ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି, ଆଜିଠୁ ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଏଥର କମିବ ତାତି ଭିଜିବ ଓଡ଼ିଶା । ଓଡ଼ିଶାକୁ ଆସୁଛି ବ୍ୟାକ ଟୁ ବ୍ୟାକ୍ ଲଘୁଚାପ । ଆଜିଠୁ ୮ ତାରିଖ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେଉଛି । ଆଜିଠୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି । ଆଗାମୀ 24ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଆଗାମୀ 4 ରୁ 5 ଦିନ ଯାଏଁ ରାଜ୍ୟର କିଛି କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ହଳଦିଆ ଚେତାବନୀ ଜାରି ରହିଛି । କାଲିଠୁ ୭ ତାରିଖ ମଧ୍ୟରେ ପ୍ରବଳ ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୮ ତାରିଖରେ ୮ ଏବଂ ୯ ତାରିଖରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ବିଭିନ୍ନ ସ୍ଥାନରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ।

ପରେ ୯ରୁ ୧୫ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ଦୁଇଟି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଛତିଶଗଡ଼ ମୁହାଁ ହେବ। ପ୍ରଭାବରେ ମହାନଦୀର ଉଭୟ ଉପର ଏବଂ ତଳ ମୁଣ୍ଡରେ ପ୍ରବଳ ବର୍ଷା ହେବ ।