spot_img
Home Blog Page 4152

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତକୁ ମିଳିଲା ଚତୁର୍ଥ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଚତୁର୍ଥ ପଦକ ମିଳିଛି । ଭାରତ୍ତୋଳକ ବିନ୍ଦ୍ୟାରାଣୀ ଦେବୀ ରୌପ୍ୟ ପଦକ ଜିତିଛନ୍ତି । ୫୫କେଜି ମହିଳା ବର୍ଗରେ ସେ ଏହି ପଦକ ଜିତିଛନ୍ତି । ସ୍ନାଚରେ ବିନ୍ଦ୍ୟାରାଣୀ ୮୬ କେଜି ଭାର ଉଠାଇଥିଲେ, ସେହିପରି କ୍ଲିନ ଆଣ୍ଡ ଜର୍କରେ ୧୧୬ କେଜି ଓଜନ ଉଠାଇଥିଲେ । ମୋଟ ୨୦୨ କେଜି ଓଜନ ଉଠାଇ ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି । ଏଥିସହ ଭାରତର ମୋଟ ମେଡାଲ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

୪ଟି ଯାକ ପଦକ ଭାରତକୁ ଭାରୋତ୍ତଳନରେ ହିଁ ମିଳିଛି । ପୂର୍ବରୁ ସଙ୍କେତ ମହାଦେବ ରୌପ୍ୟ, ଗୁରୁରାଜା କାଂସ୍ୟ ଓ ଅଲିମ୍ପିକରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ସ୍ୱର୍ଣ୍ଣ ଜିତିଥିଲେ । ବର୍ତ୍ତମାନ ଭାରତ ମେଡାଲ ଟାଲିର ୮ମ ସ୍ଥାନରେ ରହିଛି । ତୃତୀୟ ଦିନରେ ମଧ୍ୟ ଭାରତକୁ ଭଲ  ପଦକ ମିଳିବ ବୋଲି ଆଶା କରାଯାଉଛି । କାରଣ ରବିବାର କ୍ରିକେଟ, ସ୍ବିମିଙ୍ଗ, କ୍ରିକେଟ ଭଲି ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିବ ।

ଆରଏମଆରସିରେ ହେବ ମଙ୍କିପକ୍ସ ନମୂନା ପରୀକ୍ଷା

ଭୁବନେଶ୍ବର: ଦେଶରେ ଆତଙ୍କ ଖେଳାଇଛି ମଙ୍କିପକ୍ସ । ସତର୍କ ହେଲେଣି ରାଜ୍ୟ ସରକାର । ଭୁବନେଶ୍ୱର ଆରଏମଆରସିରେ ହେବ ମଙ୍କିପକ୍ସ ନମୁନା ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । ଆରଏମଆରସିରେ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ପ୍ରସ୍ତୁତ ରହିଛି ।

ଏନଆଇଭି ପୁନେରୁ କେବଳ କିଟ୍‌ ଅଣାଯାଇ ପରୀକ୍ଷା କରାଯିବ । ନମୁନା ପରୀକ୍ଷା ଅନୁମତି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। ଅଗଷ୍ଟ ମାସ ସୁଦ୍ଧା ଭୁବନେଶ୍ୱରରେ ମଙ୍କିପକ୍ସ ଟେଷ୍ଟିଂ ଆରମ୍ଭ ହୋଇପାରେ ବୋଲି ଡାକ୍ତର ସଂଘମିତ୍ରା ପତି କହିଛନ୍ତି ।

ଏଯାଏଁ ଓଡ଼ିଶାରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି  । ବିଦେଶ ଫେରନ୍ତାଙ୍କ ତାଲିକା କେନ୍ଦ୍ରକୁ ମଗାଯାଇଛି । ଜିଲ୍ଲାସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି । ସ୍ବାସ୍ଥ୍ୟ ବିଭାଗ ଖୁବଶୀଘ୍ର ଏସଓପି ଜାରି କରିବ । ଏସସିବି ମେଡିକାଲରେ ମେଡିସିନ୍ ବିଭାଗ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରୁ ମେଡିସିନ, ଶିଶୁ ଓ ଚର୍ମରୋଗ ଡାକ୍ତର ତଥା ରାଜ୍ୟ ଏଡ୍ସ କଣ୍ଟ୍ରୋଲ ସୋସାଇଟି ଅଧୀନସ୍ଥ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଏହି ଚିକିତ୍ସା ପାଇଁ ତାଲିମ ଦିଆଯିବ  ।

ଶ୍ରାବଣରେ ସିଝୁଛି ଓଡିଶା, ୯ ସହରରେ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ

ଭୁବନେଶ୍ବର: ମୌସୁମୀ ଦୁର୍ବଳ ପରେ ତାତୁଛି ଓଡିଶା। ଅସହ୍ୟ ଗୁଳୁଗୁଳି ସହ ୩୬ ଡିଗ୍ରୀ ତାପମାତ୍ରାରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ତ୍ରାହି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦୁର୍ବଳ ମୌସୁମୀ ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ସହ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ଗତ ୨୪ ଘଣ୍ଟାରେ ୯ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି ।

ମାଲକାନଗିରିରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଦ୍ବିତୀୟ ସର୍ବାଧିକ ୩୫.୯ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୩ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡ଼ିଗ୍ରୀ ରହିବାର ସମ୍ଭାବନା ଥିବା ବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ୬୦ ପ୍ରତିଶତରୁ ଅଧିକ ରହୁଥିବାରୁ ବିଭିନ୍ନ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ।

ସେପଟେ ବାୟୁମଣ୍ଡଳରେ ଉଚ୍ଚ ଆର୍ଦ୍ରତା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ବିଜୁଳି ସହ ବଜ୍ରପାତ ଜନିତ ବର୍ଷା ପାଇଁ ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୫୦୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଏହି ସମୟ ମଧ୍ୟରେ ୫୩୯.୨ ମିଲିମିଟର ବର୍ଷା ହେବା କଥା । ଯାହା ସ୍ବାଭାବିକ ଠାରୁ ୬ ପ୍ରତିଶତ କମ୍ ବର୍ଷା । ୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୨ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ଏବଂ ୨୪ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

 

କମନଓ୍ବେଲଥ ଗେମ୍ସ: ସୁପର ସଣ୍ଡେରେ ଆଜି ଭାରତକୁ ଭେଟିବ ପାକିସ୍ତାନ

ବର୍ମିଂହାମ: କମନଓ୍ବେଲଥ ଗେମ୍ସରେ ଆଜି ମହାମୁକାବିଲା । କ୍ରିକେଟ ମଇଦାନରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ମହିଳା କ୍ରିକେଟ ଟିମ୍‌ । ସୁପର ସଣ୍ଡେରେ ଖେଳାଯିବ ସୁପର ଟି-୨୦ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଖେଳାଯିବ ମ୍ୟାଚ୍ । ଆଜି ଅପରାହ୍ନ ୩ଟା ୩୦ରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ ।

ଭାରତୀୟ ମହିଳା କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ସହ ପ୍ରଥମ ମ୍ୟାଚ୍ ହାରିଥିବା ବେଳେ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ପାକିସ୍ତାନ ବିରୋଧରେ ମ୍ୟାଚ୍ ଜିତି କମନଓ୍ବେଲଥକୁ କମବ୍ୟାକ କରିବ ଟିମ ଇଣ୍ଡିଆ । ବର୍ମିଂହାମର ଏଜବେଷ୍ଟନ ଫିଲ୍ଡରେ ମ୍ୟାଚ୍ ଅନୁଷ୍ଠିତ ହେବ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତୀୟ ଟିମର ସ୍ମୃତି ମନ୍ଦନା ଭଲ ଖେଳିଥିଲେ ବି ବଡ଼ ସ୍କୋର କରିପାରି ନଥିଲେ ।

