ଆଜି ବ୍ରିଟେନ ପାଇବ ନୂଆ ପ୍ରଧାନମନ୍ତ୍ରୀ, ଋଷିଙ୍କଠୁ ଆଗରେ ଅଛନ୍ତି ଲିଜ୍ ଟ୍ରସ

ଲଣ୍ଡନ: ଆଜି ବ୍ରିଟେନ ପାଇବ ନୂଆ ପ୍ରଧାନମନ୍ତ୍ରୀ । ଘୋଷଣା ହେବ ଆଭ୍ୟନ୍ତରୀଣ ନିର୍ବାଚନ ଫଳାଫଳ । ଦଳର ପ୍ରାୟ ୧ ଲକ୍ଷ ୬ ହଜାର ସଦସ୍ୟଙ୍କଠାରୁ ଭୋଟ ଗ୍ରହଣ କରାଯାଇଛି । ଭୋଟିଂରେ କଞ୍ଜରଭେଟିଭ ପାର୍ଟିର ନେତ୍ରୀ ଲିଜ୍ ଟ୍ରସ ଆଗରେ ଅଛନ୍ତି । ପୂର୍ବତନ ଚାନସେଲର ରିଷି ସୁନକଙ୍କଠାରୁ ବୈଦେଶିକ ମନ୍ତ୍ରୀ ଲିଜ୍ ଯଥେଷ୍ଟ ଆଗରେ ରହିଛନ୍ତି । ଫଳାଫଳ ଘୋଷଣା ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରିବେ ରାଣୀ ଏଲିଜାବେଥ ।

ଆସନ୍ତାକାଲି ଇସ୍ତଫା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବୋରିସ ଜନସନଙ୍କଠାରୁ କ୍ଷମତା ହସ୍ତାନ୍ତର ଲଣ୍ଡନର ବକିଂହାମ ପ୍ୟାଲେସ ବଦଳରେ ସ୍କଟଲାଣ୍ଡର ବାଲମୋରାଲ କ୍ୟାସଲରେ ଅନୁଷ୍ଠିତ ହେବ । ରାଣୀ ଏଲିଜାବେଥ ଏବେ ସ୍କଟଲାଣ୍ଡରେ ଥିବାରୁ ପାରମ୍ପରିକ ନିୟମରେ ପରିବର୍ତ୍ତନ କରାଯାଇଛି । ପ୍ରଧାନମନ୍ତ୍ରୀ ପଦ ପାଇଁ ଗତ ଅଗଷ୍ଟରୁ ଆରମ୍ଭ ହୋଇଥିଲା ଭୋଟିଂ ।

ଦେଶରେ ଅତ୍ୟଧିକ ମୂଲ୍ୟବୃଦ୍ଧି, ମୁଦ୍ରାସ୍ଫୀତି, ବିଦ୍ୟୁତ ଦର ବୃଦ୍ଧି କାରଣରୁ ବୋରିସ ଜନସନଙ୍କ ବିରୋଧର ଜନମତ ତୀବ୍ର ହୋଇଥିଲା । କୋଭିଡ କାଳରେ ପାର୍ଟି ଆୟୋଜନ କରି ବେଶ୍ ନିନ୍ଦାର ପାତ୍ର ହୋଇହୋଇଥିଲେ ବୋରିସ । ଗତ ଜୁଲାଇ ୭ରେ ଇସ୍ତଫା ଦେଇଥିଲେ ଜନସନ । ଆସନ୍ତା ୨୦୨୫ ଜାନୁଆରୀରେ ହେବ ବ୍ରିଟେନ ସାଧାରଣ ନିର୍ବାଚନ ।