ଉପର ମୁଣ୍ଡରେ ପ୍ରବଳ ବର୍ଷା, ମହାନଦୀ ବୈତରଣୀ ଓ ଜଳକାରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଛତିଶଗଡ଼ରେ ବର୍ଷା ଲାଗି ରହିଲେ ଏବଂ ଓଡ଼ିଶାରେ ବର୍ଷା ଜାରି ରହିଲେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି । ଆସନ୍ତାକାଲି ସକାଳ 8ଟା ବେଳେ କଟକ ମୁଣ୍ଡଳୀ ଦେଇ ୬ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ । ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି । ତେଣୁ ସ୍ଥିତି ଦେଖି ହୀରାକୁଦ ଗେଟ ଖୋଲାଯାଉଛି । ଏବେ ହୀରାକୁଦର ୨୮ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଥିବା ବେଳେ, ଆଗକୁ ଅଧିକ ଗେଟ୍ ଖୋଲାଯାଇପାରେ ।

ସେହିପରି ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି । ସମସ୍ତଙ୍କ ଛୁଟି ବାତିଲ କରାଯାଇ ଆଲର୍ଟ ମୋଡରେ ରଖାଯାଇଛି । ଦୁର୍ବଳ ନଦୀବନ୍ଧ ଉପରେ କଡ଼ାକଡ଼ି ଭାବେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ବନ୍ୟାକୁ ନଜରରେ ରଖି ୮ ଜିଲ୍ଲା ପାଇଁ ୬ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି । ପୁରୀ ପାଇଁ ଇଞ୍ଜିନିୟର ଚିନ୍ମୟ ରଞ୍ଜନ ରାଉତ, ଜଗତସିଂହପୁର ଦାୟିତ୍ବରେ ଇଞ୍ଜିନିୟର ବିଜୟ କୁମାର ସାମଲ, କଟକ ଦାୟିତ୍ବରେ ଇଞ୍ଜିନିୟର ବଳେଶ୍ବର ନାଥ ସାହୁ ଅଛନ୍ତି ।

ଅନ୍ୟପଟେ କେନ୍ଦ୍ରାପଡ଼ା ଦାୟିତ୍ବରେ ଇଞ୍ଜିନିୟର ପୂର୍ଣ୍ଣଚନ୍ଦ୍ର ରଥ, ଯାଜପୁର ଓ ଭଦ୍ରକ ଦାୟିତ୍ବରେ ଇଞ୍ଜିନିୟର ଧନେଶ୍ବର ସାମଲ, ଖୋର୍ଦ୍ଦା ଓ ନୟାଗଡ଼ ଦାୟିତ୍ବରେ ବିଘ୍ନରାଜ ପୁରୋହିତ ରହିଛନ୍ତି । 8 ଜିଲ୍ଲାକୁ ଯାଇ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସଂପୃକ୍ତି ଜିଲ୍ଲାକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।