯାଇଥିଲା । ଇଡି କର୍ମଚାରୀଙ୍କ ପୂରା ରାତି ଟଙ୍କା ଗଣାରେ ବିତି ଯାଇଥିଲା । ଏଥିପାଇଁ ମେସିନର ବ୍ୟବହାର କରାଯାଇଥିଲା । ଟଙ୍କା ନେବା ଲାଗି ଏକ ଟ୍ରକରେ ୨୦ଟି ବକ୍ସ ମଗା ଯାଇଥିଲା । ଆଜି ସକାଳ ୪ଟାରେ ଟଙ୍କା ଗଣା ସରିବା ପରେ ଏହାକୁ ଉକ୍ତ ବକ୍ସରେ ଭରି ନିଆଯାଇଥିଲା ।