ତେବେ ଆଜି ସ୍ମୃତି ମନ୍ଦନାଙ୍କ ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିବ । ଏହାଛଡ଼ା ବକ୍ସିଂ, ଟେବୁଲ ଟେନିସରେ ଆଜି ଭାରିତୀୟ ଖେଳାଳି ଜଲଓ୍ବା ଦେଖାଇପାରନ୍ତି । ସେହିପରି ଓ୍ବେଟଲିଫ୍ଟିଂରେ ଭାରତକୁ ଆଉ ପଦକ ମିଳିପାରେ । ସନ୍ଧ୍ୟା ୮ଟା ୩୦ରେ ପୁରୁଷ ହକିରେ ଭାରତ ଓ ଘାନା ମଧ୍ୟରେ ମ୍ୟାଚ୍ ଖେଳାଯିବ  ।

ଆଉ ନାହାନ୍ତି କଣ୍ଠଶିଳ୍ପୀ ନିର୍ମଳା ମିଶ୍ର

କୋଲକତା: ଲୋକପ୍ରିୟ ବଙ୍ଗୀୟ ତଥା ଓଡିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ପରଲୋକ ଘଟିଛି  । ହୃଦଘାତରେ ସେ ପ୍ରାଣ ହରାଇଛନ୍ତି  । ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ନିର୍ମାଳା  । ଆଜି ଦକ୍ଷିଣ କୋଲକାତାର ଚେତଲା ଅଞ୍ଚଳରେ ଥିବା ନିଜ ବାସଭବନରେ ତାଙ୍କ ମୃତ୍ୟୁ ଘଟିଛି  । ବାଲକୃଷ୍ଣ ଦାସ ସମ୍ମାନରେ ସମ୍ମାନିତ ହୋଇଥିଲେ ନିର୍ମଳା  ।

ଆଜି ରବିନ୍ଦ୍ର ସଦନରେ ନିର୍ମଳାଙ୍କ ଶେଷ ଦର୍ଶନ କରିବେ ପ୍ରଶଂସକ  । ଏହାପରେ କୋରତାଲା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ  । ଦୀର୍ଘଦିନ ଧରି ରୋଗଶଯ୍ୟାରେ ଥିବା ନିର୍ମଳା ଘରେ ହିଁ ଚିକିତ୍ସିତ ହେଉଥିଲେ  । ଏହା ପୂର୍ବରୁ ତାଙ୍କୁ ଅନେକ ଥର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ସେ ଘରେ ରହି ଚିକିତ୍ସିତ ହେବାକୁ ଠିକ ମନେ କରୁଥିଲେ  ।

ଓଡିଆ ଓ ବଙ୍ଗୀୟ ଚଳଚ୍ଚିତ୍ରରେ କଣ୍ଠଦାନ କରି ସିନେ ଜଗତକୁ ଅନେକ ସୁପରହିଟ୍‌ ଗୀତ ସେ ଦେଇଛନ୍ତି  । ରାତି, ନା ମାରନା, ଛାଡ଼ ଛାଡ଼ ମୋର ଅଞ୍ଚଳ, ହେମହାରିଣୀ ମଥାରମଣି, ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ି ଉଡ଼ିକି, ଢେଉ ଢେଉକା ପାହାଡ଼ ତଳେ, ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା, ଯୋଛନା ଲୁଚନା, ସଞ୍ଜ ସକାଳେ ତୁମ ଛବି,  ତୁମେ ଯଦି ସାଥୀ, ସୁଲସୁଲିଆ, ପ୍ରଭୁପାଦତଳେ ପ୍ରଣତି ଢାଳେ, ସପନ ବିଳାସୀ ଓ ଏଇଚିକିମିକି ହସେ ଆଦି ଗାଇ ଶ୍ରୋତାଙ୍କ ହୃଦୟ ଜିତିଥିଲେ ନିର୍ମଳା ।

