spot_img
Home Blog Page 4136

PM ଆବାସ ପ୍ଲସ ପୋର୍ଟାଲ୍ ଖୋଲିବା ପାଇଁ ସଂସଦରେ ଭଦ୍ରକ ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବାସ ପ୍ଲସ ପୋର୍ଟାଲ୍ ଖୋଲିବା ପାଇଁ ସଂସଦରେ ଦାବି କଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ  । ଓଡ଼ିଶାରେ ଅନେକ ଗରିବ ଶ୍ରେଣୀର ଲୋକ ଅଛନ୍ତି, ଯେଉଁମାନେ ଭଙ୍ଗା କଚା ଘରେ ରହୁଛନ୍ତି। ଅନେକ ଫନି ପରି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ନିଜର ବାସ ହରାଇଛନ୍ତି । ଉକ୍ତ ଯୋଜନାରେ କେନ୍ଦ୍ର ସରକାରଙ୍କ ଆହ୍ୱାନ “୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ପକ୍କା ଘର” । ଏହି ଯୋଜନାକୁ ସଫଳ କାର୍ଯ୍ୟକାରୀ କରିବା ପାଇଁ ଉଦ୍ଧିଷ୍ଟ ପୋର୍ଟାଲ୍ (ଆବାସ ପୋର୍ଟାଲ୍) କେନ୍ଦ୍ର ସରକାରଙ୍କ ଦ୍ଵାରା ବନ୍ଦ ଥିବାରୁ ଉପଯୁକ୍ତ ଗରିବ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି।

ପ୍ରକାଶ ଥାଉକି, ଓଡ଼ିଶାରେ ଆବାସ ପ୍ଲସ ଓ ରାଜ୍ୟ ଗୃହ ଉନ୍ନୟନ ପୋର୍ଟାଲ୍ ମାଧ୍ୟମରେ ପ୍ରାୟ ୬.୬୫ ଲକ୍ଷ ଗରିବ ପରିବାର ଓ ୧.୮୪ ଲକ୍ଷ ଫନି ବାତ୍ୟା ଦ୍ଵାରା କ୍ଷତିଗ୍ରସ୍ତ ଗରିବ ପରିବାରକୁ ଯୋଗ୍ୟ ହିତାଧିକାରି ଭାବେ ଚିହ୍ନଟ କରାଯାଇଛି ଏବଂ ଭଦ୍ରକ ସଂସଦୀୟ କ୍ଷେତ୍ରରେ ପ୍ରାୟ ୫୭,୧୯୦ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଏହି ଯୋଜନାରେ ଅନ୍ତର୍ଭକ୍ତ କରାଯାଇଛି, ଯେଉଁମାନେ କି, ଅର୍ଥ ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି । ଏ ସଂକ୍ରାନ୍ତରେ ସମସ୍ତ ତଥ୍ୟ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଆବାସ ପ୍ଲସ ପୋର୍ଟାଲ୍ ଖୋଲିବାକୁ ଅନୁରୋଧ କରିଛନ୍ତି ।

ଏହି ସମସ୍ତ ତଥ୍ୟକୁ ଆଧାର କରି ତୁରନ୍ତ ଆବାସ ପୋର୍ଟାଲ୍ ଖୋଲି ସମସ୍ତ ହିତାଧିକାରୀଙ୍କୁ ଅର୍ଥ ମଞ୍ଜୁର ଓ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସଂସଦ ଅଧିବେଶନ ରେ ଧାରା ୩୭୭ ଅନୁସାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ନିଜର ଲିଖିତ ପ୍ରଶ୍ନ ଉପସ୍ଥାପନ କରିଛନ୍ତି  ।  ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଠାରେ ଦାବି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା ଉକ୍ତ ଆବାସ ପ୍ଲସ ପୋର୍ଟାଲ୍ ଖୋଲା ହେଲେ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ସହିତ ଆହୁରି ଅପେକ୍ଷାରେ ଥିବା ଅନେକ ଗରିବ ଲୋକ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପକ୍କା ଘରଟିଏ ପାଇ ଉପକୃତ ହେବେ ।

