ପୂର୍ବତନ ସୋଭିଏତ ଋଷ ରାଷ୍ଟ୍ରସଂଘ ଶାସକ ମିଖାଇଲ ଗୋର୍ବାଚେଭଙ୍କ ଦେହାନ୍ତ

ମସ୍କୋ: ଆଉନାହାନ୍ତି ପେରୋସ୍ତ୍ରୋଇକା ଓ ଗ୍ଲାସନୋସ୍ତର ଜନକ ମିଖାଇଲ ଗୋର୍ବାଚେଭ । ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ପୂର୍ବତନ ସୋଭିଏତ ଋଷ ରାଷ୍ଟ୍ରସଂଘ ଶାସକ । ମସ୍କୋସ୍ଥିତ ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ବିନା ରକ୍ତପାତରେ ଶୀତଳ ଯୁଦ୍ଧର ଅବସାନ ଘଟାଇବାରେ ପ୍ରମୁଖ ଭୂମିକା ନେଇଥିଲେ ଗୋର୍ବାଚେଭ ।

ମାତ୍ର ନିଜର ଦୁଇ ବିବାଦୀୟ ନୀତି ଯୋଗୁ ପୂର୍ବତନ ସୋଭିଏତ ଋଷର ପତନର ସେ ଥିଲେ ମୁଖ୍ୟ କାରଣ । ଆମେରିକା ଓ ବିଭିନ୍ନ ପାଶ୍ଚାତ୍ୟ ରାଷ୍ଟ୍ର ସହ ସମଝୋତା କରି ଅସ୍ତ୍ର ପ୍ରତିଯୋଗିତା ହ୍ରାସ କରିବା ତଥା ଜର୍ମାନୀର ଏକତ୍ରୀକରଣର ପ୍ରମୁଖ ନାୟକ ଥିଲେ ସୋଭିଏତ ଋଷର ଶେଷ ରାଷ୍ଟ୍ରପତି । ତତକାଳୀନ ସୋଭିଏତ ଋଷର ଗଣତନ୍ତ୍ରବାଦୀ ଆନ୍ଦୋଳନକୁ ଦମନ ନ କରି ନୀରବଦ୍ରଷ୍ଟା ସାଜିବା, ଅନ୍ୟାନ୍ୟ କମ୍ୟୁନିଷ୍ଟ ରାଷ୍ଟ୍ରରେ ହେଉଥିବା ଆନ୍ଦୋଳନକୁ ଦବାଇବା ଲାଗି ପଦକ୍ଷେପ ନ ନେବା ଥିଲା ସୋଭିଏତ ପତନର ମୁଖ୍ୟ କାରଣ । ଏଥିଲାଗି ସୋଭିଏତ ଖଣ୍ଡବିଖଣ୍ଡିତ ହେବା କ୍ଷେତ୍ରରେ ଦାୟୀ ଥିଲେ ଗୋର୍ବାଚେଭ ।

ଏହିକାରଣରୁ ୧୯୯୧ ଡିସେମ୍ବରରେ ବିଶ୍ବର ସର୍ବଶକ୍ତିଶାଳୀ ରାଷ୍ଟ୍ର ସୋଭିଏତ ଋଷ ୧୫ଟି ପ୍ରଜାତନ୍ତ୍ରରେ ବିଭାଜିତ ହୋଇଯାଇଥିଲା । ପେରୋସ୍ତ୍ରାଇକା ବା ପୁନର୍ଗଠନ ଓ ଗ୍ଲାସନୋସ୍ତ ବା ବାକ୍ ସ୍ବାଧୀନତା ନୀତି ଯୋଗୁ ସେ ବିଭିନ୍ନ ସ୍ତରରେ ସମାଲୋଚିତ ହୋଇଥିଲେ । ୧୯୯୦ରେ ଗୋର୍ବାଚେଭଙ୍କୁ ମିଳିଥିଲା ନୋବେଲ ଶାନ୍ତି ପୁରସ୍କାର । ୧୯୨୨ରୁ ୧୯୨୪ ଭ୍ଲାଦିମିର ଇଲିଚ ଲେନିନ ପୂର୍ବତନ ସୋଭିଏତ ଋଷର ପ୍ରଥମ ଶାସକ ଥିବାବେଳେ ୧୯୮୫ରୁ ୧୯୯୧ ଯାଏ ଗୋର୍ବାଚେଭ ଥିଲେ ଶେଷ ଶାସକ । ତାଙ୍କ ମ଼ୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।