ଚଳିତ ବର୍ଷ ଶେଷ ସୁଦ୍ଧା ନିଯୁକ୍ତ ହେବେ ଆଉ ୭ ହଜାର ୫୦୦ ଶିକ୍ଷକ

ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣକୁ ନେଇ ଆଉ ଏକ ଆଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଗୁଣାତ୍ମକ ଶୈକ୍ଷିକ ବ୍ୟବସ୍ଥାକୁ ଗୁରୁତ୍ବ ଦେଉଛନ୍ତି ନବୀନ । ଚଳିତ ବର୍ଷ ଶେଷ ସୁଦ୍ଧା ନିଯୁକ୍ତ ହେବେ ଆହୁରି ୭ ହଜାର ୫୦୦ ଶିକ୍ଷକ । ତୃତୀୟ ପର୍ଯ୍ୟାୟ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ବିଭାଗ ଲକ୍ଷ୍ୟ ରହିଛି ।

ଏଥର ଚୟନ କରିବ ଷ୍ଟେଟ୍ ସିଲେକ୍ସନ ବୋର୍ଡ । ତୃତୀୟ ପର୍ଯ୍ୟାୟ ନିଯୁକ୍ତିରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ୧୧ ହଜାର ୪୦୩ ଶହ ପଦରୁ ୬ ହଜାର ୮୯୧ ପଦ ପୂରଣ ହେବା ପରେ ଅବଶିଷ୍ଟ ୪ ହଜାର ୩୧୨ ସହିତ ଆହୁରି ପ୍ରାୟ ୩ ହଜାର ପଦକୁ ମିଶାଇ ପାଖାପାଖି ୭ ହଜାର ୫ ଶହ ପଦରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।

ଏଥର ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଷ୍ଟେଟ୍ ସିଲେକ୍ସନ ବୋର୍ଡ ଦ୍ବାରା ତ୍ବରାନ୍ବିତ ଲାଗି ବିଭାଗ ପଦକ୍ଷେପ ଗ୍ରହଣ କରୁଛି । ୨୦୨୩ ସୁଦ୍ଧା ତୃତୀୟ ପର୍ଯ୍ୟାୟ ନିଯୁକ୍ତି ପ୍ରକ୍ରିୟା ସରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି । ପ୍ରଥମ ପର୍ଯ୍ୟାୟରେ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ ୬ ହଜାର ୮୯୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ।