ନୂଆଦିଲ୍ଲୀରେ ନୀତୀଶ-ରାହୁଲ ଭେଟ୍‌ଘାଟ୍‌, ପ୍ରଧାନମନ୍ତ୍ରୀ ରେସ୍‌କୁ ନେଇ ଚର୍ଚ୍ଚା

1 min read

ନୂଆଦିଲ୍ଲୀ: ୨୦୨୪ ଲାଗି ପ୍ରସ୍ତୁତ ହେଲାଣି କି ବ୍ଲୁ ପ୍ରିଣ୍ଟ? କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା । ଦିଲ୍ଲୀ ଗସ୍ତରେ ଥିବା ନୀତୀଶ କହିଛନ୍ତି- ପ୍ରଧାନମନ୍ତ୍ରୀ ହେବା ଲାଗି ତାଙ୍କର ଇଚ୍ଛା ନାହିଁ । ଉଭୟ ନେତାଙ୍କ ମଧ୍ୟରେ ଦେଶର ରାଜନୀତି ନେଇ ହୋଇଛି ଆଲୋଚନା ।

ଏପରିକି ବିରୋଧୀ ଦଳଙ୍କୁ ଏକଜୁଟ କରିବା ଲାଗି ସେମାନେ ଆଲୋଚନା କରିଥିବା ସୂଚନା ମିଳିଛି ।  ଏନଡିଏ ଛାଡିବା ପରେ ଏହା ହେଉଛି ନୀତୀଶଙ୍କ ସହ ରାହୁଲଙ୍କ ପ୍ରଥମ ସାକ୍ଷାତ । ଗତ ସପ୍ତାହରେ ବିହାର ଗସ୍ତରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଯାଇ ନୀତୀଶଙ୍କୁ ସାକ୍ଷାତ କରିଥିଲେ । ଦିଲ୍ଲୀ ଗସ୍ତ ପୂର୍ବରୁ ନୀତୀଶ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କୁ ଭେଟି ଆଲୋଚନା କରିଥିବା ସୂଚନା ମିଳିଛି ।

ଦିଲ୍ଲୀରେ ରହଣୀ କାଳରେ ନୀତୀଶ ସିପିଆଇ ନେତା ଡି. ରାଜା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ଆଲୋଚନା କରିବା ସମ୍ଭାବନା ରହିଛି । ଏହା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ବି ଭେଟିପାରନ୍ତି ନୀତୀଶ ।  ବିହାରରେ ଆରଜେଡି, କଂଗ୍ରେସ, ସିପିଆଇଏମ, ସିପିଆଇଏମଏଲ, ହାମ୍ ସହ ମିଶି ମହାମେଣ୍ଟ ସରକାର ଗଠନ କରିବା ଏକ ରାଷ୍ଟ୍ରୀୟ ସମୀକରଣର ଆଭାସ ଦେଇଥିଲା ।