ଆଇଟା ଟେନିସରେ ତାମିଲନାଡୁର ଓଜେସ ଥେଜୋ ଜୟପ୍ରକାଶ ଚାମ୍ପିୟାନ

ଭୁବନେଶ୍ୱର: ଆଇଟା ଟେନିସ ପ୍ରତିଯୋଗିତାରେ ତାମିଲନାଡୁର ଓଜେସ ଥେଜୋ ଜୟପ୍ରକାଶ ବିଜେତା, ସେହିପରି ଡବଲସରେ ତାମିଲନାଡୁର ଓଜେସ ଥେଜୋ ଜୟପ୍ରକାଶ ଓ ସିଦ୍ଧାର୍ଥ ଆର୍ଯ୍ୟଙ୍କ ଯୋଡି ବିଜେତା ହୋଇଛନ୍ତି। ଆଇଟା ଓ ଓଟିଏ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ଆଇଆଇଜି ସ୍ପିର୍ଟସ ଏକାଡେମୀ ପକ୍ଷରୁ କେ.ଟି ଗ୍ଲୋବାଲ ସ୍କୁଲ ପରିସରରେ ଅଗଷ୍ଟ 1 ତାରିଖରୁ ଆରମ୍ଭ ହୋଇଥିଲା, ଯାହା ଶୁକ୍ରବାର ଉଦଯାପିତ ହୋଇଯାଇଛି। ମେନ୍ସ ସିଙ୍ଗଲସରେ ତାମିଲନାଡୁର ଓଜେସ ଥେଜୋ ଜୟପ୍ରକାଶ ବିଜେତା ହୋଇଥିବା ବେଳେ ଉପବିଜେତା ହୋଇଛନ୍ତି ପଶ୍ଚିମବଙ୍ଗର ଅଭିନାଂଶୁ ବୋର୍ଥାକର। ଅନ୍ୟପଟେ ମେନ୍ସ ଡବଲସରେ ତାମିଲନାଡୁର ଓଜେସ ଥେଜୋ ଜୟପ୍ରକାଶ ଓ ସିଦ୍ଧାର୍ଥ ଆର୍ଯ୍ୟଙ୍କ ଯୋଡି ବିଜେତା ହୋଇଥିବା ବେଳେ ପଶ୍ଚିମବଙ୍ଗର ଅଭିନାଂଶୁ ବୋର୍ଥାକର ଓ ମହମଦ ଫର୍ଦ୍ଧିନ ଯୋଡ଼ି ଉପବିଜେତା ହୋଇଛନ୍ତି।

ବିଜେତା ଓ ଉପବିଜେତା ଖେଳାଳିଙ୍କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯାଇଛି। ଏହି ଆଇଟା ପ୍ରତିଯୋଗିତାରେ ପାଖପାଖି ୧୦୦ ଜଣ ପ୍ରତିଯୋଗୀ ସାରା ଦେଶରୁ ଅଶଂଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ୧ ଲକ୍ଷ ଟଙ୍କା ପ୍ରାଇଜ ରାଶି ପ୍ରଦାନ କରାଯାଇଛି । ବିଜେତା ଓ ଉପବିଜେତାଙ୍କ ସହ ସେମିଫାଇନାଲିଷ୍ଟଙ୍କୁ ମଧ୍ୟ ପୁରସ୍କାର ସହ ଅର୍ଥ ରାଶି ପ୍ରଦାନ କରାଯାଇଛି । ପ୍ରତିଯୋଗିତାର କ୍ୱାଲିଫାଇଂ ରାଉଣ୍ଡରେ ୬୪ ପିଲା ଅଶଂଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଖେଳାଳି ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଥିଲେ । ଏହାସହ ଟପ ରେଟିଂର ୩୨ ଜଣ ଖେଳାଳି ସିଧାସଳଖ ଏହି ପ୍ରତିଯୋଗିତାରେ ଅଶଂଗ୍ରହଣ କରିଥିଲେ ।

ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ଖେଳାଳିଙ୍କ ପାଇଁ କେଟି ଗ୍ଲୋବାଲ ସ୍କୁଲ ପରିସରରେ ରହିବା , ଖାଇବା ସହ ଜିମ, ସୁଇମିଙ୍ଗ ପୁଲର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା। ତେବେ ଅଗମୀ ଦିନରେ କେ.ଟି ଗ୍ଲୋବାଲ ସ୍କୁଲ ପରିସରରେ ଅନେକ ବଡ଼ଧାରଣ ଟେନିସ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି। ଏହି ଭଳି ପ୍ରତିଯୋଗିତା ଆୟୋଜନ କରିବାର ଉଦ୍ଦେଶ୍ୟ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରର ଟେନିସ ଖେଳାଳିଙ୍କୁ ଏକ ଉଚ୍ଚ ସ୍ଥରୀୟ ପ୍ଲାଟଫର୍ମ ଯୋଗାଇବା ଏବଂ ଅଧିକରୁ ଅଧିକ ଟେନିସର ପ୍ରଚାର ପ୍ରାସର କରିବା ବୋଲି ଆଇଆଇଜି ସ୍ପୋର୍ଟସ ଏକାଡେମୀ ଓ କେ.ଟି ଗ୍ଲୋବାଲ ସ୍କୁଲ ପକ୍ଷରୁ କୁହାଯାଇଛି।

ଗଞ୍ଜାମରୁ ବୋଲବମ୍ ଯାଇଥିଲେ ବାପା, ପୁରୀରୁ ପୁଅ ପାଇଲା ଅସ୍ଥି..

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ବାପାର ଅସ୍ଥି ଧରି ବୁଲୁଛି ଅସହାୟ ପୁଅ । ନ୍ୟାୟ ପାଇଁ ବାପାର ଅସ୍ଥି ଧରି ରାଜଧାନୀ ରାଜରାସ୍ତାରେ ବୁଲୁଛି ପୁଅ । ବୋଲବମରେ ପାଣି ନେଇ ଆସିଥିଲେ ଅସ୍ଥିହୋଇଗଲେ । ବାପାକୁ ଖୋଜି ଖୋଜି ପୁଅ ପାଇଲା ବାପାର ଅସ୍ଥି । ବାପାଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ସମସ୍ତଙ୍କୁ ପଚାରି ବୁଲୁଛି ପୁଅ । ପୁରୀ ପୋଲିସର କାର୍ଯ୍ୟକୁ ନେଇ ସନ୍ଦେହ । ବାପା ମୋହନ ଜେନାଙ୍କ ଅସ୍ଥି ଧରି ରାଜଧାନୀରେ ବୁଲୁଛି ପୁଅ ଅପୂର୍ବ ଜେନା । ଅପୂର୍ବଙ୍କ ଅଭିଯୋଗ ଅନୁସାରେ ଗତ 29 ତାରିଖ ଦିନ ତାଙ୍କ ବାପା ମୋହନ ଜେନା ବୋଲବମରେ ଘରୁ ବାହାରିଥିଲେ ।

