ଟେକ୍ନୋଲୋଜି ମାଧ୍ୟମରେ ସଭ୍ୟ ସଂଗ୍ରହ କରିବ ବିଜେଡି

1 min read

ଭୁବନେଶ୍ବର: ବିଜୁ ଜନତା ଦଳର ୨୫ ବର୍ଷ ଅବସରରେ ବ୍ୟାପକ ହେବ ସଭ୍ୟ ସଂଗ୍ରହ ଅଭିଯାନ । ଯୁବ ଓ ଛାତ୍ର ବିଜେଡି ଏହି ଦାୟିତ୍ବ ନେଇଛନ୍ତି । ଏଥିପାଇଁ ଏକ ଓ୍ବେବସାଇଟ୍ ଡିଜାଇନ୍ କରାଯାଇଛି । ଯେଉଁଥିରେ ଆବେଦନ କରିବାକୁ ଆପ୍ଲିକେସନ୍ ଖୁବ୍ ଶୀଘ୍ର ଲୋଡ୍‌ କରାଯିବ । ଆପ୍ଲିକେସନର ନାଁ ରହିଛି  bjd25.com । ଏହାକୁ ଲଗ୍ ଇନ୍ କଲେ ବିଜେଡିର ଯୁବ କି ଛାତ୍ର ଓ୍ବିଙ୍ଗରେ ସାମିଲ ହୋଇପାରିବେ ।

ଓ୍ବେବପେଜର ଡିଜାଇନ୍ ସରିଛି । କେବଳ ଅନ୍ୟାନ୍ୟ ଆପ୍ଲିକେସନ୍ ପାଇଁ ହାଇକମାଣ୍ଡଙ୍କ ଅନୁମୋଦନକୁ ଅପେକ୍ଷା କରିଛି ଦଳ । ଏଣିକି ସମ୍ପୂର୍ଣ୍ଣ ଭାବେ ଟେକ୍ନୋଲୋଜି ମାଧ୍ୟମରେ ଯୁବ ଓ ଛାତ୍ରଙ୍କୁ ବିଜେଡିରେ ସାମିଲ କରାଯିବ । ପ୍ରତି ପଞ୍ଚାୟତ ଓ ପୌରାଞ୍ଚଳ ଓ୍ବାର୍ଡରୁ ୨୫ ଜଣଙ୍କୁ ସଦସ୍ୟ କରାଯିବ । ଏଥିରୁ ୧୩ ଜଣ ସଦସ୍ୟ ଯୁବ ଓ୍ବିଙ୍ଗ ଓ ୧୨ ଜଣ ଛାତ୍ର ବିଜେଡିରେ ରହିବେ । ଏଥିସହ କିଛି ପ୍ରତିଷ୍ଠିତ ଲୋକଙ୍କୁ ଇନଫ୍ଲୁଏନସର ଭାବେ ବଛାଯିବ । ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ସମ୍ପର୍କରେ ଯୁବ ଓ ଛାତ୍ରଙ୍କୁ ଅବଗତ କରି ସଦସ୍ୟ କରିବେ ।

ସଦସ୍ୟତା ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ମିଳିବା ପରେ ଛାତ୍ର ଓ ଯୁବ କମିଟିକୁ ନେଇ ସମୀକ୍ଷା କରିଥିଲେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଛାତ୍ର ଓ ଯୁବ ବିଜେଡିର ବ୍ଲକ ସଭାପତି ଓ ଓ୍ବାର୍ଡ ସଭାପତିଙ୍କ ସମେତ ଅନ୍ୟାନ୍ୟ ଦଳୀୟ ପଦାଧିକାରୀ ସଭ୍ୟ ସଂଗ୍ରହ ଅଭିଯାନକୁ ସକ୍ରିୟ କରିବେ । ଆବଶ୍ୟକ ପଡ଼ିଲେ ସେମାନେ ନିଜେ ଛାତ୍ର ଓ ଯୁବକଙ୍କ ପାଖକୁ ଯାଇ ସଦସ୍ୟ କରିବେ ।

ଚଳିତବର୍ଷ ଡିସେମ୍ବର ୨୬ ତାରିଖର ବିଜେଡିକୁ ୨୫ ବର୍ଷ ପୂରିବ । ଏକ ଆଞ୍ଚଳିକ ଦଳ ଭାବେ ନିରଙ୍କୁଶ ଭାବେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଲୋକଙ୍କ ସମର୍ଥନ ପାଇ ଆସୁଛି ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଯୋଗୁଁ ଏହା ସମ୍ଭବ ହୋଇଛି ।