spot_img
Home Blog Page 4197

ଆତଙ୍କବାଦୀଙ୍କ ବିରୋଧରେ ସେନାର ବଡ଼ ଅପରେସନ, ୩ ଦିନରେ ୧୦ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନାର ବଡ଼ ଅପରେସନ । ଅଭିନେତ୍ରୀ ଅମରିନ ଭଟ୍ଟ ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ । ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦ ନିହତ ହୋଇଛନ୍ତି । ଅବନ୍ତିପୁରାରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ମଧ୍ୟରେ ଗଳି ବିନିମୟ ହୋଇଥିଲା । ଏଥିରେ ଲସ୍କର ଏ ତୋଏବାର ଦୁଇ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ୪ଟି ମାଗାଜିନ ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି ।

ଏହି ଦୁଇ ଆତଙ୍କବାଦୀ ଜାମ୍ମୁ-କାଶ୍ମୀରର ସିରିଏଲ ଅଭିନେତ୍ରୀ ଅମରିନ ଭଟ୍ଟଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିଲା । ଅମରିନ ଭଟ୍ଟଙ୍କ ହତ୍ୟା ପାଇଁ ଦୁଇ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଇଥିଲା ପାକିସ୍ତାନରେ ଥିବା ଲସ୍କର ଏ ତୋଏବାର କମାଣ୍ଡର । ସେପଟେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢୁଥିବା ବେଳେ ଗତ ତିନି ଦିନରେ ୧୦ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ନିହତ ଅନ୍ୟ ୭ ଆତଙ୍କବାଦୀ ଲସ୍କର ଏ ତୋଏବା ଓ ଜୈଶ ଏ ମହମ୍ମଦର ସଦସ୍ୟ ବୋଲି ସୂଚନା ଦେଇଛନ୍ତି ଜାମ୍ମୁ-କାଶ୍ମୀର IGP ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ଆଜି ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦଣ୍ଡ ଘୋଷଣା

ଚଣ୍ଡିଗଡ଼: ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଇଏନଏଲଡି ସୁପ୍ରିମୋ ଓମ୍ ପ୍ରକାଶ ଚୌତାଲାଙ୍କ ଆୟବହିର୍ଭୁକ୍ତ ସମ୍ପତ୍ତି ମାମଲା । ଆଜି ଚୌତାଲାଙ୍କ ବିରୋଧରେ ହେବ ଦଣ୍ଡ ଘୋଷଣା । ଗତକାଲି ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଥିଲେ ନୂଆଦିଲ୍ଲୀସ୍ଥିତ ଦି ରାଉଜ ଆଭେନ୍ୟୁ କୋର୍ଟ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଚୌତାଲା । ସ୍ୱାସ୍ଥ୍ୟଗତ ଦୁର୍ବଳତା, ବୟସ ଆଦିକୁ ଦୃଷ୍ଟିରେ ରଖି ଦଣ୍ଡ ଘୋଷଣା କରିବାକୁ ସେ ଅନୁରୋଧ କରିଛନ୍ତି । ଜେବିଟି ଶିକ୍ଷକ ନିଯୁକ୍ତ ଦୁର୍ନୀତି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

ଚୌତାଲାଙ୍କ ସପକ୍ଷରେ ଲଢ଼ୁଛନ୍ତି ହର୍ଷ କୁମାର ଶର୍ମା । ଗତ ୨୦୦୫ରେ ଘଟିଥିବା ଦୁର୍ନୀତି ମାମଲାର ଶୁଣାଣି କ୍ରମେ ଗତ ମେ’ ୨୩ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଚୌତାଲା । ୨୦୧୦ ମାର୍ଚ୍ଚ ୨୬ରେ ଏହି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା । ସିବିଆଇ ତଦନ୍ତରୁ ଜାଣିପାରିଥିଲା ୧୯୯୩ରୁ ୨୦୧୦ ମଧ୍ୟରେ ସାତ ଥରର ବିଧାୟକ ଚୌତାଲା ୬ କୋଟି ୯ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିଲେ । ଗତ ୨୦୧୯ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କର ୩ କୋଟି ୮ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିବା ସହ ନୂଆଦିଲ୍ଲୀ, ପଞ୍ଚକୁଲା ଓ ସିର୍ସାରେ ଥିବା ଫ୍ଲାଟ ଓ ପ୍ଲଟ ଜବତ କରିଥିଲା । ପରେ ୨୦୧୩ରେ ଜେବିଟି ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ । ଗତବର୍ଷ ଜୁଲାଇରେ ସେ ତିହାର ଜେଲରୁ ବାହାରିଥିଲେ । ଓମ୍ ପ୍ରକାଶ ଚୌତାଲା ହରିଆଣାର ୪ ଥର ମୁଖ୍ୟମନ୍ତ୍ରୀ ଥିଲେ ।

କମ୍ପୁଛି ବ୍ରଜରାଜନଗର ମଇଦାନ, ପଞ୍ଚାୟତରୁ ହେଉଛି ବିଜୟ ବ୍ଲୁପ୍ରିଣ୍ଟ

ବ୍ରଜରାଜନଗର: ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ । ଏଥିପାଇଁ ୨୯ ତାରିଖ ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଚାର ପାଇଁ ଆଜିକୁ ମିଶାଇ ହାତରେ ଆଉ ୩ ଦିନ । ଦିନ ସରୁଥିବାବେଳେ କ୍ୟାମ୍ପେନିଂକୁ ଆହୁରି ଜୋରଦାର କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ରୋଡ୍ ସୋ, ସଭା, ଶୋଭାଯାତ୍ରାରେ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ନେତା । ନିଜ ସପକ୍ଷରେ ଭୋଟରଙ୍କୁ ମନାଇବାକୁ ଲାଗିପଡ଼ିଛନ୍ତି ପ୍ରାର୍ଥୀ । ବିକାଶକୁ ପ୍ରସଙ୍ଗ କରି ଭୋଟରଙ୍କୁ ପାଖକୁ ଯାଉଛି ବିଜେଡି । ବିଜୟ ପାଇଁ ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ରଣନୀତି କରୁଛି ଦଳ । ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ରୋଡ ସୋ’ କରୁଛନ୍ତି ହେଭିଓ୍ୱେଟ୍ ।

ସେପଟେ ବିଜେଡିକୁ ଟକ୍କର ଦେବାକୁ ଲାଗି ପଡ଼ିଛନ୍ତି ଦୁଇ ବିରୋଧୀ । ବିଭିନ୍ନ ସ୍ଥାନରେ ସଭା କରି ଭୋଟ ହାତେଇବାକୁ ଉଦ୍ୟମ କରୁଛି କଂଗ୍ରେସ । ଅନ୍ୟପଟେ ଫୁଲ୍‌ ଦମରେ ଲାଗିପଡ଼ିଛି ବିଜେପି । ବିଭିନ୍ନ ପ୍ରସଙ୍ଗ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ଷ୍ଟାର ପ୍ରଚାରକ। ଘରକୁ ଘର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ଦଳୀୟ ନେତା ଓ କର୍ମୀ ।

ଆଜି ଆଇପିଏଲ ଦ୍ୱିତୀୟ କ୍ୱାଲିଫାୟାର, ମୁହାଁମୁହିଁ ହେବେ ବାଙ୍ଗାଲୋର – ରାଜସ୍ଥାନ

ଅହମ୍ମଦାବାଦ: ଚଳିତ ଆଇପିଏଲ ସିଜିନର ଆଜି ଦ୍ୱିତୀୟ କ୍ୱାଲିଫାୟାର । ଆଜି ଅହମ୍ମଦାବାଦରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ । ପ୍ରଥମ କ୍ୱାଲିଫାୟାରରେ ଗୁଜରାଟଠାରୁ ପରାସ୍ତ ହୋଇଥିଲା ରାଜସ୍ଥାନ ରୟାଲ୍ସ । ଏଲିମିନେଟରରେ ଲକ୍ଷ୍ନୌକୁ ପରାସ୍ତ କରି କ୍ବାଲିଫାୟାର-୨ରେ ସ୍ଥାନ ପାଇଛି ବାଙ୍ଗାଲୋର । ଆଜି ଏହି ଦୁଇ ଦଳଙ୍କ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍ ଖେଳାଯିବ । ମ୍ୟାଚ ଜିତି ଫାଇନାଲ ଟିକେଟ ଆଶାରେ ଉଭୟ ଦଳ । ଆଜିର ବିଜୟୀ ଟିମ୍ ଆସନ୍ତା ରବିବାର ଗ୍ରାଣ୍ଡ ଫିନାଲେରେ ଗୁଜରାଟ ଟାଇଟନ୍ସକୁ ଭେଟିବ ।

