ଦୁଇ ବର୍ଷରେ ଦିବ୍ୟଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର ହୋଇଛି ୨୦ ଲକ୍ଷ

1 min read

ବରଗଡ: କୁଆଡ଼େ ଗଲେ ବ୍ୟାଙ୍କ ମ୍ୟାନେଜର୍ ଦିବ୍ୟରଞ୍ଜନ ମିଶ୍ର ? ନିଖୋଜ ଘଟଣାକୁ ୩ ଦିନ ବିତିଥିଲେ ବି ମିଳୁନି ପତ୍ତା । ଅଙ୍ଗନଦୀରେ ପୋଲିସ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରି ନିରାଶ ହେବା ପରେ ସର୍ଚ୍ଚ ଅପରେସନକୁ ବନ୍ଦ କରାଯାଇଛି । ପୋଲିସ ଦିବ୍ୟଙ୍କ ବ୍ୟାଙ୍କ ଡିଟେଲସ ଓ ସିଡିଆର ରିପୋର୍ଟ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ଦିବ୍ୟଙ୍କ ବ୍ୟାଙ୍କ ଆକଉଣ୍ଟରୁ ଦୁଇ ଯୁବତୀ ଓ ଜଣେ ଯୁବକଙ୍କ ପାଖକୁ କିଛି ମାସ ଭିତରେ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡିଥିଲା । ତାହାକୁ ନେଇ ପୋଲିସ ଏବେ ସେହି ଦିଗ ଉପରେ ତଦନ୍ତ ଆରମ୍ଭ କରିଛି । ଦେଢ ମାସ ମଧ୍ୟରେ ଦିବ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଜଣେ ଯୁବତୀ ଓ ଯୁବକଙ୍କ ଆକଉଣ୍ଟକୁ ୭ ରୁ ୯ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିଲା। ୨ ବର୍ଷ ଭିତରେ ୨୦ ଲକ୍ଷ ଟଙ୍କା ଯାଇଛି । ଏପରିକି ଦିବ୍ୟ ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ କରି ଦେଇଛନ୍ତି  ।

ଦିବ୍ୟଙ୍କ ଶେଷ ଲୋକେସନ ଏନ୍ଏଚ୍-୨୬ ଚେରୁପାଲି ଅଙ୍ଗନଦୀ ବ୍ରିଜ ରହିଛି । ତାଙ୍କ ମୋବାଇଲ କେଉଁଠି, ସେନେଇ କିଛି ଜଣାପଡୁନି  । ବ୍ଲାକମେଲ ପରେ ଟଙ୍କା ଟ୍ରାନ୍ସଫର ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ  । ସେପଟେ ଦିବ୍ୟଙ୍କ ଠାରେ ସେପରି ସନ୍ଦେହଜନକ ମୂହୁର୍ତ୍ତ ଲକ୍ଷ୍ୟ କରି ନଥିବା ତାଙ୍କ ସ୍ତ୍ରୀ କହିଛନ୍ତି  ।

ବଲାଙ୍ଗୀର ସମ୍ୱଲପୁର ଏନଏଚ ୨୬ର ଚେରୁପାଲି ଅଙ୍ଗନଦୀ ବ୍ରିଜ ଉପରୁ ନିଖୋଜ ହୋଇଯାଇଥିଲେ ଦିବ୍ୟ । ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ହେଉଛନ୍ତି ଦିବ୍ୟରଞ୍ଜନ ମିଶ୍ର।