ଆଖି ହରାଇ ପାରନ୍ତି ସଲମାନ !

ନ୍ୟୁୟର୍କ: ପ୍ରଖ୍ୟାତ ଲେଖକ ସଲମାନ ରୁସଦିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ଆତତାୟୀ ଆକ୍ରମଣରେ ଲହୁଲୁହାଣ ରୁସଦି ଏବେ ଭେଣ୍ଟିଲେଟରରେ । ଶରୀରର ବିଭିନ୍ନ ସ୍ଥାନରେ ହୋଇଛି ଆଘାତ । ଲିଭର ବି କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ଆଖି ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ତାଙ୍କ ଆଖି ସହ ଗୋଟିଏ ହାତର ନର୍ଭରେ ଗଭୀର କ୍ଷତ ହୋଇଛି ।

ଜୀବନ ସହ ସଂଗ୍ରାମ କରୁଥିବା ଭାରତୀୟ ମୂଳର ରୁସଦିଙ୍କୁ ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ହାଦି ମତାର ନାମକ ଦୁର୍ବୃତ୍ତ ଛୁରିରେ ଆକ୍ରମଣ କରିଥିଲା । ତାଙ୍କ ପେଟ ଓ ଗଳାକୁ ଛୁରିରେ କାଟି ଦେଇଥିଲା ହାଦି ତମାର ।

ଘଟଣା ସ୍ଥଳରେ ହାଦି ତମାରକୁ ପୋଲିସ ଗିରଫ କରିଛି । ତେବେ ରୁସଦିଙ୍କ ଉପରେ ହାଦି ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଆକ୍ରମଣ ପଛରେ ଆଉ କିଏ ଅଛନ୍ତି ତାହାର ତଦନ୍ତ ଚାଲିଛି । ନ୍ୟୁୟର୍କ ପୋଲିସ ଏଫବିଆଇ ସହ ମିଶି ଘଟଣାର ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ୧୯୪୭ ଜୁନ ୧୯ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ସଲମାନ ରୁସଦି । ୨୦ ବର୍ଷ ହେବ ସେ ଆମେରିକାରେ ରହୁଛନ୍ତି । ସେଠିକାର ନାଗରିକତ୍ବ ମଧ୍ୟ ଗ୍ରହଣ କରିଛନ୍ତି । ୧୯୮୮ରେ ତାଙ୍କର ‘ଦି ସାଟାନିକ ଭର୍ସେସ’ ପୁସ୍ତକ ପ୍ରକାଶିତ ହୋଇଥିଲା । ଏହା ପରଠାରୁ ତାଙ୍କୁ ହତ୍ୟା ଧମକ ମିଳି ଆସୁଥିଲା ।  ଇରାନର ତତ୍କାଳୀନ ସୁପ୍ରିମ ଲିଡର ଅୟାତୁଲ୍ଲା ଖୋମିନୀ ତାଙ୍କ ବିରୋଧରେ ହତ୍ୟା ଫତୁଆ ଜାରି କରିଥିଲେ । ଏଥିପାଇଁ ତାଙ୍କୁ ବହୁଦିନ ଧରି ଲୁଚିଛପି ରହିବାକୁ ପଡ଼ିଥିଲା । ଏପରିକି ସେ ତାଙ୍କ ନାଁ ବଦଳାଇ ଆମେରିକାରେ ରହୁଥିଲେ ।  ତାଙ୍କ ମୁଣ୍ଡ ଲାଗି ଇରାନ ସରକାର ୨୦୧୬ରେ ୬ ଲକ୍ଷ ପାଉଣ୍ଡ ଘୋଷଣା କରିଥିଲେ । ସେବେଠାରୁ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା । ଏହି ଫତୁଆ ଏବଂ ଅର୍ଥ ଲୋଭରେ ହାଦି ତମାର ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି ।