ମନକଥା କହିବାକୁ ୧୨ ବର୍ଷ ନେଇଥିଲେ କମେଡି କିଙ୍ଗ୍‌ ରାଜୁ

ମୁମ୍ବାଇ: ତାଙ୍କ ଚୁଟକୁଲା ଶୁଣିଲେ କିଏ ବା ନିଜ ହସକୁ ରୋକି ପାରୁଥିଲା  । ହସାଇ ହସାଇ ବେଦମ କରି ଦେଉଥିବା ମଣିଷର ହସ ଦେଖିବାକୁ ଚାହିଁଛି ଦୁନିଆ । ହସୁଥିବା, ହସାଇବାକୁ ଭଲ ପାଉଥିବା ଜୋକ୍ସ ଶୁଣିବାକୁ ଚାତକ ଭଳି ଚାହିଁଛନ୍ତି ଦର୍ଶକ  । ହେଲେ ଭେଣ୍ଟିଲେଟରରେ ଶୋଇଛନ୍ତି ରାଜୁ  । ହସ୍ପିଟାଲ ବେଡ୍‌ରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି କମେଡିଆନ ରାଜୁ ଶ୍ରୀବାସ୍ତବ  । ଜିମ୍‌ରେ ୱାର୍କଆଉଟ ବେଳେ ହୃଦଘାତର ଶିକାର ହୋଇଥିଲେ ରାଜୁ  । କମେଡି କିଙ୍ଗଙ୍କ ହସ ଶୁଣିବାକୁ ଚାରିଆଡେ ଚାଲିଛି ପ୍ରାର୍ଥନା  ।

କେବଳ କମେଡି ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ରାଜୁ  । ତାଙ୍କ ଲଭ ଷ୍ଟୋରୀ କୌଣସି ଫିଲ୍ମ କାହାଣୀ ଠୁ କମ ନଥିଲା  । ପ୍ରେମକୁ ପାଇବା ପାଇଁ ଦୀର୍ଘ ୧୨ ବର୍ଷ ସେ କସରତ କରିଥିଲେ  । ଆଜି ଆମେ ଆପଣଙ୍କୁ କହିବୁ କମେଡିଆନ ରାଜୁଙ୍କ ରୋମାଞ୍ଚକର ପ୍ରେମ କାହାଣୀ  ।

ଉତ୍ତର ପ୍ରଦେଶ କାନପୁରର ବାବୁପୁରୱା ବାସିନ୍ଦା କାନପୁରିଆ କମେଡିଆନଙ୍କ ଅସଲ ନାଁ ହୁଏତ ବହୁ କମ ଲୋକ ଜାଣିଥିବେ  । ସତ୍ୟପ୍ରକାଶ ଶ୍ରୀବାସ୍ତବ ଓରଫ ରାଜୁ  । ଭାଇର ବିବାହରେ ରାଜୁଙ୍କୁ ମିଳିଯାଇଥିଲା ତାଙ୍କ ପ୍ରଥମ ପ୍ରେମ  । ବରଯାତ୍ରୀ ନେଇ ପହଞ୍ଚିବା ବେଳେ ଶିଖାଙ୍କ ଉପରେ ପଡିଥିଲା ରାଜୁଙ୍କ ନଜର । ସେହି ଦିନରୁ ଶିଖାଙ୍କୁ ଜୀବନସାଥୀ କରିବାକୁ ମନସ୍ଥ କରି ନେଇଥିଲେ ରାଜୁ  । ଭାଉଜଙ୍କ ଦୂର ସମ୍ପର୍କୀୟ ଥିଲେ ଶିଖା  । ପ୍ରଥମେ ଭାଇଙ୍କୁ ମନାଇ ଶିଖାଙ୍କ ଘରକୁ ଯାଉଥିଲେ ରାଜୁ  । ହେଲେ ଏକତରଫା ପ୍ରେମ କରି ଯେମିତି ଫସି ଯାଇଥିଲେ ରାଜୁ  । କାହିଁକି ନା ଶିଖାଙ୍କୁ ମନକଥା ଖୋଲି କହିବାକୁ ସେ ସାହାସ କରୁ ନଥିଲେ ।

ପ୍ରେମ ପର୍ଯ୍ୟନ୍ତ ତ ଠିକ ଥିଲା  । ମାତ୍ର ସଂସାର ଗାଡି ଗଡାଇବା ପାଇଁ ଜରୁରୀ ଥିଲା ରୋଜଗାର  । ୧୯୮୨ରେ ଇନକମ୍‌ ପାଇଁ ମୁମ୍ବାଇ ଚାଲି ଆସିଥିଲେ ରାଜୁ  । ମାୟା ନଗରୀରେ ସେ ଜୋରଦାର ଷ୍ଟ୍ରଗଲ କରିଥିଲେ  ।  ସବୁ ସଂଘର୍ଷକୁ ବାଦ୍‌ ଦେବା ପରେ ବିବାହ କରିବାକୁ ମନସ୍ଥ କରିଥିଲେ ରାଜୁ  । ଏହାରି ମଧ୍ୟରେ ବହୁଥର ଶିଖାଙ୍କୁ ସେ ପ୍ରେମ ପତ୍ର ଲେଖିଥିଲେ  । କିନ୍ତୁ ହୃଦୟର କଥା କହିବା ବେଳେ ଯେପରି ରାଜୁଙ୍କୁ କିଏ ଅଟକାଇ ଦେଉଥିଲା  । କାଳେ ମନର ମଣିଷକୁ ଆଉ କେହି ଚୋରାଇ ନେବ ଆଶଙ୍କା କରି ଡରି ଯାଇଥିଲେ ରାଜୁ  । ଶେଷରେ ବହୁ ସାହାସ କରି ପରିବାରର ସୀକୃତି ନେଇ ଶିଖାଙ୍କ ଘରକୁ ପଠାଇଥିଲେ ପ୍ରସ୍ତାବ ।

ଶିଖାଙ୍କ ଭାଇ ରାଜୁଙ୍କ ବିଷୟରେ ସବୁ ପତ୍ତା କରିବା ପରେ ଶେଷରେ ବିବାହ ପାଇଁ ମାନିଯାଇଥିଲେ  । ୧୭ ମେ ୧୯୯୩ରେ ଶିଖାଙ୍କ ହାତ ଧରି ସାତ ଜନ୍ମର ସାଥୀ କରିବାକୁ ପ୍ରତିଜ୍ଞା ନେଇଥିଲେ ରାଜୁ  ।