ଗୁରୁଦିବସରେ ମିଳିବନି ରାଜ୍ୟ ଶିକ୍ଷକ ପୁରସ୍କାର

ଭୁବନେଶ୍ବର: ଆସନ୍ତାକାଲି ଗୁରୁଦିବସ । ମାତ୍ର ମିଳିପାରିବନି ରାଜ୍ୟ ଶିକ୍ଷକ ପୁରସ୍କାର । କ୍ରମାଗତ  ୨୦୧୭ରୁ ୨୦୨୧ ଯାଏଁ ଦିଆଯାଇ ପାରିନି ପୁରସ୍କାର । ଶିକ୍ଷକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ମର୍ଯ୍ୟାଦାଜନକ ରାଜ୍ୟ ଶିକ୍ଷକ ପୁରସ୍କାର ଦିଆଯାଇଥାଏ । ପୂର୍ବରୁ ଶିକ୍ଷାଦାନରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତି ଜିଲ୍ଲାରୁ ଦୁଇ ଜଣ ଶିକ୍ଷକ ପାଉଥିଲେ ରାଜ୍ୟପାଳ ପୁରସ୍କାର । ପରେ ଏହାକୁ ରାଜ୍ୟ ଶିକ୍ଷକ ପୁରସ୍କାର ଭାବେ ନାମିତ କରାଯାଇଥିଲା । ଜିଲ୍ଲା ପିଛା ଜଣେ ପ୍ରାଥମିକ ଶିକ୍ଷକ ଓ ଜଣେ ମାଧ୍ୟମିକ ଶିକ୍ଷକଙ୍କୁ ଏହି ପୁରସ୍କାର ମିଳିଥାଏ । ଚଳିତବର୍ଷ ମଧ୍ୟ ଶିକ୍ଷକଙ୍କ ତାଲିକା ମଗାଯାଇଥିଲା । କେବଳ ଚୟନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ତେବେ ଆସନ୍ତା ବର୍ଷରୁ ପୁଣି ଥରେ ପ୍ରଦାନ କରାଯିବ ।

ରାଜ୍ୟ ଶିକ୍ଷକ ପୁରସ୍କାର ପାଇଁ ଶିକ୍ଷକମାନେ ନିଜ ଆଡ଼ୁ ଆବେଦନ ନ କରିବା ଲାଗି ମତ ଦେଇଛି ଓଷ୍ଟା । ଡିଇଓ ଓ ବିଇଓ ଏହାକୁ ଚୟନ କରିବା ଉପରେ ଦାବି ଜୋର ଧରିଛି । ସୁଧାରିବାରେ ଲାଗିଛି କୋଭିଡରେ ବିପର୍ଯ୍ୟସ୍ତ ଶିକ୍ଷା । ଧୀରେ ଧୀରେ ଟ୍ରାକକୁ ଫେରୁଥିବାବେଳେ ସକରାତ୍ମକ ଆଶା ରଖିଛନ୍ତି ଶିକ୍ଷାବିତ୍ ।