ପଡ଼ୋଶୀଙ୍କ ବିରୋଧରେ ଅଦାଲତ ଗଲେ ସଲମାନ

ମୁମ୍ବାଇ: ଖାନ୍ ଷ୍ଟାରଙ୍କୁ ଲାଗିଛି ବିବାଦ ଗ୍ରହଣ । ମିଷ୍ଟର ପରଫେକ୍ଟ ଅମିର ଖାନଙ୍କ ଲାଲ୍ ସିଂ ଚଢା ବକ୍ସ ଅଫିସରେ ଚିତ୍ ମାରିଛି । କିଙ୍ଗ ଖାନ୍ ଫିଲ୍ମ କରିବାକୁ ଡରୁଛନ୍ତି । ଆଉ ଭାଇଯାନ କୋର୍ଟ ଦୌଡ଼ି ଦୌଡ଼ି ନାକେଦମ ।

ସଲମାନ କୋର୍ଟ ଦୌଡୁଥିବା କଥା ଶୁଣି ହିଟ୍ ଆଣ୍ଡ ରନ୍ ମାମଲା ମନେ ପଡୁଛି କି ? ଯଦି ଭାବୁଛନ୍ତି ତେବେ ଆପଣଙ୍କ ଭାବନା ଭୁଲ । ହିଟ୍ ଆଣ୍ଡ ରନ୍ ମାମଲା ନୁହେଁ, ଜଣେ ପଡୋଶୀଙ୍କ ପାଇଁ ସଲମାନ ଖାନଙ୍କୁ କୋର୍ଟର ଚକ୍କର ଲଗାଇବାକୁ ପଡୁଛି । ଆଉ ଏହି ପଡୋଶୀ ଜଣଙ୍କ ହେଉଛନ୍ତି କେତନ କକ୍କଡ । ଯିଏ କି ସଲମାନଙ୍କ ପନଭେଲ ଫାର୍ମ ହାଉସ ପାଖରେ ରୁହନ୍ତି ।

ସୋସିଆଲ ମିଡ଼ିଆରେ କେତନ କରିଥିବା କିଛି ପୋଷ୍ଟକୁ ନେଇ ସଲମାନ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଓ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ତଳ କୋର୍ଟରେ ନିରାଶ ହେବା ପରେ ସଲମାନ ଏବେ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଯାହାର ଶୁଣାଣି ଶୁକ୍ରବାର କୋର୍ଟରେ ହୋଇଥିଲା ।

ଏବେ ଆସନ୍ତୁ ଜାଣିବା ଘଟଣାଟି କ’ଣ ଓ କୋର୍ଟ ମାମଲାର ବିଚାର କରି କି ରାୟ ଦେଇଛନ୍ତି ?

ସୂଚନାଯୋଗ୍ୟ, କେତନ କିଛି ପୋଷ୍ଟ କରି ସଲମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ପୋଷ୍ଟର କ୍ୟାପସନରେ କେତନ ଲେଖିଥିଲେ, ନିଜ ଫାର୍ମ ହାଉସ ପାଖରେ ଥିବା ଗଣେଶ ମନ୍ଦିରକୁ ସଲମାନ ଜବର ଦଖଲ କରିବାକୁ ଚାହୁଁଛନ୍ତି । ସଲମାନଙ୍କୁ ବାବର ଓ ଔରଙ୍ଗଜେବଙ୍କ ସହ ତୁଳନା କରିବା ସହ ଅଯୋଧ୍ୟାରେ ମନ୍ଦିର ନିର୍ମାଣକୁ ୫ ଶହ ବର୍ଷ ଲାଗିଥିବା ବେଳେ ଏଠାରେ ସଲମାନ ଗଣେଶ ମନ୍ଦିର ଜବରଦଖଲ କରିବାକୁ ଚାହୁଁଛନ୍ତି ବୋଲି ଲେଖିଥିଲେ । ଯାହାକୁ ଲକ୍ଷ ଲକ୍ଷ ସୋସିଆଲ ମିଡ଼ିଆ ୟୁଜର୍ସ ଦେଖିବା ସହ ସଲମାନଙ୍କ ବିରୋଧରେ ଆପତ୍ତିଜନକ କମେଣ୍ଟ ଦେଇଥିଲେ ।