ସେ ଭୁବନେଶ୍ବର ମିଶ୍ର, ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି ଓ ଶାନ୍ତନୁ ମହାପାତ୍ରଙ୍କ ପରି ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିଥିଲେ। ପ୍ରାୟ ୨୦ଟି ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟିକା ହେବାର ସେ ସୌଭାଗ୍ୟପ୍ରାପ୍ତ କରିଥିଲେ।

ପାକିସ୍ତାନ ଇତିହାସରେ ପ୍ରଥମ, ହିନ୍ଦୁ ମହିଳା ଡିଏସପି ନିଯୁକ୍ତ

ସିନ୍ଧ: ପାକିସ୍ତାନ ସୁରକ୍ଷା ଦାୟିତ୍ବରେ ହିନ୍ଦୁ ପୋଲିସ ଅଫିସର । ଉଦାହରଣ ସୃଷ୍ଟି କଲେ ମନୀଷା ରୋପେତା । ହିନ୍ଦୁ- ମୁସଲିମଙ୍କୁ ନେଇ ଯେଉଁ ଅପପ୍ରଚାର ଚାଲିଛି ତାହାକୁ ମିଥ୍ୟା ପ୍ରମାଣିତ କରିଛନ୍ତି ମନୀଷା । ପାକିସ୍ତାନ ଇତିହାସରେ ପ୍ରଥମ ଥର ଲାଗି ହିନ୍ଦୁ ମହିଳା ମନୀଷା ହୋଇଛନ୍ତି ପ୍ରଥମ ମହିଳା ଡିଏସପି ।

ପାକିସ୍ତାନ ଲାଗି ସେ କେବଳ ଗର୍ବ ସାଉଁଟି ନାହାନ୍ତି, ନାରୀ ସୁରକ୍ଷାର ବି ବାର୍ତ୍ତାବହ ସାଜିଛନ୍ତି ମନୀଷା । ମୁସଲିମବହୁଳ ଦେଶ ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଥିବା ଖବର ବାରମ୍ବାର ପ୍ରସାରିତ ହେଉଥିବା ବେଳେ ୨୬ ବର୍ଷ ବୟସ୍କା ମନୀଷା ସୃଷ୍ଟି କରିଛନ୍ତି ନୂଆ ଉଦାହରଣ । ସିନ୍ଧ ପୋଲିସରେ ସେ ହୋଇଛନ୍ତି ଡିଏସପି । ପାକିସ୍ତାନ ପୋଲିସରେ ସାଧାରଣତଃ ପୁରୁଷଙ୍କ ଆଧିପତ୍ୟ ରହୁଥିବାବଳେ ସଂଖ୍ୟାଲଘୁ ହୋଇ ମଧ୍ୟ ମନୀଷା ସାଜିଛନ୍ତି ସୁରକ୍ଷାର ଦୂତ ।

ସିନ୍ଧ ପ୍ରଜାତନ୍ତ୍ରର ଜାକୋବାବାଦ ଅନ୍ତର୍ଗତ ଏକ ମଧ୍ୟବିତ୍ତ ପରିବାରରେ ମନୀଷାଙ୍କ ଜନ୍ମ । ଗତବର୍ଷ ହୋଇଥିବା ସିନ୍ଧ ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୫୨ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ମଧ୍ୟରେ ୧୬ତମ ରାଙ୍କରେ ଥିଲେ ମନୀଷା । ସେ ବର୍ତ୍ତମାନ ପ୍ରଶିକ୍ଷଣ ଲାଭ କରୁଛନ୍ତି ଏବଂ କିଛି ଦିନ ପରେ ଲିଆରିରେ ଡିଏସପି ଭାବେ ପାଇବେ ନିଯୁକ୍ତି ।

