ଶିକ୍ଷା ମଣିଷକୁ ମଣିଷ ସହ ଯୋଡ଼େ, ଗୁରୁଦିବସର ମହତ୍ତ୍ବ ବୁଝାଇଲେ ଗଣେଶୀ ଲାଲ

ଭୁବନେଶ୍ବର: ଦେଶରେ ଭୁଶୁଡ଼ି ଚାଲିଛି ଶିକ୍ଷାବ୍ୟବସ୍ଥା । ଧୀରେ ଧୀରେ ଲୋକଙ୍କ ଭିତରେ ମାନବିକତା କମିଚାଲିଛି । ମଣିଷ ଆତ୍ମକୈନ୍ଦ୍ରିକ ହେବାରୁ ସମାଜର ଧୀରେ ଧୀରେ ଅଧୋଗତି ହେଉଛି । ଆତ୍ମକୈନ୍ଦ୍ରିକ ନହୋଇ ମଣିଷ ହେବାକୁ ପଡ଼ିବ । ମସ୍ତିଷ୍କରେ ଜ୍ଞାନ, ହୃଦୟରେ ପ୍ରେମ ଓ ସ୍ନେହ ରହିବା ଦରକାର । ଗୁରୁଙ୍କ ପାଖରେ ଏତକ ରହିଲେ ଗୋଟିଏ ଛାତ୍ର ତା ଜୀବନରେ ଖୁବ ଆଗକୁ ଯାଇପାରିବ । ନନ୍ଦିଘୋଷ ଟିଭି ଓ ଦୈନିକ ସକାଳର ଗୁରୁବ୍ରହ୍ମା ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଲୋକ ଭଗବାନଙ୍କୁ ଭକ୍ତି କରୁନାହାନ୍ତି, ଭଗବାନଙ୍କୁ ଡରୁଛନ୍ତି  ।

ଲୁକାୟିତ ଜ୍ଞାନକୁ ଯିଏ ଶିଖାଇ ଦିଏ ସିଏ ହିଁ ଗୁରୁ  । କେବେ ବି ପବନରେ ଦୁର୍ଗ ତିଆରି କରିବା ବନ୍ଦ କରନି କେବେ ଦିନରେ ସ୍ୱପ୍ନ ଦେଖିବା ବନ୍ଦ କରନି  । ଶିଶୁଙ୍କ ଉଦ୍ଦେଶ୍ୟରେ ଏମିତି କିଛି କହିଛନ୍ତି ପ୍ରଫେସର ଗଣେଶୀ ଲାଲ  ।

ସେପଟେ ନନ୍ଦିଘୋଷ ଟିଭି ଉଦ୍ଦେଶ୍ୟରେ ଗଣେଶୀ ଲାଲ କହିଛନ୍ତି ଏହା ବିଷ୍ଣୁ ଭଗବାନଙ୍କ ରଥର ନାମ  । ରଥ ଉପରେ ରହିଛନ୍ତି ଭଗବାନ ହନୁମାନ । କୃଷ୍ଣଙ୍କ ରଥ ଭଳି ନନ୍ଦିଘୋଷ ଟିଭିର ସଫଳତାକୁ କେହି ଅଟକାଇ ପାରିବେନି  । ରାଜ୍ୟପାଳ ଆହୁରି ମଧ୍ୟ କହିଥିଲେ, ମିଳିଲାନି ବୋଲି ଆଶା ଛାଡ଼ିଦେବା ଉଚିତ୍ ନୁହେଁ । ପ୍ରତିଟି ଶିଶୁର ସ୍ବପ୍ନକୁ କେବେ ମରିବାକୁ ଦିଆଯିବା କଥା ନୁହେଁ । ଏହାସହ ଯେଉଁ ଶିକ୍ଷା ମଣିଷକୁ ମଣିଷ ସହ ଯୋଡ଼େ ତାହା ହିଁ ଉଚିତ ଶିକ୍ଷା ବୋଲି ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।