ପ୍ରବଳ ବନ୍ୟାରେ ଉବୁଟୁବୁ ପାକିସ୍ତାନ, ୧୨ ଶହ ଟପିଲାଣି ମୃତ୍ୟୁ ସଂଖ୍ୟା

କରାଚି: ପ୍ରବଳ ବନ୍ୟାରେ ବୁଡିଗଲାଣି ପାକିସ୍ତାନ। ଭୟଙ୍କର ବନ୍ୟାରେ ଧ୍ବଂଶ ବିଧ୍ବସ୍ଥ ହୋଇଗଲାଣି ପାକିସ୍ତାନ । ସାରାଦେଶରେ ମୃତ୍ୟୁ ସଂଖ୍ୟା ୧୨ ଶହ ଟପିଥିବା ବେଳେ ଲୋକଙ୍କର ଜୀବନ ଯାକର ସମ୍ପତ୍ତି ଭାସିଗଲାଣି । ସହାୟତା ନାଁରେ କାଣିଚାଏ ବି ପ୍ରଭାବିତଙ୍କ ପାଖରେ ପହଞ୍ଚିପାରିନାହିଁ । ଲକ୍ଷାଧିକ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ଆର୍ଥିକ ସଙ୍କଟ ଭିତରେ ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଏଭଳି ସ୍ଥିତିର ମୁକାବିଲା କରିବା ଭାରି କାଠିକର ପାଠ ଦେଖାଦେଲାଣି ।

ଲୋକଙ୍କ ପାଖରେ ଖାଦ୍ୟର ଘୋର ଅଭାବ ଦେଖାଦେଇଛି । ଚଳିତ ମୌସୁମୀରେ ପ୍ରବଳ ବର୍ଷା ଯୋଗୁଁ ପାକିସ୍ତାନରେ ଭୟଙ୍କର ବନ୍ୟା ଦେଖାଦେଇଛି । ଜାତିସଂଘ ପକ୍ଷରୁ ଏନେଇ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ଅନ୍ୟ ଦେଶ ମାନଙ୍କୁ ସହାୟତା ପାଇଁ ଅପିଲ୍‌ କରାଯାଇଛି । ପାକିସ୍ତାନରେ ଏଭଳି ସ୍ଥିତି ପାଇଁ ପାଣିପାଗ ପରିବର୍ତ୍ତନର ଭୟଙ୍କର ରୂପକୁ ଦର୍ଶାଇଛନ୍ତି ଜାତିସଂଘର ସଚିବ ଆଣ୍ଟୋନିଓ ଗୁଟ୍ଟେରେସ୍‌ । ଦକ୍ଷିଣ ଏସିଆ କ୍ଲାଇମେଟ କ୍ରାଇସିସର ହଟସ୍ପଟ ପାଲଟିଥିବା ସେ କହିଛନ୍ତି ।

ଏବେ ସମୟ ଆସିଛି ପାଣିପାଗ ପରିବର୍ତ୍ତନକୁ ଗୁରତର ସହ ନିଆଯାଉ ନହେଲେ ଆଜି ପାକିସ୍ତାନ କାଲି ଆଉ କେଉଁ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଧଂସଲୀଳା ଖେଳିବ ବୋଲି ସେ କହିଛନ୍ତି । ପାକିସ୍ତାନରେ ୩ କୋଟିରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ପ୍ରତି ସାତ ଜଣରେ ଜଣେ ବନ୍ୟା ଯୋଗୁଁ ବ୍ୟାପକ କ୍ଷତି ସହୁଛି । ବାଲୁଚିସ୍ଥାନରେ ଏମିତି ଗୋଟିଏ ବି ଘର ନାହିଁ ଯାହା ନିରାପଦ ରହିଛି । ସେମାନଙ୍କୁ ଅତିଶୀଘ୍ର ସହାୟତାର ଆବଶ୍ୟକ ରହିଛି ବୋଲି ଜାତିସଂଘର ପକ୍ଷରୁ କୁହାଯାଇଛି ।