ତେବେ ପ୍ରଥମ ଆଇପିଏଲ୍ ଟ୍ରଫିର ସ୍ୱପ୍ନ ପୂରଣ କରିବା ଲାଗି ଆରସିବି ଆଝଇ କର ବା‌ ମର ସ୍ଥିତିରେ ରହିବ । ଅନ୍ୟପକ୍ଷରେ ୨୦୦୮ର ପ୍ରଥମ ସଂସ୍କରଣ ଜିତିବାର ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ଦ୍ୱିତୀୟ ଥର ବିଜେତା ହେବାର ଆଶା ଉଜ୍ଜୀବିତ ରଖିବା ଲାଗି ରାଜସ୍ଥାନକୁ ମଧ୍ୟ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ । କାରଣ ପ୍ରଥମ କ୍ବାଲିଫାୟର ହାରି ଫାଇନାଲକୁ ଯିବାର ପ୍ରଥମ ସୁଯୋଗ ରାଜସ୍ଥାନ ପୂର୍ବରୁ ହାତଛଡ଼ା କରିସାରିଛି। କୋଲକାତାର ହାଇସ୍କୋରିଂ ପ୍ଲେ ଅଫ୍ ପର୍ଯ୍ୟାୟ ପରେ ଅହମଦାବାଦ ପିଚ୍ କିନ୍ତୁ ଉଭୟ ଦଳ ଲାଗି ନିଶ୍ଚିତ ଭାବେ ନୂଆ ଆହ୍ବାନ ନେଇ ଆସିବ ।

ରାଜ୍ୟକୁ ପୁଣି ଫେରିଲା ତାତି, ଦୁଇ ଦିନରେ ଆହୁରି ବଢ଼ିବ ପାରା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲାଣି ତାତି । କିଛିଦିନର ବ୍ୟବଧାନ ପରେ କଲବଲ କରୁଛି ଖରା । ୪୦ ଡିଗ୍ରୀ ଉପରେ ଅଧିକାଂଶ ସହର । ଆସନ୍ତା ଦୁଇଦିନ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରା ଅଧିକ ରହିବ । ଜୁନ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନଥିବାରୁ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।

ସେପଟେ କାଳବୈଶାଖି ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାରେ ବିଳମ୍ବ ହୋଇଛି । କିନ୍ତୁ ନିକଟରେ ବଡ଼ ବର୍ଷା ନଥିବାରୁ ମୌସୁମୀ ସକ୍ରିୟ ହେବାକୁ ସକ୍ଷମ ହେଉନାହିଁ । ଜୁନ୍ ୧୦ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ । ତେଣୁ ଓଡ଼ିଶାରେ ମୌସୁମୀ ବିଳମ୍ବ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ଉଦଘାଟିତ ହେବ ରାଜ୍ୟର ପ୍ରଥମ ମଲ୍ଟି ପାର୍କିଂ, ଅପରାହ୍ନରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ଭୁବନେଶ୍ୱର-ନନ୍ଦନକାନନ ରାସ୍ତାରେ କମିବ ଭିଡ଼ । ଦୂର ହେବ ପାର୍କିଂ ଚିନ୍ତା । ଆଜି ନନ୍ଦନକାନନରେ ଉଦଘାଟିତ ହେବ ରାଜ୍ୟର ପ୍ରଥମ ମଲ୍ଟି ଲେବଲ ପାର୍କିଂ । ଅପରାହ୍ନରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୫ କୋଟିରୁ ଅଧିକ ବଜେଟରେ ନିର୍ମିତ କରାଯାଇଛି ଏହି ମଲ୍ଟି ପାର୍କିଂ ସ୍ଥଳ । ୪ ମହଲା ବିଶିଷ୍ଟ ପାର୍କିଂ ସ୍ଥଳରେ ୫୮୩ଟି ଚାରିଚକିଆ ଯାନ ଓ ୨ ହଜାର ଦୁଇଚକିଆ ଯାନ ରହିବାର ସୁବିଧା କରାଯାଇଛି । ପ୍ରତ୍ୟେକ ପାର୍କିଂ ମହଲା ୫ ହଜାର ୬୦୦ ବର୍ଗ ମିଟରରେ ନିର୍ମିତ ହୋଇଛି । ସାଇକେଲ ୫ ଟଙ୍କା, ବାଇକ ୨୦ ଟଙ୍କା, କାର ୫୦ ଟଙ୍କା, ବସ୍ ୭୦ ଟଙ୍କା ଟିକେଟ ମୂଲ୍ୟ ସ୍ଥିର କରାଯାଇଛି । ଏହି ଦର ୬ ଘଣ୍ଟା ସମୟ ସୀମା ପର୍ଯ୍ୟନ୍ତ ଲାଗୁ ହେବ ।

ସିସିଟିଭି ଫୁଟେଜ ନିରୀକ୍ଷଣରେ ରହିବ ପାର୍କିଂ ସ୍ଥଳ । ସେହିପରି ଅଚାନକ ଅଗ୍ନିକାଣ୍ଡ ହେଲେ ସ୍ଥିତିକୁ ଆୟତ୍ତ କରିବା ପାଇଁ ସମସ୍ତ ମହଲାରେ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ନନ୍ଦନକାନନର ମୁଖ୍ୟ ରାସ୍ତାର ଯାନବାହାନ ଭିଡ଼ କମାଇବା ଓ ଟ୍ରାଫିକ ନିୟନ୍ତ୍ରଣ ଏହି ପ୍ରକଳ୍ପର ଲକ୍ଷ୍ୟ ।

ଜୁନ ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲ ଉଦଘାଟନ କରିବେ CM

ଭୁବନେଶ୍ୱର: ଜୁନ ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଆଜି ସାନଖେମୁଣ୍ଡି ବ୍ଳକ ଗସ୍ତ କରି ବିଦ୍ୟାଳୟର ଉନ୍ନତିକରଣ ଓ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ସାନଖେମୁଣ୍ଡି ବ୍ଲକର ୨୬ ଟି ପଞ୍ଚାୟତରୁ ୨୦ ଟି ପଞ୍ଚାୟତ ଗସ୍ତ କରି ସ୍କୁଲଗୁଡିକର ଅନୁଧ୍ୟାନ କରିଛନ୍ତି । ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟ, ପାଟପୁର ବାଳକ ଉଚ୍ଚ ବିଦ୍ୟାଳୟ, ଏରେଣ୍ଡ୍ରା ଉଚ୍ଚ ବିଦ୍ୟାଳୟ, ଖଲିଙ୍ଗି ଉଚ୍ଚ ବିଦ୍ୟାଳୟ, ଆଡପଡା ଉଚ୍ଚ ବିଦ୍ୟାଳୟ, ଗମ୍ଭାରୀଗୁଡା ଉଚ୍ଚ ବିଦ୍ୟାଳୟ, କଙ୍କୋରଡା ଉଚ୍ଚ ବିଦ୍ୟାଳୟ, ଡେଙ୍ଗାଡ଼ି ଉଚ୍ଚ ବିଦ୍ୟାଳୟ ରହିଛି  ।

ସେହିପରି ଏସ. ଗୋପାଳପୁର ଉଚ୍ଚ ବିଦ୍ୟାଳୟ, ସିଙ୍ଗିପୁର ଉଚ୍ଚ ବିଦ୍ୟାଳୟ, ସିନ୍ଦୁରପୁର ଉଚ୍ଚ ବିଦ୍ୟାଳୟ ସାହସପୁର ଉଚ୍ଚ ବିଦ୍ୟାଳୟ ଏବଂ ଚୁଡଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ । ୧ ତାରିଖ ସୁଦ୍ଧା ବିଦ୍ୟାଳୟ ଗୁଡିକର ସମସ୍ତ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦେବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଆଧୁନିକ ପ୍ରଣାଳୀରେ ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ସହ ସାନଖେମୁଣ୍ଡି ବିଡ଼ିଓ, ସାନଖେମୁଣ୍ଡି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସମେତ ବ୍ଲକ କର୍ମଚାରୀ ଓ ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।

ହାତୀ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ୩ ବନ କର୍ମଚାରୀ

ବୌଦ୍ଧ:  ବଘିଆପଡା ସେକ୍ସନରେ ଦୁଇ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ୩ ବନ କର୍ମଚାରୀ । ବଘିଆପଡା ସେକ୍ସନ ଫରେଷ୍ଟର ଶୁଶିଲ ହୋତା, ଜାମଖୋଲ ବିଟ୍ ଫରେଷ୍ଟ ଗାର୍ଡ ଜ୍ୟୋତିରଞ୍ଜନ ବାରିକ ଓ ଫରେଷ୍ଟ ଗାର୍ଡ ଶରତ ଚନ୍ଦ୍ର ବାରିକଙ୍କୁ ନିଲମ୍ବିତ କରାଯାଇଛି । ଗତ ଦୁଇଦିନ ଭିତରେ ବୌଦ୍ଧ ବନଖଣ୍ଡ ଅଞ୍ଚଳରୁ ଦୁଇଟି ହାତୀର ମୃତଦେହ ଠାବ କରାଯାଇଛି ।