ଯାହାକୁ ବିରୋଧ କରି ସଲମାନ ସିଭିଲ୍ କୋର୍ଟକୁ ଯାଇଥିଲେ ଓ କେତନଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ । କେତନ ସାମ୍ପ୍ରଦାୟକ ସଦଭାବନାକୁ ଭାଙ୍ଗ କରୁଥିବା ସେ ଅଭିଯୋଗ କରିବା ସହ ପୋଷ୍ଟ ଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ଏହାସହ ସଲମାନଙ୍କ ବିରୋଧରେ କୌଣସି ଟିପ୍ପଣୀ ଦେବା ନେଇ କେତନଙ୍କ ଉପରେ ରୋକ ଲଗାଇବାକୁ ଦର୍ଶାଇ ଥିଲେ । ଯାହାକୁ ତଳ କୋର୍ଟ ନାକଚ କରି ଦେଇଥିଲେ । ଏହି ଶୁଣାଣିକୁ ଚ୍ୟାଲେଞ୍ଜ କରି ସଲମାନ ୨୨ ମାର୍ଚ୍ଚରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏଥିରେ ସେ କେତନ ପୋଷ୍ଟ କରିଥିବା ଭିଡିଓଗୁଡିକୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ଯାହାର ଶୁଣାଣି ଜଷ୍ଟିସ ସିଭି ଭାଣ୍ଡଙ୍ଗ କରିଥିଲେ । ଯେଉଁଥିରେ କୋର୍ଟ କେତନଙ୍କୁ ଆଶ୍ବସ୍ତି ଦେବାକୁ ମନା କରି ଦେଇଛନ୍ତି ।

ଶୁଣାଣି ବେଳେ ସଲମାନଙ୍କ ଓକିଲ ରବି କଦମ ସିଭିଲ କୋର୍ଟଙ୍କ ଆଦେଶକୁ ଭୁଲ ଦର୍ଶାଇବା ସହ କେତନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଏହା ସଲମାନଙ୍କ ମାନହାନୀ କରିଥିବା, ତାଙ୍କ ବିରୋଧରେ ଲୋକଙ୍କ ମନରେ ସାମ୍ପ୍ରଦାୟିକ ଭାବନା ଭରିଥିବା ଦର୍ଶାଇ ଥିଲେ । ଆଗକୁ ସେ କହିଥିଲେ, କେତନ ସଲମାନଙ୍କ ସମ୍ପର୍କକୁ ଅଣ୍ଡଓ୍ବାଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ସହ ଯୋଡ଼ିଥିଲେ । ତାଙ୍କ ଗ୍ୟାଙ୍ଗର ସଦସ୍ୟ ମଧ୍ୟ କହିଥିଲେ । ସେତିକି ନୁହେଁ ସଲମାନ ନିଜ ଫାର୍ମ ହାଉସରେ ଡ୍ରଗ୍ସ କରବାର, ଅଙ୍ଗ ତସ୍କରୀ ଓ ଛୋଟ ପିଲା ଚାଲାଣ ପରି ବେପାର କରୁଥିବା ଅଭିଯୋଗ କରିଥିଲେ । ଯାହା ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ।

କୋର୍ଟ ଦୁଇ ପକ୍ଷଙ୍କୁ ଶୁଣିବା ପରେ ମାମଲାର ଶୁଣାଣିକୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏବେ ଅଗଷ୍ଟ ୨୨ ତାରିଖରେ ଏହାର ପରବର୍ତ୍ତି ଶୁଣାଣି କରାଯିବ । ଦେଖାଯାଉ, କୋର୍ଟ ସେ ଦିନ କି ରାୟ ଦେଉଛନ୍ତି ? ସଲମାନଙ୍କ ଦାବିକୁ ଗ୍ରହଣ କରୁଛନ୍ତି ନାଁ କେତନଙ୍କ ଅଭିଯୋଗ ଆଧାରର ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଉଛନ୍ତି ଦେଖିବାକୁ ବାକି ରହିଲା ।