ସେ କହିଛନ୍ତି- ଜଣେ ପୋଲିସ ଅଫିସର ଭାବେ ତାଙ୍କୁ ନିଯୁକ୍ତି ମିଳିବା ହେଉଛି ମହିଳା ସଶକ୍ତିକରଣର ଏକ ସଙ୍କେତ । ପୋଲିସ ବାହିନୀରେ ସେ ଲିଙ୍ଗଗତ ସମାନତା ଦିଗରେ କାର୍ଯ୍ୟ କରିବେ ଏବଂ ନାରୀ ଶକ୍ତିର ଉତ୍ଥାନ ଦିଗରେ ବ୍ରତୀ ହେବେ । ପୁରୁଷ ପ୍ରଧାନ ପାକିସ୍ତାନରେ ମହିଳାମାନେ ନିର୍ଯାତିତ ଅବସ୍ଥାରେ କାଳ କାଟୁଛନ୍ତି । ପୋଲିସର କାର୍ଯ୍ୟକଳାପ ଜରିଆରେ ସେ ପ୍ରେରଣା ଲାଭ କରିବା ସହ ପୋଲିସର କାର୍ଯ୍ୟ ପ୍ରତି ଆଗ୍ରହୀ ଅଛନ୍ତି ।

ଭିଡିଓ ଜାରି କଲେ ଅପରାଜିତା, କହିଲେ ଘରୁ ବାହାରି ପାରୁନାହୁଁ

ଭୁବନେଶ୍ବର: ଷ୍ଟାରକଳିର ସପ୍ତାହେ ପରେ ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ସମସ୍ତ ଗଣମାଧ୍ୟମକୁ ଧନ୍ୟବାଦ ଦେବା ସହ ଏବେ ବିବାଦରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି। ସ୍ବାମୀ ଉତ୍ତମ ମହାନ୍ତି ଓ ଭିଣୋଇ ଅସୁସ୍ଥ ଅଛନ୍ତି । ଘର ସାମ୍ନାରେ ଗଣମାଧ୍ୟମ ଓ ଫ୍ୟାନଙ୍କ ଭିଡ଼ ଯୋଗୁ ବାହାରକୁ ଯାଇପାରୁ ନାହାନ୍ତି।

ତାଙ୍କ ପାଇଁ ଗଳିରେ ଭିଡ଼ ହେଉଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି। ତେଣୁ ଗଣମାଧ୍ୟମକୁ ଏଥିରୁ ବିରତ ରହିବାକୁ ଅପରାଜିତା ନିବେଦନ କରିଛନ୍ତି। ସେପଟେ ଅଭିନେତା ରବି ମିଶ୍ର ମଧ୍ୟ ଗଣମାଧ୍ୟମକୁ ବିରତ ରହିବାକୁ ଅପିଲ୍ କରିଛନ୍ତି। ବାବୁ-ତୃପ୍ତି କଥା ହୋଇଛନ୍ତି, ସବୁ ଠିକଠାକ୍ ଅଛି ବୋଲି କହିଛନ୍ତି ରବି ମିଶ୍ର । ଗତକାଲି ବାବୁସାନଙ୍କ ବାର୍ଥଡେ’ରେ ତାଙ୍କ ଶ୍ବଶୁର ସାମିଲ ହେବା ଏହାର ପ୍ରମାଣ ବୋଲି କହିଛନ୍ତି ରବି ମିଶ୍ର ।

ଦୀର୍ଘ  ୮ ଦିନ ଧରି ଗଣମାଧ୍ୟମରେ ବାବୁସାନ, ପତ୍ନୀ ଓ ପ୍ରକୃତିଙ୍କ ବିବାଦ ଚର୍ଚ୍ଚା ଜୋର ଧରିଛି  । ବାବୁସାନ୍‌ ଓ ପତ୍ନୀଙ୍କ ବିବାଦର ସମାଧାନ ପାଇଁ ଆପୋଷ ବୁଝାମଣା ପାଇଁ ପ୍ରୟାସ ଚାଲିଛି  ।

ସଞ୍ଜୟ ରାଉତଙ୍କ ଘରେ ଇଡି, ଜମି ଜାଲିଆତି ମାମଲାରେ ଜେରା

ମୁମ୍ବାଇ: ଶିବସେନା ପ୍ରବକ୍ତା ଓ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଘରେ ପହଞ୍ଚିଲା ଇଡିର ଟିମ୍‌  । ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ଇଡିର ଆକ୍ସନ । ଦୁଇ ଘଣ୍ଟା ଧରି ଚାଲିଛି ଚଢ଼ାଉ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୧୨ ଅଫିସର ରାଉତଙ୍କ ଘରେ ପହଞ୍ଚିଥିବା ବେଳେ ପତ୍ର ଚୌଲ ଜମି ଜାଲିଆତି ମାମଲାରେ ତାଙ୍କୁ ପଚରାଉଚରା କରୁଛି ।

ଇଡିର ସଞ୍ଜୟ ରାଉତ ଟ୍ବିଟ କରିଛନ୍ତି ଯେ ‘ମହାରାଷ୍ଟ୍ର ଓ ଶିବସେନା ମଧ୍ୟରେ ଲଢେଇ ଜାରି ରହିବ  । ମିଛ କାର୍ଯ୍ୟାନୁଷ୍ଠାନ, ମିଛ ପ୍ରମାଣ, ମୁଁ ମରିଯିବି ପଛେ ଶିବସେନା ଛାଡିବି ନାହିଁ, ମୁଁ ଆତ୍ମସମର୍ପଣ କରିବି ନାହିଁ, ମୋର କୌଣସି ଜାଲିଆତି ସହ ସମ୍ପର୍କ ନାହିଁ ’  ।

ଏକ ହଜାର ୩୪ କୋଟି ପାତ୍ର ଚୌଲ୍ ଲ୍ୟାଣ୍ଡ ସ୍କାମରେ ସଞ୍ଜୟ ରାଉତଙ୍କ ନାଁ ଆସିବା ପରେ ତାଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଇଡି ଅଫିସରେ ସଞ୍ଜୟ ରାଉତଙ୍କୁ ଜେରା ସରିଥିବା ବେଳେ ଆଜି ତାଙ୍କ ଘରେ ଚଢ଼ାଉ କରିବା ସହ ଜେରା କରୁଛି ।

ମନି ଲଣ୍ଡ୍ରିଂ ମାମଲାରେ ଇଡି ବାରମ୍ବାର ସଞ୍ଜୟଙ୍କୁ ସମନ ଜାରି କରିଥିଲା  । କିନ୍ତୁ ସେ ଇଡିରେ ହାଜର ହେଉ ନଥିଲେ । ଜୁଲାଇ ୨୦ରେ ଇଡି ଶିବସେନା ନେତା ସଞ୍ଜୟଙ୍କୁ ନୋଟିସ ପଠାଇଥିଲା  । କିନ୍ତୁ ସଂସଦ ଅଧିବେଶନ ଚାଲିଥିବାରୁ ଅଗଷ୍ଟ ୭ ପରେ ହାଜର ହେବାକୁ କହିଥିଲେ ସଞ୍ଜୟ  ।

ପୁଣି ବାରାମୂଳାରେ ଏନକାଉଣ୍ଟର, LeT ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀର ବାରାମୂଳା ଜିଲ୍ଲାରେ ଆଜି ସକାଳୁ ପୁଣି ଏନକାଉଣ୍ଟର  । ଜଣେ ଆତଙ୍କବାଦୀ ନିହତ  । ଗତ ୨୪ ଘଣ୍ଟାରେ ୨ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଶନିବାର ବାରାମୂଳାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଜଣେ ଆତଙ୍କବାଦୀ ନିପାତ ହୋଇଛି  । ଏହି ସଂଘର୍ଷରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି  ।