ଗାଁ ଲୋକଙ୍କ ସହ ବସରେ ଆସି ଗଂଜାମ ପଞ୍ଚମହାଦେଵ ଠାରେ ଜଳଲାଗି କରିଥିଲେ । ପରେ ସମସ୍ତେ ବସ ଯୋଗେ ପୁରୀ ବୁଲି ଘରକୁ ଫେରିବା ପାଇଁ କଥା ହୋଇଥିଲା । ସମସ୍ତେ ପୁରୀ ବୁଲୁଥିବା ବେଳେ ମୋହନଙ୍କ ବ୍ୟାଗ ପୁରୀରେ ଚୋରି ହୋଇଯାଇଥିଲା । ତେବେ ବ୍ୟାଗ ପାଇବା ପାଇଁ ଯାଇଥିବା ବେଳେ ଗାଁ ଲୋକ ମୋହନଙ୍କୁ ଛାଡି ବସରେ ପଳାଇଥିଲେ । ପରେ ବାପା ମୋହନ ଘରକୁ ନ ଫେରିବା ଦେଖି ତାଙ୍କର ଦୁଇ ପୁଅ ବାପାକୁ ଖୋଜି ଖୋଜି ପୁରୀରେ ମଙ୍ଗଳବାର ପହଞ୍ଚିଥିଲେ । ଏ ନେଇ ପୋଲିସକୁ ଜଣାଇବା ପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରିବା ସହ ସମସ୍ତ ପୋଲିସ ଥାନାକୁ ଜଣାଇ ଦିଆଯାଇଥିବା କହିଥିଲେ ।

ହେଲେ ହଠାତ ଗୁରୁବାରଦିନ ମୋହନଙ୍କ ମୃତଦେହକୁ ନେଇ ଦେଖାଇଥିଲା ପୁରି ସିଙ୍ଘଦ୍ୱାର ଥାନା ପୋଲିସ । ଯେଉଁଠି ମୋହନଙ୍କ ପୋଷ୍ଟମର୍ଟମ ମଧ୍ୟ ସାରିସାରିଥିଲା । ବାପାଙ୍କର କେମିତି ମୃତ୍ୟୁ ହୋଇଛି ବୋଲି ପଚାରିବାରୁ ପୋଲିସ ଦୁଇପୁଅକୁ ଧମକାଇବା ସହ ସ୍ୱର୍ଗଦ୍ୱାରରେ ମୋହନଙ୍କ ଶେଷକୃତ୍ୟ କରି ହାତରେ ଅସ୍ଥି ଧରାଇ ବିଦା କରିଦେଇଛି । ତେବେ ପୁଅ ଅପୂର୍ବ ଅଭିଯୋଗ କରିଛନ୍ତିକି ତାଙ୍କ ବାପାଙ୍କ ହାତରେ ରଶି ବନ୍ଧା ଦାଗ ରହିଥିବା ବେଳେ ଛାତି ଓ ମୁଂହରେ ମାଡ଼ ଦାଗ ରହିଛି । ତେଣୁ ତାଙ୍କ ବାପାଙ୍କୁ କେହି ପିଟି ପିଟି ହତ୍ୟା କରିଛି ଯାହାକୁ ପୋଲିସ ଲୁଚାଉଛି । ତେଣୁ ନ୍ୟାୟ ଦାବିରେ ବାପାଙ୍କ ଅସ୍ଥି ଧରି ରାଜଧାନୀରେ ପହଞ୍ଚିଛନ୍ତି ପୁଅ ଅପୂର୍ବ।

ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ନାମରେ ଥାନାରେ ମାମଲା

ଚଣ୍ଡିଗଡ଼: ଅଡୁଆରେ ବିଶ୍ବ ସୁନ୍ଦରୀ । ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ହରନାଜ ସନ୍ଧୁଙ୍କ ନାଁରେ ଅଭିଯୋଗ କରିଛନ୍ତି ପଞ୍ଜାବୀ ସିନେ ପ୍ରଯୋଜକ ଉପାସନା ସିଂ । ଫିଲ୍ମ ପ୍ରମୋସନ ପାଇଁ ହରନାଜ ଚୁକ୍ତି କରିଥିବା ବେଳେ ଏବେ ସମୟ ଦେଉ ନଥିବାରୁ ଉପାସନା ଆଇନର ଆଶ୍ରୟ ନେଇଛନ୍ତି ।

