ଏଣିକି ଭଡାଟିଆ ଗଣିବେ ୧୮ ପ୍ରତିଶତ ଜିଏସଟି, ଅଗଷ୍ଟ ୧୮ରୁ ଲାଗୁ

1 min read

ନୂଆଦିଲ୍ଲୀ: ବଢିଲା ଭଡାଟିଆଙ୍କ ଚିନ୍ତା । ଏଣିକି ଭଡାଟିଆଙ୍କୁ ଘରଭଡ଼ା ଉପରେ ଦେବାକୁ ପଡ଼ିବ ୧୮ ପ୍ରତିଶତ ଜିଏସଟି । ଅଗଷ୍ଟ ୧୮ ତାରିଖରୁ ଏହି ନିୟମ ଲାଗୁ ହେବ । ଜିଏସଟି ପରିଷଦର ୪୭ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯଦି ବ୍ୟକ୍ତିଗତ ବ୍ୟବହାର ପାଇଁ ଜଣେ ବ୍ୟକ୍ତିଙ୍କୁ ଘର ଭଡ଼ା ଦିଆଯାଏ, ତାହେଲେ ଜିଏସଟି ଲାଗୁ ହେବ ନାହିଁ । ଘରକୁ ଯଦି ବ୍ୟାବସାୟିକ କାମ ପାଇଁ ଭଡା ଦିଆଯାଏ, ତେବେ ତା’ ଉପରେ ଜିଏସଟି ଆଦାୟ କରାଯିବ । ଯଦି ଜମି ମାଲିକ କିମ୍ବା କମ୍ପାନୀର ଅଂଶୀଦାର ବ୍ୟକ୍ତିଗତ ବ୍ୟବହାର ପାଇଁ ଭଡ଼ା ଲଗାଇଥାନ୍ତି, ତେବେ ତାହା ଉପରେ ଜିଏସଟି ମଧ୍ୟ ଲାଗୁ ହେବ ନାହିଁ ।

ଜିଏସଟି ରିଭର୍ସ ଚାର୍ଜ ମେକାନିଜିମ (RCM) ନିୟମ ଆଧାରରେ ଜିଏସଟି ଭରିବେ ବ୍ୟବସାୟୀ । ଇନପୁଟ ଟ୍ୟାକ୍ସ କ୍ରେଡିଟ୍‌ରୁ କାଟି ସେମାନେ ଜିଏସଟି ଦାଖଲ କରିପାରିବେ  । ସେହିପରି ଜିଏସଟି ଅନ୍ତର୍ଭୁକ୍ତ ଓ ଆଇଟି ରିଟର୍ଣ୍ଣ ଭରଣ କରୁଥିବା ଭଡାଟିଆ ଏହି କାଟାଗରୀରେ ସାମିଲ ହେବେ  । ନୂଆ ଜିଏସଟି ଆଇନ ଅନୁସାରେ ପଞ୍ଜିକୃତ ଭଡାଟିଆ ଶ୍ରେଣୀ ଏଥିରେ ସାମିଲ ହେବେ  । ବାର୍ଷିକ ଆୟ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ହେଲେ ବ୍ୟବସାୟୀ ଜିଏସଟି ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ଅଟେ  ।

ଏହି ଆଧାରରେ ବାର୍ଷିକ ୨୦ ଲକ୍ଷରୁ ଅଧିକ ଆୟ ଥିବା ବ୍ୟବସାୟୀଙ୍କ ପାଇଁ ଏହି ନିୟମ ଲାଗୁ ହେବ  । ସେହିପରି କିଣାବିକା କରୁଥିବା ବ୍ୟବସାୟୀଙ୍କ ପାଇଁ ଏହା ୪୦ ଲକ୍ଷ ରହିଛି  । ଯଦି ଉତ୍ତର ପୂର୍ବ ରାଜ୍ୟ ବା ସ୍ବତନ୍ତ୍ର ସୀକୃତିପ୍ରାପ୍ତ ରାଜ୍ୟର ହୋଇଥିବେ ତେବେ ଏଥିପାଇଁ ବାର୍ଷିକ ଲିମିଟ୍‌ ୧୦ ଲକ୍ଷ ରହିଛି  ।