ଅଧିର ରଞ୍ଜନ ଚୌଧୁରୀଙ୍କୁ ନୋଟିସ୍

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହି ଅଡୁଆରେ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ପୂରା ଦେଶରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ରାଷ୍ଟ୍ରପତିଙ୍କୁ ଅପମାନ ପ୍ରସଙ୍ଗକୁ ଜାତୀୟ ମହିଳା କମିଶନ ଗୁରୁତର ସହ ନେଇ ଅଧିରଙ୍କୁ ନୋଟିସ୍‌ କରିଛନ୍ତି । ଆସନ୍ତା ଅଗଷ୍ଟ ୩ ତାରିଖରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟକ୍ତିଗତ ଭାବେ ହାଜର ହୋଇ ଲିଖିତ ଭାବେ ଉତ୍ତର ଦେବେ ଅଧିର  । ସେହିଦିନ ସାଢେ ୧୧ଟା ବେଳେ ଶୁଣାଣି ହେବ ।

ଏହାସହ ଏନସିଡବ୍ଲ୍ୟୁ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଚିଠି ଲେଖି ଅଧିର ରଞ୍ଜନ ଚୌଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଲ୍ଲେଖ କରିଛି ।

ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହି ବିବାଦରେ ଫସିବା ପରେ ଅଧିର ରଞ୍ଜନ କ୍ଷମା ମାଗିଥିଲେ । ଭୁଲରେ ପାଟିରୁ ଖସି ଯାଇଥିବା ସେ ସଫେଇ ଦେଇଥିଲେ । ସେ କହିଥିଲେ, ‘ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିକୁ ମୁଁ ସମୟ ମାଗିଥିଲି । ହେଲେ ବିଜେପି ସୋନିଆ ଗାନ୍ଧିଙ୍କୁ କାହିଁକି ଟାର୍ଗେଟ କରୁଛି । ମୁଁ ଚ୍ୟାଲେଞ୍ଜ କରୁଛି, ବିଜେପି ମୋ ଆଗକୁ ଆସି ମୋ ସହ ସାମ୍ନାସାମ୍ନି କରୁ । ଆମ ନେତା ମଧ୍ୟ ଜଣେ ମହିଳା, ତାଙ୍କୁ ଟାର୍ଗେଟ କରାନଯାଉ ।’

ସେ ଆଗକୁ କହିଥିଲେ, ‘ମୁଁ ପୁଣି କହୁଛି, ମୋର ଭୁଲ ହୋଇଛି । ମୁଁ ବଙ୍ଗଳୀ । ମୋର ହିନ୍ଦି ସେତେ ଭଲ ନୁହେଁ । ମୋତେ ସଂସଦରେ ମୋ ଭୁଲର ସ୍ପଷ୍ଟିକରଣ ଦେବାକୁ ଦିଅନ୍ତୁ । ହେଲେ ଭୁଲରେ କହି ଦେଇଥିବା କଥାକୁ ନେଇ ବିଜେପି ରାଜନୀତି କରୁଛି ।’