ଅବସର ନେବାର ମାସକ ପରେ ମିଳିବ ପେନସନ୍

1 min read

ଭୁବନେଶ୍ବର: ଏଣିକି ନିମୟ ଅନୁସାରେ ସରକାରୀ ଚାକିରିରୁ ଅବସର ନେବାର ମାସକ ପରେ ପେନସନ୍ ଦେବାକୁ ଉଦ୍ୟମ କରାଯିବ । ଏକ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରି ଅବସର ନେବାର ମାସକ ପରେ ପେନସନ ପ୍ରଦାନ ବ୍ୟବସ୍ଥା କରାଯିବ । ପେନସନ ଦେବା ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି ଦେଲେ ସୂଚନା । ଆଜି ରାଜ୍ୟସ୍ତରୀୟ ସ୍ବତନ୍ତ୍ର ପେନସନ୍ ଅଦାଲତରେ ଏଜି ଏହି ସୂଚନା ଦେଇଛନ୍ତି । ଏଥିପାଇଁ ନୂଆ ଟେକ୍ନୋଲୋଜିର ନିଆଯିବ ସହାୟତା ।

ଆକାଉଣ୍ଟାଣ୍ଟ ଜେନେରାଲ ଅଫିସରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବତନ୍ତ୍ର ପେନସନ୍ ଅଦାଲତରେ ସରକାରୀ ଚାକିରିରୁ ଅବସର ନେଇଥିବା ଲୋକଙ୍କ ଭିଡ଼ । କିଏ ୨୦୦୫ରୁ ଅବସର ନେଲେଣି ତ କିଏ ୧୯୮୫ରୁ । କିନ୍ତୁ ଏଯାଏଁ ପେନସନ ସମସ୍ୟାର ସମାଧାନ ହୋଇନାହିଁ । କିଏ ପ୍ରୋଭିଜନାଲ ପେନସନ୍ ପାଉଛନ୍ତି ତ କିଏ ଫାମିଲି ପେନସନକୁ ଅପେକ୍ଷା କରିଛନ୍ତି । କାହାକୁ ସପ୍ତମ ବେତନ କମିଶନ ଅନୁସାରେ ପେନସନ ମିଳୁନି ତ ପୁଣି କିଏ ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଦୌଡ଼ି ହତାଶ ହେଲେଣି ।

ଯିଏ ଯେଉଁ ବିଭାଗରେ ଥିଲେ ବି ଅବସର ପରେ ତାଙ୍କୁ ପେନସନ୍ ଦେବା ଦାୟିତ୍ବ ମହା-ଲେଖାଗାରଙ୍କର । ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର, ଅବସରର ସୂଚନା ମିଳିବା ମାତ୍ରେ ପେନସନ୍ ଦେବା ବ୍ୟବସ୍ଥା ହେବା କଥା । ଅବସର ନେବାର ମାସକ ମଧ୍ୟରେ ପେନସନ୍ ପାଇବାକୁ କର୍ମଚାରୀ ହକଦାର । ହେଲେ ଏହା ଠିକ୍ ସମୟରେ ହେଉନାହିଁ । ସମସ୍ୟାକୁ ମହା-ଲେଖାଗାର ସ୍ବୀକାର କରିଛନ୍ତି । ବିଭାଗୀୟ ତଥ୍ୟ ବିନିମୟରେ ଥିବା ସମସ୍ୟାରେ ସୁଧାର ସହ ଟେକ୍ନୋଲୋଜିର ବ୍ୟବହାର କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଏଜି ଅନନ୍ତ ବେହେରା ।

ଖୋର୍ଦ୍ଧା ଜିଲ୍ଲାରେ ପେନସନ ସମସ୍ୟା ମାମଲା ଅଢ଼େଇ ହଜାର ଉପରେ । ଅନ୍ୟ ଜିଲ୍ଲାରେ ବି ଏଭଳି ମାମଲା କିଛି କମ୍ ନାହିଁ । ଆଗକୁ ସବୁ ଜିଲ୍ଲା ସ୍ତରରେ ପେନସନ ଅଦାଲତ କରି ସମସ୍ୟା ସମାଧାନ ପାଇଁ ଉଦ୍ୟମ କରାଯିବ ।