ଉପାସନାଙ୍କ ପଞ୍ଜାବୀ ସିନେମା ‘ବାଇ ଜୀ କୁଟ୍ଟାଙ୍ଗ’ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ହରନାଜ । ହେଲେ ସିନେମାର ପ୍ରମୋଶନ ପାଇଁ ସେ ଚୁକ୍ତି କରିଥିଲେ ବି ସମୟ ଦେଉନାହାନ୍ତି । ଉପାସନାଙ୍କ ସନ୍ତୋଷ ଏର୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଆଉ ଏକ ଫିଲ୍ମରେ ବି ହରନାଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ରାଜ୍ୟସଭାରେ ୩ଟି ବିଲ୍‌ ଉପସ୍ଥାପନା କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ରାଜ୍ୟସଭାରେ ତିନିଟି ବିଲ୍‌ ଉପସ୍ଥାପନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପ୍ରଥମେ ଶାଳପତ୍ର ସଂଗ୍ରହକାରୀ ଏବଂ ବ୍ୟବସାୟୀଙ୍କ କଲ୍ୟାଣ ପାଣ୍ଠି ବିଲ୍ ୨୦୨୨ନୂଆ ଉପସ୍ଥାପନା କରିଥିଲେ । ବିଲ୍‌ରେ ଶାଳପତ୍ର ସଂଗ୍ରହକାରୀ ଏବଂ ବ୍ୟବସାୟୀଙ୍କ ମଙ୍ଗଳ ପାଇଁ ଏକ ବୋର୍ଡ ଗଠନ କରିବା ପାଇଁ ବ୍ୟବସ୍ଥା ରହିଛି । ଦ୍ବିତୀୟରେ ମାନବ ଚାଲାଣ ନିରୋଧୀ, ସୁରକ୍ଷା ଏବଂ ପୀଡିତଙ୍କୁ ସୁରକ୍ଷା ଦେବା ପାଇଁ ବିଲ୍‌ର ଉପସ୍ଥାପନା କରିଥିଲେ ।

ଏହି ବିଲ୍‌ ମାଧ୍ୟମରେ ମହିଳା ଓ ଶିଶୁ ଚାଲାଣ ରୋକିବା ସହ ସେମାନଙ୍କ ସୁରକ୍ଷା ଏବଂ ଥଇଥାନ ପାଇଁ ବ୍ୟବସ୍ଥା ରହିଛି । ଏଥିସହ ଦୋଷୀଙ୍କୁ କଡା ଦଣ୍ଡ ଦେବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ତୃତୀୟରେ ରାଜ୍ୟ ପୁନର୍ଗଠନ କମିଶନ ବିଲ୍‌ ଉପସ୍ଥାପନା କରିଥିଲେ । ଏହାଦ୍ବାରା ଭାଷାଗତ, ସାଂସ୍କୃତିକ, ଆର୍ଥିକ ଏବଂ ପ୍ରାଶାସନିକ ଦୃଷ୍ଟିକୋଣରୁ ଲୋକଙ୍କ ମଙ୍ଗଳ ପାଇଁ ରାଜ୍ୟର ପୁର୍ନଗଠନ ପାଇଁ ଏକ କମିଶନ ଗଠନ ହେବ ।

ରାଜ୍ୟରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଡାଇରିଆ ସ୍ଥିତି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଡାଇରିଆ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ଗତ ଦୁଇ ଦିନ ମଧ୍ୟରେ ୬ ଜିଲ୍ଲାରେ ଝାଡ଼ାବାନ୍ତି ଆଦୌ ସଂକ୍ରମିତ ହୋଇନାହିଁ । ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମୀକ୍ଷା ପରେ ଏହି ସୂଚନା ମିଳିଛି । ରୋଗୀମାନଙ୍କୁ ତୁରନ୍ତ ହସ୍ପିଟାଲ୍ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ପ୍ରସାରଣ ଓ ହସ୍ପିଟାଲ ସ୍ଥାନାନ୍ତର ବ୍ୟବସ୍ଥାରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସ୍କୁଲଗୁଡ଼ିକୁ ସାମିଲ କରିବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ପାନୀୟଜଳ ଉତ୍ସକୁ ନିୟମିତ ବିଶୋଧନ କରାଯିବ । ଲୋକମାନେ ଯେପରି ଝରଣା ପାଣି ନପିଅନ୍ତି ତା’ଉପରେ ସତର୍କ ଦୃଷ୍ଟି ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି । ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବାକୁ କୁହାଯାଇଛି । ସଂକ୍ରମିତ ଅଞ୍ଚଳରେ ଜଳ ବିଶୋଧନ ପାଇଁ ‘ରିଭର୍ସ ଅସମୋସିସ୍ ଯନ୍ତ୍ର’ ଲାଗିଥିବା ଗାଡ଼ି ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗ ନିରୀକ୍ଷଣ ଓ ଅନୁଧ୍ୟାନ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବ । ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ବ୍ୟବସ୍ଥାକୁ ପୂର୍ଣ୍ଣ ସକ୍ରିୟ ରଖିବା ସହ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ ଏବଂ କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ନୂଆପଡ଼ା, ଗଜପତି, ଝାରସୁଗୁଡ଼ା ଆଦି ୭ଟି ଜିଲ୍ଲାରେ ସମୁଦାୟ ୬୮୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୬୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୫୩ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ଏବଂ ୧୭ ଜଣ ହସ୍ପିଟାଲ୍ ଆସିବାରେ ବହୁ ବିଳମ୍ବ କରିଥିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

୩ ଲକ୍ଷ କାମରେ ୩୦ ହଜାର ପିସି ମାଗୁଛନ୍ତି ସାଂସଦଙ୍କ ପ୍ରତିନିଧି

ଟାଙ୍ଗୀ: ୩ ଲକ୍ଷର କାମରେ ୩୦ ହଜାର ପିସି । କେମିତି ହେବ ବିକାଶ? ସାଂସଦଙ୍କ ହାତପାଣ୍ଠିରୁ ବିକାଶମୂଳକ କାମ ପାଇଁ ଆସୁଛି ଅନୁଦାନ । ହେଲେ କାମ ପାଇଁ ଆସୁଥିବା ଟଙ୍କାରୁ ପିସି ବା ପର୍ସେଣ୍ଟେଜ୍ ମାଗୁଛନ୍ତି ସାଂସଦଙ୍କ ବ୍ଲକ ପ୍ରତିନିଧି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରୁ ଆସିଛି ଏଭଳି ସଙ୍ଗୀନ୍ ଅଭିଯୋଗ । ଟାଙ୍ଗୀ ବ୍ଲକ ଲେଣ୍ଡୋ ପଞ୍ଚାୟତର ରେଙ୍ଗଟାରେ କଂକ୍ରିଟ୍ ରୋଡ୍ ପାଇଁ ଝୁନା ଦେଇ ନାମକ ଜଣେ ମହିଳାଙ୍କୁ ୩ ଲକ୍ଷ ଟଙ୍କାର ଓ୍ୱାର୍କ ଅର୍ଡର ଆସିଥିଲା । ୨୦୨୧ ସେପ୍ଟେମ୍ବର ସୁଦ୍ଧା ରାସ୍ତା ନିର୍ମାଣ କାମ ସାରିବାକୁ ଡେଡ୍ ଲାଇନ୍ ଦିଆଯାଇଥିଲା । ହେଲେ କାମ ପାଇଁ ଖୋଲାଖୋଲି ପିସି ମାଗିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ । ୩ ଲକ୍ଷ ଟଙ୍କାର କାମ ପାଇଁ ୧୦ ପ୍ରତିଶତ ପିସି ଦେବାକୁ ଦାବି କରୁଥିଲେ ସାଂସଦଙ୍କ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ ।

ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପୀ ହଙ୍ଗାମା, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଅଟକ

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି, ଦରଦାମ୍ ବୃଦ୍ଧି, ଜିଏସଟି ଏବଂ ବେକାରୀ ସମସ୍ୟାକୁ ବିରୋଧ କରି ଆଜି କଂଗ୍ରେସ ନେତାମାନେ ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରିଛି । ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରୁଥିବା ସମୟରେ କଂଗ୍ରେସ ନେତା ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖିଛି ପୋଲିସ୍ । ଆନ୍ଦୋଳନ ବେଳେ ପ୍ରିୟଙ୍କାଙ୍କୁ ପୋଲିସ ଟାଣି ଟାଣି ଭ୍ୟାନ ଭିତରକୁ ନେବା ଦେଖାଯାଇଛି । ଦେଶବ୍ୟାପୀ ଦିଆଯାଇଥିବା ବିକ୍ଷୋଭ ଆହ୍ବାନ ପରିପ୍ରେକ୍ଷୀରେ ଦିଲ୍ଲୀରେ କଂଗ୍ରେସ ନେତା, ସାଂସଦ ଓ କର୍ମୀ ଜୋରଦାର ବିକ୍ଷୋଭ କରିଛନ୍ତି । ଦେଶର ସମସ୍ତ ରାଜ୍ୟର କଂଗ୍ରେସ ଶାଖା ପକ୍ଷରୁ ମଧ୍ୟ ଆନ୍ଦୋଳନ ହୋଇଛି ।

କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ଓ ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀ ବାସଭବନ ଘେରାଉ ଅଭିଯାନ କରିଥିବାବେଳେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରିଛନ୍ତି । କଂଗ୍ରେସର ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିକ୍ଷୋଭ ବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ରାସ୍ତାରେ ବସିପଡ଼ିବା ଦେଖାଯାଇଥିଲା । ତେବେ ଏହି ବିକ୍ଷୋଭ ସମୟରେ ରାହୁଲ କହିଛନ୍ତି ଦେଶରେ ଗଣତନ୍ତ୍ରର ମୃତ୍ୟୁ ଘଟିବାକୁ ଯାଉଛି । ଶହେ ବର୍ଷ ତଳେ ଭାରତ ଯେପରି ଗଠିତ ହୋଇଥିଲା ବର୍ତ୍ତମାନ ତାହା ଧ୍ୱଂସ ହେବାରେ ଲାଗିଛି । ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ ଯୋଗୁ ରାଜଧାନୀରେ ୧୪୪ ଧାରା ଜାରି କରାଯାଇଛି ।

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଙ୍ଗ, ନୋଟିସ୍ ପରେ ଜବାବ ରଖିଲେ ମୋକିମ୍

ଭୁବନେଶ୍ୱର: ଦଳୀୟ ନିର୍ଦ୍ଦେଶ ନ ମାନି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୋପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଙ୍ଗ । ପିସିସି ସଭାପତିଙ୍କଠାରୁ ନୋଟିସ୍ ପାଇବା ପରେ ଜବାବ ରଖିଲେ ବିଧାୟକ ମହମ୍ମଦ ମୋକିମ୍ । ନୋଟିସର ଜବାବ ଦେବା ପରେ ମୋକିମ୍ କହିଛନ୍ତି ମୁଁ ଦଳୀୟ ଫୋରମରେ ଉତ୍ତର ରଖିଛି । କ’ଣ ଲେଖିଛି ତାହା ଏବେ ସ୍ପଷ୍ଟ କରି ପାରିବି ନାହିଁ ବୋଲି ମହମ୍ମଦ ମୋକିମ୍ କହିଛନ୍ତି । ତେବେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଜବାବ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ମୋକିମଙ୍କ ଉତ୍ତର ମିଳିଛି କିନ୍ତୁ ମୁଁ ତାକୁ ପଢ଼ିନାହିଁ । ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ମୋକିମ ନିଜ ଉତ୍ତରରେ କ’ଣ କହିଛନ୍ତି ପଢ଼ିବା ପରେ କି ପଦକ୍ଷେପ ନିଆଯିବ ତାହା କହିବି । ସେପଟେ ବିଧାୟକ ସନ୍ତୋଷ ସିଂ ସାଲୁଜା ମୋକିମଙ୍କ ଉତ୍ତର ବିଷୟରେ ହାଇ କମାଣ୍ଡଙ୍କୁ ଜଣାଯିବ ବୋଲି କହିଛନ୍ତି ।

ଯାଜପୁରରେ ଟ୍ରକ୍‌ ଚଢ଼ାଇ ମାଆ ଝିଅଙ୍କୁ ହତ୍ୟା ଘଟଣା: ଗିରଫ ହେଲା ଅଭିଯୁକ୍ତ ଡ୍ରାଇଭର

ଯାଜପୁର: ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକରେ ଟ୍ରକ୍‌ ଚଢ଼ାଇ ମାଆ ଝିଅଙ୍କୁ ହତ୍ୟା ଘଟଣା । ଆରୁହା ଛକରେ ମାଆ, ଝିଅ ଓ ଡ୍ରାଇଭର ମଧ୍ୟରେ ଝଗଡ଼ାର ଭିଡିଓ ମୋବାଇଲରେ ସୁଟ୍‌ କରିଥିଲେ ଝିଅ ସୋନାଲି । ସେହି ମୋବାଇଲକୁ ଜେନାପୁର ପୋଲିସ ଜବତ କରିଛି । ମୋବାଇଲକୁ ତଦନ୍ତ ପରିସର ଭୁକ୍ତ କରାଯିବ । ଭିଡିଓ ହସ୍ତଗତ ହେଲେ, ଉଭୟଙ୍କ ମଧ୍ୟରେ ଝଗଡ଼ା କେତେ ଉଗ୍ର ହୋଇଥିଲା ତାହା ସ୍ପଷ୍ଟ ହେବ । ଅନ୍ୟପକ୍ଷରେ ଅଭିଯୁକ୍ତ ଡ୍ରାଇଭର ଅମର ସ୍ବାଇଁଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ କରିବା ପରେ ଆଜି ଅମର ସ୍ୱାଇଁଙ୍କୁ କୋର୍ଟ ଚାଲାଣ କରିବ ଜେନାପୁର ପୋଲିସ ।

ସେପଟେ କେନ୍ଦ୍ର ମାନବାଧିକାର କମିଶନଙ୍କ ଟିମ୍ ତଦନ୍ତ କରିବା ସହ ଅଶୋକ ଚକ୍ରବର୍ତ୍ତୀଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଛନ୍ତି ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶ । ଗତ ବୁଧବାର ଗାଡ଼ି ସାଇଡ୍‌ ମରାକୁ କେନ୍ଦ୍ର କରି ଟ୍ରକ୍ ଡ୍ରାଇଭର ଓ ମା, ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ମାଆ, ଝିଅ ସ୍କୁଟିରେ ଯାଉଥିବା ବେଳେ ଡ୍ରାଇଭର ତାଙ୍କ ଉପରେ ଟ୍ରକ୍‌ ମଡ଼ାଇ ଦେଇଥିଲା । ଏଥିରେ ସୁକିନ୍ଦା ଅଞ୍ଚଳର ଶ୍ରୀତିକା ଚକ୍ରବର୍ତ୍ତୀ ଓ ଝିଅ ସୋନାଲି ଚକ୍ରବର୍ତ୍ତୀ ପ୍ରାଣ ହରାଇଥିଲେ । ଶ୍ରୀତିକା ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ କେନ୍ଦ୍ରାପଡ଼ା ଯାଇଥିଲେ । ଝିଅ ସହିତ ସ୍କୁଟିରେ ଫେରିବା ବେଳେ ସାଇଡ୍‌ ମରାକୁ ନେଇ ଟ୍ରକ ଡ୍ରାଇଭରଙ୍କ ସହ ପାଟିତୁଣ୍ଡ ହୋଇଥିଲା ।