ବିଜେପି ନେତ୍ରୀଙ୍କ ବର୍ବରତା, ଦିବ୍ୟାଙ୍ଗ ସହାୟିକାଙ୍କୁ ବନ୍ଧକ ରଖିଥିଲେ ୮ ବର୍ଷ

ରାଞ୍ଚି: ଅବସରପ୍ରାପ୍ତ ଆଇଏଏସ ଅଧିକାରୀଙ୍କ ପତ୍ନୀ ତଥା ବିଜେପି ନେତ୍ରୀଙ୍କ ଅମାନୁଷିକ କାଣ୍ଡ । ଆଦିବାସୀ ଦିବ୍ୟାଙ୍ଗ ସହାୟିକାଙ୍କୁ ବନ୍ଧକ ରଖିଥିଲେ ୮ ବର୍ଷ । ପରିସ୍ରା ପିଆଇବା ସହ ଜିଭରେ ଟଏଲେଟର ଚଟାଣ ସଫା କରାଇଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ଦେହରେ ଗରମ ଚେଙ୍କ ଦେଉଥିଲେ ମାଲିକାଣି । ନିର୍ଯାତନାର ମାତ୍ରା ଏତେ ଥିଲା ଯେ, ସୂର୍ଯ୍ୟକିରଣ ଦେଖିନଥିଲେ ମହିଳା । ପୋଲିସ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ରାଞ୍ଚିର ବିଜେପି ନେତ୍ରୀ ସୀମା ପାତ୍ର ନିଷ୍ଠୁରତାର ସବୁ ସୀମା ଉଲ୍ଲଂଘନ କରିଛନ୍ତି। ଜଣେ ମହିଳା ହୋଇ ଅନ୍ୟଜଣେ ମହିଳାଙ୍କୁ ଅସହ୍ୟ କଷ୍ଟ ଦେଇଛନ୍ତି । ଜଣେ ୨୯ ବର୍ଷୀୟ ଦିବ୍ୟାଙ୍ଗ ମହିଳା ମହିଳା ସୁନୀତାଙ୍କୁ ଉଦ୍ଧାର କରାଯାଇଛି । ୮ବର୍ଷ ଜୋର ଜବରଦସ୍ତ ବନ୍ଧକ ରଖିଥିଲେ ସୀମା ପାତ୍ର । ପେଟ ପୁରା ଖାଇବାକୁ ଦିଆଯାଉନଥିଲା । ଲୁହା ଛଡ଼ରେ ମାଡ଼ ମାରି ଦାନ୍ତ ଭାଙ୍ଗି ଦେଇଥିଲେ ନିଷ୍ଠୁର ସୀମା ପାତ୍ର । ତତଲା ତାୱାରେ ହାତ ଜଳାଇ ଦେଉଥିଲେ । ନିର୍ଯାତନାର ଶିକାର ହୋଇଥବା ସୁନୀତା ପୋଲିସ ଆଗରେ କହିଥିଲେ ମାଲିକାଣୀର ବର୍ବରତା । ଚାକିରି ଛାଡ଼ିବାକୁ ଚାହିଁଲେ ବି ତାଙ୍କୁ ଘରୁ ବାହାର କରାଯାଉନଥିଲା ।

ତେବେ ଏଭଳି ଘଟଣା ଜଣାପଡ଼ିବା ପରେ ସୀମାଙ୍କୁ ବିଜେପି ଦଳରୁ ନିଲମ୍ବିତ କରିଛି । ବିଜେପିରୁ ନିଲମ୍ବନ ପରେ ସୀମାଙ୍କୁ ଗିରଫ କରିଛି ପୋଲିସ । ପାତ୍ର ଦମ୍ପତି ରାଞ୍ଚିର ଭିଭିଆଇପି ଅଶୋକ ନଗରରେ ରୁହନ୍ତି ।