ମୃତ ଆତଙ୍କବାଦୀର ପରିଚୟ ମିଳିଛି  । ବାରାମୂଲାର ଇରଶାଦ ଅହମ୍ମଦ ଭଟ୍ଟ ମେ ୨୦୨୨ରୁ ଆତଙ୍କବାଦୀ ସଙ୍ଗଠନ ଲସ୍କର ଓ ତୋଏବାର ସକ୍ରିୟ ସଦସ୍ୟ  । ତାଙ୍କ ନିକଟରୁ ଗୋଟିଏ ଏକେ ୪୭, ୨ ମାଗାଜିନ ଓ ୩୦ ରାଉଣ୍ଡ ଗୁଳି ଜବତ ହୋଇଛି  । ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ  ।

ଆଜି ସକାଳେ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସ, ଜମ୍ମୁ କାଶ୍ମୀର ପୋଲିସ ଓ ସିଆରପିଏଫ ମିଳିତ ଭାବେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଲୁଚିଥିବା ଆତଙ୍କବାଦୀ ମାନେ ପ୍ରଥମେ ଗୁଳିମାଡ କରିଥିଲେ । ଯାହାର ପାଲଟା ଯବାବରେ ନିପାତ ହୋଇଛି ଜଣେ ଆତଙ୍କବାଦୀ ।  ଏହା ପୂର୍ବରୁ କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ଘଟିଥିଲା । ଜଣେ ଯବାନ ଆହତ ହୋଇଥିବାବେଳେ ଆତଙ୍କବାଦୀ ମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ ।

କଣ୍ଟାସାରି ଜଙ୍ଗଲରେ ବୁଲୁଛି ଦନ୍ତା, ଟ୍ରାଙ୍କୁଲାଇଜ ପାଇଁ ଜଗିଛି ଟିମ୍‌

ଖୋର୍ଦ୍ଧା: କଣ୍ଟାସାରି ଜଙ୍ଗଲରେ ଅସୁସ୍ଥ ଦନ୍ତା । ଅସୁସ୍ଥ ଦନ୍ତାର ଚିକିତ୍ସା ପାଇଁ ପହଞ୍ଚିଲା ବିଶେଷଜ୍ଞ ଟିମ୍  । ପ୍ରଥମେ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରାଯିବ। କଣ୍ଟାସାରି ଜଙ୍ଗଲରେ ପହଞ୍ଚି ଅନୁଧ୍ୟ୍ୟାନ କରୁଛି ଟ୍ରାଙ୍କୁଲାଇଜ୍  ଟିମ୍  । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ପଟିଆ ସେକସନ କଣ୍ଟାସାରି ଜଙ୍ଗଲରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି  । ଜଙ୍ଗଲରେ ହାତୀକୁ ଏକୁଟିଆ ବୁଲୁଥିବା ଦେଖିବାକୁ ପାଇଥିଲେ ବନ କର୍ମଚାରୀ  ।

ହାତୀଟି ଏକୁଟିଆ ବୁଲୁଥିବା ବେଳେ ତାର ଚାଲି  ଚଳନ  ସ୍ୱାଭାବିକ  ନଥିବା ଦେଖିବାକୁ  ପାଇଥିଲେ ବନ କର୍ମଚାରୀ  । ତେଣୁ ତାର ଚିକିତ୍ସା କରିବା ପାଇଁ  ଅଣ୍ଟା ଭିଡିଛି  ଟାଙ୍ଗୀ ବନ ବିଭାଗ  ।

ଅସୁସ୍ଥ ଦନ୍ତାର ଚିକିତ୍ସା କରିବା  ପାଇଁ  OUAT  ର ବିଶେଷଜ୍ଞ ଦଳ, ନନ୍ଦନକାନନର ବିଶେଷଜ୍ଞ ଦଳ ଓ ବନ ବିଭାଗର ବରିଷ୍ଠ କର୍ମଚାରୀ ନିୟୋଜିତ ହୋଇଛନ୍ତି । ହାତୀଟି ଜଙ୍ଗଲରୁ ବାହାରିବା ପରେ  ଟ୍ରାଙ୍କୁଲାଇଜ୍ କରିବା ପାଇଁ ଛକି ରହିଛନ୍ତି  ଟିମ୍  ।