ଦୁଇଦିନ ତଳେ ବଘିଆପଡା ସେକ୍ସନ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲର କମ୍ପାଟମେଣ୍ଟ ନମ୍ବର ୮ ରୁ ଦାନ୍ତ ବିହୀନ ଦନ୍ତା ହାତୀର ମୃତଦେହ ଠାବ ହୋଇଥିଲା । ଶିକାରୀ ମାନେ ହାତୀଟିର ଦାନ୍ତ କାଟି ନେଇଥିଲେ । ତେବ ତଦନ୍ତ କରିବା ପୂର୍ବରୁ ରାତିଅଧିଆ ମୃତ ଦେହକୁ ପୋତି ଦେଇଥିଲା ବନବିଭାଗ । ଗତକାଲି ଆଉଏକ ହାତୀର ମୃତଦେହ ମିଳିଥିବାବେଳେ ଏନେଇ ତଦନ୍ତ ଜାରି ରହିଛି । ଘଟଣାରେ ଅବହେଳା ଦର୍ଶାଇ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।

ବୋହୂ କରିଥିଲା ଋଣ, ଶାଶୂ ଭୋଗିଲା ଦଣ୍ଡ

କେନ୍ଦ୍ରାପଡ଼ା: ବୋହୂ କରିଥିଲା ଋଣ, ଶାଶୂ ଭୋଗିଲା ଦଣ୍ଡ । ବୋହୂ ଋଣ ସୁଝିଲାନି ବୋଲି ଶାଶୂକୁ ମାଡ଼ ସହିତ ଘରେ ତାଲା ପକାଇଦେଲେ ଏସଏଚଜି ସଦସ୍ୟା । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ଅନୁସାରେ ବୋହୂ ପୂଜା ରାୟ ଗାଁର ଏକ ଏସଏଚଜିରୁ ଋଣ ନେଇଥିଲେ । ମାତ୍ର ଠିକ ସମୟରେ କିସ୍ତି ଦେଇପାରିନଥିଲେ । ବାରମ୍ବାର ତାଙ୍କୁ ତାଗିଦ ପରେ ବି ସେ ଋଣ ପରିଶୋଧ କରିପାରିନଥିଲେ । ପରେ ତାଙ୍କ ସ୍ବାମୀଙ୍କର ଦେହ ଅସୁସ୍ଥ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ ପୂଜା ।

ଏହି ସମୟରେ ଟଙ୍କା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ ଏସଏଚଜି ସଦସ୍ୟା । ପୂଜାଙ୍କର ଅନୁପସ୍ଥିତିରେ ଉତ୍ୟକ୍ତ ହୋଇ ପଡ଼ିଥିଲେ ଏସଏଚଜିର ସଭାପତି ଗାୟତ୍ରୀ ମହଲା । ରାଗରେ ଘରେ ଥିବା ୮୦ବର୍ଷୀୟ ଶାଶୂ ସରସ୍ବତୀଙ୍କୁ ମାଡ଼ ମାରିଥିଲେ ଗାୟତ୍ରୀ । ପରେ ତାଙ୍କୁ ଘରେ ତାଲା ପକାଇ ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ ଜାରି ରଖିଛି ।

୧୬-୦ରେ ଇଣ୍ଡୋନେସିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ହକି ଟିମ ଏସିଆ କପ ୨୦୨୨ରେ ଇଣ୍ଡୋନେସିଆ ବିପକ୍ଷରେ ବୃହତ ବିଜୟ ହାସଲ କରିଛି। ଆୟୋଜକ ଇଣ୍ଡୋନେସିଆକୁ ୧୬-୦ରେ ହରାଇ ସୁପର ୪ରେ ପ୍ରବେଶ କରିଛି ଦଳ । ଟିମ ଇଣ୍ଡିଆ ଏହି ମ୍ୟାଚରେ ରେକର୍ଡ କରି ପରିବର୍ତ୍ତୀ ପର୍ଯ୍ୟାୟ ପାଇଁ କ୍ବାଲିଫାଏ କରିଛି ।

ଅନ୍ୟପଟେ ପାକିସ୍ତାନ ହକି ଟିମ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଛି । ମ୍ୟାଚରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ଖେଳାଳି ପବନ ରାଜଭର ପ୍ଲେୟର ଅଫ ଦି ମ୍ୟାଚ ହୋଇଛନ୍ତି । ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଖେଳାଯାଇଥିବା ଏହି ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା ।

ତେବେ ଭାରତ ଦ୍ବିତୀୟ କ୍ବାଟର ଶେଷ ସୁଦ୍ଧା ୬-୦ରେ ଆଗୁଆ ରହିଥିଲା । ପରେ ଭାରତ ତୃତୀୟ ଏବଂ ଚତୁର୍ଥ କ୍ବାର୍ଟରେ ଦମଦାର ପ୍ରଦର୍ଶନ କରି ମ୍ୟାଚକୁ ୧୬-୦ରେ ଜିତି ନେଇଥିଲା ।